ଆମ ଗାଁ ଭାଗବତ ଘର

ଆମ ଗାଁ ଭାଗବତ ଘର

ଷୋଡ଼ଶ ଶତାବ୍ଦୀରେ ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ସରଳ ନବାକ୍ଷରୀ ବୃତ୍ତରେ ରଚନା କଲେ  । ସ୍ୱଳ୍ପକାଳ ଭିତରେ ଏହି ଭାଗବତର ବ୍ୟାପକ ପ୍ରଚାର ଓ ପ୍ରସାର ଘଟିଥିଲା ତଥା ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗୀ ବା ଭାଗବତ ଘର ପ୍ରତିଷ୍ଠିତ ହୋଇଥିଲା  । ଓଡ଼ିଶାରେ ସେହି ସମୟରେ ଆନୁଷ୍ଠାନିକ ଶିକ୍ଷାର ବ୍ୟବସ୍ଥା ନଥିଲେ ହେଁ ଭାଗବତ ପାଠ କରିବା ନିମିତ୍ତ ଲୋକମାନେ ବ୍ୟାକୁଳ ହୋଇପଡିଲେ  । ତେଣୁ ଗ୍ରାମ ଓ ପୁରପଲ୍ଲୀରେ ଚାଟଶାଳୀ ଶିକ୍ଷାର ଆରମ୍ଭ ହେଲା  । ବ୍ରାହ୍ମଣ, କରଣ ଓ ଜ୍ୟୋତିଷ ପ୍ରଭୃତି ଜାତି ନିଜ ନିଜ ଗ୍ରାମରେ ଚାଟଶାଳୀ ଖୋଲି କିଶୋରମାନଙ୍କୁ ବର୍ଣ୍ଣଶିକ୍ଷା, ପଣକିଆ, ସଂଖ୍ୟା, ମିଶାଣ, ଫେଡାଣ, ଗୁଣନ, ହରଣ ପ୍ରଭୃତି ଶିକ୍ଷା ଦେଲେ  । ଚାଟଶାଳୀ ଶିକ୍ଷାର ଅନ୍ତ ଥିଲା ଭାଗବତ ପାଠରେ  । ତେଣୁ କୁହାଯାଉଥିଲା ‘ବିଦ୍ୟା ଭାଗବତାଦଧି’ । ବ୍ରାହ୍ମଣ କରଣଙ୍କ ବ୍ୟତୀତ ମାଟିବଂଶ ଅବଧାନ ନାମକ ଏକ ସଂପ୍ରଦାୟ ଚାଟଶାଳୀ ଅବଧାନ ବୃତ୍ତିକୁ ପାରମ୍ପରିକ ଜୀବିକା ଭାବରେ  ଗ୍ରହଣ କଲେ ଓ ଗ୍ରାମେ ଗ୍ରାମେ ବୁଲି ଚାଟଶାଳୀ ଶିକ୍ଷା ପ୍ରଦାନ କଲେ  । ଫଳରେ ବିନା ବିଦ୍ୟାଳୟରେ ଲକ୍ଷ ଲକ୍ଷ ଓଡ଼ିଆ ସାକ୍ଷର ହୋଇଗଲେ  । ସେ ସମୟରେ ସମଗ୍ର ବିଶ୍ୱରେ ଓଡ଼ିଶା ଭୂଖଣ୍ଡରେ ସାକ୍ଷର ସଂଖ୍ୟା ଥିଲା ସର୍ବାଧିକ  ।
