ଭୁଲ୍‌ କଲେ ପାଣ୍ଡିଆନ୍‌, କିଳା ନେବେ ସସ୍ମିତ

ଭୁଲ୍‌ କଲେ ପାଣ୍ଡିଆନ୍‌, କିଳା ନେବେ ସସ୍ମିତ


ଭୁବନେଶ୍ୱର : ‘ମାର୍‌ ମାର୍‌ ଭଣ୍ଡାରିଆକୁ ମାର’  । ‘କାଣି ବିରାଡ଼ିର କୁଜି ଅସରପା ଉପରେ ରାଗ’  । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ନେଇ ବିଜେଡ଼ି ନେତାଙ୍କ ଆଭିମୁଖ୍ୟକୁ ଲକ୍ଷ୍ୟ କଲେ ଏହି କଥା ଦୁଇଟି ପ୍ରଯୁଜ୍ୟ  । ସସ୍ମିତ ପାତ୍ର ପ୍ରଥମେ କହିଲେ, ୱାକଫ ବିଲକୁ ବିଜେଡ଼ି ବିରୋଧ କରିବ  । ପରେ କହିଲେ ବିଜେଡ଼ି ବିବେକାନୁମୋଦିତ ଭୋଟ୍‌ ଦେବ  । ଆଉ ସେ ୱାକଫ ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଛନ୍ତି ବୋଲି ସ୍ୱୀକାର ବି କରିଛନ୍ତି  । ସସ୍ମିତଙ୍କ ଏଭଳି ଆଭିମୁଖ୍ୟକୁ ନେଇ ବିଜେଡ଼ି ନେତା ପ୍ରଫୁଲ୍ଳ ସାମଲ ଓ ଗଣେଶ୍ୱର ବେହେରା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି  ।
ପ୍ରଫୁଲ୍ଲ ଓ ଗଣେଶ୍ୱର ପୁରୁଖା ନେତା  । ସେମାନେ ଭଲଭାବେ ଜାଣିଛନ୍ତି ଭିକେ ପାଣ୍ଡିଆନ୍‌ ଓ ନବୀନ ପଟ୍ଟନାୟକଙ୍କ ପରାମର୍ଶ ବିନା ସସ୍ମିତ ପଦୁଟିଏ ବି ଉଁ ଚୁଁ କରନ୍ତିନି  । ବିଜେଡ଼ିର ମୁଖପାତ୍ର ଓ ସାଂସଦ ଭାବେ ସେ ପାଣି ବି ଫୁଙ୍କି ଫୁଙ୍କି ପିଅନ୍ତି  । ଦଳୀୟ ଶୃଙ୍ଖଳାକୁ ସେ ଫିତା ପକାଇ ମାନନ୍ତି  । ଟିକିଏ ବି ଏପଟସେପଟ ହୁଅନ୍ତିନି  । ଅନ୍ୟ ସାଂସଦମାନେ ପଛେ ଶୃଙ୍ଖଳା ଭାଙ୍ଗନ୍ତି, ହେଲେ ସସ୍ମିତ ଶୃଙ୍ଖଳା ଭାଙ୍ଗିବାର ନଜିର ନାହିଁ  । ଅତଏବ ୱାକଫ ବିଲ୍‌ ସମ୍ପର୍କରେ ବିଜେଡ଼ିର ଆଭିମୁଖ୍ୟ କ’ଣ ରହିବ ତାହା ନବୀନ ଓ ପାଣ୍ଡିଆନ୍‌ ହିଁ ନିର୍ଦ୍ଧାରିତ କରିଛନ୍ତି  । ସଂସଦୀୟ ଦଳର ନେତାଭାବେ ସେ କେବଳ ଦଳ ସୁପ୍ରିମୋଙ୍କ ପରାମର୍ଶ ମାନିଛନ୍ତି କହିଲେ ଭୁଲ୍‌ ହେବନାହିଁ  । ହେଲେ ନବୀନ ଓ ପାଣ୍ଡିଆନଙ୍କ ପାଖରେ ବିଜେଡ଼ି ନେତାଙ୍କ ପାଟି ଖନି ମାରୁଥିବାରୁ ଏବେ ସବୁ ଦୋଷ ସସ୍ମିତଙ୍କ ଉପରେ ଲଦି ଦେଇଛନ୍ତି  । ସତେଯେମିତି ସସ୍ମିତ ବିଜେଡ଼ିର ହର୍ତ୍ତା କର୍ତ୍ତା ଦଇବ ବିଧାତା ପାଲଟି ଯାଇଛନ୍ତି  । ‘ୱାକଫ’କୁ ନେଇ ଏବେ ବିଜେଡ଼ିରେ କମ୍ପନ ସୃଷ୍ଟି ହୋଇଥିବାବେଳେ ସସ୍ମିତଙ୍କୁ ବଳିର ବୋଦା ସଜାଇବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି  । 
ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ସାମଲ ଏହି ମର୍ମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି  । ସସ୍ମିତଙ୍କ ମନ୍ତବ୍ୟ ଦୁଭାର୍ଗ୍ୟଜନକ  । ଏହା ଦଳକୁ କ୍ଷତି ପହଁଚାଇବ  । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି  । ସେପଟେ ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା କହିଛନ୍ତିଯେ, ସସ୍ମିତ ଦଳ ପାଇଁ ଉତ୍ତରଦାୟୀ ରହିବେ  । ସେ କୈଫିୟତ ଦେବେ  । ସନ୍ତୋଷଜନକ ଉତ୍ତର ନଦେଲେ କାର୍ଯ୍ୟାନୁଷ୍ଠାନ ନେବା ଦରକାର  । ନବୀନ ବାବୁ କାର୍ଯ୍ୟାନୁଷ୍ଠାନ ନେବେବୋଲି ତାଙ୍କର ବିଶ୍ୱାସ ରହିଛି ବୋଲି ଗଣେଶ୍ୱର କହିଛନ୍ତି  ।