ସହିଦ ବିର୍ସାମୁଣ୍ଡା


କୃଷ୍ଣ ଚନ୍ଦ୍ର ସୁଆର : ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ବ୍ରିଟିଶ ଶକ୍ତିର ଅନ୍ୟାୟ ଅତ୍ୟାଚାରକୁ ଦୃଢ ଭାବରେ ପ୍ରତିରୋଧ କରି ଯେଉଁ କେତେକ ତ୍ୟାଗୀ, ଦେଶ ପ୍ରେମୀ ନିଜ ଜୀବନକୁ ଜଳାଞ୍ଜଳି ଦେଇ କାରାବରଣ କରିବା ସଙ୍ଗେ ସହିଦ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଓଡ଼ିଶାର ଆଦିବାସୀ ନେତା ବିର୍ସାମୁଣ୍ଡା ହେଉଛନ୍ତି ଅନ୍ୟତମ  ।
ସେ ଏକାଧାରରେ ଥିଲେ ଜଣେ ମହାନ ଦେଶ ପ୍ରେମୀ, ସାହସୀ, ସ୍ୱାଧୀନ ଚେତା, ସଙ୍ଗଠକ ଓ ପରୋପକାରୀ  । ୧୮୭୫ ମସିହା ନଭେମ୍ବର ମାସ ୧୫ ତାରିଖ ମାର୍ଗଶୀର ମାସ କୃଷ୍ଣପକ୍ଷ ଗୁରୁବାରରେ ସେ ସୁନ୍ଦରଗଡ ଜିଲ୍ଲାର ଏକ ଆଦିବାସୀ ଗ୍ରାମ ଉଲିହାତୁରେ ମୁଣ୍ଡା ପରିବାରରେ ଭୂମିଷ୍ଠ ହୋଇଥିଲେ  । ତାଙ୍କ ପିତାଙ୍କ ନାମ ସଗନା ମୁଣ୍ଡା ଓ ମାତାଙ୍କ ନାମ କରମୀ ମୁଣ୍ଡା  । ତିନିଭାଇ ଓ ଦୁଇ ଭଉଣୀ ମଧ୍ୟରେ ସେ ଥିଲେ ଚତୁର୍ଥ ସନ୍ତାନ  । ବଡ ପୁଅର ନାମ କୋମଡା, ତା’ପର ଝିଅର ନାମ ଦାସକିରି, ପରବର୍ତ୍ତୀ ଝିଅର ନାମ ଚମ୍ପା, ତା’ପର ପୁଅର ନାମ ବିର୍ସା, ପଞ୍ଚମ ସନ୍ତାନର ନାମ କନୁ  । ବାଲ୍ୟାବସ୍ଥାରେ ବିର୍ସା ମେଷପାଳକ ଥିଲେ  । ଜଙ୍ଗଲରେ ମେଷ ଜଗିବା ସମୟରେ ସେ ବଇଁଶୀ ବଜାଉଥିଲେ  । ପିଲାଦିନେ ସେ ଶୁଣିଥିଲେ ବ୍ରିଟିଶ ଶାସକମାନେ ସରଳ ଓ ଅମାୟିକ ଆଦିବାସୀମାନଙ୍କ ଠାରୁ ସେବକ ପଟ୍ଟା ଲେଖାଇ ନେଇ ଗୋତି ଓ ବେଠି ଶ୍ରମିକ ଭାବରେ ଖଟାଇଥିଲେ  । ବନ୍ଧୁକ ମୁନରେ ଧମକ ଦେଖାଇ ବିଲରୁ ପାଚିଲା ଫସଲ ନେଇ ଯାଉଥିଲେ  । କିନ୍ତୁ ଜଙ୍ଗଲ ଥିଲା ଆଦିବାସୀଙ୍କର ଭାତହାଣ୍ଡି ସଦୃଶ  । ଜୋର ଜବରଦସ୍ତ ଆଖି ଦେଖାଇ ନିଜ ଇଛା ଅନୁଯାୟୀ ଯେ କୋ÷ଣସି ଆସବାବପତ୍ର ଲୁଟ୍ କରି ନେଇ ଯାଉଥିଲେ ଏବଂ ସମୟେ ସମୟେ ସାଧାରଣ ଲୋକଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରୁଥିଲେ  । ବିର୍ସା ଚାଇଁ ବସା ମିଶନ ସ୍କୁଲରେ ପଢୁଥିବା ବେଳେ ବ୍ରିଟିଶ ପ୍ରଧାନ ଶିକ୍ଷକ ବିର୍ସାଙ୍କ ସ୍ୱାଧୀନ ଚେତା, ସ୍ପଷ୍ଟବାଦିତା ଗୁଣ ଏବଂ ହିନ୍ଦୁଧର୍ମକୁ ଭଲ ପାଉଥିବା ଯୋଗୁ ତାଙ୍କୁ ଚାବୁକରେ ପ୍ରହାର କରି ସ୍କୁଲରୁ ବାହାର କରି ଦେଇଥିଲେ  । ଶିକ୍ଷା ଦୀକ୍ଷାରୁ ବଞ୍ଚôତ ହୋଇ ମଧ୍ୟ ତାଙ୍କର ଉତ୍ତର ବ୍ୟବହାର ଓ ବ୍ୟକ୍ତିତ୍ୱ ବଳରେ ଯୁବକ ଅବସ୍ଥାରେ ସେ ଆଦିବାସୀମାନଙ୍କୁ  ସଙ୍ଗଠିତ କରିପାରିଥିଲେ  । ତାଙ୍କର ଦୂରଦୃଷ୍ଟି ଯୋଗୁ ସେ ବହୁ ସମୟରେ ଯେଉଁ କଥା କହୁଥିଲେ, ତାହା ସତ୍ୟ ହେଉଥିବାରୁ ଲୋକମାନେ ତାଙ୍କୁ ଦେବତା ରୂପେ ମାନୁଥିଲେ ଓ ଅନେକ କଥାରେ ତାଙ୍କ ପରାମର୍ଶ ନେଉଥିଲେ  । ବିଶେଷ କରି ଆଦିବାସୀମାନେ ବହୁ କଷ୍ଟ ସ୍ୱୀକାର କରି ଜଙ୍ଗଲ ଜମିରେ ଯେଉଁ ଧାନ, ମାଣ୍ଡିଆ, ମୁଗ, ମକା ଓ ବିଭିନ୍ନ ପନିପରିବା ସମେତ ଅଦା, ରସୁଣ ଫଳାଉଥିଲେ  । ସେଥିରେ ବ୍ରିଟିଶ ସରକାର କଟକଣା ଜାରି କରିଥିଲେ  । ଦେଶୀୟ ରାଜ୍ୟ ଏବଂ ଜମିଦାରମାନଙ୍କ ଦ୍ୱାରା ଅନେକ କର ଖଜଣା ଆକାରରେ ଆଦାୟ କରୁଥିଲେ  । ଏତଦ୍ବ୍ୟତୀତ ଅଭାବ ଅସୁବିଧାରେ ସଢୁଥିବା ଗ୍ରାମର ପରିବାର ଗୁଡିକୁ ଅର୍ଥର ପ୍ରଲୋଭନ ଦେଖାଇ ବ୍ରିଟିଶ ସରକାରଙ୍କ ପ୍ରୋତ୍ସାହନରେ ପାଦ୍ରୀମାନେ ଘର ଘର ବୁଲି ଆଦିବାସୀମାନଙ୍କୁ ଖ୍ରୀଷ୍ଟଧର୍ମରେ ଧର୍ମାନ୍ତରିତ କରୁଥିଲେ  । ପୂର୍ବରୁ ଶୁଣିଥିବା କଥା ସହ ଏବର ନିତିଦିନିଆ ଅଙ୍ଗେନିଭା କଥା ତାଙ୍କ ମନକୁ ଆନେ୍ଦାଳିତ କରିଥିଲା  । ତେଣୁ ସେ ଇଂରେଜମାନଙ୍କୁ ଏ ଦେଶରୁ ତଡିବା ପାଇଁ ମନସ୍ଥ କଲେ  । ଏକ କଡା ଭାଷାରେ ସେ ଇଂରେଜ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ  ‘ଇଂଲଣ୍ଡ ରାଣୀଙ୍କ ଶାସନ ଆଉ ଭାରତ ମାଟିରେ ଚଳିବ ନାହିଁ  । ଭାରତ ମାଟିରେ  ଭାରତୀୟ ଆମେ ଶାସନ କରିବୁ, ଆଉ ବେଶି ଦିନ ଡେରି ନାହିଁ  ।’  