ଜାତି ଜନଗଣନାର ଗୁରୁତ୍ୱ

ନିକଟରେ ତେଲେଙ୍ଗାନାର କଂଗ୍ରେସ ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା ବା ଜାତିଗତ ସର୍ଭେ ଆରମ୍ଭ କରିଛନ୍ତି, ଯାହାକି ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ ଦେଇଥିବା ପ୍ରତିଶ୍ରୃତି ପୁରଣ  ଅଭିମୁଖେ ଏକ ପଦକ୍ଷେପ ବୋଲି କୁହାଯାଇପାରିବ । ଏହି ସର୍ଭେ ଆଧାରରେ ରାଜ୍ୟରେ ପଛୁଆ ବର୍ଗ (ବିସି)ଙ୍କ ପାଇଁ ସଂରକ୍ଷଣ ପରିମାଣ ବୃଦ୍ଧି କରିପାରେ କହିବା ବାହୁଲ୍ୟ ଯେ, ଓବିସିଙ୍କ ପାଇଁ ଶିକ୍ଷା,  ନିଯୁକ୍ତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ କୋଟା ବୃଦ୍ଧି ପାଇଁ ନିର୍ବାଚନ ଇସ୍ତାହାରର ପ୍ରତିଶ୍ରୃତି ଦେଇଥିଲା । ଉଲ୍ଳେଖଯୋଗ୍ୟ ଯେ, ପଛୁଆ ବର୍ଗର ପାଂଚଟି ବର୍ଗ ଅଧୀନରେ ଏବେ ତେଲେଙ୍ଗାନାର ୧୧୨ଟି ସମ୍ପ୍ରଦାୟ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୯ ପ୍ରତିଶତ ସଂରକ୍ଷଣ କୋଟା ଉପଭୋଗ କରୁଛନ୍ତି । ଏହି ୨୯ ପ୍ରତିଶତ ମଧ୍ୟରେ ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ପଛୁଆ ଥିବା ମୁସଲିମଙ୍କ ପାଇଁ ୪ ପ୍ରତିଶତ କୋଟା ରହିଛି । ଏହି ସର୍ଭେ ଏପରି ଏକ ସମୟରେ ଆରମ୍ଭ ହୋଇଛି, ଯେତେବେଳେ ସାରା ଦେଶରେ ଜାତିଭିତ୍ତିକ ଜନଗଣନା ଦାବି ଯୋର ଧରିଛି । ବିହାରରେ ନୀତୀଶ  ସରକାର ପ୍ରଥମ ରାଜ୍ୟ ସରକାର ଭାବେ ଜାତିଭିତ୍ତକ  ଜନଗଣନା ସର୍ଭେ ସାର୍ବଜନୀନ କରିଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମଧ୍ୟ । ସେହିପରି ତାମିଲନାଡୁ ସରକାର ଆଗୁଆ ପଦକ୍ଷେପ ସ୍ୱରୁପ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କୋଟା ବୃଦ୍ଧି ନିଷ୍ପତ୍ତି ନେଇଛି । ଆହୁରି ମଧ୍ୟ ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା(ଉଦ୍ଧବ) ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ୍ ପାୱାର)କୁ ନେଇ ଗଠିତ ମହାବିକାଶ ଅଘାଡି (ଏମଭିଏ) ରାଜ୍ୟରେ ଜାତିଭିତ୍ତିକ ଜନଗଣନା ପାଇଁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୃତି ଦେଇଥିଲା । ସମାଜର ତଳ ସ୍ତରରେ ଥିବା ଗରିବ, ଅସହାୟ ଲୋକଙ୍କ କଲ୍ୟାଣ ପାଇଁ ଜାତିଭିତ୍ତିକ ଜନଗଣନା ଅତ୍ୟନ୍ତ ଉତ୍ତମ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) କହିଥିବାବେଳେ ବିଜେପି କିନ୍ତୁ ଏହାପ୍ରତି ନୀରବ । କେନ୍ଦ୍ର ସରକାର ମଧ୍ୟ ସାମାଜିକ ଅର୍ଥନୈତିକ ଉପରେ ଜାତିଗତ ତଥ୍ୟ ସଂଗ୍ରହ ଏବଂ ୨୦୧୧ ଜାତି ଗଣନାର ତଥ୍ୟ ସାର୍ବଜନୀନ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି । କିନ୍ତୁ ବାସ୍ତବରେ କର୍ଣ୍ଣର୍ାଟକ ସରକାର ଦୀର୍ଘ ୧୦ବର୍ଷ ତଳେ ସାମାଜିକ ଅର୍ଥନୈତିକ ଏବଂ ଶିକ୍ଷା ସର୍ଭେ ଆରମ୍ଭ କରିଥିଲେ, ଯାହାର ଚୂଡାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ସିଦ୍ଧାରାମାୟାଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ ରିପୋର୍ଟ ଏବେ ବି ସାର୍ବଜନୀନ କରାଯାଇନାହିଁ ।  