ଜନନାୟକ ନବକୃଷ୍ଣ ଓ ଜାତୀୟକବି ବୀରକିଶୋର


ହିମାଂଶୁ ଶେଖର ଆ·ର୍ଯ୍ୟ : ଇତିହାସ ପୃଷ୍ଠାରେ ନଭେମ୍ବର ତେଇଶି ତାରିଖ ହେଉଛି ଆମ ରାଜ୍ୟପାଇଁ ଏକ ଅବିସ୍ମରଣୀୟ ଦିବସ । ସେହିଦିନ  ୧୯୦୧ ମସିହାରେ ବିପ୍ଳବୀ ଜନନାୟକ, ସାମ୍ୟବାଦୀ ଚିନ୍ତା ଓ ଚେତନାର ପୂଜାରୀ, କୃଷକ, ଖଟିଖିଆ ଓ ମେହନତି ମଣିଷର ସୁଖ ଦୁଃଖର ସାଥୀ, ସରଳ, ନିରାଡ଼ମ୍ବର, ନିରହଂକାରୀ ମଣିଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଜଗତସିଂହପୁର ଜିଲ୍ଲା ଖେରସ ଗ୍ରାମରେ ଜନ୍ମ ହୋଇଥିଲେ । ସେହିପରି ଏହିଦିନ ଆଉ ଜଣେ ଯୋଗଜନ୍ମା ସଂଗ୍ରାମୀ ତଥା ଜାତୀୟ କବି ବୀରକିଶୋର ଦାସ ଏହି ଜିଲ୍ଲାର ପୁନଙ୍ଗ ଗ୍ରାମରେ  ଜନ୍ମଗ୍ରହଣ କରିଥିଲେ ।   ନବକୃଷ୍ଣ ଚୌଧୁରୀ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୁତନ ମୋଡଦେଇ ଜଣେ ଆଦର୍ଶ ଗାନ୍ଧିବାଦୀ  ଓ ନିଆରା ଜନନାୟକ ଭାବେ ସାରା ଦେଶରେ ସୁପରିଚିତ ହୋଇଥିବା ବେଳେ ବୀର କିଶୋର ଜାତୀୟ କବିର ମାନ୍ୟତା ଲାଭ କରିଥିଲେ । ଏହି ଦୁଇ ଯୋଗଜନ୍ମା ବରପୁତ୍ର ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଦେଶ ଓ ଜାତିର ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି । ସେମାନଙ୍କ ତ୍ୟାଗ,ତିତିକ୍ଷା ଓ ବଳିଦାନର ପଟ୍ଟାନ୍ତର ନାହିଁ । ଯଥାର୍ଥରେ ସେ ଦୁହେଁ ଥିଲେ କାଳଜୟୀ ବ୍ୟକ୍ତିତ୍ୱର ଅଧିକାରୀ ।୧୯୨୧ ମସିହାର କଥା । ସେତେବେଳେ ମହାତ୍ମାଗାନ୍ଧିଙ୍କ ଡାକରାରେ ଅସହଯୋଗ ଆନେ୍ଦାଳନ ଆରମ୍ଭ ହୋଇଥାଏ ସମଗ୍ର ଦେଶରେ । ଗାନ୍ଧିଜୀଙ୍କ ଆହ୍ୱାନରେ ଯେଉଁ କଲେଜ ଛାତ୍ରମାନେ ପାଠପଢା ଛାଡି ଅସହଯୋଗ ଆନେ୍ଦାଳନରେ ଯୋଗଦେଲେ ସେମାନଙ୍କ ଭିତରୁ ଜଣେ ଥିଲେ ନବକୃଷ୍ଣ ଚୌଧୁରୀ । ଯେଉଁ କଲେଜ ଛାତ୍ରମାନେ ପାଠ ଛାଡ଼ି ଏହି ଆନେ୍ଦାଳନରେ ଯୋଗଦେଲେ, ସେମାନଙ୍କ ଭିତରୁ ଜଣେ ଥିଲେ କଟକ ରେଭେନ୍ସା କଲେଜର ତୃତୀୟ ବର୍ଷର ମେଧାବୀ ଛାତ୍ର ନବକୃଷ୍ଣ ଚୌଧୁରୀ । ତାଙ୍କ ଆଗରେ ଥିଲା ଉଜ୍ଜ୍ୱଳ ଭବିଷ୍ୟତ । ପ୍ରାଚୁର୍ଯ୍ୟ ଭିତରେ ବଢ଼ିଥିଲେ ସେ, ·ହିଁଥିଲେ ଉଚ୍ଚଶିକ୍ଷା ଲାଭକରି ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ପାରିଥାନ୍ତେ । ଆଉ ଏକଥା ମଧ୍ୟ ସେ ଜାଣିଥିଲେ, ସ୍ୱାଧୀନତା ସଂଗ୍ରାମରେ ଝାସ ଦେଲେ ତାଙ୍କୁ ଦୁଃଖକଷ୍ଟ ସହିବାକୁ ହେବ, ଜେଲ୍ ଯିବାକୁ ହେବ ଓ ହୁଏତ ମୃତୁ୍ୟବରଣ କରିବାକୁ ହେବ । ତଥାପି ସେ ଲକ୍ଷ୍ୟପଥରୁ ବିଚୁ୍ୟତ ହୋଇନଥିଲେ ।