ପ୍ରଥମାଷ୍ଟମୀ

କାଳି ଦାସ: ପ୍ରଥମାଷ୍ଟମୀ ଓଡ଼ିଶାର ଏକ ମୁଖ୍ୟ ପର୍ବ । ଏହି ଦିନ ଘରର ବା ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘାୟୁ କାମନା କରି ଏହି ପର୍ବ ପାଳନ କରାଯାଇ ଥାଏ । ମାର୍ଗଶୀର ମାସ ଆସିଗଲେ ଓଡ଼ିଶାର ପୁର ପଲ୍ଲୀ ସହର ବଜାର ସବୁକିଛି ଉତ୍ସବ ମୁଖରିତ ହୋଇଯାଏ । ଓଡ଼ିଶାରେ ଏହି ସମୟରେ ଶୀତର ସ୍ପର୍ଶ ଅନୁଭବ କରିହୁଏ ।
ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ । ଏହି ସମୟରେ ଧାନ ଫସଲ ଆମଦାନୀ ହୁଏ । ବାଡ଼ି ବଗିଚାରେ ତାଜା ତାଜା ପରିବାର ଉତ୍ପାଦନ ହୁଏ । ସତେ ଯେମିତି ପ୍ରକୃତି ମଣିଷଙ୍କ ମନକୁ ବୁଝି ନିଜକୁ ସଜାଇ ଦିଏ । ଭଗବତ ଗୀତାରେ ବିଭୂତି ଯୋଗରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି "ମାସାଣାଂ ମାର୍ଗ ଶିର୍ସୋ ଅହଂ,"ଏହାର ଅର୍ଥ ହେଲା ମୁଁ ମାସମାନଙ୍କ ଭିତରେ ହେଇଛି ମାର୍ଗଶୀର ମାସ । ମାର୍ଗଶୀର ମାସର ଶ୍ରେଷ୍ଠତା ଏଥିରୁ ବୁଝାଯାଏ ସେହିପରି ସାରଳା ଦାସ ଲେଖିଛନ୍ତି ଯେ ପ୍ରଥମ ସନ୍ତାନ ବା ପ୍ରଥମ ପୁତ୍ର ହେଉଛି ଧର୍ମର ସନ୍ତାନ । ଶ୍ରେଷ୍ଠ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ଦିନକୁ ପ୍ରଥମାଷ୍ଟମୀ ବା ପଢୁଆ ଅଷ୍ଟାମି ଭାବେ ପାଳନ କରାଯାଏ । ଏହି ଦିନ ପ୍ରଥମ ସନ୍ତାନର ଦିର୍ଘାୟୁ କାମନା କରି ମା ମାନେ ଷଷ୍ଠୀ ଦେବୀଙ୍କୁ ପୂଜା କରନ୍ତି । ସନ୍ତାନକୁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧାଇ ବନ୍ଦାପନା କରିଥାଆନ୍ତି । ସବୁଠାରୁ ସୁନ୍ଦର ପ୍ରଥା ଏହା ଯେ ପ୍ରଥମାଷ୍ଟମୀ ଉପଲକ୍ଷେ ପିଲାଙ୍କ ପାଇଁ ମାମୁଁ ଘରୁ ଭାର ଆସିଥାଏ । ପ୍ରଥମାଷ୍ଟମୀରେ ଘରେ ଘରେ ଇଣ୍ଡୁରି ପିଠା ତିଆରି ହୁଏ । ପିଲାମାନଙ୍କ ମାମୁଁ ଘରୁ ଇଣ୍ଡୁରୀ ପିଠା ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ପଦାର୍ଥ ଯେମିତି ଚାଉଳ, ବିରି , ହଳଦୀ ପତ୍ର ,ଛେନା, ନଡ଼ିଆ, ଗୁଡ଼ ମଧ୍ୟ ଆସିଥାଏ ।ପିଲାଙ୍କର ପିନ୍ଧିବା ପାଇଁ ନୂଆ ଲୁଗା ଆସେ । ଜଗନ୍ନାଥଙ୍କ ବଡ଼ ଦେଉଳରେ ମଧ୍ୟ ପ୍ରଥମାଷ୍ଟମୀର ରୀତିନୀତି ବେଶ ଧୁମଧାମରେ ପାଳନ କରାଯାଏ ।
ପ୍ରଥମାଷ୍ଟମୀ ଉପଲକ୍ଷେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବନ୍ଦାପନା କରାଯାଏ । ଓଡ଼ିଆଙ୍କର ବିଶ୍ୱାସ ଅଛି ଯେ ମାଧବାନଦ ଜିଉ ପ୍ରଭୁ ଜଗନ୍ନାଥଙ୍କର ମାମୁ । ପ୍ରଥମାଷ୍ଟମୀର ଅବସରରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମଧ୍ୟ ମାମୁଁ ଘରୁ ନୂଆଲୁଗା ଓ ମିଠା ଭାର ଆସିଥାଏ । ମାଧବାନନ୍ଦ ଜିଉଙ୍କର ମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଆସିଥିବା ପଢ଼ୁଆଁଷ୍ଟମୀ ଭାରକୁ ସମ୍ମାନର ସହିତ ସ୍ୱୀକାର କରାଯାଏ । ବଡ଼ ଦେଉଳର ସେବାୟତମାନେ ମାଧବାନନ୍ଦ ଜିଉଁଙ୍କ ମନ୍ଦିରରୁ ଭାରନେଇ ଆସିଥିବା ବ୍ୟକ୍ତିଙ୍କୁ ସମ୍ମାନ ସହକାରେ ପାଛୋଟି ନେଇଥାନ୍ତି । ପ୍ରଥମାଷ୍ଟମୀ ଉପଲକ୍ଷେ ଅନେକ ସ୍ଥାନରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ ।
ବ୍ରହ୍ମପୁର,
ମୋ -୭୨୦୫୧୦୦୮୩୯