କେନ୍ଦୁଝରରେ ବ୍ୟାପକ ଆଳୁ ଚାଷ ଉତ୍ପାଦନ

କେନ୍ଦୁଝର: ଚଳିତ ବର୍ଷ ରାଜ୍ୟରେ ଆଳୁ ସଙ୍କଟ ଦେଖାଦେବା ପରେ ଚଳିତ ଥର ସରକାର ରିଆତି ଦରରେ ଉନ୍ନତମାନର ଆଳୁ ବିହନ ଯୋଗାଇଥିଲେ । ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ଷ୍ଟେଟ ପ୍ଲାନରେ ସବ୍ସିଡି ଦରରେ କିଲୋ ପ୍ରତି ୧୦ ଟଙ୍କା ଦରରେ ଉନ୍ନତମାନର ଆଳୁ ବିହନ ଯୋଗାଇଥିଲେ । 
ଅଧିକ ଅମଳ କ୍ଷମ କୁଫ୍ରି ଜ୍ୟୋତି ଓ କୁଫ୍ରି ପୋଖରାଜ ଆଳୁ ବିହନ ଓଡିଶା ରାଜ୍ୟ ବହିନ ନିଗମ ମାଧ୍ୟମରେ ଅଣାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିଲା । ଚଳିତ ବର୍ଷ ଆଳୁ ଚାଷ କରିବା ପାଇଁ କେନ୍ଦୁଝର ଜିଲ୍ଲାରେ ୭୫୦୦ କ୍ୱିଣ୍ଟାଲ ଆଳୁ ବିହନ ଯୋଗାଣ କରାଯାଇଥିଲା । ଚାଷୀଙ୍କୁ ସର୍ବନିମ୍ନ ୨୫ ଡିସିମିଲ ପାଇଁ ୧୩୦ କେଜି ବିହନ ଏବଂ ସର୍ବାଧିକ ୫୦ ଡିସିମିଲ ପାଇଁ ୨୬୦ କେଜି ଆଳୁ ବିହନ ଯୋଗାଇ ଦିଆଯାଇଥିଲା । ଧାନ ଚାଷ ପରେ ଚାଷୀମାନେ ବିଭିନ୍ନ ଋତୁକାଳୀନ ପନିପରିବା ଲଗାଇବା ସହ ଆଳୁ ଚାଷ କରିଥିଲେ । ବର୍ତ୍ତମାନ ବଜାରରେ ଆଳୁ ଦର କିଲୋ ପ୍ରତି ୨୦ ଟଙ୍କା ରହିଛି । ବଜାରରେ ଆଳୁର ଚାହିଦା ତଥା ଚାଷ ପାଇଁ ଉପଯୋଗୀ ଜମି ଥିବାରୁ ଏହି ଚାଷ କରି ଦୁଇ ପଇସା ରୋଜଗାର କରିବାକୁ ସେମାନେ ଆଶା ରଖିଛନ୍ତି । ଜିଲ୍ଲାରେ ଚଳିତ ବର୍ଷ ୫୭୫ ହେକ୍ଟର ଜମିରେ ରବି ଋତୁରେ ଆଳୁ ଚାଷ ହୋଇଛି । ବର୍ତ୍ତମାନ ସୁଦ୍ଧା ୫୦ଭାଗ ଚାଷୀ ଆଳୁ ଉତ୍ପାଦନ କରିଛନ୍ତି । ଏଥର ଅଧିକା ପରିମାଣର ଆଳୁ ହୋଇଥିବାରୁ ଚାଷୀମାନେ ଖୁସି ଅଛନ୍ତି । ଆଳୁ ଚାଷ ପରେ ନିଜ ପରିବାର ଚାହିଦା ପୂରଣ ସହ ଅଧିକ ଆଳୁକୁ ବଜାରରେ ବିକ୍ରୀ କରିବେ ବୋଲି ଚାଷୀ ଗୋବର୍ଦ୍ଧନ ନାଏକ କହିଛନ୍ତି । ଅମଳ ପରେ ଚାଷୀ ଯେପରି ପ୍ରକୃତ ମୂଲ୍ୟ ପାଇ ପାରିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ଉଦ୍ୟାନ କୃଷି ଉପ ନିଦେ୍ର୍ଦଶକ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀ କହିଛନ୍ତି । ଆଳୁର ବଜାରୀକରଣ ଏବଂ ସଂରକ୍ଷଣ ଦିଗରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।