          ଜଗନ୍ନାଥ ଦାସ ଥିଲେ ଓଡ଼ିଶା ମାଟିର ଧାର୍ମିକ, ନୈତିକ ଓ ଜାତୀୟତାର ପ୍ରାଣ ପ୍ରତିଷ୍ଠାତା  । ଓଡ଼ିଶାରେ ସାମାଜିକ ଜୀବନର ବିକାଶରେ ସେ ଥିଲେ ଯଥାର୍ଥ ଦିଗଦର୍ଶକ  । ଅନ୍ୟ ଭାଷାରେ ଉଲ୍ଲେଖ କଲେ ସେ ଥିଲେ ଓଡ଼ିଶାର ସାମାଜିକ ଚେତନାର ବାର୍ତ୍ତାବହ  । ସେତେବେଳେ ଓଡ଼ିଶାର ରାଜନୈତିକ ଆକାଶ ତମସାଚ୍ଛନ୍ନ, ସାମାଜିକ ଅବସ୍ଥା ବିପର୍ଯ୍ୟସ୍ତ ଏବଂ ସାଂସ୍କୃତିକ ଜୀବନ ଦୁର୍ଦ୍ଦଶାଗ୍ରସ୍ତ  । ଉତ୍ତରରେ ମୁସଲମାନ ଆକ୍ରମଣ ଓ ଦକ୍ଷିଣରେ ଅନ୍ୟ ଶତ୍ରୁଙ୍କ  ଆକ୍ରମଣରେ ଓଡ଼ିଶା ଭୀତତ୍ରସ୍ତ  । ଠିକ୍ ସେହି ସମୟରେ ଜଗନ୍ନାଥ ଦାସଙ୍କ ଅମର ଲେଖନୀରୁ ନିସୃତ ହେଲା ଓଡ଼ିଆ ଭାଗବତ  । ଓଡ଼ିଶାବାସୀଙ୍କୁ ସୁଶିକ୍ଷିତ, ସୁସଂସ୍କୃତ ତଥା ସୁସଭ୍ୟ କରିବା ନିମିତ୍ତ ଏହା ଥିଲା ତାଙ୍କର ମହତ ଉଦ୍ୟମ  । ସମଗ୍ର ଓଡ଼ିଶାବାସୀଙ୍କ ହୃଦୟରେ ଧାର୍ମିକ ଚେତନା, ନୈତିକ ପ୍ରେରଣା, ଏକତ୍ୱବୋଧ ଓ ସାମାଜିକ ଚେତନା ସୃଷ୍ଟି କରିବା ହିଁ ତାଙ୍କର ଲକ୍ଷ୍ୟ ଥିଲା ଏବଂ ସେଥିପାଇଁ ସେ ଶ୍ରୀଜଗନ୍ନାଥଙ୍କ କରୁଣାକୁ ଭିତ୍ତି କରି କଳ୍ପବଟ ମୂଳରେ ଭାଗବତ ରଚନା କଲେ  । ସରଳ ଭାଷା, ତରଳ ଭାବ, ବିମଳ ଭକ୍ତି ଓ ସହଜଧାରାରେ  ସେ  ଭାଗବତ ରଚନା କରି ସାକ୍ଷର, ନିରକ୍ଷର, ଆବାଳ ବୃଦ୍ଧବନିତା ସଭିଙ୍କ ହୃଦୟରେ ସାମାଜିକ ଚେତନାର ନୂତନ ମୂର୍ଚ୍ଛନା ସୃଷ୍ଟି କରି ପାରିଥିଲେ  । ଧାର୍ମିକ ତତ୍ତ୍ୱର ଅବତାରଣା ସହିତ ବଳିଷ୍ଠ ବ୍ୟକ୍ତିତ୍ୱ, ସୁସଂହତ ପରିବାର ଓ ସୁଦୃଢ ସମାଜ ଗଠନର ଆଶା-ଆକାଙକ୍ଷାକୁ ଅବଲମ୍ବନ କରି ଏକ ସର୍ବଜନବୋଧ୍ୟ ଓ ସର୍ବକାଳୀନ ଆବେଦନପୂର୍ଣ୍ଣ ଶାସ୍ତ୍ର ପ୍ରଣୟନ ପୂର୍ବକ ସେ ଓଡ଼ିଆ ପ୍ରାଣରେ ଭବ୍ୟ ସାମାଜିକ ଚେତନାର ଉତ୍ତରଣ ଘଟାଇ ପାରିଥିଲେ  । ମହନୀୟତା ହେଉଛି ସେବା, କାର୍ପଣ୍ୟ, ଦୟା, କ୍ଷମା ଓ ସତକର୍ମର ବାର୍ତ୍ତା ପ୍ରଦାନ କରି ସେ ସ୍ୱର୍ଗୀୟ ସାମାଜିକ ଅନୁଚିନ୍ତାର ପ୍ରସାର ପୂର୍ବକ ଏ ଜାତିର ଏକାନ୍ତ ଆପଣାର ହୋଇ ପାରିଥିଲେ  ।
