ମହିମାଗାଦୀ ଯାତ୍ରା
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ଆମ ଗାଁ ଠାରୁ ଆଠ କିଲୋମିଟର ଦୂରରେ ଯୋରନ୍ଦା ଗ୍ରାମରେ ମହିମା ଗାଦୀ ଅବସ୍ଥିତ । ସେଠାରେ ପ୍ରତିବର୍ଷ ମାଘ ପୂର୍ଣ୍ଣିମା ଦିନକ ପୂର୍ବରୁ ସାତଦିନ ପର୍ଯ୍ୟନ୍ତ ମହିମା ମେଳା ବସେ । ଆମ ଅଞ୍ଚଳରେ ସେହି ମେଳାକୁ ‘ଯୋରନ୍ଦା ଯାତ୍ରା’ କୁହାଯାଏ । ଦୂରଦୂରାନ୍ତରେ ରହୁଥିବା ମହିମା ସନ୍ନ୍ୟାସୀ ଓ ମହିମା ଭକ୍ତ ସେହି ମେଳାରେ ଏକତ୍ରିତ ହୁଅନ୍ତି । ସାଧାରଣ ଲୋକ ମଧ୍ୟ ଯୋରନ୍ଦା ଯାତ୍ରା ଦେଖିବାକୁ ଆସିଥାନ୍ତି । ସେତେବେଳେ ଗାଁ ଗହଳରେ ବଡ ବଡ ଦୋକାନ ନଥାଏ । ଯୋରନ୍ଦା ଯାତ୍ରାରେ ଢେଙ୍କାନାଳ, କଟକ, ପୁରୀ ଓ କଲିକତା ପ୍ରଭୃତି ସହରରୁ ବଡ ବଡ ଦୋକାନୀ ଦୋକାନ ଖୋଲିଥାନ୍ତି । ବିଶେଷତଃ କଂସାବାସନ, ଟ୍ରଙ୍କ୍ ସୁଟ୍କେଶ ଓ ଲୁଗା ଶାଢି ଦୋକାନ ଆସିଥାଏ । ସେତେବେଳେ ବିବାହ ଋତୁ । ତେଣୁ ଆମ ଅଞ୍ଚଳର ଲୋକମାନେ ପୁଅ ବା ଝିଅ ବାହାଘର ନିମିତ୍ତ ଯୋରନ୍ଦା ଯାତ୍ରାରୁ ଲୁଗା, ଶାଢି, କଂସାବାସନ, ଗହଣାଗାଣ୍ଠି ଓ ଟଙ୍କ୍ ସୁଟ୍କେଶ ମଧ୍ୟ କିଣିଥାନ୍ତି । ଏସବୁ ସହିତ ଯୋରନ୍ଦା ଯାତ୍ରାକୁ କଟକର କେତୋଟି ବଡ ବଡ ବହି ଦୋକାନ ଆସିଥାନ୍ତି, ପିପିଲିରୁ ଚାନ୍ଦୁଆ ଦୋକାନୀ କିଛି ଆସିଥାନ୍ତି, ପୁରୀ ଓ ରଘୁରାଜପୁରରୁ ପଟ୍ଟଚିତ୍ର ଦୋକାନୀ ଆସିଥାନ୍ତି । ନୀଳଗିରିରୁ ପଥରବାସନ ଦୋକାନୀ ଆସିଥାନ୍ତି । ଧର୍ମଶାଳା ନିକଟ କାଏମାରୁ ଟିଣରେ ତିଆରି ମୁରୁଜ ଛାଞ୍ଚ ଆସିଥାଏ । ଯୋରନ୍ଦା ଯାତ୍ରା ସାତଦିନ ଧରି ବସେ ଓ ବହୁ ଲୋକଙ୍କର ସମାଗମ ହୁଏ ।
