ବିନା କାର୍ଯ୍ୟାଦେଶରେ କାମ ଆରମ୍ଭ ବିଧାୟକ, ବ୍ଲକ ଅଧ୍ୟକ୍ଷ ଗୋଷ୍ଠୀ ମୁହାଁମୁହିଁ
ନିଆଳି : ନିଆଳି ବ୍ଲକ ପହଙ୍ଗା ପଞ୍ଚାୟତରେ ଥିବା ପହଙ୍ଗା ହାଟର ପିଣ୍ଡି ସହିତ ଛାଇ ନିମନ୍ତେ ଉପରେ ଆଜବେଷ୍ଟ ପକାଇବା ପାଇଁ ପଞ୍ଚାୟତ ସମିତି ପଇସାରୁ ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା କାର୍ଯ୍ୟରତ ବିଭାଗୀୟ ଜେଇଙ୍କୁ ଦେଇଥିବା ବେଳେ ବିଧାୟକଙ୍କ ଗୋଷ୍ଠୀର କିଛି ଲୋକ ହାଟ ପିଣ୍ଡି ବଦଳରେ ଉକ୍ତ ଟଙ୍କାରେ ଫେବର ପକାଇବା ପାଇଁ ବିନା କାର୍ଯ୍ୟାଦେଶରେ ଆଜି କାମ ଆରମ୍ଭ କରିଛନ୍ତି । ଯାହାଫଳରେ ଆଜି ବିଧାୟକ ଓ ଅଧ୍ୟକ୍ଷ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ନିଆଳି ସହକାରୀ ନିର୍ବାହୀ ଯନ୍ତ୍ରୀ ଉକ୍ତ କାମ ପାଇଁ କାହାରିକୁ କାର୍ଯ୍ୟାଦେଶ ଦିଆଯାଇ ନଥିବା କଥା କୁହାଯାଉଥିବା ବେଳେ କାମ ଆରମ୍ଭ ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉପୁଜିଛି ବିବାଦ । ସୂଚନାଥାଉକି, ଉକ୍ତ ହାଟଟି ପଂଚାୟତ ଅଧୀନରେ ଥିବାବେଳେ ହାଟରେ ଦୁଇଟି ପାଳିରେ ପଂଚାୟତ ପକ୍ଷରୁ ନିଲାମ ଦିଆଯାଇ କର ଆଦାୟ କରାଯାଇଥାଏ । ଉକ୍ତ ହାଟର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣର ଦାୟିତ୍ୱ ପଂଚାୟତର ହୋଇଥିବାବେଳେ ଏବେ କାମ କିଏ କରିବ ସେ ନେଇ ଉପୁଜିଛି ବିବାଦ ।