ଆତ୍ମ ନିରୀକ୍ଷଣ ଓ ଦିବ୍ୟତ୍ୱ ପ୍ରାପ୍ତି
ଇଂ. ସଚ୍ଚିଦାନନ୍ଦ ନନ୍ଦ : "କେତେକ ଲୋକ ଅନ୍ୟମାନଙ୍କର ଛୋଟ ଛୋଟ ଭୁଲକୁ ଗର୍ହିତ ଦୋଷ ମନେକରନ୍ତି କିନ୍ତୁ ନିଜ ଠାରେ ଥିବା ଜଘନ୍ୟ ଭୁଲକୁ ଦେଖିପାରନ୍ତି ନାହିଁ । ଏହା ଏକ ଗୁରୁତର ତ୍ରୁଟି । ସଠିକ୍ ପଦ୍ଧତ୍ତି ହେଉଛି ନିଜର ଛୋଟ ଛୋଟ ଦୋଷକୁ ବଡ଼ଭୁଲ ଭାବେ ଦେଖ ଓ ଅନ୍ୟର ବଡ଼ଭୁଲଗୁଡ଼ିକୁ ନଗଣ୍ୟ ମନେକର । ଏହାଦ୍ୱାରା ତୁମେ ନିଜ ଭୁଲଗୁଡ଼ିକୁ ସଜାଡ଼ି ପାରିବ'' । ଭଗବାନ ଶ୍ରୀ ସତ୍ୟସାଇ ବାବା ତାଙ୍କର ଏହି ଦିବ୍ୟସନେ୍ଦଶରେ ଆମ ସମସ୍ତଙ୍କୁ ଆଧ୍ୟାତ୍ମିକ ସୂଚନା ପ୍ରଦାନ କରିଛନ୍ତି ଯେ ଏହି ମନୋବୃତ୍ତି ସାହାଯ୍ୟରେ ତୁମେ ଈଶ୍ୱରୋପଲବ୍ଧି ହାସଲ କରିପାରିବ । ମାନବୀୟ ପ୍ରେମ ସ୍ୱାର୍ଥପୂର୍ଣ୍ଣ, ଦୈବୀପ୍ରେମ, ସ୍ୱାର୍ଥଶୂନ୍ୟ ଓ ଆଧ୍ୟାତ୍ମିକ । ତାଙ୍କ ପ୍ରେମ ନିର୍ମଳ ପ୍ରେମ । ଭଗବାନଙ୍କୁ ଚିରନ୍ତନ, ଅମୃତମୟ, ବିମଳ, ନିର୍ମଳ ବୋଲି ବର୍ଣ୍ଣନା କରାଯାଇଛି । ଭଗବତ ପ୍ରେମ ଆସ୍ୱାଦନ କରିବାକୁ ହେଲେ ତୁମକୁ ସ୍ୱାର୍ଥଭାବ ଭଳି ସଂକୀର୍ଣ୍ଣ ଭାବ ବର୍ଜନ କରି ପ୍ରେମଭାବ ସଂପ୍ରସାରଣ କରିବାକୁ ହେବ । ନବ ବିବାହିତ ଦମ୍ପତିଙ୍କ ମଧ୍ୟରେ ଥିବା ପ୍ରେମଭାବ ଦିନକୁ ଦିନ କିଭଳି ହ୍ରାସ ପାଉଥାଏ ତାହାର ଏକ ଉଦାହରଣ ଦେଖାଯାଉ । ସ୍ୱାମୀ ସ୍ତ୍ରୀ ରାସ୍ତାରେ ଯାଉଥିବା ବେଳେ ଆଗରେ ପଡ଼ିଥିବା କଣ୍ଟାଟିଏ ଆଖିରେ ପଡ଼ିଗଲେ, ସ୍ୱାମୀଙ୍କର କି ବ୍ୟସ୍ତତା ଦେଖାନଯାଏ? ବିବ୍ରତ ହୋଇପଡ଼ି ସ୍ୱାମୀ ସ୍ତ୍ରୀକୁ ଗୋଟିଏ ପାଖକୁ ଟାଣିନିଏ, ଯେପରି ସ୍ତ୍ରୀ ପାଦ କଣ୍ଟା ମାଡ଼ି ନପକାଉ । କିଛିବର୍ଷ ଅନ୍ତରରେ ପୁନର୍ବାର ଅନୁରୂପ ପରିସ୍ଥିତିରେ ସ୍ୱାମୀ କହିବ, "କଣ୍ଟା ପଡ଼ିଛି, କ'ଣ ଆଖିକୁ ଦିଶୁନି?' ସାଂସାରିକ ପ୍ରେମ ଏହିଭଳି ଭାବେ ତା'ର ମାତ୍ରା ହରାଉଥିବା ବେଳେ ଦିବ୍ୟପ୍ରେମ ସବୁଦିନ ସ୍ଥିର ଓ ଗଭୀର ରହିଥାଏ । ଦିବ୍ୟପ୍ରେମର ମହତ୍ୱ ଲୋକେ ବୁଝିପାରନ୍ତି ନାହିଁ । ସେମାନେ ସେ ପ୍ରେମକୁ କଦର୍ଥ କରି ଭଗବାନଙ୍କୁ ନିନ୍ଦା କରିବା ପର୍ଯ୍ୟନ୍ତ ଯାଇପାରନ୍ତି, ଯେତେବେଳେ ତାଙ୍କ ନୀଚ୍ଚ କାମନା ଗୁଡ଼ିକ ପୂରଣ ନହୁଏ । କେତେକ ମୋକ୍ଷ ଚାହୁଁଥାନ୍ତି । ମୋକ୍ଷ କ'ଣ? କାମନାରୁ ମୁକ୍ତି ପାଇବା ହିଁ ମୋକ୍ଷ । କେତେକ ଭଗବାନଙ୍କୁ ଦର୍ଶନ କରିବାକୁ ଚାହାନ୍ତି । ଏଥିପାଇଁ ଆବଶ୍ୟକୀୟ ବିଶ୍ୱାସ ଓ ଭାବ ତୁମେ ହୃଦୟରେ ପୋଷଣ କରିବା ଉଚିତ ନୁହେଁ କି?