ସେ ପାଖ ପଡୋଶୀ ଆଦିବାସୀ ଗ୍ରାମମାନଙ୍କୁ ଯାଇ ଆଦିବାସୀମାନଙ୍କର ଦୁଃଖରେ ସମଦୁଃଖୀ ହେବା ସହ ମନରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରି ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ କରିବା ପାଇଁ ପ୍ରବର୍ତ୍ତାଇଲେ  । ସେବକ ପଟ୍ଟା ନ ଲେଖାଇବାକୁ, ଖଜଣା ନ ଦେବାକୁ ଜଙ୍ଗଲ ଉଚ୍ଛେଦ ଆଇନ ଉଚ୍ଛେଦ କରିବାକୁ ଏବଂ ବନ୍ଧୁକ ମୁନକୁ ଡରିଯାଇ ଖ୍ରୀଷ୍ଟଧର୍ମ  ଗ୍ରହଣ ନକରିବାକୁ ଆଦିବାସୀ ଭାଇମାନଙ୍କୁ ପରାମର୍ଶ ଦେଲେ  । ଫଳରେ ସେ ହୋଇଯାଇଥିଲେ ସମସ୍ତ ଆଦିବାସୀମାନଙ୍କର ପ୍ରିୟଭାଜନ  । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ନିଃସ୍ୱାର୍ଥପର ସେବା ଗୁଣରେ ହଜାର ହଜାର ଆଦିବାସୀ ଆସ୍ଥା ଓ ବିଶ୍ୱାସ ପୋଷଣ କରିଥିଲେ  । ତାଙ୍କର ଅଗ୍ନିବର୍ଷୀ ଭାଷଣରେ ମୁଗ୍୍ଧ ହୋଇ ଶହ ଶହ ଆଦିବାସୀ ଧନୁତୀର ଧରି ଇଂରେଜଙ୍କ ବିରୋଧରେ ସଂଗ୍ରାମ କରିବା ପାଇଁ ଆଗଭର ହୋଇଥିଲେ  । ବିର୍ସାଙ୍କ ସଶସ୍ତ୍ର ବିପ୍ଲବର ଆହ୍ୱାନ କ୍ରମେ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା  । ଏଥିରେ ଇଂରେଜ ସରକାର ଭୟଭୀତ ହୋଇଗଲେ ଏବଂ ୧୮୯୫ ମସିହା ଅଗଷ୍ଟ ୧୬ ତାରିଖ ଦିନ ଇଂରେଜ ପୋଲିସ ଏସ.ପି. ମେୟରସ ସଶସ୍ତ୍ର ପୁଲିସ ବାହିନୀ ଧରି ବିର୍ସା ଓ ତାଙ୍କର ପ୍ରାୟ ୧୫ଜଣ ସହକର୍ମୀଙ୍କୁ ଗିରଫ କଲେ  । ବିଚାର ପରେ ସେମାନଙ୍କୁ ଦେଶଦ୍ରୋହ ଅପରାଧରେ ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରି ରାଞ୍ଚô ଜେଲକୁ ପଠାଇ ଦିଆଗଲା  । ଏଠି ପ୍ରଶ୍ନ ଉଠେ- ଦେଶ ଦ୍ରୋହ କଥା ଆସିଲା କେଉଁଠୁ ? ନିଜ ଭିଜା ମାଟିରେ ବିଦେଶୀମାନଙ୍କ ଅମାନୁଷିକ ଆଚରଣ ଓ ଲୋକମାନଙ୍କୁ ଭୟଭୀତ କରି ଧନଜୀବନ ପ୍ରତି ଯେଉଁଭଳି ଧମକପୂର୍ଣ୍ଣ ଲୁଟପାଟ୍ କାର୍ଯ୍ୟ କରୁଥିଲେ ଜଣେ ସଚ୍ଚା ଦେଶପ୍ରେମୀ ଭାବେ କେହି ଆଗକୁ ବାହାରିବା ଓ କିଛି ସାଇଭାଇଙ୍କୁ ଏକାଠି କରି ସଚେତନତା ସୃଷ୍ଟି କରିବା ଏ କ’ଣ ଦେଶଦ୍ରୋହ ? ଜେଲ ଜୀବନ ବିର୍ସାଙ୍କ ସ୍ୱାଧୀନଚେତା ଦୃଷ୍ଟିଭଙ୍ଗୀକୁ ଆଉରି ଦ୍ୱିଗୁଣିତ କଲା  ।
ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ୧୮୯୬ ମସିହାରେ ସବୁ ବନ୍ଦୀଙ୍କୁ ମୁକ୍ତ କରାଗଲା  । ବିର୍ସା ତାଙ୍କର ସାଥୀ ଓ ସହକର୍ମୀମାନେ ମଧ୍ୟ ଜେଲରୁ ଠିକ୍ ସେତିକିବେଳେ ମୁକ୍ତ ହୋଇଥିଲେ  । ଜେଲରୁ ଫେରି ବିର୍ସା ଦେଖନ୍ତି ଯେ ବଣ ଜଙ୍ଗଲ ପର୍ବତ ଗୁହା ତଥା ନିପଟ ବସ୍ତିରେ ଆଦିବାସୀ ସଂପ୍ରଦାୟର ଅନେକ ଅନାହାରରେ ପଡି ପୋକ ମାଛି ପରି ମରୁଛନ୍ତି  । ସେମାନେ ମାନବିକତା ଦୃଷ୍ଟିକୋଣରୁ ଖାଦ୍ୟପେୟ ଦେବା ଓ ଆର୍ଥିକ ସହାୟତା କରିବା ବଦଳରେ ଇଂରେଜ ସରକାର ବେଡ଼ି ଉପରେ କୋରଡ଼ା ସଦୃଶ ସେମାନଙ୍କ ଉପରେ ବାଧ୍ୟବାଧକତାରେ ଟିକସ ବୋଝ ଲଦି ଦେଇଛନ୍ତି  । ବିର୍ସା ଓ ତାଙ୍କର ମୁଖ୍ୟ ସହକର୍ମୀ ଗୟାମୁଣ୍ଡା ଗାଁ ଗଣ୍ଡା ବୁଲି ଲୋକମାନଙ୍କୁ ସାହାଯ୍ୟ କରି ପୁନଶ୍ଚ ଲୋକପ୍ରିୟତା ଅର୍ଜନ କରିଥିଲେ  । ସେ ଜାଣିଥିଲେ, ଅହିଂସା ଉପାୟରେ ବ୍ରିଟିଶ ଶକ୍ତିଙ୍କୁ କେବେ ଭାରତ ଭୂମିରୁ ହଟାଇ ହେବ ନାହିଁ  । ଶହ ଶହ ଆଦିବାସୀ ତେଣୁ ତାଙ୍କ କଥାରେ ଉଦ୍ବୁଦ୍ଧ ହୋଇ ଇଂରେଜୀମାନଙ୍କ ବିଶ୍ୱାସଘାତକ କାର୍ଯ୍ୟ ଓ ଶାସନ ବିରୋଧରେ ଲଢିବାକୁ ଏକଜୁଟ ହୋଇ ବିଦ୍ରୋହରେ ସାମିଲ ହେଲେ  । ପ୍ରଥମେ ଗରିଲା ଯୁଦ୍ଧ ଆରମ୍ଭ ହେଲା  । ଇଂରେଜ ସିପାହୀ ଓ ସୈନ୍ୟମାନଙ୍କୁ ସୁଯୋଗ ଦେଖି ହତ୍ୟା କରାଗଲା  । ତତ୍ ସଙ୍ଗେ ବ୍ରିଟିଶ ସରକାରଙ୍କ ଗୋଡ଼ାଣିଆ ଜମିଦାର ଓ ଖ୍ରୀଷ୍ଟିୟାନ ଧର୍ମୀମାନଙ୍କୁ ଖୋଜି ଖୋଜି ହତ୍ୟା କରାଗଲା  ।
 ୧୮୯୯ ମସିହା ଡିସେମ୍ବର ୯ ତାରିଖରେ ବିଦ୍ରୋହର ବହ୍ନି ପ୍ରଜ୍ଜ୍ୱଳିତ ହେଲା  । ଶହ ଶହ ଅନୁଗାମୀ ବିର୍ସାଙ୍କ ନେତୃତ୍ୱରେ ଖଣ୍ଡା, ବର୍ଚ୍ଛା ଓ ଧନୁତୀର ସାହାଯ୍ୟରେ ଇଂରେଜ ସୈନ୍ୟମାନଙ୍କୁ ମୁହାଁମୁହିଁ ଆକ୍ରମଣ କଲେ  । ମିସ୍ନାରୀମାନଙ୍କୁ ହତ୍ୟା କଲେ  । ବ୍ରିଟିଶ ସରକାରଙ୍କ ବିଭିନ୍ନ ଅଫିସ ଓ ସିପାହୀମାନଙ୍କ ବାସଗୃହକୁ ନିଆଁ ଲଗାଇ ପୋଡ଼ି ଦେଲେ  । ରାଞ୍ଚôର ମୁଖ୍ୟ କୋର୍ଟ ଓ କଚେରି ଉପରେ ଆକ୍ରମଣ ସମୟରେ ଜଣେ ଇଂରେଜ ପୋଲିସ  ଓ ବାରଜଣ କର୍ମଚାରୀ ମୃତୁ୍ୟବରଣ କଲେ  । ଏହି ଘଟଣା ବ୍ରିଟିଶ ସରକାରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା  । ବିଦ୍ରୋହ କ୍ରମେ ବିହାର ପର୍ଯ୍ୟନ୍ତ ବ୍ୟାପିଗଲା  । ମୁଣ୍ଡାମାନଙ୍କ ବିଦ୍ରୋହକୁ ଦୃଢ ହସ୍ତରେ ଦମନ କରିବା ପାଇଁ ବ୍ରିଟିଶ ସରକାର ଅନ୍ୟାନ୍ୟ ସ୍ଥାନରୁ ଆଉ ଅଧିକ ସୈନ୍ୟ ଆଣି ଠୁଳ କଲେ  । ବିଦ୍ରୋହ ଦମନ ପାଇଁ ରାଞ୍ଚôର ଡେପୁଟି କମିଶନରଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ  । ଶହ ଶହ ଇଂରେଜ ସୈନ୍ୟଙ୍କ ନେତୃତ୍ୱ ନେଇ ଡେପୁଟି କମିଶନର ବିଦ୍ରୋହୀମାନଙ୍କର ଅନ୍ୟତମ ନେତା ଗୟାମୁଣ୍ଡାଙ୍କ ଘର ଉପରେ ଚଢାଉ କଲେ, ବିଦ୍ରୋହୀମାନେ ଅଧିକ  ରକ୍ତମୁଖା ହୋଇଥିଲେ  । ଡେପୁଟି କମିଶନର ଷ୍ଟ୍ରୀଟ୍ ଫିଲ୍ଡ ସଶସ୍ତ୍ର ପୋଲିସ ଫୋର୍ସ ଧରି ଆପ୍ରାଣ ଚେଷ୍ଟାକରି ଗୟାମୁଣ୍ଡାଙ୍କୁ ଗିରଫ କରିଥିଲେ  । କିନ୍ତୁ ପୋଲିସର ନିର୍ମମ ପ୍ରହାରରେ ଗୟାମୁଣ୍ଡାଙ୍କ ମୃତୁ୍ୟ ହୋଇଥିଲା  । ଗୟାମୁଣ୍ଡାଙ୍କ ମୃତୁ୍ୟ ପରେ ବିଦ୍ରୋହୀମାନେ ଖୁଣ୍ଟିଥାନା ଉପରେ ଆକ୍ରମଣ କରି ଇଂରେଜ ସିପାହୀମାନଙ୍କୁ ହତ୍ୟା କଲେ  । କାରଣ ଏହା ଦମନଲୀଳାର ମୁଖ୍ୟ କେନ୍ଦ୍ରସ୍ଥଳୀ ଥିଲା  । ଏଥିରେ ଇଂରେଜ ସରକାର ବିବ୍ରତ ହୋଇ ବିର୍ସାଙ୍କ ମୁଖ୍ୟ ସଂଗ୍ରାମ ସ୍ଥଳ ତୋମ୍ବାରୀ ପାହାଡ଼ ଆକ୍ରମଣ କରିବାକୁ ମସୁଧା ଚଳାଇଲେ  । 
୧୯୯୦ ମସିହା ଜାନୁଆରୀ ୯ ତାରିଖ ଦିନ ବିର୍ସାଙ୍କୁ ଆତ୍ମ ସମର୍ପଣ କରିବାକୁ କହିଲେ କିନ୍ତୁ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ  । ତାଙ୍କର ଡେପୁଟି କମିଶନର ଷ୍ଟ୍ରୀଟ ଫିଲଡଙ୍କ ନେତୃତ୍ୱରେ ଦୁଇଶହ ସୈନ୍ୟ ଡୋମ୍ବାରୀ ପାହାଡ଼ ଆକ୍ରମଣ କଲେ  । ସମ୍ଭାବ୍ୟ ଆକ୍ରମଣର ଆଶଙ୍କାରେ ବିଦ୍ରୋହୀମାନେ ବିର୍ସାଙ୍କ ନେତୃତ୍ୱରେ ପରିବାର ସହ ନିକଟସ୍ଥ ଡୋମ୍ବାରି ପାହାଡ଼ ଉପରକୁ ଯାଇ ପୂର୍ବରୁ  ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆକ୍ରମଣକୁ ପ୍ରତିହତ କରିବା ନିମନ୍ତେ ପ୍ରସ୍ତୁତ ହୋଇଥିଲେ  । ବିଦ୍ରୋହୀମାନେ ଅତର୍କିତ ଆକ୍ରମଣ କଲେ ଇଂରେଜ ଫୋ÷ଜଙ୍କ ଉପରେ  । ପାହାଡ଼ ଉପରକୁ ବଡ଼ ବଡ଼ ପଥରଖଣ୍ଡ ତଳକୁ ଗଡାଇ ପକାଇ ଦେବା ଫଳରେ ଅନେକ ଇଂରେଜ ସୈନ୍ୟ ନିହତ ଓ ଆହତ ହେଲେ  । ଆକ୍ରମଣ ଓ ପ୍ରତିଆକ୍ରମଣ ତୀବ୍ରତର ହେଲା  । ଗଛ ଲତା ଆଢୁଆଳରେ ରହି ଇଂରେଜ ସୈନ୍ୟମାନେ ଗୁଳି ଚଳାଇ କେତେଜଣ ବିଦ୍ରୋହୀଙ୍କୁ ମାରିଦେଲେ  । ଧୀରେ ଧୀରେ ବିଦ୍ରୋହୀମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଶେଷ ହୋଇ ଆସିଲା  । ଅଗତ୍ୟା ଅନ୍ୟ ଉପାୟ ନପାଇ ବିଦ୍ରୋହୀମାନେ ଏଣେ ତେଣେ ଛତ୍ରଭଙ୍ଗ ଦେଲେ  । ଏଥିରେ ବିର୍ସାଙ୍କର