୭ଟି ନୂତନ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଲା
କେନ୍ଦୁଝର: କେନ୍ଦୁଝର ଏକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜିଲା ଅଟେ । ଏଠାକାର ମନୋରମ ସ୍ଥଳୀ ଗୁଡିକୁ ଲୋକଲୋଚନକୁ ଆଣିବା ଏବଂ ଜିଲାକୁ ପର୍ଯ୍ୟଟକଙ୍କ ଆକୃଷ୍ଟ କରି ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବାରେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ନିଦେ୍ର୍ଦଶକଙ୍କୁ ଚିଠି ନଂ ୩୭୦୧୪/୧୨/୨୦୨୧ ତାରିଖରେ ନୂତନ ଭାବେ ସର୍ଭେ କରାଯାଇଥିବା ୭ଟି ପର୍ଯ୍ୟଟନସ୍ଥଳୀର ତଥ୍ୟ ଦିଆଯାଇଥିଲା ।
ଏହାକୁ ସରକାର ମଞ୍ଜୁର କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି । ସରକାର ନୂତନ ପର୍ଯ୍ୟଟନ କେନ୍ଦ୍ର ଘୋଷଣା କରିବା ପରେ ଏହି ଅଂଚଳର ବିକାଶ ହୋଇପାରିବ । ପର୍ଯ୍ୟଟନ ଋତୁ ଆସିଲେ ସେଗୁଡିକର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଜିଲା, ଜିଲା ବାହାର ତଥା ରାଜ୍ୟ ବାହାରର ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟନ ବିଭାଗ ପୂର୍ବରୁ କେନ୍ଦୁଝର ଜିଲାର ୧୬ଟି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିବାବେଳେ ଏବେ ଆଉ ୭ଟି ପର୍ଯ୍ୟଟନସ୍ଥଳୀ ଘୋଷଣା ହେବା ପରେ ମୋଟ ୨୩ଟି ପର୍ଯ୍ୟଟନସ୍ଥଳୀ ହୋଇଛି । ନୂତନ ପର୍ଯ୍ୟଟନସ୍ଥଳୀକୁ ମାନ୍ୟତା ଦିଆଯାଇଥିବାରୁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ପର୍ଯ୍ୟଟନକ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ଲକ୍ଷ୍ୟରେ ଟେଣ୍ଟେଇନାଳୀ ଜଳପ୍ରପାତ,ଗିରିଡିବନ୍ଧ ଜଳପ୍ରପାତ,କାଇଯୋଡା ଜଳପ୍ରପାତ,ଦରଗଡିଶୀଳା ଜଳଭଣ୍ଡାର,ଡାବରଚୁଆ ଜଳଭଣ୍ଡାର, ବାରାହାଟିପୁରା ଶୈବପୀଠ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି । ଜିଲା ପର୍ଯ୍ୟଟନ ଉନ୍ନୟନ ପରିଷଦର ଅନୁମୋଦନ ଲାଭ କରିବା ପରେ ପର୍ଯ୍ୟଟନ ବିଭାଗ ନିକଟରେ ନୂତନ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେବାକୁ ଆବେଦନ କରାଯାଇଥିଲା । ଦୀର୍ଘ ୩ ବର୍ଷ ପରେ ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଦର ବିଧାୟକ ଥିବା ସମୟରେ ଏ ନେଇ ବାରମ୍ବାର ବିଧାନସଭାରେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ପୂର୍ବରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତାପ୍ରାପ୍ତ କ୍ଷେତ୍ର ମଧ୍ୟରେ କେନ୍ଦୁଝର ଜିଲାର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଓ ସିଦ୍ଧମଠ, ସାନଘାଗରା, ବଡଘାଗରା, ଗୋନାସିକା, କାଞ୍ଜିପାଣି ଘାଟି, ଖଣ୍ଡାଧାର, ମୁର୍ଗା ମହାଦେବ, ହାଣ୍ଡିଭଙ୍ଗା, କେଶରୀକୁଣ୍ଡ, ରାଜନଗର (ରଘୁନାଥଜୀଉ), ମା’ ତାରିଣୀ ପୀଠ ଘଟଗାଁ, ସୀତାବିଞ୍ଜ, ଗୁଣ୍ଡିଚାଘାଗି, କୁଶଳେଶ୍ୱର (ଦେଓଗାଁ), ହଦଗଡ, ଚକ୍ରତୀର୍ଥ, ପୋଡାଶିଙ୍ଗା, ଗଡଚଣ୍ଡୀ ପ୍ରଭୃତି ସ୍ଥଳୀ ଗୁଡିକ ପୂର୍ବରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇ ସାରିଛି । ଅଧିକ ୭ଟି ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବା ପରେ ପର୍ଯ୍ୟଟକ ଓ ପର୍ଯ୍ୟଟନ କ୍ଷେତ୍ରରେ ନିର୍ଭରଶୀଳ ଲୋକେ ଉପକୃତ ହୋଇପାରିବେ ବୋଲି ସାଂସଦ ଅନନ୍ତ ନାୟକ କହିଛନ୍ତି ।