ସଡକ ସୁରକ୍ଷା କମିଟି ବୈଠକ
କେନ୍ଦୁଝର,: ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ଜିଲ୍ଲା ସଡକ ସୁରକ୍ଷା ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲଲିତ ସରେଙ୍ଗ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଗୋପାଳ କୃଷ୍ଣ ଦାସ, ଏନ୍ଏଚ୍ଏଆଇ ପ୍ରକଳ୍ପ ନିଦେ୍ର୍ଦଶକ ମହେଶ ଗାମି, ମ୍ୟାନେଜର ଟେକନିକାଲ ଇଂ ଆଶିଷ ବିର୍ଲା, ଏସିଏଫ୍ ଅଶୋକ କୁମାର ଦାସ, ପୂର୍ତ୍ତ ବିଭାଗର ନିର୍ବାହୀ ଅଧିକାରୀ ଇଂ ବିକ୍ରମ ମୁର୍ମୁ, କେନ୍ଦୁଝର ସର୍କଲ ଖଣି ଉପ ନିଦେ୍ର୍ଦଶକ ବିଷ୍ଣୁପଦ ରାଉତ, ଯୋଡା ସର୍କଲ ଖଣି ଉପ ନିଦେ୍ର୍ଦଶକ ଦିନେଶ ଅଗ୍ରୱାଲ, ଟାଟା ପାୱାର କେନ୍ଦୁଝର ସର୍କଲ ଏଜିଏମ୍ ରଶ୍ମିକାନ୍ତ ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବେନ ଦାସ, ପୌରପାଳିକା ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ, ଅବକାରୀ ଇନ୍ସପେକ୍ଟର ଚନ୍ଦନ ମଣ୍ଡଳଙ୍କ ସମେତ ସଡକ ସୁରକ୍ଷା ସମିତିର ସଦସ୍ୟ ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ସଡକ ଦୁର୍ଘଟଣାର କେତେକ ପ୍ରମୁଖ କାରଣ ଉପରେ ଆଲୋଚନା ହୋଇଥିଲା ଏବଂ ଏହାର ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା । ଜିଲ୍ଲା ସଡକ ସୁରକ୍ଷା କମିଟିର ଗତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ପ୍ରଥମେ ଆଲୋଚନା ହୋଇଥିଲା ।
ଏନଫୋର୍ସମେଣ୍ଟକୁ ଅଧିକ କ୍ରୀୟାଶୀଳ କରିବା ସହ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । କେନ୍ଦୁଝର ଜିଲ୍ଲାରେ ୯ଟି ବ୍ଲାକ ସ୍ପଟ ଥିବାବେଳେ ଏହାର ତ୍ରୁଟି ସଂଶୋଧନ କରି ବ୍ଲାକ ସ୍ପଟ ମୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା । ଦୁର୍ଘଟଣାପ୍ରବଣ ସ୍ଥାନରେ ଗାଡିର ଗତି କମାଇବା ପାଇଁ ରମ୍ବଲର କରିବା ସହ ସର୍ତକ ସୂଚନା ଫଳକ ଦେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ପାଶ୍ୱର୍ରେ ଅନେକ ଦୋକାନ ଏବଂ ଢାବା ଗଢି ଉଠିଥିବାରୁ ଏହି କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଢାବା ପାଶ୍ୱର୍ରେ ରାସ୍ତା କଡରେ ଟ୍ରକ ଏବଂ ଅନ୍ୟ ଗାଡି ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହୁଛି । ରାସ୍ତା ପାଶ୍ୱର୍ ଜବରଦଖଲ ଚିହ୍ନଟ କରି ଉଚ୍ଛେଦ କରିବାକୁ ତହସିଲଦାରଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ରାସ୍ତା କଡ ଢାବାରେ ବେଆଇନ ମଦ କାରବାର ବଢୁଥିବାରୁ ଏହା ଉପର ରୋକ ଲାଗଇବା ପାଇଁ ପୋଲିସ ଏବଂ ଅବକାରୀ ବିଭାଗ ନିୟମିତ ଚଢାଉ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ବର୍ଷା ଦିନ ପୂର୍ବରୁ ସର୍ଭିସ ରୋଡ ମରାମତି ସହ ରାସ୍ତା ପାଶ୍ୱର୍ ଘାସବୁଦା ସଫେଇ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ରାସ୍ତାରେ ପାଣି ଜମି ରହୁଥିବା ସ୍ଥାନ ଚିହ୍ନଟ କରି ତୁରନ୍ତ ସଫା କରିବା ସହ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିଲା । ଯେଉଁ ସବୁ ସ୍ଥାନରେ ଲୋକଙ୍କ ଯାତାୟତ ଏବଂ ବଜାର ରହିଛି ସେଠାରେ ହାଇମାକ୍ସ ଲାଇଟ ଲଗାଇବାକୁ କୁହାଯାଇଛି । ବିନା ହେଲମେଟରେ ଗାଡି ଚାଳନା, ଅତ୍ୟଧିକ ବେଗରେ ଗାଡି ଚାଳନା, ୧୮ ବର୍ଷରୁ କମ ପିଲାମାନଙ୍କ ଦ୍ୱାରା ଗାଡି ଚାଳନା, ମୋବାଇଲ ଫୋନ ବ୍ୟବହାର କରି ଗାଡି ଚାଳନା, ମଦ୍ୟପାନ କରି ଗାଡି ଚାଳନା, ଧାର୍ଯ୍ୟ କ୍ଷମତା ଠାରୁ ଅଧିକ ମାଲ ପରିବହନ ଏବଂ ବେଆଇନ ପାର୍କିଂ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଆଇନ ଅମାନ୍ୟକାରୀଙ୍କୁ ଦଣ୍ଡିତ କରିବାକୁ ଜିଲ୍ଲାପାଳ ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ।