ନ୍ୟାୟିକ ସେବା ଓ ବିଚାରାଧୀନ କଏଦୀ


ଆମ ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ବିଭିନ୍ନ ଜେଲରେ ୭୦% ବିଚାରାଧୀନ କଏଦୀ ରହିଛନ୍ତି । ସେମାନଙ୍କ ଭିତରୁ ଅନେକ ଏପରି ଶ୍ରେଣୀର ଯେଉଁମାନେ କି ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଗରିବ, ଯାହାଦ୍ୱାରା ସେମାନଙ୍କ ମାମଲାରେ ଓକିଲ ଦେଇ କେସ ଲଢ଼ିବା ଅତ୍ୟନ୍ତ କଷ୍ଟକର । ଯାହାଦ୍ୱାରା ଅଦାଲତରେ ମାମଲା ପରିଚାଳନା ପ୍ରସଙ୍ଗରେ ନିଜ ତରଫରୁ ଓକିଲ ଦେଇନପାରି ଦୀର୍ଘଦିନ ଧରି ଜେଲରେ ରହିବା ପାଇଁ ବାଧ୍ୟ ହେଉଛନ୍ତି । ଏଠାରେ ସୂଚନାଥାଉକି ଏହି ବର୍ଗର ଲୋକମାନଙ୍କ ପାଇଁ ବିଶେଷକରି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସେମାନେ କିପରି ମାଗଣାରେ ଆଇନ ସହାୟତା ପାଇପାରିବେ ତାହା ପାଇଁ ସରକାର ୧୯୮୭ରେ ଏକ ବିଧିବଦ୍ଧ ଆଇନ ପ୍ରଣୟନ କରି ଆଇନ ସେବା ପ୍ରାଧିକରଣ ବା ଲିଗାଲ ସର୍ଭିସ ଅଥରିଟିର ବ୍ୟବସ୍ଥା କରିଛନ୍ତି । ଏହି ଆଇନରେ ବିଶେଷକରି ଧାରା ୧୨ ଅନୁସାରେ ଉଲ୍ଲେଖ ରହିଛି ଯେ ଗରିବ ଶ୍ରେଣୀର ମହିଳା, ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ଲୋକମାନେ ଏହି ସୁବିଧା ପାଇବା ପାଇଁ ହକଦାର । ଯାହାପାଇଁ ପ୍ରତି ଜିଲ୍ଲା ଓ କୋର୍ଟରେ ନ୍ୟାୟିକ ପ୍ରାଧିକରଣର ବ୍ୟବସ୍ଥା ରହିଛି । ସେଠାରେ ଥିବା ସେମାନଙ୍କ ପାଇଁ ଓକିଲ ତାଙ୍କ ମାମଲା ପରିଚାଳନା କରି ସେମାନଙ୍କୁ ଆଇନଗତ ସହାୟତା ଦେବେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରସଙ୍ଗରେ ଅନେକ ଲୋକ ସଚେତନ ନଥିବାରୁ କଏଦୀମାନେ ଏହାର ସୁବିଧାରୁ ବଞ୍ଚôତ ହେଉଛନ୍ତି । କାରଣ ରାଜ୍ୟର ବିଭିନ୍ନ ଜେଲରେ ବିଚାରାଧୀନ କଏଦୀଙ୍କ ଭିତରେ ଅଧିକାଂଶ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଏବଂ ଅନେକ ଅଶିକ୍ଷିତ ରହିଥିବାରୁ ଏହି ସୁବିଧା ପ୍ରସଙ୍ଗରେ ସେମାନେ ଜାଣି ପାରୁନାହାଁନ୍ତି ।