୧୯୨୭ ମସିହା ଜୁଲାଇ ୨୭ ତାରଖରେ ନବକୃଷ୍ଣ ମାଳତୀ ସେନଙ୍କୁ ନିଜର ଧର୍ମପତ୍ନୀ ରୂପେ ଗ୍ରହଣ କରିଥିଲେ । ବିବାହର କିଛି ଦିନ ପରେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀ ନିଜଘର ଛାଡ଼ି ତରିକୁନ୍ଦ ଠାରେ ଥିବା କୃଷି ଫାର୍ମରେ ଯାଇ ରହିଲେ । ଏହିଠାରୁ ହିଁ ତାଙ୍କର କର୍ମମୟ ଜୀବନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ତାହା ରୂପାନ୍ତରିତ ହେଲା ‘ତରି ଆଶ୍ରମ’ ରୂପେ । ସେଇ ଆଶ୍ରମରୁ ସେ ସାମିଲ ହୋଇଥିଲେ ବହୁ ଚର୍ଚ୍ଚିତ ଓ ଐତିହାସିକ ଲବଣ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନେ୍ଦାଳନରେ ଏବଂ ବିଭିନ୍ନ ସମୟରେ କାରାବରଣ କରିଥିଲେ । ଜେଲ୍ ଭିତରେ ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦେଶ ପ୍ରେମରେ ଉଦ୍ବୁଦ୍ଧ କରିଥିଲେ । ଜେଲ୍ରୁ ଫେରି ସେ ଲୋକମାନଙ୍କୁ ଏକଜୁଟ୍ କରି ଖଟିଖିଆ ଓ ମେହନତି ମଣିଷର ସୁଖ ଦୁଃଖରେ ସହଭାଗୀ ହେବା ପାଇଁ ପ୍ରେରଣା ଦେଇଥିଲେ ।
୧୯୩୬ ମସିହାରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ହେଲା ପରେ ନବକୃଷ୍ଣ ଚୌଧୁରୀ ୧୯୩୭ ମସିହାରେ ତିର୍ତ୍ତୋଲ-ଏରସମା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରେ ୧୯୪୬ ମସିହାରେ ଉତ୍ତର କେନ୍ଦ୍ରାପଡ଼ା ଆସନରୁ ନିର୍ବାଚିତ ହୋଇ ଡକ୍ଟର ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀ ମଣ୍ଡଳରେ ରାଜସ୍ୱ ମନ୍ତ୍ରୀ ଭାବେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବକୃଷ୍ଣ ଚୌଧୁରୀଙ୍କ କାର୍ଯ୍ୟକାଳ ଅନେକ ଦିଗରୁ ମହତ୍ତ୍ୱ ରଖେ । ତାଙ୍କ ଶାସନ କାଳରେ ୧୯୫୧-୫୨ ରୁ ୧୯୫୫-୫୬ ପର୍ଯ୍ୟନ୍ତ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହୋଇଥିଲା । 
“ବନ୍ଧୁ ଦିନରାତି ମୋର ସେହିଚିନ୍ତା 
ଏ ସରକାର ଶବ ଦାହ ହେବ କେବେ 