ଏହା ନିଃସନେ୍ଦହ ଯେ, ଏସଟି, ଏସଟି ଏବଂ ଓବିସିଙ୍କ ପାଇଁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ସର୍ବୋଚ୍ଚ ସୀମା ୫୦ ପ୍ରତିଶତରୁ ବୃଦ୍ଧି କରିବା ପାଇଁ ଜାତିଭିତ୍ତିକ ଜନଗଣନା ଦାବି ଯୋର ଧରିଛି । ଗଲା ଜୁନ ମାସରେ ବିହାରରେ ଏସଟି, ଏସସି ଏବଂ ଓବିସିଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ  ସଂରକ୍ଷଣ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ଦୁଇଟି ଆଇନକୁ ରଦ୍ଦ କରିଦେଇଥିଲେ । ପୂର୍ବରୁ ନୀତୀଶ ସରକାର ଜାତିଭିତ୍ତିକ ଜନଗଣନା କରି ଏହି ଦୁଇଟି ଆଇନ ପ୍ରଣୟନ କରିଥିଲେ । ଅନ୍ୟପକ୍ଷରେ ତାମିଲନାଡୁ ସରକାର ରାଜ୍ୟର ଜନବହୁଳ ଭାନିୟାର ସମ୍ପ୍ରଦାୟ ପାଇଁ କରିଥିବା ୧୦.୫ ପ୍ରତିଶତ ସଂରକ୍ଷଣକୁ ମାଡ୍ରାସ ହାଇକୋର୍ଟ ରଦ୍ଦ କରିଥିଲେ, ଯାହାକୁ ସୁପ୍ରିମକୋର୍ଟ କାଏମ ରଖିବା ସହ ୨୦୨୧ ଆକ୍ଟ ଆଧାରରେ ଅତ୍ୟନ୍ତ ପୁରୁଣାକାଳିଆ ତଥ୍ୟ ବୋଲି ଦର୍ଶାଇ ଥିଲେ । ଏହା ସଂରକ୍ଷଣ କୋଟା ବୃଦ୍ଧି ପାଇଁ ପଥ ପରିଷ୍କାର କରିପାରିବ ନାହିଁ । ସେହିପରି ସଂରକ୍ଷଣ କୋଟାକୁ ୫୦ ପ୍ରତିଶତରୁ ଅଧିକ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଥିଲେ । ତେବେ ସମ୍ବିଧାନର ୧୬(୪) ଅନୁଚ୍ଛେଦରେ କୁହାଯାଇଛି ଯେ, ସରକାରୀ ଚାକିରିରେ ଯେଉଁ ସମ୍ପ୍ରଦାୟର ଯଥେଷ୍ଟ ପ୍ରତିନିଧିତ୍ୱ ନଥିବା ସେ କ୍ଷେତ୍ରରେ ନିଯୁକ୍ତି କୋଟା ବୃଦ୍ଧି କରାଯାଇପାରିବ । ଜାତିଗତ ଜନଗଣନା ଆଧାରରେ ଓବିସି ସଂରକ୍ଷଣ କୋଟା ବୃଦ୍ଧି ପାଇଁ କୌଣସି ରାଜନୈତିକ ଉଦ୍ୟମ କରିବା ଉଚିତ ନୁହେଁ । ଆହୁରି ମଧ୍ୟ ଓବିସିରେ ଥିବା କ୍ରିମ ଲେୟରମାନଙ୍କୁ ଆୟ ଆଧାରରେ ସଂରକ୍ଷଣରୁ କେନ୍ଦ୍ର ସରକାର ବାଦ୍ ଦେବା ଜରୁରି । ଜାତିଗତ ଜନଗଣନା ଦ୍ୱାରା ପଛୁଆ ବର୍ଗ ସମ୍ପ୍ରଦାୟର କଲ୍ୟାଣ ପାଇଁ ବହୁବିଧ ଯୋଜନା କରାଯାଇପାରିବ କିନ୍ତୁ ଜାତିଗତ ସର୍ଭେ ଓବିସିଙ୍କ ପାଇଁ ସଂରକ୍ଷଣ କୋଟା ବୃଦ୍ଧିରେ ସହାୟକ ହୋଇନପାରେ, ଯେତେବେଳେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ସଂରକ୍ଷଣ ସୀମା ନେଇ ପୁନର୍ବିଚାର କରିନାହାଁନ୍ତି । କିନ୍ତୁ ଏହା ନିଃସନେ୍ଦହ ଯେ, ଜାତିଗଣନା ସାଂପ୍ରତିକ ସମୟରେ ଏକାନ୍ତ ଜରୁରି ।
         ସୌଭାଗ୍ୟ ରଂଜନ ମହାନ୍ତି, ମୋ:୯୪୩୭୯୯୪୩୭୯