    ଗତ ଡିସେମ୍ବର ୨୦୨୩ ସୁଦ୍ଧା ମୋଟ ୧୫୫ଜଣ ବିଚାରାଧୀନ ବନ୍ଦୀ ଜାମିନ ପାଇଥିବା ସତ୍ତ୍ୱେ ସେମାନେ କିନ୍ତୁ ଜେଲରୁ ମୁକୁଳିବାକୁ ସକ୍ଷମ ହୋଇପାରିନଥିଲେ । ୧୫୫ଜଣଙ୍କ ଭିତରୁ ଯଦିଓ ୧୨୨ ଜଣ ବନ୍ଦୀ ପରବର୍ତ୍ତୀ ସମୟରେ ଜାମିନ ପାଇ ମୁକୁଳିଥିଲେ କିନ୍ତୁ ଅନ୍ୟ ୩୩ ଜଣ ବନ୍ଦୀ ଜାମିନ ମଞ୍ଜୁର ହେବା ପରେ ବି ଜେଲରେ ରହିଛନ୍ତି । ଏଥିପାଇଁ ଆବଶ୍ୟକ ହେଉଥିବା, ଜାମିନ ପାଇଁ ଧାର୍ଯ୍ୟ ସର୍ତ୍ତ ପୂରଣ ନକରି ପାରିବା ଓ ଅନ୍ୟାନ୍ୟ ଆଇନଗତ କାରଣରୁ ଏହି ବନ୍ଦୀମାନେ ଜାମିନ ପାଇଥିବା ସତ୍ତ୍ୱେ ବି ମୁକୁଳିବାକୁ କିନ୍ତୁ ସକ୍ଷମ ହୋଇପାରିନାହାଁନ୍ତି । ତେଣୁ ଏହି ପ୍ରସଙ୍ଗକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ଏବେ ଏହି ୩୩ଜଣ ବନ୍ଦୀ ଜେଲରୁ ମୁକୁଳିବାର ସମ୍ଭାବନା ସୃଷ୍ଟି ହୋଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଓଡ଼ିଶାରେ ୩୫୯୦ ଜଣ ମହିଳା ଏହି ମାଗଣା ଆଇନ ସେବାର ସୁଯୋଗ ନେଇଥିବାବେଳେ ୯୫୮ ଜଣ ଅନୁସୂଚୀତ ଜାତି ଓ ୬୨୧ଜଣ ଅନୁସୂଚୀତ ଜନଜାତି ବର୍ଗର ଲୋକ ଏହି ସୁବିଧା ପାଇବାରେ ସକ୍ଷମ ହୋଇଛନ୍ତି । ସେହିପରି ୨୦୧୯-୨୦ ବର୍ଷରେ ୨୬୩୯ଜଣ ମହିଳା ଓ ୭୦୨ ଏସଟି, ୫୯୨ ଏସସି ବର୍ଗର ଲୋକ ଏହି ସେବା ସୁବିଧା ପାଇଛନ୍ତି । ୨୦୨୦-୨୧ରେ ୧୬୮୯ ଜଣ ମହିଳା ଏହି ମାଗଣା ଆଇନ ସେବାର ସୁଯୋଗ ପାଇଥିବାବେଳେ ୬୬୨ ଜଣ ଏସସି, ୪୧୪ ଜଣ ଏସଟି ବର୍ଗର ଲୋକ ଏହି ସୁବିଧା ପାଇଛନ୍ତି । ୨୦୨୦-୨୧ରେ ୯୩୯ ଜଣ ମହିଳା, ୮୫୧ ଏସସି ଓ ୫୫୨ଜଣ ଏସଟି ବର୍ଗର ଏହି ସେବା ପାଇଛନ୍ତି । ସେହିପରି ୨୦୨୩-୨୪ରେ ୮୦୦ ଜଣ ମାଗଣା ଆଇନ ସେବା ପାଇଛନ୍ତି ।  ସରକାରଙ୍କ ତରଫରୁ ରହିଥିବା ଆଇନଗତ ବିଧି ବ୍ୟବସ୍ଥା ଅନୁଯାୟୀ ପ୍ରତି ଜିଲ୍ଲା ଓ କୋର୍ଟରେ ଆଇନଗତ ସେବା ପାଇଁ ଓକିଲ ନିଯୁକ୍ତ ହୋଇଛନ୍ତି । ଏହି ଓକିଲମାନେ ଓଡ଼ିଶାର ବିଭିନ୍ନ ଥାନାକୁ ଗସ୍ତ କରି ଆର୍ଥିକ ଅନଗ୍ରସର ହୋଇଥିବାରୁ ଓକିଲ ଦେଇ ପାରୁନଥିବା ଲୋକମାନଙ୍କୁ ଚିହ୍ନଟ କରି ମାଗଣା ଆଇନସେବା ଯୋଗାଇବାର ବ୍ୟବସ୍ଥା ହୋଇଛି । କେବଳ ସେତିକି ନୁହେଁ ସେମାନେ ଜେଲ ପରିଦର୍ଶନ କରି ମାଗଣା ଆଇନ ସେବାରେ ନିଯୁକ୍ତ ହୋଇଥିବା ଓକିଲମାନେ କଏଦୀ ଚିହ୍ନଟ କରି ସେମାନଙ୍କୁ ଆଇନ ସେବା ଯୋଗାଇବାର ମଧ୍ୟ ବ୍ୟବସ୍ଥା ଅଛି । ଏହି ସୁବିଧା ଅନୁଯାୟୀ ଜଣେ କଏଦୀ ମଧ୍ୟ ପରିବାର ସଦସ୍ୟଙ୍କ ସହ ଏହି ଓକିଲମାନଙ୍କ ସହ ଯୋଗାଯୋଗ କରି ମାଗଣା ଆଇନ ସେବା ପାଇପାରିବେ । ସେହିପରି ଯେଉଁ କଏଦୀ ମାନେ ଜେଲରେ ରହିଛନ୍ତି ସେମାନେ ମଧ୍ୟ ସେମାନଙ୍କ ଜେଲ ଅଧୀକ୍ଷକଙ୍କ ଜରିଆରେ ଏହି ମାଗଣା ଆଇନ ସେବା ପାଇବାର ବ୍ୟବସ୍ଥା ଅଛି । ଏହି ସେବା ଯୋଗାଇବା ପାଇଁ ସରକାର ଓକିଲ ମାନଙ୍କୁ ପାରିଶ୍ରମିକ ଦେବାର ବ୍ୟବସ୍ଥା ଅଛି । କିନ୍ତୁ ଅନେକ ଗରିବ ଶ୍ରେଣୀର କଏଦୀ ଏ ସମ୍ପର୍କରେ ଜାଣି ନଥିବାରୁ ସେମାନେ ଏହାର ସୁଫଳ ନେଇପାରୁନାହାଁନ୍ତି ଯାହାଫଳରେ ଜେଲରେ କଏଦୀ ମାନଙ୍କ ଗହଳି ଦେଖିବାକୁ ମିଳିଥାଏ ଏବଂ ଅନେକ ଜେଲରେ ଏ ନେଇ ବିଶୃଙ୍ଖଳା ହେଉଥିବାର ଖବର ପ୍ରକାଶ ପାଏ । ଅନେକ କଏଦୀ ବା ଅଭିଯୁକ୍ତ ଏହି ଆଇନ ସେବା ସୁଯୋଗ ବିଷୟରେ ଜାଣି ନଥିବାରୁ ସେମାନଙ୍କୁ ଅବଗତ କରିବା ପାଇଁ ପ୍ରତି ଥାନା ବାହାରେ ଏକ ସୂଚନା ବୋର୍ଡ଼ ମାରିବା ପାଇଁ ମାନ୍ୟବର କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏହାସହ ସମସ୍ତ ଥାନାରେ ସହାୟତାକାରୀ ଆଇନଜୀବୀଙ୍କ ନାମ ସହ ସେମାନଙ୍କ ଫୋନ ନମ୍ବର ମଧ୍ୟ ଉଲ୍ଲେଖ କରାଯିବାର ବ୍ୟବସ୍ଥା କରାଯାଇଛି । ଭାରତ ପରି ଏକ ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅର୍ଥ ଅଭାବରୁ ଏବଂ ସଚେତନତା ଅଭାବରୁ ଜଣେ କଏଦୀ ତା ମୌଳିକ ଅଧିକାରରୁ ବଞ୍ଚôତ ହେବା ଓ ଆଇନଗତ ସୁବିଧା ନ ପାଇ ବର୍ଷ ବର୍ଷ ଧରି ଜେଲରେ ସଢ଼ିବା ଅତ୍ୟନ୍ତ ଦୁଃଖଦାୟକ । ତେଣୁ ଏ କ୍ଷେତ୍ରରେ ଆମ ସମସ୍ତଙ୍କର ସଚେତନଧର୍ମୀ ଗୁରୁଦାୟିତ୍ୱ ରହିଛି । ନ୍ୟାୟିକ ସେବା ପ୍ରାଧିକରଣରେ ଅନେକ ଗରିବ ଶ୍ରେଣୀର ଅଭିଯୁକ୍ତ ବା ବିଚାରାଧୀନ କଏଦୀମାନେ ଏହି ସୁଯୋଗ ପାଇବା ନିଶ୍ଚିନ୍ତ ଭାବେ ସେମାନଙ୍କ ପାଇଁ ବରଦାନ । ସେମାନେ ଜେଲରୁ ମୁକୁଳିଲେ ହୁଏତ ସେମାନଙ୍କର ନୂଆ ଜୀବନ ସେମାନଙ୍କ ଗତିପଥକୁ ଏକ ଭଲ ରାସ୍ତାରେ ନେଇ ପାରିବାର ସମ୍ଭାବନା ମଧ୍ୟ ସୃଷ୍ଟି କରିପାରିବ । 
ମୋ : ୯୪୩୭୨୨୫୬୮୯