ସାଇବର ଅପରାଧ ଓ ଜନସଚେତନତା
ଆଜିକାଲି ଦେଖିବାକୁ ମିଳୁଛି ଯେ କିଛି ରୋଜଗାର ଆଶାୟୀ ଯୁବକଯୁବତୀ ଓ ଗୃହିଣୀ ଘରେ ବସି ଅର୍ଥ ହାସଲ କରିବା ଲାଳସାରେ ସାଇବର ଅପରାଧୀଙ୍କ ଜାଲରେ ପଡ଼ି କାଙ୍ଗାଳ ହୋଇ ଯାଉଛନ୍ତି । ‘ଘରେ ବସି କମ ସମୟରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି? ଏଥିପାଇଁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ ନାହିଁ । କାହାକୁ କିଛି ଅର୍ଥ ଦେବାକୁ ପଡ଼ିବ ନାହିଁ । ଘରେ ବସି ମାସିକ ୫୦୦ରୁ ୫୦,୦୦୦ ଟଙ୍କା ରୋଜଗାର କରିପାରିବେ । କେବଳ ସ୍ମାର୍ଟଫୋନ ଥିଲେ ଯଥେଷ୍ଟ । ଆପଣଙ୍କୁ କେବଳ ଏକ ଭିଡ଼ିଓ ଲିଙ୍କ ପଠାଯିବ । ସେହି ଭିଡ଼ିଓକୁ ଆପଣ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଲାଇକ, ସେୟାର ଓ କମେଣ୍ଟ କରିବେ । ଯଦି ଏହି ସୁଯୋଗର ଲାଭ ଉଠେଇବାକୁ ଚାହୁଁଛନ୍ତି ତେବେ ଆମର ଅମୁକ ହ୍ୱାଟସଆପ୍ ନମ୍ବରରେ ଜଏନ କରନ୍ତୁ ।’- ଏପରି ବିଜ୍ଞାପନ ଆଜିକାଲି ସମସ୍ତଙ୍କ ଫେସବୁକ ଓ ହ୍ୱାଟସଆପକୁ ଆସୁଛି ।ପ୍ରଥମେ କିଛି ଟଙ୍କା ପଠାଇ ପରେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି ଠକ । ଏହାକୁ ଟେଲିଗ୍ରାମ ଠକେଇ କୁହାଯାଉଥିବା ବେଳେ ଆହୁରି ବିଭିନ୍ନ ଧରଣର ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଆପଣ ବିଶ୍ୱାସରେ ଟଙ୍କା ପଠାଇ ଚାଲନ୍ତି ଏବଂ ଆପଣଙ୍କ ନିବେଶ ବଢ଼ିବାରେ ଲାଗେ । ଯେତେବେଳେ ଲକ୍ଷାଧିକ ଟଙ୍କା ପୈଠ କରିବା ପରେ ଆପଣ ଟଙ୍କା ଉଠାଇବାକୁ ଚାହିଁବେ ହଠାତ ରାତାରାତି ସେଇ ସାଇଟ ବନ୍ଦ ହୋଇଯିବ । ନ ହେଲେ ଦେଖାଇବ ନଟ ରେସପଣ୍ଡିଙ୍ଗ, ଦ ସରଭର ଇଜ ଅଣ୍ଡର ପ୍ରୋସେସ । ଆପଣ ପୁଣି ଏହାକୁ ଲଗ ଇନ କରିବାକୁ ଚେଷ୍ଟା କରିବେ ଏହି ପର୍ଯ୍ୟାୟ ଚାଲୁଥିବା ସମୟ ଭିତରେ ଠକମାନେ ସେମାନଙ୍କ ସଂସ୍ଥା ବନ୍ଦ କରି ସାରିଥିବେ ।
ରାତାରାତି ବଡ଼ଲୋକ ହେବା ପାଇଁ ଆମ ଗହଣରେ ଥିବା ଅନେକ ଲୋକ ଇଛା ରଖନ୍ତି । ବିନା ପରିଶ୍ରମରେ ଘରେ ବସି କିପରି ଗୋଡ଼ ଲମ୍ବାଇ ବଡ଼ ଲୋକ ହୋଇଯିବେ ଏହି ଚିନ୍ତାଧାରା ହିଁ କିଛି ଲୋକଙ୍କ ପାଇଁ କେବଳ ବିପଜ୍ଜନକ ସାବ୍ୟସ୍ତ ହୋଇନଥାଏ ବରଂ ଜଣ ଜଣଙ୍କୁ ଅର୍ଥସ୍ୱାନ୍ତକରି କାଙ୍ଗାଳ କରିଦିଏ । ଆଉ କେହି କେହି ଅନ୍ୟ ବ୍ୟକ୍ତି ବା ସଂସ୍ଥା ଠାରୁ ଆଣିଥିବା କରଜ ସୁଝିବା ପାଇଁ ନିଜ ମୂଲ୍ୟବାନ ଜୀବନକୁ ହାରିବା ପାଇଁ ବାଧ୍ୟ ହୋଇଥାନ୍ତି । ସାଇବର ଠକମାନେ ଅନଲାଇନ ଟ୍ରେଡିଂ ନାମରେ କୋଟି କୋଟି ଟଙ୍କା ଲୁଟ କରି ଅନେକଙ୍କୁ ରାସ୍ତା କଡ଼ରେ ଭିକାରୀ କରିଦେଉଥିଲେ ମଧ୍ୟ ଏ ଖବରକୁ ଲୋକମାନେ ଗଣମାଧ୍ୟମରୁ ଜାଣିବା ସତ୍ତ୍ୱେ ନିଜକୁ ସୁଧାରି ପାରୁନାହାଁନ୍ତି । ଆଜିକାଲି ଠକମାନେ ଅନଲାଇନର ବଡ଼ ସାହାଯ୍ୟ ନେଉଛନ୍ତି । କାରଣ ସୂଚନା ପ୍ରଯୁକ୍ତିର ଅତ୍ୟାଧୁନିକ କୌଶଳ ଏଥିରେ ରହିଥିବାରୁ ଲୋକମାନଙ୍କ ପାଖକୁ ପ୍ରତିଦିନ ସେମାନଙ୍କ ହାତ ପାଖରେ ଥିବା ମୋବାଇଲ ଫୋନକୁ ଅନେକ ମିଛ ପ୍ରଲୋଭନର ସୂଚନା ଆସୁଛି । ଲୋକମାନେ ଏ ସମ୍ବନ୍ଧରେ କୌଣସି ତଦନ୍ତ ନକରି ବା ଭଲ ଭାବେ କୌଣସି ତଥ୍ୟ ସଂଗ୍ରହ ନକରି କିପରି ଇଜି ମନି ରୋଜଗାର ଦ୍ୱାରା ବଡ଼ଲୋକ ହୋଇଯିବେ ଏହି ଚିନ୍ତାଧାରା ହିଁ ସେମାନଙ୍କୁ ତଳିତଳାନ୍ତ କରିଦେଉଛି ।
ସାଇବର ଠକେଇ ଦିନକୁ ଦିନ ବଢ଼ି ଚାଲୁଥିବାବେଳେ ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଭଳି ଠକଙ୍କୁ ମଧ୍ୟ ଧରିବା ସହଜ ହେଉନାହିଁ । ଏହି ଠକମାନେ ଅନଲାଇନ ଟ୍ରେଡିଂକୁ ମାଧ୍ୟମ କରି ସମ୍ପ୍ରତି ସକ୍ରିୟ ହୋଇପଡ଼ିଛନ୍ତି । ଅନଲାଇନ ଟ୍ରେଡିଂ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରି ସାଇବର ଠକମାନେ ଲୁଟି ଚାଲିଛନ୍ତି । ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ମଧ୍ୟ ଏଭଳି ମାମଲା ବଢ଼ିବା ଦେଖିବାକୁ ମିଳିଲାଣି । ସାଇବର ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ ପ୍ରାୟ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି । ଅଭିଯୋଗକାରୀମାନେ ପ୍ରାୟ ଅଧ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ । କିନ୍ତୁ ତଦନ୍ତ ଜାରି ରହିଛି ବୋଲି ସାଇବର ଥାନା ପୁଲିସ ସୂଚନା ଦେଇଛି । ଅନଲାଇନ ଟ୍ରେଡିଂରେ ବହୁ ବ୍ୟବସାୟୀ ଓ ଯୁବପିଢ଼ି ଏହି ବ୍ୟବସାୟ କରି ଲାଭବାନ ହୋଇଥାଆନ୍ତି । ଏବେ ଏହି ବ୍ୟବସାୟକୁ ଟାର୍ଗେଟ କରିଛନ୍ତି ସାଇବର ଠକ । ଠକ ନିଜକୁ ଜଣେ ବ୍ରୋକର ଭାବେ ପରିଚୟ ଦେଇ ସୋସିଆଲ ମିଡ଼ିଆରେ ଲୋକଙ୍କ ସହ ଯୋଡ଼ି ହୋଇଥାନ୍ତି । ବିଶ୍ୱାସଭାଜନ ହେବାକୁ ନାନା ମନଭୁଲା କଥା କହିଥାଆନ୍ତି । ତା ଜରିଆରେ ଟ୍ରେଡିଂ କରି କିଭଳି ବହୁତ ଲୋକ ଲକ୍ଷ ଲକ୍ଷ ଟଙ୍କା ଲାଭ କରିଛନ୍ତି ସେ ସବୁର କାହାଣୀ ଶୁଣାନ୍ତି । ବିଶ୍ୱାସ ଜନ୍ମାଇବାକୁ ବିଭିନ୍ନ ଲୋକଙ୍କ ପୋର୍ଟଫୋଲିଓ ଦେଖାଇଥାନ୍ତି । କିନ୍ତୁ ସେ ସବୁ ନକଲି ଥାଏ । ଏହାପରେ ଠକ ବିଭିନ୍ନ ନକଲି ୱେବସାଇଟ ଜରିଆରେ ଟ୍ରେଡିଂ କରିବାକୁ ପ୍ରବର୍ତ୍ତାଇଥାନ୍ତି । ବିଭିନ୍ନ କମ୍ପାନୀର ଷ୍ଟକ, ବଣ୍ଡ, ମୁ୍ୟଚୁଆଲ ଫଣ୍ଡ ଓ ଆସେଟ ଇତ୍ୟାଦିରେ ଟଙ୍କା ବିନିଯୋଗ କରିବାକୁ ଲୋଭ ଦେଖାଇଥାନ୍ତି । ସେହିଭଳି ଅନଲାଇନ ଟ୍ରେଡିଂ ବାବଦରେ ଜାଣିବାକୁ ଇଣ୍ଟରନେଟ ସର୍ଚ୍ଚ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଟାର୍ଗେଟ କରନ୍ତି ଏହି ଗ୍ୟାଙ୍ଗ । ସାଇବର ଠକ ତାଙ୍କ ଆଇପି ଆଡ୍ରେସରୁ ସବୁ ତଥ୍ୟ ହାତେଇବା ପରେ ଫୋନ ନମ୍ବର ଟେଲିଗ୍ରାମ କିମ୍ବା ଅଧିକ ଟଙ୍କା ବିନିଯୋଗ କରିବାକୁ ଲୋଭ ଦେଖାନ୍ତି । କିନ୍ତୁ ଟଙ୍କା ଉଠାଇବାକୁ ମଉକା ଦିଅନ୍ତି ନାହିଁ । କେବଳ ୱେବସାଇଟରେ ଲାଭ କେତେ ହେଲା, ତାହା ଦେଖାଇ ଦିଅନ୍ତି । ଏମିତିରେ ସାଧାରଣତଃ କିଛି ବ୍ୟକ୍ତି ଲୋଭର ବଶବର୍ତ୍ତୀ ହୋଇ ଅଧିକ ପୁଞ୍ଜି ନିବେଶ କରନ୍ତି । ଏହା ଭିତରେ କେହି ଟଙ୍କା ଉଠାଇବାକୁ ଅଡ଼ି ବସିଲେ ଠକ ପାଲଟା ତାଙ୍କୁ ଧମକ ଦେଇଥାଏ । ଅଧାରୁ ଟଙ୍କା ଉଠାଇନେଲେ ମୂଳ କି କିଛି ଲାଭ ମିଳିବନାହିଁ । ଠକାମିର ଶିକାର ହେବା ସନେ୍ଦହ କରି ନିବେଶକାରୀ ଆଉ ଯଦି ଟଙ୍କା ନଲଗାଉଛି ତେବେ ଠକ ତାର ସାଇଟ ବନ୍ଦ କରିଦିଏ । ନିବେଶକାରୀ ଯେତେ ଚେଷ୍ଟା କଲେ ମଧ୍ୟ ସାଇଟ ଖୋଲିବାର ବାଟ ପାଏ ନାହିଁ ।
ଟ୍ରେଡିଂରେ ନିବେଶ ନିଶାରେ କୋଟି କୋଟି ଲୋକ ଉବୁଟୁବୁ ହେଉଛନ୍ତି । ଯାହାର ଫାଇଦା ପଠାଉଛନ୍ତି ସାଇବର ଅପରାଧୀ । ନକଲି ଟ୍ରେଡିଂ ଆପକୁ ଅସ୍ତ୍ର କରୁଛନ୍ତି । ସନେ୍ଦହଜନକ ୱେବସାଇଟ ଓ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଜାଲ ବିଛାଉଛନ୍ତି । ଅଧିକ ଟଙ୍କା ଫେରସ୍ତ ପ୍ରଲୋଭନରେ ଥୋପ ପକାଇ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି । ଗତ କିଛି ମାସରେ ଭାରତୀୟମାନେ ହରାଇଲେଣି ୧୭୫୦ କୋଟି ଟଙ୍କା । କୌଣସି ଟ୍ରେଡିଂ ସମ୍ପର୍କିତ ଆପକୁ ଇନଷ୍ଟଲ କରିବା ପୂର୍ବରୁ ଲୋକମାନେ ଆପକୁ ନେଇ କଣ ମତ ଓ ମନ୍ତବ୍ୟ ଦେଇଛନ୍ତି ତାହାକୁ ଧ୍ୟାନ ଦିଅନ୍ତୁ । ତୃତୀୟ ପକ୍ଷ ଷ୍ଟୋର ବିଭିନ୍ନ ୱେବସାଇଟ, ଅନଲାଇନ ବିଜ୍ଞାପନ କିମ୍ବା ସୋସିଆଲ ମିଡିଆ ପୋଷ୍ଟ / ନାଟ୍/ଏସଏମଏସରୁ ଟ୍ରେଡିଂ ସମ୍ପର୍କିତ ଆପ ଡାଉନଲୋଡ଼ କରନ୍ତୁ ନାହିଁ । ବୈଧ ୱେବସାଇଟ କିମ୍ବା ଅନୁମତିପ୍ରାପ୍ତ ଆପ ଷ୍ଟୋର ଭଳି ଭରସାଯୋଗ୍ୟ ସ୍ରୋତରୁ ହିଁ ଟ୍ରେଡିଂ ଆପ ଗୁଡ଼ିକ ଡାଉନଲୋଡ଼ କରନ୍ତୁ । ଆପ ଡାଉନଲୋଡ଼ କରିବା ପୂର୍ବରୁ ଡେଭଲପରଙ୍କ ୱେବସାଇଟକୁ ଯାଇ ଆପ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଇ ନିଅନ୍ତୁ । କୌଣସି ଆପକୁ ଅନୁମତି ଦେବା ପୂର୍ବରୁ ଉକ୍ତ ଆପର ଗୋପନୀୟତା ଦିଗକୁ ଭଲ ଭାବେ ପଢ଼ନ୍ତୁ । ଟ୍ରେଡିଂରେ ଟଙ୍କା ନିବେଶ ପୂର୍ବରୁ ଆପ ପ୍ରତିଶ୍ରୁତି ଓ ଯୋଜନାକୁ ସତର୍କତାପୂର୍ବକ ଯାଞ୍ଚ କରନ୍ତୁ । ଆପ ଚଳାଇବା ପାଇଁ କେବଳ ଆବଶ୍ୟକୀୟ ଅନୁମତି ଦିଅନ୍ତୁ । ଫଟୋ ଗ୍ୟାଲେରୀ, ଭଏସ ଭଳି ଗୋପନୀୟ ତଥ୍ୟ ସମ୍ବଳିତ ବିକଳ୍ପକୁ ଅନୁମତି ଦିଅନ୍ତୁନି । ଆପଣଙ୍କ ଆପର ଲଗଇନ ତଥ୍ୟକୁ କୌଣସି ମତେ ଅନ୍ୟ କାହା ସହ ସେୟାର କରନ୍ତୁନି । ସମ୍ବେଦନଶୀଳ ସୂଚନାଭିତ୍ତିକ କ୍ଷେତ୍ରରେ ବହୁସ୍ତରୀୟ ପ୍ରମାଣକୁ ଅନ କରନ୍ତୁ ।
ଏହା ସହିତ ଅନଲାଇନ ଲୋନ ଆପ୍, ସପିଂ ସାଇଟ, ଫ୍ରି ରିଚାର୍ଜ, ଗିଫ୍ଟ, ଲଟେରି ଲୋଭ ଦେଖାଇ ସାଇବର ଠକମାନେ କୋଟି କୋଟି ଟଙ୍କା ଲୁଟୁଛନ୍ତି । ସେହିପରି କମ ସମୟ ମଧ୍ୟରେ ଟଙ୍କାକୁ ଦୁଇଗୁଣା, ଚାରିଗୁଣା ଓ ୫୦ ଗୁଣା ଫେରସ୍ତ ଲୋଭ ଦେଖାଉଛନ୍ତି ସାଇବର ଅପରାଧୀ । ଏହି ଅନଲାଇନ ଚିଟଫଣ୍ଡ ଜାଲରେ ପଡ଼ି କଷ୍ଟାର୍ଜିତ ଅର୍ଥ ହରାଉଛନ୍ତି ଲୋକେ । ଏବେ ରାଜ୍ୟରେ ଶହ ଶହ ସଂଖ୍ୟାରେ ଅନଲାଇନ ଚିଟଫଣ୍ଡ ଚଳାଉଛନ୍ତି ସାଇବର ଅପରାଧୀ । ପ୍ରଥମରୁ ଥିବା ସଦସ୍ୟମାନେ ଟଙ୍କା ପାଉଛନ୍ତି । ଲୋଭରେ ପରେ ସଦସ୍ୟ ହେଉଥିବା ଲୋକେ କିନ୍ତୁ ଠକାମିର ଶିକାର ହେଉଛନ୍ତ । କେତେକ ଲୋକଲଜ୍ଜାରେ ଅଭିଯୋଗ କରିପାରୁନାହାନ୍ତି । ଠକେଇ ବିଷୟରେ ଯେତେବେଳେ ପୁଲିସ ପାଖରେ ଅଭିଯୋଗ ପହଞ୍ଚୁଛି ସେତେବେଳେ ତଦନ୍ତରୁ ମଧ୍ୟ ଚାଞ୍ଚଲ୍ୟକର ତଥ୍ୟ ମିଳୁଛି । ଏବେ ଗରିବଙ୍କୁ ସାଇବର ଅପରାଧୀମାନେ ଟାର୍ଗେଟ କରୁଛନ୍ତି । ସେମାନଙ୍କର ବ୍ୟାଙ୍କ ତଥ୍ୟ ହାସଲ କରି ପ୍ରି ଆକ୍ଟିଭେଟ ସିମ ଜରିଆରେ ବ୍ୟାଙ୍କ କାରବାର କରୁଛନ୍ତି । ସେହିପରି ଅଶିକ୍ଷିତ ଓ ଅଳ୍ପଶିକ୍ଷିତଙ୍କ ପରିଚୟ ପତ୍ର ନେଇ ସେମାନଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଦେଉଛନ୍ତି । ଏହି ଆକାଉଣ୍ଟକୁ ଠକେଇ ଟଙ୍କା ନେଇ ପରେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଉଛନ୍ତି ।
