ଆର୍ଥିକ ଉଦାରୀକରଣର ବାସ୍ତୁକାର


ସୌମ୍ୟ, ଶାନ୍ତ, ସରଳ ସ୍ୱଭାବର ସ୍ୱର୍ଗତଃ ମନମୋହନ ସିଂହ ବିଶ୍ୱର କେବଳ ଜଣେ ରାଜନେତା ଭାବେ ନୁହେଁ ବରଂ ଦୂରଦର୍ଶୀ, ଅସାଧାରଣ ଓ ଦୂରଦୃଷ୍ଟି ସମ୍ପନ୍ନ ଅର୍ଥଶାସ୍ତ୍ରୀ ଥିଲେ । ଆତ୍ମବିଶ୍ୱାସର ସହ ପରିବର୍ତ୍ତନର ଆହ୍ୱାନକୁ ସାମ୍ନା କରିବାରେ ସଫଳ ହୋଇଥିବା ଏଡି ମହାନ ବ୍ୟକ୍ତିଙ୍କ ଛବି ଇତିହାସର ଫର୍ଦ୍ଦରେ ସର୍ବଦା ଅମଳିନ ହୋଇ ରହିବେ । ୧୯୯୧ରେ ସେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସମୟରେ ଦେଶର ଆର୍ଥିକ ସ୍ଥିତି ଭଲ ନଥିଲା । ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି କରିବା ପାଇଁ ଭାରତ ନିକଟରେ ଯଥେଷ୍ଟ ବୈଦେଶିକ ମୁଦ୍ରା ନଥିଲା । ଏ ସମୟରେ କାର୍ଯ୍ୟ କରିଥିଲେ ମନମୋହନଙ୍କ ମାଷ୍ଟର ଷ୍ଟ୍ରୋକ । କେବଳ ସେତିକି ନୁହଁ ମନମୋହନ ସିଂ ବଜେଟରେ କମ୍ପାନୀ ଟିକସ ହାରକୁ ୫% ବଢ଼ାଇ ୪୫% କଲେ ଏବଂ ବ୍ୟାଙ୍କ ଜମା ଭଳି କିଛି ବିତ୍ତୀୟ ଟ୍ରାଞ୍ଜାକ୍ସନ ପାଇଁ ଟାକ୍ସ ଡିଡକ୍ଟେଡ ଆଟ ସୋର୍ସ (ଟିଡିଏସ)ର କନସେପ୍ଟ ଆଣିଲେ । ରନ୍ଧନ ଗ୍ୟାସ ସିଲିଣ୍ଡର, ସାର ଏବଂ ପେଟ୍ରୋଲ ଦର ବଢ଼ାଇଲେ ଏବଂ ଚିନି ଉପରେ ସବସିଡି ହଟାଇ ଦେଲେ ।   ଅର୍ଥନୀତିରେ ରାଷ୍ଟ୍ରାୟତ୍ତ କ୍ଷେତ୍ର ଯେପରି ବଡ଼ ଯୋଗଦାନ ଦେବ ସେଥିପାଇଁ ଅନେକ ପରିଚାଳନାଗତ ସ୍ୱାଧୀନତା ଦିଆଗଲା । ଅର୍ଥ ବ୍ୟବସ୍ଥାକୁ ନିୟନ୍ତ୍ରଣମୁକ୍ତ କରିବା ଏହାର ଲକ୍ଷ୍ୟ ଥିଲା । ୧୯୯୧ର ସୁଧାର ଗୁଡ଼ିକ ବିଦେଶ ନିବେଶ ଉଦାରୀକରଣ କଲା ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ, ଏକ୍ସିସବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏଚଡ଼ିଏଫସି ବ୍ୟାଙ୍କ ସହିତ ଘରୋଇ କ୍ଷେତ୍ରର ବ୍ୟାଙ୍କ ଗୁଡ଼ିକ ପାଇଁ ରାସ୍ତା ଖୋଲିଲା । ଏହି ସୁଧାରଗୁଡ଼ିକ ଯୋଗୁ ଅନେକ ଅନ୍ତଃରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଭାରତ ଆସିପାରିଲେ । ମ୍ୟାକଡୋନାଲ୍ଡସ ଏବଂ କେଏଫସି ଭଳି ଖାଦ୍ୟ କମ୍ପାନୀ ଆସିବା ଦ୍ୱାରା ଭାରତରେ ବ୍ୟୟ ପାଟର୍ଣ୍ଣ ବଦଳିଲା । ଅର୍ଥନୀତି ସବଳ ହୋଇଚାଲିଲା । ୧୯୯୧ ପରେ ୨୦୦୮ରେ ଭାରତକୁ ପୁଣି ଥରେ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡ଼ିଲା । ଭାରତୀୟ ସେୟାର ବଜାର ଧରାଶାୟୀ ହୋଇଗଲା । କିନ୍ତୁ ମନମୋହନ ସିଂହ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ଦ୍ୱାରା ୨୦୦୯ରୁ ୨୦୧୪ ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ହାରାହାରି ୬.୭% ହାରରେ ବଢ଼ିଲା । ମନମୋହନ ସିଂହ ଅର୍ଥମନ୍ତ୍ରୀ ଥିବା ସମୟରେ ଆଣିଥିବା ସଂସ୍କାର ଦେଶର ଅର୍ଥ ବ୍ୟବସ୍ଥା ପାଇଁ ବରଦାନ ସାବ୍ୟସ୍ତ ହୋଇଛି ଏବଂ ବିଶ୍ୱ ସ୍ତରରେ ଭାରତ ଏକ ବ୍ରାଣ୍ଡ ଭାବେ ସ୍ଥାପିତ ହୋଇଛି । ବିଶ୍ୱର ବଡ଼ ବଡ଼ ଅନ୍ତର୍ଜାତୀୟ ବିତ୍ତୀୟ ପ୍ରତିଷ୍ଠାନ ଆଜି ଭାରତର ଆର୍ଥିକ ବିକାଶ ହାରକୁ ନେଇ ସକାରାତ୍ମକ ଅନୁମାନ କରୁଛନ୍ତି । ଭାରତ ଆଗାମୀ କିଛି ବର୍ଷରେ ବିଶ୍ୱର ତୃତୀୟ ବୃହତ ଅର୍ଥ ବ୍ୟବସ୍ଥା ପାଲଟିବ ବୋଲି ପୂର୍ବାନୁମାନ କରାଯାଉଛି । ଏସବୁ ପଛରେ ଯିଏ ପୁରୋଧା ରହିଛନ୍ତି ସେ ହେଲେ ମନମୋହନ । ଡକ୍ଟର ମନମୋହନ ସିଂହ ସେହି ଭାରତର ନିର୍ମାଣ କରିଥିଲେ ଯାହାକୁ ଆଜି ଆମେ ଦେଖୁଛେ ଦଶନ୍ଧି ଧରି ଉଗ୍ରବାଦ, ଦଙ୍ଗା, ହତ୍ୟା ଭଳି ସ୍ଥିତିର ସମ୍ମୁଖୀନ ହୋଇ ବେଶ ସମ୍ବେଦନଶୀଳ ସମୟ ଦେଇ ଦେଶ ଗତି କରୁଥିବାବେଳେ ଡକ୍ଟର ସିଂହ ଦେଶ ପାଇଁ ସଶକ୍ତ ଅର୍ଥନୀତିର ଦ୍ୱାର ଖୋଲିଥିଲେ । ତାଙ୍କୁ ଏକ ଦଶନ୍ଧି ଧରି ସାଇଲେଣ୍ଟ ଥେରାପି ଦେଇଥିବା ପ୍ରଥମ ଶିଖ ପ୍ରଧାନମନ୍ତ୍ରୀ ଯିଏ କି ଭାରତର ସର୍ବୋତ୍ତମ ବିକାଶ କରି ଯାବତୀୟ ସୁଧାର ଆଣିଥିଲେ, ଯାହାକୁ ଦେଶ ଅନନ୍ତ କାଳ ପର୍ଯ୍ୟନ୍ତ ମନେରଖିବ । ତାଙ୍କ ଯୋଗଦାନ ଆଗାମୀ ପିଢ଼ିକୁ ପ୍ରେରିତ କରିବ ଏବଂ ସେ ଭାରତ ପାଇଁ ନୂଆ ଯୁଗର କେବଳ ଆରମ୍ଭ କରିନଥିଲେ ବରଂ ଭାରତର ଆର୍ଥିକ ଉଦାରୀକରଣର ବାସ୍ତୁକାର ଥିଲେ । 
 ବିପିନ ବିହାରୀ ରାଉତ