ଆମେ ଗାଁରୁ କିଛି ସାଙ୍ଗ ପ୍ରତିବର୍ଷ ଯୋରନ୍ଦା ଯାତ୍ରା ଦେଖିବାକୁ ଯାଉ । ଆମର କିଛି ଜିନିଷ କିଣିବାର ନଥାଏ, କେବଳ ଯାତ୍ରା ବୁଲିବା ଲକ୍ଷ୍ୟ । ସେତେବେଳେ ଯୋରନ୍ଦା ଯାତ୍ରାରେ ହଇଜା ବ୍ୟାପୁଥିବାରୁ ଆମକୁ କୋ÷ଣସି ମିଷ୍ଟାନ୍ନ ଦୋକାନ ବା ଭୋଜନାଳୟରେ ଖାଇବାକୁ ନିଷେଧ କରାଯାଇଥାଏ । ଆମେ ସକାଳୁ ଖାଇପିଇ ଯୋରନ୍ଦା ଯାତ୍ରାକୁ ଆସୁ ଏବଂ ସନ୍ଧ୍ୟାକୁ ଫେରିଯାଉ । ଭୋକ ନିବାରଣ ନିମିତ୍ତ ସାଙ୍ଗରେ ଚୁଡା ଆଣିଥାଉ । ସେହି ଚୁଡାକୁ ଯୋରନ୍ଦାରେ ନଖାଇ ଚଉଁରୀ କୂଳରେ ଖାଉ । ଯୋରନ୍ଦା ଯାତ୍ରାରେ ମୋର ଆକର୍ଷଣ ଥାଏ କଟକ ଆଲିସାବଜାରରୁ ଆସିଥିବା ଧର୍ମଗ୍ରନ୍ଥ ଷ୍ଟୋର । ଏହି ଧର୍ମଗ୍ରନ୍ଥ ଷ୍ଟୋରର ମାଲିକ ହେଉଛନ୍ତି ଧବଳେଶ୍ୱର ନିକଟ କଖଡି ଗାଁର ବିଦ୍ୟାଧର ସାହୁ । ମୋ ସାଙ୍ଗମାନେ ଯାତ୍ରା ବୁଲିବା ବେଳେ ମୁଁ ଧର୍ମଗ୍ରନ୍ଥ ଷ୍ଟୋରରେ ରୁହେ । ସେଠାରେ ଶହ ଶହ ପ୍ରକାରର ଧର୍ମଶାସ୍ତ୍ର ଥାଏ । ମାଲିକ ବିଦ୍ୟାଧର ସାହୁ ମହିମାଭକ୍ତ ହେଲେ ହେଁ ସବୁ ଧର୍ମଶାସ୍ତ୍ର ରଖିଥାନ୍ତି । ସେ ବାପାଙ୍କର ଚିହ୍ନା ଏବଂ ମୋତେ ମଧ୍ୟ ଚିହ୍ନନ୍ତି । ସାଙ୍ଗମାନେ ଯାତ୍ରା ବୁଲୁଥିବା ବେଳେ ମୁଁ ତାଙ୍କ ଦୋକାନରେ ବସି ବହି ଦେଖୁଥାଏ । ବହି କିଣିବା ପାଇଁ ମା ମୋତେ ଦଶ ଟଙ୍କା ଦେଇଥାନ୍ତି । ତେଣୁ ଦଶ ଟଙ୍କା ଭିତରେ ଛୋଟ ଛୋଟ ବହି କିଣିବା ନିମିତ୍ତ ଏକାଠି କରେ । କିନ୍ତୁ ଟଙ୍କା ଦେବାବେଳକୁ ବିଦ୍ୟାଧର ସାହୁ ନିଅନ୍ତି ନାହିଁ ଏବଂ ମୋତେ ବିନା ମୂଲ୍ୟରେ ବହି ଦିଅନ୍ତି ତଥା ପ୍ରତିବର୍ଷ ଆସିବାକୁ କହନ୍ତି । ସେ ପଇସା ନେଉନଥିବାରୁ ମୋତେ ଭଲ ଲାଗେ ନାହିଁ । ଗୋଟେ ବର୍ଷ ମୁଁ ତାଙ୍କ ଦୋକାନକୁ ଗଲି ନାହିଁ । ସେ ମୋ ସାଙ୍ଗମାନଙ୍କୁ ମୋ କଥା ପଚାରିଲେ । ମୁଁ ଯାତ୍ରାକୁ ଆସିଛି ବୋଲି ଜାଣି ମୋତେ ଖୋଜିଲେ ଏବଂ ବଡମଠ ନିକଟରେ ପାଇଲେ । ମୋତେ ସାଙ୍ଗରେ ତାଙ୍କ ଦୋକାନକୁ ନେଇ ବିହାରୀଲାଳ ଗୀତା, କିଶୋର ନିତ୍ୟ କର୍ମ ପଦ୍ଧତି, ପାଞ୍ଚଖଣ୍ଡ ପୁରୋହିତ ସର୍ବସ୍ୱ, ସ୍ତୁତି ଚିନ୍ତାମଣି, କାର୍ତ୍ତିକ ମହାତ୍ମ୍ୟ, ମାଘ ମହାତ୍ମ୍ୟ, ବୈଶାଖ ମହାତ୍ମ୍ୟ, ଦାର୍ଢୁ୍ୟତା ଭକ୍ତି, ଛାନ୍ଦର ରତ୍ନାକର ପ୍ରଭୃତି ପଚିଶିଖଣ୍ଡ ବହି ଦେଲେ । ସେହି ବହି ଗୁଡିକ ମୁଁ ବୋହି ଗାଁକୁ ଆଣିପାରିବି ନାହିଁ ବୋଲି ଆମ ଗାଁ ନିକଟ ଅଁଳାପାଳର ବାସୁଦେବ ସାମଲଙ୍କୁ ମୋ ସାଥୀରେ ପଠାଇଲେ । ବାସୁଦେବ ମଧ୍ୟ ଜଣେ ମହିମାଭକ୍ତ । ସେ ମୋତେ ଘରେ ଛାଡିଦେଇ ଗଲେ । ବାପା ଋଷିକେଶରୁ ଫେରିବା ପରେ ବହି ଗୁଡିକ ଦେଖିଲେ ଏବଂ କହିଲେ ବିଦ୍ୟାଧର ସାହୁ ଜଣେ ସଚ୍ଚୋଟ ଓ ଧର୍ମପ୍ରାଣ ପୁସ୍ତକ ପ୍ରକାଶକ ଓ ବିକ୍ରେତା । ଜଣେ ଦିନ ମଜୁରିଆରୁ ସେ ସ୍ୱକୀୟ ନିଷ୍ଠା ଫଳରେ ଆଜି କୋଟିଏ ଟଙ୍କାର ମାଲିକ ହୋଇପାରିଛନ୍ତି । ଅହଂ ଭାବ ତାଙ୍କୁ ସ୍ପର୍ଶ କରିନାହିଁ । ମୁଁ ମଧ୍ୟ ପରବର୍ତ୍ତୀ ପରିଣତ ଜୀବନରେ ଦେଖିଲି ଯେ ଦାନ କରିବାରେ ସେ ଧୁରନ୍ଧର । ମହିମାଭକ୍ତ ହେଲେ ହେଁ କୋ÷ଣସି ସ୍ଥାନରେ ଯଜ୍ଞ, ଭାଗବତ ସପ୍ତାହ, ପାରାୟଣ ବା ହରିହାଟ ହେଲେ ସେ ସ୍ୱତଃ କିଛି ଦେଇଥାନ୍ତି । କିଛି ବର୍ଷ ତଳେ ତାଙ୍କର ପରଲୋକ ହୋଇଯାଇଛି ।
ମହିମାଗାଦୀରେ ମହିମା ଗୋସେଇଁଙ୍କ ସମାଧି ରହିଛି । ଯୋରନ୍ଦାଠାରେ ଥିବା ମହିମା ଟୁଙ୍ଗିରେ ମହିମା ଗୋସାଇଁ ଶେଷ ନିଃଶ୍ୱାସ ତ୍ୟାଗ କରିବା ପରେ ମହିମାଧର୍ମୀମାନେ ତାଙ୍କ ମରଶରୀରକୁ ଯୋରନ୍ଦା ଗ୍ରାମର ପୂର୍ବ ଦିଗରେ ସମାଧି ଦେଇଥିଲେ । ସମାଧିଟିର ଉଚ୍ଚତା ଚାରିଫୁଟ । ତା ଉପରେ ଗୋଟିଏ ବଡମନ୍ଦିର ନିର୍ମାଣ କରାଯାଇଛି । ସେହି ମନ୍ଦିରକୁ ଗାଦିମନ୍ଦିର କୁହାଯାଉଛି । ୧୮୭୬ରେ ମହିମା ସ୍ୱାମୀ ଦେହତ୍ୟାଗ କରିବା ପୂର୍ବରୁ ଯୋରନ୍ଦାଠାରେ ମହିମା ମେଳା ଆରମ୍ଭ କରିଥିଲେ । ଅଦ୍ୟାବଧି ସେହି ମେଳା ହେଉଅଛି । ଯାହାକୁ ମହିମାମେଳା, ମାଘ ମେଳା, ଯୋରନ୍ଦା ମେଳା ଓ ଯୋରନ୍ଦା ଯାତ୍ରା କୁହାଯାଉଛିି । ମହିମା ସନ୍ନ୍ୟାସୀମାନେ ଦୁଇଟି ସଂପ୍ରଦାୟର ବିଭକ୍ତ, ଯଥା: ବଳ୍କଳଧାରୀ ଓ କୋ÷ପୀନଧାରୀ । ବଳ୍କଳଧାରୀ ମହିମା ସନ୍ନ୍ୟାସୀମାନେ ମହିମା ସ୍ୱାମୀଙ୍କ ସମାଧି ପ୍ରତ୍ୟହ ପୂଜା କରନ୍ତି । ବଳ୍କଳଧାରୀ ମହିମା ସନ୍ନ୍ୟାସୀମାନଙ୍କ ମଧ୍ୟରୁ ବୟୋବୃଦ୍ଧ ସନ୍ନ୍ୟାସୀ ଦେଉଳର ଗୁପ୍ତବାଟରେ ସମାଧି ନିକଟକୁ ଯାଇ ସମାଧି ଉପରେ କ୍ଷୀର ଢାଳନ୍ତି, ନଡିଆ ଭୋଗ କରନ୍ତି ଓ ଅହ୍ମୁଣିିଆ ଭୋଗ କରନ୍ତି । ଅହ୍ମୁଣିିଆ ହେଉଛି ଗୁଡ ଓ ଦେଶୀ ଘିଅରେ ପ୍ରସ୍ତୁତ ଦାନା । ମାଘ ଶୁକ୍ଳ ଚତୁର୍ଦ୍ଦଶୀରେ ମହିମା ସ୍ୱାମୀ ମହିମା ମେଳା ଆରମ୍ଭ କରିଥିବାରୁ ପ୍ରତିବର୍ଷ ଏହି ତିଥିରେ ମହିମାମେଳା ଅନୁଷ୍ଠିତ ହୋଇଥାଏ । ଏହି ମେଳାରେ ବହୁ ମହିମା ସନ୍ନ୍ୟାସୀ, ମହିମାଭକ୍ତ ଓ ସର୍ବସାଧାରଣ ଯୋଗ ଦେଇଥାଆନ୍ତି । ମହିମା ସ୍ୱାମୀଙ୍କ ସମାଧି ମନ୍ଦିର ବା ଗାଦୀ ମନ୍ଦିର ନିକଟରେ ଝାଡଦୀପ ଜଳାଯାଏ ଓ ମହିମା ଭଜନ ଖଞ୍ଜଣି ବାଦ୍ୟ ସହ ଗାନ କରାଯାଏ । ଏହି ମନ୍ଦିରକୁ ଅମୁହୀ ଦେଉଳ ମଧ୍ୟ କୁହାଯାଏ ।
ଗାଦୀ ମନ୍ଦିର ବ୍ୟତୀତ ମହିମାଗାଦୀରେ ବଡ ମଠ, ତମାଳ ମାଳ ମୂଳ ମଠ, ମାତା ମଠ, ଜଟିଆ ବାବାଙ୍କ ମଠ ପ୍ରଭୃତି ରହିଛି । ବଡମଠ ଭିତରେ ଗୋଟିଏ ବୃହତ ବାମ୍ଫୀ ଓ ଘଣ୍ଟାଘର ରହିଛି । ଏହି ଘଣ୍ଟା ବାଜିଲେ ପ୍ରାୟ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଶୁଭେ । ସେଠାରେ ପୁସ୍ତକାଳୟ ମଧ୍ୟ ରହିଛି । ସୁନାଛତ୍ରୀ ଓ ରୂପାଛତ୍ରୀ ପ୍ରଭୃତି ରହିଛି । ଯାହା ଝାଡଦୀପ ନିକଟରେ ମେଳା ସମୟରେ ଶୋଭାପାଏ । ମହିମା ସନ୍ନ୍ୟାସୀମାନେ ଚନ୍ଦନ ଓ କର୍ପୂର ମିଶ୍ରିତ ଜଳସିଞ୍ଚନ କରି ଗାଦୀ ମନ୍ଦିରର ଚତୁପାଶ୍ୱର୍ ସଫା କରନ୍ତି । ଆମେ ସାଙ୍ଗମାନେ ଏହି ସବୁ ମନ୍ଦିର ଓ ମଠ ବୁଲୁ । ଅନ୍ୟ ଗୋଟିଏ ଧୂନି ମନ୍ଦିର ରହିଛି, ଯେଉଁଠାରେ ଅଖଣ୍ଡ ଧୂନି ପ୍ରଜ୍ଜ୍ୱଳିତ । ଯୋରନ୍ଦା ସନ୍ନିକଟ ନାଟିମା ଗାଁରେ କେତୋଟି ମଠ ରହିଛି, ଯେଉଁଠାରେ କୋ÷ପୁନିଧାରୀ ମହିମା ସନ୍ନ୍ୟାସୀମାନେ ରହିଛି । ଜଟିଆବାବାଙ୍କ ମଠ ସ୍ୱତନ୍ତ୍ର । ଏହି ମଠ ନାଟିମାରେ ଅବସ୍ଥିତ । କଟକ ଚାନ୍ଦିନୀଚୋ÷କ ମହିମା ଟୁଙ୍ଗିରେ ବ୍ରହ୍ମାବଧୂତ ବିଶ୍ୱନାଥ ବାବା ରହନ୍ତି । ସେ ମହିମାମେଳାକୁ ଯୋରନ୍ଦା ଆସନ୍ତି । ଗୋଟିଏ ଠେଲା ଗାଡିରେ କେତେକ ମହିମା ସନ୍ନ୍ୟାସୀ ଠେଲି ଠେଲି ତାଙ୍କୁ କଟକରୁ ଯୋରନ୍ଦା ଆଣନ୍ତି । ଯେଉଁ ମହିମା ସନ୍ନ୍ୟାସୀମାନେ ବର୍ଷସାରା ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଧର୍ମ ପ୍ରଚାର କରୁଅଛନ୍ତି ସେମାନେ ମହିମା ମେଳାରେ ଏକତ୍ରିତ ହୁଅନ୍ତି । ଏହି ଅବସରରେ ମହିମା ଗାଦୀରେ ଧର୍ମସଭା ଅନୁଷ୍ଠିତ ହୁଏ । ମହିମା ସନ୍ନ୍ୟାସୀ ଓ ବକ୍ତାମାନେ ମହିମାଧର୍ମ ଓ ଦର୍ଶନ ଉପରେ ବକ୍ତୃତା ପ୍ରଦାନ କରନ୍ତି । ଅଗଣିତ ନୂତନବ୍ୟକ୍ତି ମହିମା ମେଳାରେ ମହିମା ଦୀକ୍ଷା ଗ୍ରହଣ କରନ୍ତି । ପ୍ରକୃତରେ ମହିମା ମେଳା ହେଉଛି ମହିମାଧର୍ମର ବାର୍ଷିକ ମହୋତ୍ସବ । ବର୍ତ୍ତମାନ ଏହା ମହାସମାରୋହରେ ହେଉଛି । ଆମେ ମହିମା ଗାଦୀ ଦେଖି ଓ ମେଳାରେ ବୁଲି ସନ୍ଧ୍ୟା ପୂର୍ବରୁ ଗାଁକୁ ଫେରିଆସୁ । ତେଣୁ ଝାଡଦୀପ ପ୍ରଜ୍ଜ୍ୱଳନ ଦେଖିପାରୁନାହିଁ । ମହିମାମେଳା ସମୟରେ ଯୋରନ୍ଦାରେ ଦେଶୀରାମପୁର, ନାଗସପୁର, ବିରିବାଟି ଓ ତରାପୁର ଅପେରା ପଡେ । ଏଗୁଡିକ ରାତିରେ ନାଟକ କରୁଥିବାରୁ ଆମେ ଦେଖିବାରୁ ବଞ୍ଚôତ ହେଉ । ଆମ ପିଲାଦିନେ ଯୋରନ୍ଦାକୁ ବିଦୁ୍ୟତ୍ ଲାଇନ ଆସିନଥିଲା । ତେଣୁ ମେଳାରେ ପେଟ୍ରୋମାକ୍ସ ଲାଇଟ୍ ଲଗାଯାଏ । ଯାତ୍ରା ପାର୍ଟି ଦେଲାଇଟ୍ ଲଗାଇ ନାଟକ କରିଥାନ୍ତି । ଯାତ୍ରା ପାର୍ଟି ଟିକେଟ କରିଥାନ୍ତି ଓ ପ୍ରତି ରାତିରେ ଦୁଇ ଗୋଟି ସେ କରିଥାନ୍ତି । ତଥାପି ଅସମ୍ଭବ ଭିଡ ହୁଏ । ବର୍ତ୍ତମାନ ଯାତ୍ରା ପାର୍ଟି ସହିତ ସର୍କସ, ମ୍ୟାଜିକ, ଦୋଳି, କଣ୍ଢେଇ ନାଚ ଓ ପ୍ରଦର୍ଶନୀ ପ୍ରଭୃତି ମେଳାଟିକୁ କୋଳାହଳମୟ କରୁଛି । ଆମ ପିଲାଦିନେ ପ୍ରାୟ ଦୁଇ ଲକ୍ଷ ଲୋକ ମହିମା ମେଳାରେ ଏକତ୍ରିତ ହେଉଥିଲେ । ସେତେବେଳେ ଗମନାଗମନର ବିଶେଷ ସୁବିଧା ନଥିଲା । ବର୍ତ୍ତମାନ ଦଶଲକ୍ଷରୁ ଅଧିକ ଲୋକ ଏକତ୍ରିତ ହେଉଛନ୍ତି । କିନ୍ତୁ ଆମ ପିଲାବେଳର ଯୋରନ୍ଦା ଯାତ୍ରା ଓ ଆଜିର ଯୋରନ୍ଦା ଯାତ୍ରା ଭିତରେ ବହୁତ ପାର୍ଥକ୍ୟ ରହିଛି । ଆମ ପିଲାବେଳରେ ଯୋରନ୍ଦା ଯାତ୍ରରେ ଲାଇଟ୍ ନଥିଲା, ଚାକଚକ୍ୟ ନଥିଲା, ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବେଶୀ ପୋଲିସ କର୍ମଚାରୀ ନଥିଲେ । ସ୍ୱାସ୍ଥ୍ୟସେବା ନିମିତ୍ତ ବେଶୀ ଡାକ୍ତର ନଥିଲେ, ସେବା କରିବା ନିମିତ୍ତ ସ୍ୱେଚ୍ଛାସେବୀ ନଥିଲେ ଓ ବେଶୀ ଦୋକାନୀ ମଧ୍ୟ ଆସୁନଥିଲେ । ତଥାପି, ଅନ୍ଧାର ଥାଇ ମଧ୍ୟ ଚୋରି ବା ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟ ହେଉନଥିଲା, ଚାକଚକ୍ୟ ନଥାଇ ମଧ୍ୟ ଯାତ୍ରା ପ୍ରତି ସର୍ବସାଧାରଣଙ୍କ ଆକର୍ଷଣ ଥିଲା, କମ୍ ପୋଲିସ କର୍ମଚାରୀ ଥିଲେ ହେଁ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରହୁଥିଲା, ସ୍ୱାସ୍ଥ୍ୟକର୍ମୀ ନଥିଲେ ସ୍ୱାସ୍ଥ୍ୟସେବା ଅତୁଟ ଥିଲା, ସ୍ୱେଚ୍ଛାସେବୀ ନଥିଲେ ହେଁ ଯାତ୍ରୀମାନେ ଉତ୍ତମ ସେବା ପାଉଥିଲେ ଏବଂ କମ୍ ଦୋକାନୀ ଥିଲେ ମଧ୍ୟ ଭଲ ବିକ୍ରୟ ହେଉଥିଲା । ସେତେବେଳେ ଯୋରନ୍ଦା, ନାଟିମା, ଦଧିସିଙ୍ଗା ପ୍ରଭୃତି ଗ୍ରାମର