ଦେଖିବି ମୁଁ ତା’ର ଶେଷ ଚିତା
(ବନ୍ଧୁ) ଦିନରାତି ମୋର ସେହିଚିନ୍ତା   ।”
୧୯୪୭ ମସିହାରେ ଦେଶ ସ୍ୱାଧୀନ ହେଲା । କିନ୍ତୁ ସଂଗ୍ରାମୀ ବୀରକିଶୋରଙ୍କ ସଂଗ୍ରାମ ସରିଲା ନାହିଁ  । କେବଳ ଦେଶ ଓ ଜାତିକୁ ଉଦବୋଧନ ଦେବା ପାଇଁ ସେ ଖାଲି କଲମ ଧରିନଥିଲେ ।  ସ୍ୱାଧୀନତା ପ୍ରାପ୍ତି ପରେ ବି ବୀରକିଶୋର ଲେଖନୀ ଚାଳନାରୁ ବିରତ ହୋଇନଥିଲେ । ସ୍ୱାଧୀନତା ସଂଗ୍ରାମର ଦୀର୍ଘ ଅନୁଭୂତି ସାଙ୍ଗକୁ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନର ରାମ ରାଜ୍ୟକୁ ସାର୍ଥକ ଓ ସଫଳ ରୂପାୟନ ଦେବାପାଇଁ ଏକାନ୍ତ ଭାବେ ବିଳାପ କରିବାକୁ ଯାଇ ସେ ଲେଖିଥିଲେ -
    “ଯାହା ଲେଖିବାର ଲେଖିସାରିଛି ମୁଁ ଆଉ ପାରୁନି କିଛି ଲେଖି
    ଦେଖିବାର ଯାହା ଦେଖିସାରିଛି ମୁଁ ଆଉ ପାରୁନି କିଛି ଦେଖି ।”
ଏଥିରୁ ସ୍ପଷ୍ଟ ଅନୁମେୟ, ସ୍ୱାଧୀନତାର ପରବର୍ତ୍ତୀ ଅବସ୍ଥାରେ ଗାନ୍ଧିଜୀଙ୍କ ଆଦର୍ଶର ବିଲୋପରେ ସେ ମର୍ମାହତ ହୋଇଥିଲେ । କଟକ ସଦର ସ୍ଥାନୀୟ ବୋର୍ଡର ସଭାପତିି ଭାବେ ଓ ବିଧାନସଭାର ସଭ୍ୟ ଭବେ ବହୁ ଜନହିତକର କର୍ଯ୍ୟରେ ସେ ନିଜକୁ ନିୟୋଜିତ କରି ସମାଜସେବୀ ଭାବେ ପ୍ରତିଷ୍ଠିତ କରିପାରିଥିଲେ  । ଓଡିଶାର ପାଣି ପବନରେ ଗଢା ଏହି ସଂଗ୍ରାମୀ ସାଧକଙ୍କ ରଚନା ଜାତୀୟ ଚେତନାକୁ ୠଦ୍ଧିମନ୍ତ କରିଯାଇଛି । ସେ ଆଜି ଆମ ଗହଣରେ ନାହାଁନ୍ତି । ୧୯୭୩ ମସିହା ଏପ୍ରିଲ ୨୮ ତାରିଖରେ ତାଙ୍କର ଦେହାବସାନ ଘଟିଛି ।
ଆଜି ଉକ୍ରଳ ଜନନୀର ଏହି ଦୁଇ ବରପୁତ୍ରଙ୍କ ଜୟନ୍ତୀ ପାଳନ ଅବସରରେ ଅନେକ କଥା ମନେ ପଡୁଛି ।  ହେଲେ ସେଦିନର ସାଧନା ଆଜି ଇତିହାସ, ସଂକଳ୍ପ ସବୁ ସ୍ୱପ୍ନିଳ, ଆଉ ମୂଲ୍ୟବୋଧ ମାନ ଅଭିଧାନ ଗତ । ଖଟିଖିଆ - ମେହନତି ମଣିଷ ପାଇଁ ସେ ଦେଖିଥିବା ସ୍ୱପ୍ନ ଏବେ ବି ଅଧୁରା ।  ଏବେ ବି ସମୟ ଅଛି । ଏହି ଦୁଇ ମହାନ୍ ଜନନାୟକଙ୍କ ତ୍ୟାଗ, ସେବା ଓ ଜୀବନାଦର୍ଶକୁ ଉତ୍ତରପିଢିଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ଆମ ସମସ୍ତଙ୍କର । ଏଥିପାଇଁ ସବୁସ୍ତରରେ ଉଦ୍ୟମ ହେଉ, ଏହା ହିଁ ଆଜିର ଅନୁଚିନ୍ତା । 
                                   ଜଗତସିଂହପୁର
               ମୋ-୯୯୩୭୧୫୧୦୫୨