ଚିଲିକାରେ ପକ୍ଷୀ ଗଣନା ପାଇଁ ୨୧ଟିମ୍ ନିୟୋଜିତ

 ଭୁବନେଶ୍ୱର : ଜାନୁଆରୀ ୧୮ ଅର୍ଥାତ ଆଜିଠାରୁ ଚିଲିକାରେ ପକ୍ଷୀଗଣନା ହେବ । ଏ ସମ୍ବନ୍ଧରେ ଏକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର । ନିଜର ଭୌଗୋଳିକ ଅବସ୍ଥିତି ତଥା ସନ୍ତୁଳିତ ପରିବେଶ ନିମିତ୍ତ କେଉଁ ଅନାଦି କାଳରୁ ଚିଲିକା ଏକ ପକ୍ଷୀ ଭୂସ୍ୱର୍ଗ ପାଲଟିଯାଇଛି । ଚିଲିକା ବିଶ୍ୱର ଦ୍ୱିତୀୟ ବୃହତ୍ତମ ପକ୍ଷୀ ହ୍ରଦ ଭାବରେ ସାରା ବିଶ୍ୱରେ ପ୍ରସିଦ୍ଧ । ପ୍ରାୟ ୧୧୬୫ ବର୍ଗକିଲୋମିଟର ପରିବ୍ୟାପ୍ତ ଏହି ହ୍ରଦକୁ ଶୀତଦିନେ ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀ ଓ ଦେଶୀୟ ପକ୍ଷୀ ଆସିଥାନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଆନୁକୂଲ୍ୟରେ ପକ୍ଷୀ ଗଣନା କାର୍ଯ୍ୟ ଜାନୁଆରୀ ୧୮ ତାରିଖ ଦିନ ସମାହିତ ହେବ । ସେଥିପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବାଲୁଗାଁ, ସାତପଡ଼ା, ରମ୍ଭା, ଚିଲିକା ଓ ଟାଙ୍ଗୀ ଆଦି ପାଞ୍ଚଟି ରେଞ୍ଜରେ ୨୧ଟି ଟିମ୍ର ମୋଟ ୧୧୫ ଜଣ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ସାମିଲ ହେବେ । ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ, ଓୟୁଏଟି, ଡବ୍ଲୁ୍ୟ ଆଇଆଇ, ବିଏନ୍ଏଚ୍ଏସ୍ର ପ୍ରଫେସର ଓ ଅଧ୍ୟାପକ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସହ ପକ୍ଷୀ ଗଣନା କାର୍ଯ୍ୟ କରିବେ । ସମଗ୍ର ଚିଲିକା ହ୍ରଦକୁ ୨୧ଟି ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଟିମ୍ରେ ଜଣେ ଜଣେ ପକ୍ଷୀ ବିଶାରଦ, ୩ରୁ ୫ ଜଣ ପକ୍ଷୀ ବିଶେଷଜ୍ଞ ଓ ଗାଇଡ଼୍ ରହିବେ । ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ୨୧ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ଗଠନ କରାଯାଇ ୪୮ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ଜାନୁଆରୀ ୨୦ ତାରିଖରେ ଇରାୱାଡ଼ି ଡଲ୍ଫିନ୍ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ । ସେଥିପାଇଁ ୧୯ ତାରିଖ ଦିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ବାଲୁଗାଁ ଓ ସାତପଡ଼ାଠାରେ ଦୁଇଟି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ । ୧୮ଟି ଦଳ ଡଲ୍ଫିନ୍ ଗଣନା କାର୍ଯ୍ୟରେ ସାମିଲ ହେବେ ।
ପକ୍ଷୀ ଓ ଡଲ୍ଫିନ୍ ଗଣନା କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ସ୍ଥାନୀୟ ମସô୍ୟଜୀବୀ ଓ ଡଙ୍ଗାଚାଳକ ସଂଘକୁ ଅନୁରୋଧ କରିଥିଲେ । 
କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମଶଙ୍କର ଝା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ମନୋଜ ଭି. ନାୟାର, ଚିଲିକା ବନଖଣ୍ଡ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।