ଗୋଆ ଦଳରେ ଖେଳିବେ ଜୟସୱାଲ!

 ନୂଆଦିଲ୍ଲୀ : ମୁମ୍ବାଇ ଦଳର ଓପନର ଯଶସ୍ୱୀ ଜୟସୱାଲ ମଙ୍ଗଳବାର ମୁମ୍ବାଇ କ୍ରିକେଟ ଆସୋସିଏସନ୍କୁ ଏକ ମେଲ ଲେଖିଥିଲେ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯଶସ୍ୱୀ ଜୟସୱାଲ ଖୁବ ଶୀଘ୍ର ମୁମ୍ବାଇ ଦଳ ଛାଡି ଗୋଆ ଦଳରେ ଯୋଗ ଦେବାକୁ ଯାଉଛନ୍ତି । ୨୩ ବର୍ଷୀୟ ଯଶସ୍ୱୀ ମୁମ୍ବାଇ ଦଳ ପାଇଁ ଖେଳି ଭାରତୀୟ କ୍ରିକେଟ ଦଳରେ ନିଜର ସ୍ଥାନ ସୃଷ୍ଟି କରିଥିଲେ । ଏବେ ହୁଏତ ସେ ପରବର୍ତ୍ତୀ ସିଜିନରେ ଗୋଆର ଅଧିନାୟକ ହୋଇପାରନ୍ତି । ଅଧିନାୟକତ୍ୱ ଯୋଗୁଁ ଯଶସ୍ୱୀ ଏହି ନିଷ୍ପତ୍ତି ନେଇଥିବା ବିଶ୍ୱାସ କରାଯାଉଛି । ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଯଶସ୍ୱୀ ମୁମ୍ବାଇ କ୍ରିକେଟ ଆସୋସିଏସନରୁ ନୋ-ଅବଜେକ୍ସନ ସାର୍ଟିଫିକେଟ ପାଇଁ ଆବେଦନ କରିଛନ୍ତି ଏବଂ ଗୋଆ ସ୍ଥାନାନ୍ତର କରିବାର କାରଣ ବ୍ୟକ୍ତିଗତ ବୋଲି କହିଛନ୍ତି । ଏହା ଯଶସ୍ୱୀଙ୍କ ପାଇଁ ଏକ ବଡ଼ ପଦକ୍ଷେପ । ବିଶେଷକରି ଗୋଆ ଦଳ ନକ୍ଆଉଟ୍ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବିଶ୍ୱାସ କରାଯାଉଛି ଯେ ଯଶସ୍ୱୀଙ୍କ ଏହି ପଦକ୍ଷେପ ତାଙ୍କୁ ଘରୋଇ କ୍ରିକେଟରେ ନିଜର ପ୍ରତିଭାକୁ ଆହୁରି ବଢାଇବା ପାଇଁ ସୁଯୋଗ ଦେଇପାରେ ।