ମୁକ୍ତ ଓ ଅବାଧ ନିର୍ବାଚନ ଆମ ସମସ୍ତଙ୍କ ଦାୟିତ୍ୱ
ମୁକ୍ତ ଓ ଅବାଧ ଜନମତ ସଂଗ୍ରହ ଭିତ୍ତିରେ ସ୍ୱଚ୍ଛ ନିର୍ବାଚନ ମାଧ୍ୟମରେ ହିଁ ଗଣତାନ୍ତ୍ରିକ ଶାସନର ସାମ୍ବିଧାନିକ ମୂଳଦୁଆ ପଡ଼ିଥାଏ । କିନ୍ତୁ ଏହାର ମାନେ ନୁହେଁ ଯେ କେବଳ ନିର୍ବାଚନ ହିଁ ଗଣତନ୍ତ୍ରର ମୁଖ୍ୟ ଉଦେ୍ଦଶ୍ୟ ବା ଶେଷ ପାହାଚ । ଏହା କେବଳ ସୁସ୍ଥ ଓ ସ୍ୱଚ୍ଛ ଜନମତ ଭିତ୍ତିରେ ଲୋକାଭିମୁଖୀ ଗଣତନ୍ତ୍ର ଶାସନର ପ୍ରଥମ ପାହାଚ ମାତ୍ର । ଅବଶ୍ୟ ଏହା ବହୁତ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାର ଗଙ୍ଗୋତ୍ରୀ । ତେଣୁ ନିର୍ବାଚନ ମୁକ୍ତ ଓ ସୁସ୍ଥ ବାତାବରଣରେ ହେବା ଯେତିକି ଆବଶ୍ୟକ, ସେତିକି କିମ୍ବା ତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ସୁସ୍ଥ ଜନାଦେଶ ଭିତ୍ତିରେ ଗଠିତ ସରକାର ରାଷ୍ଟ୍ର ବିକାଶ ତଥା ଜନସମୂହର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଶାସନ ପରିଚାଳନା କରିବା । ଯଦି ଗଙ୍ଗୋତ୍ରୀ ଆବିଳତାପୂର୍ଣ୍ଣ ହୁଏ ତେବେ ଗଙ୍ଗାର ସ୍ୱଚ୍ଛ ପ୍ରବାହ ଆସିବ କେଉଁଠୁ? ଏହି ଅନାବିଳ ନିର୍ବାଚନ ପ୍ରକରଣର ଏକ ମୂଳମନ୍ତ୍ର ହେଲା ରାଜନୈତିକ ଦଳମାନଙ୍କ ଦ୍ୱାରା ନିଆଯାଇଥିବା ସର୍ବସମ୍ମତିକ୍ରମେ ଆଦର୍ଶ ଆଚରଣ ବିଧିର ନିଷ୍ପତ୍ତି । ତେଣୁ ଦୀର୍ଘ ଛଅ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ଭାରତୀୟ ନିର୍ବାଚନ ଆୟୋଗ ଯେଉଁ ଆଦର୍ଶ ଆଚରଣ ବିଧି ଘୋଷଣା କରିଆସୁଛନ୍ତି ତାହା ଆମ ସ୍ୱଚ୍ଛ ଗଣତାନ୍ତ୍ରିକ ପ୍ରକ୍ରିୟାର ଦର୍ପଣ ସଦୃଶ । ଗତ ମାର୍ଚ୍ଚ ୧୬ ତାରିଖରେ ସାଧାରଣ ନିର୍ବାଚନ ସମେତ ଚାରି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସର୍ବସାଧାରଣ ସ୍ଥାନ ମାନଙ୍କରୁ ରାଜନୈତିକ ଦଳମାନଙ୍କର ନିର୍ବାଚନୀ ଚିହ୍ନ, ସ୍ଲୋଗାନ, ଫଟୋ, ପୋଷ୍ଟର ଆଦି ତୁରନ୍ତ ହଟାଇବାକୁ ନିର୍ବାଚନ ଆୟୋଗ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ନିର୍ବାଚନ ଆଦର୍ଶ ଆଚରଣ ବିଧି ଅଧୀନରେ ରାଜନୈତିକ ଦଳ ଓ ନିର୍ବାଚନରେ ଭାଗ ନେଉଥିବା ରାଜନେତାଙ୍କ ପାଇଁ ଅନେକ କଟକଣା ଜାରି କରାଯାଇଥାଏ । ନିର୍ବାଚନ ପ୍ରଚାର ବେଳେ ସେମାନଙ୍କ ଭାଷଣରେ ଯେପରି ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ, ଜାତିଗତ ଓ ସାମ୍ପ୍ରଦାୟିକତା ବିଦ୍ୱେଷ, ବ୍ୟକ୍ତିଗତ ଚରିତ୍ରର କୁତ୍ସାରଟନା ଆଦି