ଲୋକମାନେ ଏହି ଯାତ୍ରାକୁ ସେମାନଙ୍କର ଗର୍ବ ବୋଲି ଭାବୁଥିଲେ । ସେତେବେଳେ ଯୋରନ୍ଦାକୁ ଯାତାୟତର ବିଶେଷ ସୁବିଧା ନଥିଲା । ଦୈନିକ ଦୁଇଥର ବସ ଢେଙ୍କାନାଳରୁ ଯୋରନ୍ଦା ଆସୁଥିଲା ଏବଂ ଯାତ୍ରା ସମୟରେ ଆଉ ଦୁଇ ତିନୋଟି ବସ୍ ଅଧିକା ଯାତାୟତ କରୁଥିଲା । ସେହି ସମୟରେ ବସ ସଂଖ୍ୟା ବି କମ ଥିଲା । ଦୂର ଦୂରାନ୍ତର ଯାତ୍ରୀ ଚାଲି ଚାଲି ଯୋରନ୍ଦା ଆସୁଥିଲେ । ଯାତ୍ରୀମାନେ ରହିବା ନିମିତ୍ତ କୋ÷ଣସି ଧର୍ମଶାଳା ନଥିଲା । ଯାତ୍ରୀମାନେ ବିଦ୍ୟାଳୟ ବା ଖୋଲା ସ୍ଥାନରେ ରହୁଥିଲେ । ସ୍ଥାନୀୟ ଲୋକେ ମଧ୍ୟ ଯାତ୍ରୀଙ୍କ ସୁବିଧା ପ୍ରତି ଗୁରୁତ୍ୱ ଦେଉଥିଲେ । ଯାତ୍ରାର ବହୁ ପୂର୍ବରୁ ଯୋରନ୍ଦା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ସ୍ୱତନ୍ତ୍ର ଅଧିବେଶନ କରାନ୍ତି । ଏହି ସଭାରେ ସମସ୍ତ ୱାର୍ଡମେମ୍ବର, ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ସମସ୍ତ ଶିକ୍ଷକ, ରାଜସ୍ୱ ନିରୀକ୍ଷକ ଓ ଗଁଦିଆ ଥାନା ବାବୁ ଯୋଗ ଦିଅନ୍ତି । ଅଧିବେଶନରେ ଯାତ୍ରାର ଶାନ୍ତି ଶୃଙ୍ଖଳା, ସ୍ୱାସ୍ଥ୍ୟସେବା ଓ ଦୋକାନୀମାନଙ୍କୁ ଜାଗାବଣ୍ଟନ ପ୍ରଭୃତି ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଏ ଓ ତଦନୁଯାୟୀ ସଭିଁଏ କାର୍ଯ୍ୟ କରନ୍ତି । ଫଳରେ ଯାତ୍ରାଟି ସୁରୁଖୁରୁରେ ସଂପନ୍ନ ହୁଏ ।
ମହିମାଗାଦୀର ସନ୍ନ୍ୟାସୀମାନଙ୍କ ପ୍ରତି ଲୋକଙ୍କର ସମ୍ମାନ ଥାଏ । ବିଳ୍କଳଧାରୀ ଓ କୋ÷ପୀନଧାରୀ ଉଭୟ ସମାଜରେ ବହୁ ଜ୍ଞାନୀଗୁଣୀ ସନ୍ନ୍ୟାସୀ ଥିଲେ । ମୁଁ ପିଲାଥିବାରୁ ସବୁ ସନ୍ନ୍ୟାସୀଙ୍କୁ ଚିହ୍ନି ନଥିଲି । ଯାତ୍ରା ସମୟରେ ସନ୍ନ୍ୟାସୀମାନେ ସେଠାରେ ଗୋଟିଏ ଧର୍ମସଭା କରନ୍ତି । ଆମେ କିଛି ସାଙ୍ଗ ଧର୍ମସଭା ଦେଖିବାକୁ ଗଲୁ । ସେହି