ସ୍ୱଳ୍ପକାଳ ଭିତରେ ଭାଗବତର ଲୋକପ୍ରିୟତା ବୃଦ୍ଧି ହୋଇଥିଲା  । ପାଠକୀୟ ତୃଷ୍ଣାକୁ ଦୃଷ୍ଟିରେ  ରଖି ଶହ ଶହ ପୋଥିଲେଖକ ଏହାର ନକଲ ପ୍ରସ୍ତୁତ କରି ସ୍ୱଳ୍ପ ମୂଲ୍ୟରେ ବିକ୍ରୟ କଲେ  । ଅଗଙ୍ଗାଗୋଦାବରୀ ବିଶାଳ  ଓଡ଼ିଶାରେ ଭାଗବତ ଗ୍ରନ୍ଥର ଦ୍ରୁତ ପ୍ରସାର ଘଟିଲା ତଥା ଭାଗବତ  ମାଧ୍ୟମରେ ଏକ ଜାତୀୟ ସଂପ୍ରତିର ଉନ୍ମେଷ ଘଟିଲା  । ଓଡ଼ିଆ ଭାଗବତ ନିତ୍ୟପାଠ ଓ ଅବଲମ୍ବନରେ ବ୍ୟକ୍ତିତ୍ୱର ବିକାଶ ଘଟିବା ସହିତ ଧାର୍ମିକ ଓ ନୈତିକ ଚେତନାର ଉତ୍ତରଣ ଘଟିଥିଲା  । ପରିଣାମ ସ୍ୱରୂପ ଆଦର୍ଶ ବ୍ୟକ୍ତିତ୍ୱ, ପରିପୂର୍ଣ୍ଣ ପାରିବାରିକ ଜୀବନର ଉନ୍ନତି ପରିଲକ୍ଷିତ ହୋଇ ଏକ ଉନ୍ନତ ସମାଜ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇପାରିଥିଲା  । ଏହି ସୁଦୃଢ ଓଡ଼ିଆ ସମାରେ କେନ୍ଦ୍ରବିନ୍ଦୁ ଥିଲା ଭାଗବତ  । ଏହି ସମାଜର ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ବିଧି ବ୍ୟବସ୍ଥା ଓ ପରମ୍ପରାରେ ଭାଗବତ ଏକ ନିତ୍ୟ ପୂଜନୀୟ ଓ ପଠନୀୟ ଗ୍ରନ୍ଥ ରୂପେ ମହିମାମଣ୍ଡିତ ହୋଇପାରିଥିଲା  । ଧର୍ମଭିତ୍ତିକ ଜାତୀୟତାର ବାର୍ତ୍ତାବହନ କରି ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗୀ ସମୂହ ପ୍ରତିଷ୍ଠିତ ହୋଇଥିଲା  । ଏହି ଟୁଙ୍ଗୀ ସମୂହ ଥିଲା ସାମାଜିକ ଜୀବନର ଦିଗ୍ଦର୍ଶକ  । ଗ୍ରାମବାସୀବୃନ୍ଦ ସନ୍ଧ୍ୟା ସମୟରେ ଭାଗବତ ଘରେ ଏକତ୍ରିତ ହୋଇ ଭାଗବତ ଶ୍ରବଣ କରୁଥିଲେ  । ଏହାଦ୍ୱାରା ନୈତିକତାର ଉନ୍ନତି ଘଟୁଥିଲା  । ଅପରପକ୍ଷରେ ଭାଗବତ ଘର ସମୂହ ନୈଶ୍ୟ ବିଦ୍ୟାଳୟର କାର୍ଯ୍ୟ କରିବା ସହିତ ପ୍ରୌଢ ଶିକ୍ଷାର ପ୍ରସାର ଘଟାଇ ପାରୁଥିଲେ  । ପଞ୍ଚସଖା ଓ ତାଙ୍କର ଅନୁଗାମୀବୃନ୍ଦ ଥିଲେ ଭାଗବତଧର୍ମର ପ୍ରଚାରକ  । ସେମାନେ ଗ୍ରାମେ ଗ୍ରାମେ ବୁଲି ଭାଗବତ ଟୁଙ୍ଗୀ ପ୍ରତିଷ୍ଠା କରିଥିଲେ  । ସ୍ଥାନୀୟ ରାଜା ଓ ଜମିଦାର ବୃନ୍ଦ ଭାଗବତ ଘର ସ୍ଥାପନାକୁ ପ୍ରୋତ୍ସାହନ ଦେଉଥିଲେ  । ସନ୍ଧ୍ୟା ସମୟରେ ପ୍ରଥମେ ଭାଗବତ ଘରେ ନାମ ସଂକୀର୍ତ୍ତନ କରାଯାଉଥିଲା  । ନାମ ସଂକୀର୍ତ୍ତନ ଶୁଣି ଗ୍ରାମବାସୀ ଭାଗବତ ଘରେ ରୁଣ୍ଡ ହେଉଥିଲା  । ତାପରେ ପୁରାଣ ପଣ୍ଡା ଭାଗବତ ବୋଲୁଥିଲେ ଏବଂ ମଝିରେ ମଝିରେ ବୁଝାଉଥିଲେ  । ଭାଗବତ ପାଠ ଆରମ୍ଭରୁ ଓ ଶେଷରେ ସଭିଏଁ  “ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ’ ଏହି ଗୀତଟି ସମବେତ ସ୍ୱରରେ ଗାନ କରୁଥିଲେ  । କ୍ରମେ ମୁଖ୍ୟ ସ୍ଥାନମାନଙ୍କରେ ଭାଗବତ ସପ୍ତାହ, ହରିହାଟ, ଅନନ୍ତମୁଖୀ ଭାଗବତ ପ୍ରଭୃତି ଅନୁଷ୍ଠିତ ହେଲା ଏବଂ ପରେ ପରେ ପ୍ରତ୍ୟେକ ଭାଗବତ ଘରେ ବୈଶାଖ, କାର୍ତ୍ତିକ ବା ମାଘମାସରେ ଭାଗବତ ସପ୍ତାହ ଅନୁଷ୍ଠିତ ହେଲା  । ଏହି ଭାଗବତ ସପ୍ତାହ ଗ୍ରାମର ଏକ ସାର୍ବଜନୀନ ମହୋତ୍ସବ ରୂପେ ପାଳିତ ହେଲା  । ପ୍ରତ୍ୟେକ ଭାଗବତ ଘରେ ସାତଦିନ କାଳ ଅଖଣ୍ଡ ଦୀପ ଜଳାଯାଇ ଭାଗବତ ପାରାୟଣ ହେଲା ତଥା ଶେଷଦିନ ମହାସମାରୋହରେ ଏହା ଉଦ୍ୟାପନ କରାଗଲା  । ଭଗବତ ଗୋସାଇଁ ଗ୍ରାମର