ସ୍ଥାନ ନ ପାଏ ତା ଉପରେ ସତର୍କ ଦୃଷ୍ଟି ରଖିବାକୁ କଟକଣା ଥାଏ । କାରଣ ନିର୍ବାଚନ ଋତୁରେ ପରସ୍ପର ଦୋଷାରୋପ, କଟୁ ବାକ୍ୟ ପ୍ରୟୋଗ, ଚରିତ୍ର ହନନ ତଥା ଖୋଲାଖୋଲି କାଦୁଅ ଫିଙ୍ଗାଫିଙ୍ଗିର ଅରାଜକତା ଦେଖାଦିଏ । ସେଇଥିପାଇଁ ତ ଆଦର୍ଶ ଆଚରଣ ବିଧିର ସୃଷ୍ଟି ଓ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ମ୍ୟାଚ ପରିଚାଳନାର ନିରପେକ୍ଷ ଅମ୍ପାୟାର ଭାବେ ନିଯୁକ୍ତି କରାଯାଇଛି । ବିଶେଷକରି ଏଭଳି ଉଚ୍ଚାଭିଳାଷୀ ପ୍ରକଳ୍ପଗୁଡ଼ିକ ପାଇଁ ଆର୍ଥିକ ଆୟୋଜନ କିପରି ହେବ ତାହା ମଧ୍ୟ ସ୍ପଷ୍ଟ କରାଯିବାକୁ ନିର୍ବାଚନ ଆୟୋଗ ନିଦେ୍ର୍ଦଶ ଦେଇଛନ୍ତି । ଏହାର ଅର୍ଥ ହେଲା ନିର୍ବାଚନୀ ମାନିଫେଷ୍ଟୋରେ ହାତୀ ଦେବି, ଛତି ଦେବି ବୋଲି କହି ଭୋଟରଙ୍କୁ ଭୂଅାଁ ବୁଲାଇବାର ପ୍ରକ୍ରିୟା ଯେପରି ସଫଳ ନହୁଏ । ସେହିପରି ନିର୍ବାଚନ ତାରିଖ ଘୋଷଣା ହେବା ପରେ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜନୈତିକ ପ୍ରଚାର କାର୍ଯ୍ୟକୁ ସରକାରୀ କାର୍ଯ୍ୟ ପ୍ରକ୍ରିୟା ସହିତ ଯୋଡ଼ି ପାରିବେ ନାହିଁ କି କୌଣସି ଅନୁଦାନ କିମ୍ବା ଯୋଜନାର ଘୋଷଣା, ନିଯୁକ୍ତି, ଭିତ୍ତିପ୍ରସ୍ତର ସ୍ଥାପନ, ସରକାରୀ ସମ୍ପତ୍ତିକୁ ବ୍ୟକ୍ତିଗତ ବ୍ୟବହାର ଆଦି ମଧ୍ୟ କରିପାରିବେ ନାହିଁ । ମନ୍ତ୍ରୀ ଓ ସରକାରରେ ଥିବା ନେତାମାନେ ଯେପରି ଏହାର ଅନୁପାଳନ ଠିକ ଭାବେ କରନ୍ତି ତାହା ନିଶ୍ଚିତ କରିବାକୁ କେନ୍ଦ୍ର କ୍ୟାବିନେଟ ସଚିବ ଓ ରାଜ୍ୟ ମୁଖ୍ୟ ପର୍ଯ୍ୟବେକ୍ଷକ ମାନଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି । ଏଥିସହିତ ସରକାରୀ ୱେବସାଇଟରୁ ମନ୍ତ୍ରୀ ବା ନେତାଙ୍କର ନାମ ଓ ଫଟୋକୁ ହଟାଇବାକୁ ମଧ୍ୟ ଆଦେଶ ଦିଆଯାଇଛି । ଏହି ସବୁ କଟକଣାର ଯେପରି କଠୋର ଅନୁପାଳନ ହେବ ସେ ଦିଗରେ ନିର୍ବାଚନ ଆୟୋଗ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ଉଦାହରଣ ସ୍ୱରୂପ କର୍ଣ୍ଣାଟକର ଜଣେ ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ଅଭିଯାନ ଅଧୀନରେ ଜନସାଧାରଣଙ୍କୁ କୌଣସି ହ୍ୱାଟସପ ଆପ ବାର୍ତ୍ତା ପ୍ରେରଣ ପ୍ରକ୍ରିୟାକୁ ତକ୍ରାଳ ରଦ୍ଦ କରାଯାଇଛି । ମହିଳା ପ୍ରାର୍ଥୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବା ଅଭିଯୋଗରେ ଦୁଇ ତୁଙ୍ଗ ରାଜନୈତିକ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁପାଳନରେ ଜନସାଧାରଣଙ୍କ ସହଯୋଗିତା ଓ ସହଭାଗିତାକୁ ମଧ୍ୟ ନିର୍ବାଚନ ଆୟୋଗ ପ୍ରାଧାନ୍ୟ ଦେଉଛନ୍ତି । ଏଥିପାଇଁ ସି ଭିଜିଲ ନାମରେ ଏକ ମୋବାଇଲ ଆପ କାଯ୍ୟକାରୀ କରାଯାଇଛି । ଏହି ଆପ୍ ଉପଯୋଗରେ ନାଗରିକମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ, ଭୋଟ ପାଇଁ ନୋଟ କିମ୍ବା ମଦ କିମ୍ବା ମାଗଣା ସାମଗ୍ରୀ ବଣ୍ଟନ ସମ୍ପର୍କିତ କାର୍ଯ୍ୟକଳାପ, ଫଟୋ, ବାର୍ତ୍ତାଳାପ ଓ ଭିଡ଼ିଓ ଚିତ୍ର ଆଦି ଅପଲୋଡ କରି ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇ ଅଭିଯୋଗ କରିପାରିବେ । ଅଭିଯୋଗକାରୀଙ୍କ ନାମ ଓ ଠିକଣା ଗୋପନ ରଖାଯିବ । ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ମାତ୍ର ୧୦ ଦିନ ମଧ୍ୟରେ ଏହି ଆପରେ ୫୩୦୦୦ ଅଭିଯୋଗ ଦାଖଲ ହୋଇଥିବା ଓ ସେଥିମଧ୍ୟରୁ ୧୦୦ ମିନିଟ ମଧ୍ୟରେ ଅଧିକାଂଶ ଅଭିଯୋଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।
ଏହାସତ୍ତ୍ୱେ ନିର୍ବାଚନ ଆଦର୍ଶ ଆଚରଣ ବିଧିର ସଠିକ ଅନୁପାଳନର କେତେକ ସମସ୍ୟା ଓ ଆହ୍ୱାନ ରହିଛି । ପ୍ରଥମତଃ ଭାରତ ପରି ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରାୟ ୨୮୦୦ ରାଜନୈତିକ ଦଳ ନିର୍ବାଚନ ଲଢ଼ିବା ପାଇଁ ପଞ୍ଜୀକୃତ । ତେଣୁ ସମସ୍ତଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ନିର୍ବାଚନ ଆୟୋଗଙ୍କ ସୀମିତ ସମ୍ବଳରେ କାଠିକର ପାଠ । ବିଶ୍ୱ ସାରା ପ୍ରସାରିତ ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ମିଡ଼ିଆ ବିିଭିନ୍ନ ଦେଶରେ ସେଠାକାର ନିର୍ବାଚନ ପ୍ରକରଣକୁ ଦୂଷିତ କରୁଥିବାର ଅଭିଯୋଗ ବାରମ୍ବାର ସାମ୍ନାକୁ ଆସେ । ଆମ ନିର୍ବାଚନ ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ପ୍ରକ୍ରିୟା ହୋଇଥିବାରୁ ଏହାକୁ ମୁକ୍ତ ଓ ଅବାଧ ରଖିବା ପାଇଁ କେବଳ ନିର୍ବାଚନ ଆୟୋଗଙ୍କ ଉଦ୍ୟମ ଯଥେଷ୍ଟ ନୁହେଁ । ଦେଶର ସାଧାରଣ ଭୋଟର ଓ ନାଗରିକମାନେ ଏଥିପ୍ରତି ସଜାଗ ରହିବା ଉଚିତ ବୋଲି ଆମେ ଜାଣିଛେ, କିନ୍ତୁ ଦଳଗତ ରାଜନୀତିର ଅନୈତିକ ଚାପ ଫଳରେ ନିର୍ବାଚନ ପ୍ରଭାବିତ ହେଉଛି । ଉଦେ୍ଦଶ୍ୟ ହେଲା ଏହାକୁ ଯଥା ସମ୍ଭବ ସର୍ବନିମ୍ନ ସ୍ତରରେ ରଖିବା । ତେବେ ଆମେ ସମସ୍ତେ ଯେପରି ନିଶ୍ଚିନ୍ତ ଭାବରେ ନିଜର ମୂଲ୍ୟବାନ ଭୋଟଟି ଦେବା ଏହାକୁ ମନେ ରଖିବା ଉଚିତ ।
ମୋ: ୯୯୩୭୧୭୨୮୧୦