ଜଣେ ପ୍ରଧାନ ସହକର୍ମୀ ନରସିଂହ ମୁଣ୍ଡାଙ୍କ ସହିତ ୨୦୦ ଆଦିବାସୀ ନିହତ ହେଲେ  । ବିର୍ସା ଅଳ୍ପକେ ବର୍ତ୍ତିଯାଇ ଚକ୍ରଧରପୁର ଜଙ୍ଗଲକୁ ଚାଲିଗଲେ  । ସରକାର ବିର୍ସାଙ୍କର ସନ୍ଧାନ ପାଇ କ୍ରୋଧରେ ବିଭିନ୍ନ ଗ୍ରାମମାନ ତନ୍ନ ତନ୍ନ କରି ଖୋଜି ଚଢାଉ କରି ଆଦିବାସୀ ଲୋକମାନଙ୍କୁ ହଇରାଣ ହରକତ କରିବା ସାଙ୍ଗକୁ ନିର୍ଯାତନା ଦେଲେ  । ଏଥିରେ ବ୍ୟଥିତ ହୋଇ ରାଗ ଥମିଯିବା ଆଶା ନେଇ ତାଙ୍କର ସହକର୍ମୀ ଡୋନକା ମୁଣ୍ଡା ଓ ମାଝିଆ ମୁଣ୍ଡା ସରକାରଙ୍କ ନିକଟରେ ଆତ୍ମ ସମର୍ପଣ କଲେ  । ଶେଷରେ ବିର୍ସାଙ୍କୁ ଧରାଇ ଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ଦେବା ପାଇଁ ପୋଲିସ ଘୋଷଣା କରିଥିଲା  । ଅନେକ ସାଥୀ, ସହକର୍ମୀ ଓ ପରିଚିତ ଜନଙ୍କୁ ହରାଇ ମଧ୍ୟ ବିର୍ସାଙ୍କ ମନରେ ସ୍ୱାଧୀନତା ପ୍ରାପ୍ତିର ଆଶା କ୍ଷୀଣ ହୋଇନଥିଲା  । ତାଙ୍କର ଧୈର୍ଯ୍ୟ ଓ ସାହସ ଥିଲା ଅସୀମ  । ସେ ସଂଗ୍ରାମରୁ  ନୂତନ ଦିଶାରେ ଆଗେଇ ନେବା ପାଇଁ ସିଂହଭୂମି ଜିଲାକୁ ଚାଲିଗଲେ  । ସେଠାରେ ସେନ୍ତେରା ଗ୍ରାମ ନିକଟ ଜଙ୍ଗଲରେ ଲୁକ୍କାୟିତ ଅବସ୍ଥାରେ ରହୁଥିବା  ବେଳେ ଇଂରେଜ ସରକାରଙ୍କ ଦ୍ୱାରା ଘୋଷିତ ପାଞ୍ଚଶହ ଟଙ୍କାର ଲୋଭ ସମ୍ବରଣ କରିନପାରି ଦୁଇଜଣ ବିଶ୍ୱାସ ଘାତକ ଶଶୀଭୂଷଣ ରାଇ ଓ ମାଝିତା ମାରିଆ ଇଂରେଜ ସରକାରଙ୍କ ହାତରେ  ବିର୍ସାଙ୍କୁ ଧରାଇ ଦେଲେ  ।
 ସେଦିନ ଥିଲା ୧୯୦୦ ମସିହା ମାର୍ଚ୍ଚ ମାସ ୩ ତାରିଖ  । ସେ ଧରାପଡିନଥିଲେ ଘଟଣାର ମୋଡ଼ ହୁଏତ ନିଆରା ହୋଇଥାନ୍ତା  ।  