ନାବାଳିକା ଝିଅକୁ କୁକର୍ମ; ବାପାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୬ା୧: ଏକ ସମ୍ବେଦନଶୀଳ ବଳାକôାର ମାମଲାର ବିଚାର କରି ଅତିରିକ୍ତ ଦୌରାଜଜ ତଥା ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ (ପକ୍ସୋ)ର ବିଚାରପତି ସରୋଜ କୁମାର ସାହୁ ସୋମବାର ଅଭିଯୁକ୍ତ ଜଲ୍ଲାଦ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଲ୍ଲାଦ ବାପା ହେଉଛି ସାକିଲା ଟୁଡ଼ୁ (୪୫) । ତାଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ବେଳେ ସେ ଘଟଣା ସମୟରେ ସହିଦନଗର ଅଞ୍ଚଳରେ ଥିବା ଏକ ବସ୍ତିରେ ରହୁଥିଲେ । ଜଲ୍ଲାଦ ସାକିଲ ନିଜ ଜନ୍ମ କଲା ଝିଅକୁ ବାରମ୍ବାର କୁକର୍ମ କରୁଥିବା ନେଇ ସକିଲଙ୍କ ପତ୍ନୀ ତଥା ପୀଡ଼ିତାଙ୍କ ମା ଏନେଇ ସହିଦନଗର ଥାନାରେ ୨୦୨୧ ମସିହା ଏପ୍ରିଲ ୯ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏହି ମାମଲାକୁ ଗୁରୁତର ସହ ନେଇ ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହ ଅଭିଯୁକ୍ତ ବାପା ସାକିଲଙ୍କୁ ତୁରନ୍ତ ଗିରଫ କରିଥିଲା । ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟି ଦେଇ ପୁଲିସ ମାମଲା ରୁଜୁ ହେବାର ମାତ୍ର ୨ ମାସ ମଧ୍ୟରେ ଅଭିଯୁକ୍ତ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ରାଜୀବ ସାସମଲ ଓ ଅତିରିକ୍ତ ପିପି ବଳରାମ ଦେଓ ପରିଚାଳନା କରୁଥିଲେ । ଏହି ମାମଲାରେ ବିଚାରପତିଙ୍କ ନିକଟରେ ୨୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ମାମଲାକୁ ସହିଦନଗର ଥାନାର ସବ ଇନ୍ସପେକ୍ଟର ସଂଯୁକ୍ତା ସାହୁ ତଦନ୍ତ କରୁଥିଲେ ।
ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିଯୁକ୍ତ ସାକିଲା ପିଡ଼ୀତାଙ୍କ ବାପା । ସେ ପିଡୀତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଏକବର୍ଷ ଧରି ତାଙ୍କ ସହ ଜୋରଜବଦସ୍ତି କୁକର୍ମ କରୁଥିଲା । ଏନେଇ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଆସୁଥିଲା । ଶେଷରେ ଅଭିଯୁକ୍ତ ଜଲ୍ଲାଦ ବାପା ସାକିଲା ନିଜ ଝିଅକୁ ବିବାହ କରିବାକୁ ଜିଦ ଧରିବାରୁ ଏନେଇ ଝିଅ ନିଜ ମାଙ୍କୁ ଏକଥା ଜଣାଇଥିଲା । ଫଳରେ ଏନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତେବେ ମାମଲାର ବିଚାର ପ୍ରକ୍ରିୟା ଚାଲୁଥିବା ବେଳେ, ପୀଡ଼ିତା ନାବାଳିକା ଜଣଙ୍କ ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କରିଥିଲେ ।