ହର୍ତ୍ତାକର୍ତ୍ତା ଓ ଭାଗ୍ୟବିଧାତା ବୋଲି ଲୋକବିଶ୍ୱାସ ସୃଷ୍ଟି ହେଲା  । ଏପରିକି ଗ୍ରାମର ଯାବତୀୟ ନ୍ୟାୟନିଶାପ ମଧ୍ୟ ଭାଗବତ ଘରେ ସମାହିତ ହେଉଥିଲା  । କୋ÷ଣସି ବ୍ୟକ୍ତି ଏହି ଭାଗବତ ଘରେ ମିଥ୍ୟା କହୁନଥିଲେ  । ସମାଜକୁ ଧାର୍ମିକ, ନୈତିକ ଓ ସୁସଂହତ କରିବାରେ ଭାଗବତ ଘର ମୁଖ୍ୟଭୂମିକା ଗ୍ରହଣ କରିଥିଲା  । ଭାଗବତ ଘରେ ଶ୍ରୀଜଗନ୍ନାଥ ଓ ରାଧାକୃଷ୍ଣ ଭାଗବତଗାଦୀ ସହିତ ପୂଜା ପାଇଲେ  । ସେତେବେଳେ ସବୁ ଗ୍ରାମରେ ମନ୍ଦିର ନଥିଲା  । ତେଣୁ ଭାଗବତ ଘର ହିଁ ଥିଲା ଗ୍ରାମର ମନ୍ଦିର  । ଗ୍ରାମ ଗ୍ରାମ ମଧ୍ୟରେ ପାରସ୍ପରିକ ସଂହତି ସ୍ଥାପନ ନିମିତ୍ତ ବିଭିନ୍ନ ଗ୍ରାମରେ ଭାଗବତ ଗାଦୀ ସହିତ ଶ୍ରୀଜଗନ୍ନାଥ ଓ ରାଧାକୃଷ୍ଣଙ୍କୁ ବିମାନରେ ବସାଯାଇ  ଭାଗବତ ମିଳନ ଅନୁଷ୍ଠିତ ହେଉଥିଲା  ।  କେବଳ ଗ୍ରାମର ଭାଗବତ ଘର ନୁହେଁ; ଗୃହେ ଗୃହେ ଭାଗବତ ଗାଦି ସ୍ଥାପନ ହୋଇ ପ୍ରତ୍ୟେକଟି ଓଡ଼ିଆ ପ୍ରାଣକୁ ଉଦ୍ବେଳିତ କଲା  । ଓଡ଼ିଆମାନେ ଭାଗବତ ପାଠ ଆରମ୍ଭରେ ପୋଥିକୁ ଦେବତା ଜ୍ଞାନରେ ପ୍ରଣାମ କରନ୍ତି ଏବଂ ପଠନ ଶେଷରେ ଭୋଗ ଦିଅନ୍ତି  । ଭକ୍ତିର ଗନ୍ତାଘର ଭାଗବତର ପ୍ରତ୍ୟେକ ପଦ ଓଡିଆ ପ୍ରାଣରେ ଆଧ୍ୟାତ୍ମିକତାର ହିଲ୍ଲୋଳ ସୃଷ୍ଟି କଲା  । ଭାଗବତରେ ବେଦର ପରମତତ୍ତ୍ୱ, ଆତ୍ମା ପରମାତ୍ମା ଚିନ୍ତନ ଓ ଜୀବନ ମୁକ୍ତି ପ୍ରଭୃତି ଆଧ୍ୟାତ୍ମିକ ଗୂଢ ତତ୍ତ୍ୱ  ସରଳ ଓ ସାବଲୀଳ ଧାରାରେ ପରିବେଷଣ କରାଯାଇଥିବାରୁ ଏହା ପରମଶାସ୍ତ୍ର ରୂପେ ବିବେଚିତ ହେଲା ଏବଂ କୁହାଗଲା ‘ପରମଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ’  । ଜୀବନ ମୁକ୍ତି  ନିମିତ୍ତ ମୃତୁ୍ୟକାଳରେ ଭାଗବତ ପାଠ ଏକ ପରମ୍ପରା ରୂପରେ ପ୍ରତିଷ୍ଠିତ ହୋଇଥିଲା  । ଓଡ଼ିଆ ଜାତି ଭାଗବତକୁ ବେଦ, ଗୀତା, ଉପନିଷଦ ଓ ସକଳ ପୁରାଣର ଏକ ସାମଗ୍ରିକ ବିଭବ ରୂପେ ଗ୍ରହଣ କରି ପରମ ପବିତ୍ର ଶାସ୍ତ୍ରର ମର୍ଯ୍ୟାଦାରେ ଅଧିଷ୍ଠିତ କରିଥିଲେ  ।
ଆମ ଗାଁରେ ଷୋଡ଼ଶ ଶତାବ୍ଦୀର ଶେଷ ପାଦରେ ଭାଗବତ ଘର ପ୍ରତିଷ୍ଠିତ ହୋଇଥିଲା  । ଏହାର ପ୍ରତିଷ୍ଠାତା ଥିଲେ ପଣ୍ଡିତ ନାରାୟଣ ମିଶ୍ର  । ସେ ପୁରୀରୁ ଭାଗବତ ପୋଥି ଆଣି ପ୍ରଥମେ ନିଜ ମଣ୍ଡପରେ ପାଠକଲେ  । କ୍ରମେ କ୍ରମେ ଶାସନବାସୀ ଭାଗବତ ପ୍ରତି ଆକୃଷ୍ଟ ହୋଇପଡିଲେ ତଥା ଗ୍ରାମରେ ଭାଗବତ ଘର ପ୍ରତିଷ୍ଠା ହୋଇଥିଲା  । ଏହି ଭାଗବତ ଘର ଥିଲା ଢେଙ୍କାନାଳ ଅଞ୍ଚଳର ପ୍ରଥମ ଭାଗବତ ଟୁଙ୍ଗୀ  । ଆମ ଗାଁ ଭାଗବତ ଟୁଙ୍ଗୀରେ ପ୍ରଭାବିତ ହୋଇ ନିକଟସ୍ଥ ଗୋବିନ୍ଦ ବିଦ୍ୟାଧରଶାସନବାସୀ ସପ୍ତଦଶ ଶତାବ୍ଦୀରେ ଭାଗବତ ଘର ପ୍ରତିଷ୍ଠା କଲେ  । ବ୍ରାହ୍ମଣୀ ନଦୀ କୂଳରେ ଥିବା ପ୍ରାଚୀନ ମାର୍ଥାପୁର ଶାସନରେ ଗୋଟିଏ ଭାଗବତ ଘର ଥିଲା  । ଗ୍ରାମ ୧୮୬୮ ମସିହାରେ ରଗଡ଼ାକୁ ଉଠି  ଆସିବା ପରେ ଉପରସାହି ଓ ତଳସାହିରେ ଦୁଇଟି ଭାଗବତ ଘର ପ୍ରତିଷ୍ଠିତ ହେଲା  । ନିକଟସ୍ଥ ଗୋବିନ୍ଦବିଦ୍ୟାଧରପୁର ଶାସନରେ ଗୋଟିଏ  ଭାଗବତ ଘର ରହିଲା  । ଭାଗବତ ଘରେ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଥିବାରୁ ଆମ ଗାଁରେ ଭାଗବତ ଘରକୁ ସପ୍ତାଘର କହନ୍ତି  । ଉପରସାହି ଓ ତଳସାହି ଭାଗବତ ଘର ମାଟି ଓ ଚାଳଛାଆଣୀ ଥିଲା  । ଘରପୋଡି ପରେ ଦୁଇ ସାହି ବାସିନ୍ଦା ଏହି ଦୁଇଟି ଭାଗବତ ଘରକୁ କୋଠଘରରେ ପରିଣତ କରିଛନ୍ତି  । ଏହି ଦୁଇ ଭାଗବତଘରକୁ ଶାସନବାସୀ ଆଧ୍ୟାତ୍ମିକ ମର୍ଯ୍ୟାଦା ପ୍ରଦାନ କରନ୍ତି  । ପ୍ରତ୍ୟେକ ସାହିର ନ୍ୟାୟନିଶାପ ସେହି ଭାଗବତ ଘରେ ନିଷ୍ପତ୍ତି ନିଆଯାଏ  । ସ୍ଥାନୀୟ ଅଞ୍ଚଳର କୌଣସି ଯଜମାନ ବା ଗ୍ରାମର ଧର୍ମୀୟ ବିଚାର ଭାଗବତ ଘରେ ପଣ୍ଡିତ ମଣ୍ଡଳୀ ଶାସ୍ତ୍ରାନୁସାରେ ବିଚାର କରନ୍ତି  । ଯଜମାନଙ୍କ ଠାରୁ ମିଳୁଥିବା ଶାସନ ମାନ୍ୟ ଓ ପରିଚ୍ଛନି (ବିଚାର ନିମିତ୍ତ ପ୍ରାପ୍ୟ) ପ୍ରତ୍ୟେକ ସାହିର ଭାଗବତ ଘରେ ରହେ  । ଦୁଇ ସାହିର ଭାଗବତ ଘରର ଜଣେ ଲେଖାଏଁ ଜମାଦାର ସାହିବାସିନ୍ଦା ମନୋନୀତ କରନ୍ତି  । ଆବଶ୍ୟକ ପଡିଲେ ସାହି ନିବାସୀ ଜମାଦାର ପରିବର୍ତ୍ତନ କରନ୍ତି  । ପ୍ରତ୍ୟେକ ଭାଗବତ ଘରେ ଜଣେ ଲେଖାଏଁ ପୂଜକ ନିଯୁକ୍ତ ଦେଇଥାନ୍ତି  । ସେମାନେ ସକାଳୁ ଭାଗବତଗାଦି ଓ ଠାକୁରଙ୍କୁ ପୂଜା କରନ୍ତି ତଥା ସନ୍ଧ୍ୟା ସମୟରେ ଆଳତି କରି ଦୀପ ଲଗାଇ  ଏକ ଅଧ୍ୟାୟ ଲେଖାଏଁ ଭାଗବତ ପଢନ୍ତି  । ଗାଁରେ କାହାର ବିବାହ, ବ୍ରତ, ମାଙ୍ଗଳିକ କର୍ମ ବା ସ୍ୱନକ୍ଷତ୍ର ପ୍ରଭୃତି ଅନୁଷ୍ଠିତ ହେଲେ ସେମାନେ ନିଜ ସାହିର ଭାଗବତ ଘରକୁ ଭୋଗ ପଠାନ୍ତି  । କେହି କେହି ଦୁଇ ସାହିର ଭାଗବତ ଘରକୁ ଭୋଗ ପଠାନ୍ତି  । ଭାଗବତ ଘର ପ୍ରତି ଶାସନବାସୀଙ୍କର ଅନାବିଳ ଭକ୍ତି ଥାଏ  ।
ବୈଶାଖ ମାସରେ ଆମ ଗାଁର ଦୁଇଟି ଭାଗବତ ଘର ଓ ଗୋବିନ୍ଦ ବିଦ୍ୟାଧରପୁରର ଭାଗବତ ଘରେ ଭାଗବତ ସପ୍ତାହ ଅନୁଷ୍ଠିତ ହୁଏ  । ଦୁଇ ଶାସନର ଏହା ମୁଖ୍ୟ ପର୍ବ  । ବୈଶାଖ ଶୁକ୍ଳ ଅଷ୍ଟମୀରେ ଅଧିବାସ ହୁଏ  । କଳସ ପୂଜା ଓ ମଣ୍ଡଳ ପୂଜା ପରେ ହୋମ କରାଯାଏ ତଥା ବ୍ୟାସ, ଶୁକ, ପରିକ୍ଷୀତ ଓ ଶ୍ରୋତାବରଣ କରାଯାଏ  । ଏହି ସାତଦିନ ଅର୍ଥାତ୍ ବୈଶାଖ ଶୁକ୍ଳ ନବମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ହୋଇ ସଂପୂର୍ଣ୍ଣ ଭାଗବତ ପାରାୟଣ ହୁଏ  । ପ୍ରତିଦିନ ପ୍ରତେକଙ୍କ ଘରୁ ତିନିଗୋଟି ଯାକ ଭାଗବତ ଘରକୁ ଭୋଗ ଆସିଥାଏ  । ଆମ ଗାଁରେ ତିନିକିଲୋମିଟର ବ୍ୟାପୀ ବଡ ଆମ୍ବତୋଟା  । ବୈଶାଖ ମାସରେ ଆମ୍ବ ପାରୁଥିବାରୁ ବେଶୀ ଆମ୍ବଭୋଗ ଆସେ  । ପ୍ରତ୍ୟେକ ଭାଗବତ ଘରେ ଆମ୍ବଗଦା ହୋଇଥାଏ  । ଆମ୍ବ ସୋରୁଅରେ ଉଖୁଡା, ନଡିଆକୋରା ପ୍ରଭୃତି ମିଶି ଭୋଗ ଲାଗେ ଓ ଭୋଗ ବଣ୍ଟନ ହୁଏ  । ଶେଷଦିନ ଅର୍ଥାତ ପୂର୍ଣ୍ଣମୀ ଦିନ ଭାଗବତ ସପ୍ତାହ ଉଦ୍ୟାପନ କରାଯାଏ  । ସନ୍ଧ୍ୟା ପୂର୍ବରୁ ଭାଗବତ ବୋଲା ସରିଥାଏ  । ସନ୍ଧ୍ୟା ଆଳତି ପରେ ସଂକୀର୍ତ୍ତନ ମଣ୍ଡଳୀ ସହ ବ୍ୟାସାସନରେ ଭାଗବତ ପୋଥି ଥୁଆହୋଇ ଗ୍ରାମ ପରିକ୍ରମା କରାଯାଏ  । ସମବେତ ଗ୍ରାମବାସୀ ଗୋବିନ୍ଦ ଗୋବିନ୍ଦ ସମସ୍ୱରରେ ଗାନ କରି ଭାଗବତ ପୋଥି ଗ୍ରାମ ପରିକ୍ରମା କରାନ୍ତି  । ସପ୍ତାହରେ କେବଳ ପାରାୟଣ ହୁଏ  । କୋ÷ଣସି ପ୍ରବଚନ  ହୁଏ ନାହିଁ  । କାରଣ ପ୍ରବଚନ ନିମିତ୍ତ ସମୟ ନଥାଏ  । ସଂକ୍ଷେପରେ ଉଲ୍ଲେଖ କଲେ ଆମ ଗାଁ ଭାଗବତ ଘର ଓ ଭାଗବତ ସପ୍ତାହ ବ୍ୟକ୍ତିଗତ, ପାରିବାରିକ, ଆଧ୍ୟାତ୍ମିକ ଓ ସାମାଜିକ ଜୀବନକୁ  ଶତାବ୍ଦୀ ଶତାବ୍ଦୀ ଧରି ପରିପୁଷ୍ଟ କରି ଗ୍ରାମବାସୀଙ୍କ ପ୍ରାଣରେ ପ୍ରେମ, ମୈତ୍ରୀ, ଭ୍ରାତୃତ୍ୱ ସଂହତି ଓ ଐକ୍ୟ ପ୍ରତିଷ୍ଠା କରି ଆସିଛି  ।
ଆନନ୍ଦ ନଗର, କାଠଗଡା
ଢେଙ୍କାନାଳ, ମୋ-୮୮୯୫୨୩୦୭୨୨