ସଭାରେ ବ୍ରହ୍ମାବଧୂତ ବିଶ୍ୱନାଥ ବାବା ଅଧ୍ୟକ୍ଷତା କରୁଥିଲେ ଏବଂ ପ୍ରାୟ ସାତ ଆଠଜଣ ସନ୍ନ୍ୟାସୀ ମଞ୍ଚାସୀନ ଥିଲେ । ସଭାରେ ପ୍ରାୟ ଏକ ହଜାର ଶ୍ରୋତା ଥିଲେ । ଆମେ ସଭାସ୍ଥଳରେ ପହଞ୍ଚôବା ବେଳକୁ ସନ୍ନ୍ୟାସୀ ମହୀନ୍ଦ୍ର ବାବା ମହିମା ଧର୍ମ ଓ ଦର୍ଶନ ଉପରେ ଭାଷଣ ଦେଉଥିଲେ । ତାଙ୍କ ଭାଷଣ ମର୍ମସ୍ପର୍ଶୀ ଥିଲା । ମୋ ସାଥୀମାନେ ବୁଝିପାରୁନଥିଲେ ହେଁ ମୁଁ ବୁଝିପାରୁଥିଲି । ସେଠାରେ ଆମ ଗାଁର ଧ୍ରୁବଚରଣ ପରିଡା ଶୁଣୁଥିଲେ । ସେ ଜଣେ ମହିମାଭକ୍ତ ଓ ପୁସ୍ତକ ବିକେତ୍ରା ଥିଲେ । ତାଙ୍କ ଠାରୁ ମହୀନ୍ଦ୍ରବାବାଙ୍କ ସଂପର୍କରେ ମୁଁ ବହୁ କଥା ଜାଣିପାରିଲି । ସେ ଜଣେ ଉଚ୍ଚକୋଟୀର ମହିମା ସନ୍ନ୍ୟାସୀ ଓ ସୁଲେଖକ ବୋଲି ଜାଣିଲି । ତାଙ୍କ ଲିଖିତ ବହି ମୋତେ ଦେବେ ବୋଲି ଧ୍ରୁବ ଚରଣ ପରିଡ଼ା କହିଲେ ଏବଂ ତିନିଚାରିଦିନ ପରେ ମଧ୍ୟ ଗାଁରେ ଆଣିଦେଲେ । ସେ ଦେଇଥିବା ଦୁଇଖଣ୍ଡ ବହି ପଢି ମୁଁ ମହିମାଧର୍ମ ବିଷୟରେ ବହୁ କଥା ଜାଣିଲି । ଆମ ଗାଁ ଗୋଟିଏ ବଡ ବ୍ରାହ୍ମଣ ଶାସନ । ସେଠାରେ ବହୁ ଜ୍ଞାନୀ ଗୁଣୀ ଥିଲେ । ସେମାନେ ମହିମାଧର୍ମ ବିଷୟରେ ମୋତେ କିଛି କହିନଥିଲେ । ବ୍ରାହ୍ମଣମାନେ ମହିମାଧର୍ମୀଙ୍କୁ ଭଲ ପାଆନ୍ତି ନାହିଁ ଏବଂ ମହିମା ସନ୍ନ୍ୟାସୀମାନେ ବ୍ରାହ୍ମଣଙ୍କ ଘର ଭିକ୍ଷା ଗ୍ରହଣ କରନ୍ତି ନାହିଁ । ବାପା ମୋତେ ଶିକ୍ଷା ଦେଇଥିଲେ କୋ÷ଣସି ଧର୍ମକୁ ନୁ୍ୟନ ନ ଭାବିବାକୁ । ବାପା କହିଥିଲେ ଯେ ପ୍ରତ୍ୟେକ ଧର୍ମର ମୂଳ ଲକ୍ଷ୍ୟ ହେଉଛି ଚରିତ୍ରବନ୍ତ ମନୁଷ୍ୟ ସୃଷ୍ଟି କରିବା । ସଭାସ୍ଥଳ ‘ମହିମା ଅଲେଖ’ ଧ୍ୱନିରେ ପ୍ରକମ୍ପିତ ହେଉଥିଲା । ପ୍ରାୟ ଅପରାହ୍ନ ୩ଟା ବେଳକୁ ସଭାସାଙ୍ଗ ହେଲା ଓ ଆମେ ଗାଁକୁ ଫେରିଲୁ ।
ଆନନ୍ଦନଗର, କାଠଗଢା
ଢେଙ୍କାନାଳ, ମୋ -୮୮୯୫୨୩୦୭୨୨