୫-ଟି ପ୍ରଶିକ୍ଷଣ ନାମରେ ଅର୍ଥ ହଡ଼ପ !

  ନିଶ୍ଚିନ୍ତକୋଇଲି : ମାହାଙ୍ଗା ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲାସ୍ତରୀୟ ୫ ଦିନିଆ ୫ଟି ପ୍ରଶିକ୍ଷଣ ଶିବିର ଝାଡେଶ୍ୱରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତା. ୨.୭.୨୦୨୨ ରିଖରୁ ତା. ୭.୭.୨୦୨୨ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୫୦ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ପ୍ରଶିକ୍ଷଣ ନେଇଥିଲେ । ଆକୁ୍ୟଣ୍ଟାନ୍ସରେ ସେମାନଙ୍କର ଦସ୍ତଖତ କରାଇ ନିଆଯାଇଥିଲା । ମୋଟ ୮୦ହଜାର୬୦ଟଙ୍କା ଖର୍ଚ୍ଚ ହୋଇଥିବା  ବିଇଓ କାର୍ଯ୍ୟାଳୟ ମାହାଙ୍ଗା, ଚିଠି ନଂ ୨୩୧୬, ତା. ୨୪.୧୧.୨୦୨୩ ରିଖରେ ଜଣାପଡିଥିଲା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ୮୦ ଟଙ୍କା ହିସାବରେ ୨୩ ହଜାର ୨୦୦ ଟଙ୍କା, ୫୪ ଜଣଙ୍କୁ ଟିଏଡିଏ ବାବଦରେ ପ୍ରତ୍ୟେକଙ୍କୁ ୮୫୦ଟଙ୍କା ହିସାବରେ ୪୫ ହଜାର ୯୦୦ ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ଭଗବତୀ ବିଦ୍ୟାପୀଠ ଶୁକ୍ଳେଶ୍ୱରରେ  ବି ୮୦ ହଜାର ୬୦ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ପ୍ରକୃତରେ ଶିକ୍ଷକମାନଙ୍କୁ ସେମାନଙ୍କର ପ୍ରଶିକ୍ଷଣର ଟିଏଡିଏ ପ୍ରଦାନକୁ ନେଇ ଏବେ ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି । କାଗଜପତ୍ରରେ ପ୍ରଶିକ୍ଷଣର ଅର୍ଥ ହଡପ କରାଯାଇନାହିଁ ତ  ! ସେହିଭଳି ବିଇଓ କାର୍ଯ୍ୟାଳୟ ମାହାଙ୍ଗା ଚିଠି ନଂ ୩୨୩, ତା. ୧୯.୦୨.୨୦୨୪ ରିଖରେ ୫-ଟି ପ୍ରଶିକ୍ଷଣ ନିମନ୍ତେ ମାହାଙ୍ଗା ବ୍ଲକରେ ମୋଟ ୧ ଲକ୍ଷ ୨୧ ହଜାର ଟଙ୍କା ଆସିଥିଲା ବେଳେ ୫ ଜଣଙ୍କ ବ୍ୟାଙ୍କ ଜମାଖାତାକୁ ଏହି ଅର୍ଥ ପଠାଯାଇଥିବା ସୂଚନା ତଥ୍ୟରୁ ମିଳିଛି । ୫ ଦିନ ଧରି ମାହାଙ୍ଗା ବ୍ଲକରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାହାଙ୍ଗା ବ୍ଲକର ହନୁମାନଜୀଉ ବିଦ୍ୟାନିକେତନ ରାଣୀଗୋଡାରେ ୯.୧୦.୨୦ ରିଖରୁ ତା. ୧୩.୧୦.୨୦୨୩ ରିଖ ପର୍ଯ୍ୟନ୍ତ ୫-ଟି ପ୍ରଶିକ୍ଷଣରେ ୪୭ ଜଣ ଶିକ୍ଷକ ଭାଗ ନେଇଥିଲେ । ସେହିଭଳି ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ମଣୀଯୋରୀରେ ୫-ଟି ପ୍ରଶିକ୍ଷଣ  ୨୦୨୩-୨୪ ଆର୍ଥିକ ବର୍ଷରେ କରାଯାଇଥିଲା । ଏଥିରେ ୪୧ ଜଣ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ । ତେବେ ସେମାନଙ୍କର ବ୍ୟାଙ୍କ ଜମା ଖାତାକୁ ଟିଏଡିଏ ଅର୍ଥ ପଠାଯାଇଥିବା ଜଣାଯାଇଛି । ମଧ୍ୟାହ୍ନ ଭୋଜନ ପାଇଁ ୧୨୦ଟଙ୍କା ଲେଖାଏଁ ଆସିଥିଲା ବେଳେ ଭାତ, ଡାଲମା ଓ ଖଟା ଖାଇବାକୁ ଦେଇଥିବା ଅଭିଯୋଗ ହେଉଛି ।

ଅପରପକ୍ଷରେ ୪୦ ଟଙ୍କା ଲେଖାଏଁ ହିସାବରେ କଲମ କିଣାଯାଇଥିବା ସୂଚନା ତଥ୍ୟରେ ଦର୍ଶାଯାଇଛି । ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ମଣୀଯୋରୀରେ ତା. ୨୧.୦୮.୨୦୨୩ ରିଖରୁ ତା. ୨୬.୦୮.୨୦୨୩ ରିଖ ପର୍ଯ୍ୟନ୍ତ ୫ ଦିନ ଧରି ୫-ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୬୧ ହଜାର ୨୭୦ ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିଭଳି ହନୁମାନଜୀଉ ବିଦ୍ୟାନିକେତନ ରାଣୀଗୋଡାରେ ତା. ୨୮.୦୮.୨୦୨୩ ରିଖରୁ ତା. ୪.୯.୨୦୨୩ ରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରଶିକ୍ଷଣ ଶିବିରରେ ୨୯ ଜଣ ଶିକ୍ଷକ ଭାଗନେଇଥିଲେ । ସେଥିପାଇଁ ମୋଟ ୬୪ହଜାର୫୪୦ ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ତା.୯.୧୦.୨୦୨୩ ରିଖରୁ ତା. ୧୩.୧୦.୨୦୨୩ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ୫୧ ଜଣଙ୍କ ପାଇଁ ମୋଟ ୭୨ ହଜାର ୫୬୪ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଜମାଖାତାକୁ ପଠାଯାଇଥିବା ଟଙ୍କାର ସଠିକ୍ ତାଳମେଳ ନାହିଁ । ପ୍ରକୃତରେ ଶିକ୍ଷକମାନେ ପ୍ରଶିକ୍ଷଣ ବାବଦର ଅର୍ଥ ପାଇଛନ୍ତି କି ନାହିଁ ତାହା ତଦନ୍ତ ସାପେକ୍ଷ । ଅପରପକ୍ଷରେ ତତ୍କାଳୀନ ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ବେହେରାଙ୍କ ବିଭିନ୍ନ କଳାକାରନାମା ସଂପର୍କରେ ବିଭିନ୍ନ ଖବର କାଗଜରେ ତଥ୍ୟମାନ ପ୍ରକାଶ ପାଇବା ପରେ ବି ସରକାର କୌଣସି ଦୃଢ ପଦକ୍ଷେପ ଗ୍ରହଣ ନକରି ଅପରପକ୍ଷରେ ତାଙ୍କର ପଦୋନ୍ନତି କରାଯାଇଥିଲା । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।