ପାର୍ଟ ଟାଇମ ନିଯୁକ୍ତି ଅଫର ଏବେ ସାଇବର ଠକେଇର ପ୍ରମୁଖ ଉପାୟ ସାଜିଛି । ଠକେଇ ସଂସ୍ଥା ଗୁଡ଼ିକ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ମୁଖ୍ୟତଃ ମହିଳାମାନଙ୍କୁ ଜାଲରେ ଫସାଉଛନ୍ତି । ତେଣୁ ସୋସିଆଲ ମିଡ଼ିଆରେ ଆସୁଥିବା ଅଜଣା ଲୋଭନୀୟ ମେସେଜକୁ ଗ୍ରହଣ କରନ୍ତୁ ନାହିଁ । କୌଣସି ଲିଙ୍କ କ୍ଲିକ କରନ୍ତୁ ନାହିଁ । ସାଇବର ଠକେଇରୁ ରକ୍ଷା ମିଳି ପାରିବ । ଏନେଇ ସାଇବର ଏକ୍ସପର୍ଟ କହିବା କଥା ପ୍ରଥମତଃ ଅନଲାଇନ ଟ୍ରେଡିଂ କରୁଥିବା ବ୍ୟକ୍ତି ବୁଝିଯିବା ଉଚିତ ଯେ କୌଣସି କମ୍ପାନୀ ଦୁଇ ଦିନରେ ଟଙ୍କା ଡବଲ କରନ୍ତି ନାହିଁ । ସବୁ କମ୍ପାନୀ ଏକ ସୀମା ଭିତରେ ଲାଭ ଦେଇଥାନ୍ତି । ଏସବୁ ବିଷୟରେ ଜ୍ଞାନ ନଥିବା ବ୍ୟକ୍ତି ଏହି ବ୍ୟବସାୟରେ ଅଭିଜ୍ଞ ଲୋକଙ୍କ ସହ ପରାମର୍ଶ କରିବା ଉଚିତ । ପ୍ରଥମରୁ ଟଙ୍କା ଉଠାଣ ସମସ୍ୟା ହେଲା ତ ଆଗକୁ ନିବେଶ କରିବା ଅନୁଚିତ । ତୁରନ୍ତ ସାଇବର କ୍ରାଇମ ସେଲରେ ଜଣାଇବା ଦରକାର । କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ହରାଇ ସାରିବା ପରେ ଅଭିଯୋଗ ହେଉଛି । ସେତେବେଳକୁ ଠକ ସବୁ ଲୁଟି ସାରିଥାଏ ଆଉ ନିଜକୁ ଲୁଚାଇ ମଧ୍ୟ ସାରିଥାଏ । ତେଣୁ ଏଥିପ୍ରତି ସଜାଗ ରହିବା ଦରକାର । ପ୍ରଥମରୁ ସନେ୍ଦହ ହେଲେ ସାଇବର ସେଲରେ ସହଯୋଗ ନିଅନ୍ତୁ । ଆପଣଙ୍କ ଜୀବନର ମୂଲ୍ୟବାନ ପୁଞ୍ଜିକୁ କୌଣସି ସଫଳ ବ୍ୟବସାୟରେ ବିନିଯୋଗ ପୂର୍ବରୁ ଭଲ ଭାବରେ ଏ ନେଇ ସମସ୍ତ ଖବର ସଂଗ୍ରହ କରି ନୂଆ ବ୍ୟବସାୟରେ ପାଦ ଦିଅନ୍ତୁ ନଚେତ୍ ଆପଣ ସର୍ବସ୍ୱାନ୍ତ ହେବା ସହ ଅନ୍ୟମାନଙ୍କ ପାଇଁ ବିପଦର କାରଣ ଯେପରି ନହୁଅନ୍ତି ।
ମୋ : ୯୪୩୭୧୬୩୫୨୮