ଆମର ଦୁର୍ଭାଗ୍ୟ, ସ୍ୱାଧୀନତା ସଂଗ୍ରାମ କାଳରେ ଅନେକ ଅବିଶ୍ୱାସୀ, ଦେଶଦ୍ରୋହୀ ଓ ବିଶ୍ୱାସଘାତକ ଏଭଳି ଜଘନ୍ୟ କାର୍ଯ୍ୟରେ ସାମିଲ ହୋଇଥିବା ଇତିହାସ ପୃଷ୍ଠାରୁ ଜଣାଯାଏ  । ଗିରଫ ହୋଇ ବିର୍ସା ରାଞ୍ଚô ଜେଲରେ ରହିଲେ  । ଗଣ୍ଡଗୋଳ ଓ ଦଙ୍ଗା ହଙ୍ଗାମାର ଆଶଙ୍କା କରି ରାତାରାତି ବିର୍ସାଙ୍କ ହାତ ଗୋଡ଼ରେ ବେଡି ଲଗାଇ କଡା ନିରାପତ୍ତା ମଧ୍ୟରେ ହଜାରିବାଗ ଜେଲକୁ ପଠାଇ ଦେଲେ  । ସେଠାରେ ତାଙ୍କର ସ୍ୱାସ୍ଥ୍ୟହାନି ହେତୁ  ପୁଣି ରାଞ୍ଚôକୁ ଅଣାଯାଇଥିଲା  । ଜେଲରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା  । ମିଥ୍ୟା ଅଭିଯୋଗ କରି ତାଙ୍କର ବିଚାର ଚାଲିଲା  । ଶହ ଶହ ମୁଣ୍ଡା ସାକ୍ଷୀ ଦେବା ପାଇଁ କୋର୍ଟ ବାହାରେ ଚାତକ କରି ଚାହିଁ ରହିଥିଲେ ମଧ୍ୟ ସେମାନଙ୍କୁ ଡକାଗଲା ନାହିଁ  । ଶେଷରେ ଜେଲରେ ବିର୍ସାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆଗଲା  । ମାତ୍ର ପଚିଶ ବର୍ଷ ବୟସରେ ୧୯୦୦ ମସିହା ଜୁନ ୯ ତାରିଖରେ ରାଞ୍ଚô ଜେଲରେ ତାଙ୍କର ଜୀବନଦୀପ ନିର୍ବାପିତ ହୋଇଥିଲା  । ତାଙ୍କର ମୃତୁ୍ୟ ପରେ ତାଙ୍କର ଅନେକ ସହକର୍ମୀଙ୍କୁ ଦୀପାନ୍ତର ଓ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥିଲା  । ସେ ଆଜି ନାହାନ୍ତି ସତ, ଦେଶ ଜାତି ପାଇଁ ଯେଉଁ ତ୍ୟାଗ ନିଷ୍ଠା ଓ ସାଧନାର ପରାକାଷ୍ଠା ଦେଖାଇ ଯାଇଛନ୍ତି ଯୁଗ ଯୁଗ ପାଇଁ ଉତ୍ତର ପୁରୁଷମାନଙ୍କ ନିମନ୍ତେ ଚିରଭାସ୍କର ହୋଇ ରହିବ  । ସୁଖର କଥା ଆଦିବାସୀ ନେତା ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ବିପ୍ଲବୀ ସହିଦ ବିର୍ସା ମୁଣ୍ଡାଙ୍କ ୧୫୦୍ତମ ଜୟନ୍ତୀ  ଅବସରରେ ୨୦୨୫କୁ ‘ଜନଜାଜତି  ଗୋ÷ରବ ବର୍ଷ’ ରୂପେ  ପାଳନ ନିମନ୍ତେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି  ।
ଏମ.ଆଇ.ଜିୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ
ଭୁବନେଶ୍ୱର-୧୬