ସଂରକ୍ଷିତ ଜଙ୍ଗଲରୁ ବେଆଇନ ଗଛ କଟା ଘଟଣା: ୧୩ ଜଣଙ୍କ ନାଁରେ ମାମଲା ରୁଜୁ
ାା ପ୍ରଭାନୁ୍ୟଜ ।ା କେନ୍ଦୁଝର: ଚମ୍ପୁଆ ରେଞ୍ଜ କାଳିକାପ୍ରସାଦ ବିଟ୍ ଅଧିନସ୍ଥ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରେ ଅନୁମତି ଠାରୁ ଅଧିକ ସଂଖ୍ୟକ ଗଛ କଟାଯିବା ଘଟଣାରେ ବନ ବିଭାଗ ୧୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଏହି ଘଟଣାକୁ ନେଇ ଉକ୍ତ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡିଛି । ବନ ବିଭାଗ ଅଦ୍ୟାବଧି କାହାରିକୁ ଗିରଫ କରିନଥିବା ଜଣାପଡିଛି । ପ୍ରକାଶ ଯେ କେନ୍ଦୁଝର ଡିଏଫ୍ଓ ଧନରାଜ ଏଚ୍ଡି ଉକ୍ତ ସଂରକ୍ଷିତ ଜଙ୍ଗଲରେ ୨୫୦୫ ଟି ୟୁକାଲିପଟାସ ଗଛ କାଟିବାକୁ କୃଷ୍ଣପୁର ବନ ସୁରକ୍ଷା ସମିତିକୁ ଦେଇଥିଲେ ।
ତେବେ ଧାର୍ଯ୍ୟ ବହୁ ଅଧିକ ବିଭିନ୍ନ କିସମର ଗଛ କଟାଯାଇଥିଲେ ମଧ୍ୟ ବନ ବିଭାଗ ଚୁପ ରହିଥିଲା । ତେବେ ଏହାକୁ ନେଇ କୃଷ୍ଣପୁର ଗ୍ରାମବାସୀମାନେ କେନ୍ଦୁଝର ଜିଲ୍ଲାପାଳ, ଡିଏଫ୍ଓ, ଚମ୍ପୁଆ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏହାର ତଦନ୍ତ ପାଇଁ ଚମ୍ପୁଆ ରେଞ୍ଜ ଦାୟିତ୍ୱରେ ଥିବା ସହକାରୀ ବନ ସଂରକ୍ଷକ ଅକ୍ଷୟ ଛତ୍ରିଆଙ୍କୁ କଟା ଗଛର ମୂଳ ଗଣତି ପାଇଁ ଚିଠି ସଂଖ୍ୟା ୩୦୮୩ ତା ୦୯/୧୦/୨୦୨୪ରେ ଆଦେଶ କରିଥିଲେ । ଗଣତି ବେଳେ ବହୁ ଅଧିକ ଗଛ କଟାଯାଇଥିବା ଜଣାପଡିବାରୁ ଅଧାରୁ ଗଣତି ବନ୍ଦ କରି ଦେଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏହି ଘଟଣାରେ ଅଧିକ ଗଛ କଟାଯାଇଥିବା ପ୍ରମାଣ ପାଇବା ପରେ ବନ ବିଭାଗ ବନ ସୁରକ୍ଷା ସମିତିର ସଭାପତି ରଞ୍ଜନ କୁମାର ମହାନ୍ତଙ୍କ ସମେତ ଅନ୍ୟ ୧୨ ଜଣଙ୍କ ବିରୁଦ୍ଧରେ କେସ ରୁଜୁ କରିଛନ୍ତି । ଏହି ବେଆଇନ ଗଛ କଟା କାର୍ଯ୍ୟରେ ଅଧିକ ଲୋକଙ୍କ ସଂପୃକ୍ତି ଥିବାରୁ ବନ ବିଭାଗ ତଦନ୍ତ ଜାରୀ ରଖିଛି । ଅଧିକ ସଂଖ୍ୟାରେ ଗଛ କଟାଯାଇଥିବା ଜଣା ପଡିଥିଲେ ହେଁ ଉକ୍ତ କାର୍ଯ୍ୟର ତଦାରଖ କରୁଥିବା ବନ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଗଛ କଟିଲା ପରେ ବନ ବିଭାଗ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହେଁ ଏହାଦ୍ୱାରା ହୋଇଥିବା ପରିବେଶ ଜନିତ କ୍ଷତି ଭରଣା କିଏ କରିବ ଏବଂ ସେ ବାବଦକୁ ଅର୍ଥ କାହାଠାରୁ ଆଦାୟ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ୟାପକ ଗଛ କଟା ଦ୍ୱାରା ଜଙ୍ଗଲ ନଷ୍ଟ ହେବା ସହ ବନ୍ୟପ୍ରାଣୀଙ୍କ ପ୍ରାକୃତିକ ବାସସ୍ଥଳୀ ଧ୍ୱଂସ ପାଇବା ସହ ପରିବେଶ ଉପରେ ଏହାର କୁ ପ୍ରଭାବ ପଡିଛି । କ୍ଷୟକ୍ଷତିର ପ୍ରକୃତ ଆକଳନ କରି ଦୋଷୀଙ୍କ ଠାରୁ ଏହାର ଭରଣା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀ ଏବଂ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏତେ ସଂଖ୍ୟାରେ ଗଛ କାହିଁକି କଟାଗଲା ତାହା ଏବେ ସନେ୍ଦହ ଘେରରେ । ଓଡିଶାରେ ଜଙ୍ଗଲରେ କ୍ଷମତା ଠାରୁ ଅଧିକ ହାତୀ ଥିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ କୁମାର ନନ୍ଦ ପ୍ରକାଶ କରିଥିଲେ । କିନ୍ତୁ ଅପରପକ୍ଷରେ କେନ୍ଦୁଝର ଡିଭିଜନରେ କାଗଜ କଲମରେ ଜଙ୍ଗଲ ବୃଦ୍ଧି ହେଉଥିବାବେଳେ ବାସ୍ତବରେ ଜଙ୍ଗଲ ଦିନକୁ ଦିନ କ୍ଷୟ ହେବାକୁ ଲାଗିଛି । ଫଳରେ ହାତୀ ଗାଁ ମୁହାଁ ବ୍ୟାପକ କ୍ଷୟକ୍ଷତି ଘଟାଉଛି । ଏଣେ କେନ୍ଦୁଝର ଡିଭିଜନରେ ବହୁ ପରିମାଣର ଗଛ କାଟିବା ପାଇଁ ଅନୁମତି ବିଭାଗ ପକ୍ଷରୁ ଦିଆଯାଉଥିବା ଏବଂ ଉପଯୁକ୍ତ ତଦାରଖ ଅଭାବରୁ ସଂରକ୍ଷିତ ଜଙ୍ଗଲରୁ ବହୁ ଅଧିକ ପରିମାଣର ଗଛ କଟୁଥିବାରୁ ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ପ୍ରଭାବିତ ହେବାକୁ ଲାଗିଛି ।