କଂଗ୍ରେସ ପକ୍ଷରୁ ଅଖିମୁଠି ଅନୁକୂଳ
ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନକ୍ରମେ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଷାନ କଂଗ୍ରେସର ମିଳିତ ଆନୁକୂଲ୍ୟରେ ଅଖିମୁଠି ଅନୁକୂଳ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବ୍ଲକ ଟିକରପଡ଼ା ପଞ୍ଚାୟତର କଲ୍ୟାଣପୁର ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶଙ୍କ ପୌରହିତ୍ୟରେ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ ହୋଇଥିଲା । ପିସିସି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରମ୍ପରିକ ରୀତିରେ କ୍ଷେତରେ ଭୂମିପୂଜା କରିବା ସହିତ ଅଖିମୁଠି ଅନୁକୂଳ କରିଥିଲେ । ଏହି ଅବସରରେ ରାଜ୍ୟ ସରକାର ଚାଷୀଙ୍କୁ ନ୍ୟାୟ ଦେବା ଏବଂ ସେମାନଙ୍କର ହକ୍ ପୂରଣ କରିବା ଏକାନ୍ତ ଜରୁରୀ ବୋଲି କହିଥିଲେ । ନଚେତ ନ୍ୟାୟ ପଥରେ ଚାଷୀଙ୍କ ହକ୍ ପାଇଁ ସଂକଳ୍ପ, ସଂଘର୍ଷ ଓ ସମର୍ପଣ ଦ୍ୱାରା କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ଭକ୍ତ ପ୍ରକାଶ କରିଥିଲେ । ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଓଡ଼ିଶା ସହ ପ୍ରଭାରୀ ସାହାନୱାଜ ଚୌଧୁରୀଙ୍କ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।