ଅନେକଙ୍କ ଭିତରେ ସ୍ୱାଭାବିକ ପ୍ରଶ୍ନ ଉଠେ ଯେ ଦିବ୍ୟପ୍ରେମ ଲାଭ କରିବା ପାଇଁ ଆମ ମାନଙ୍କର ଆବଶ୍ୟକତା କ'ଣ ଓ ତାତ୍ପର୍ଯ୍ୟ କ'ଣ? ବଡ଼ ସୁନ୍ଦର ଭାବରେ ଭଗବାନ ବାବା କହିଛନ୍ତି ଯେ ଭକ୍ତି ଓ ବିଶ୍ୱାସ ନଥିଲେ ତୁମେ ତାଙ୍କ ସହିତ ବସବାସ କଲେ ମଧ୍ୟ ତାଙ୍କୁ ଦେଖିପାରିବ ନାହିଁ, ପଦ୍ମଫୁଲ ପାଖରେ ଥିବା ବେଙ୍ଗ ପଦ୍ମ ଭିତରେ ଥିବା ମଧୁ ବିଷୟରେ ଅବହିତ ନହେବା ସଦୃଶ । କିନ୍ତୁ କାହିଁ କେତେ ଦୂରରୁ ମଧୁମକ୍ଷିକା ମାନେ ପଦ୍ମଫୁଲ ପାଖକୁ ଆସି ମଧୁ ଆସ୍ୱାଦନ କଲାଭଳି ଦୂର ବିଦେଶରୁ ଲୋକମାନେ ଆସି ଭଗବାନଙ୍କ ସୁମିଷ୍ଟ ମଧୁରତା ପ୍ରାପ୍ତ ହୋଇପାରୁଛନ୍ତି, ଅଥଚ ପାଖରେଥିବା ଲୋକେ ସେଥିରୁ ବଞ୍ଚôତ । ଦିବ୍ୟ ସାନ୍ନିଧ୍ୟ ମଣିଷକୁ ମଧ୍ୟ ଦୈବୀସ୍ତରକୁ ଉତ୍ଥିତ କରିଦେଇପାରେ । ଏହାକୁ ବୁଝିନପାରି ଅନେକ ଲୋକ ତାଙ୍କ ଜୀବନକୁ ବ୍ୟର୍ଥ କରି ଦେଉଛନ୍ତି । ପ୍ରତ୍ୟେକଙ୍କ ଠାରେ ପ୍ରେମଭାବ ବିଦ୍ୟମାନ, କିନ୍ତୁ ତାହା ସ୍ୱାର୍ଥଭାବ ପ୍ରଣୋଦିତ ହୋଇପଡ଼ିବାରୁ ଆସକ୍ତିରେ ପରିଣତ ହୋଇଯାଉଛି । ଦୈବୀପ୍ରେମର ଅନୁଭୂତି ପାଇଁ ଆଶାୟୀ ହୁଅ । ଆଧୁନିକ ଯୁବକମାନେ ପ୍ରେମର ସ୍ୱଭାବ ବିଷୟରେ ଅବଗତ ହେବା ଦରକାର । ବିଦେଶାଗତ ଅନେକ ଯୁବକ ଯୁବତୀ ପରସ୍ପରକୁ ପୁରୁଷ ବନ୍ଧୁ, ମହିଳାବନ୍ଧୁ କହି ଅବାଧ ମିଳାମିଶା କରୁଛନ୍ତି । ଯଦି ପ୍ରକୃତରେ ପରସ୍ପରକୁ ଭଲ ପାଉଥାଅ, ତେବେ ବିବାହ କରିନିଅ, ବନ୍ଧୁ ହିସାବରେ କାହିଁକି? କିଛି ବର୍ଷ ପୂର୍ବେ ବିଦେଶାଗତ ଯୁବକଟିଏ ଏଠାରେ ଗଛତଳେ ମନ ଦୁଃଖରେ ବସିଥାଏ । ତାକୁ ଅତି ବେଶୀରେ ୧୯ହେବ । ପଚାରିବାରୁ ସେ କହିଲା, ତା'ର ଦ୍ୱିତୀୟ ସ୍ତ୍ରୀ ତାକୁ ଛାଡ଼ି ପଳାଇଛି ଏବଂ ତା'ଗର୍ଭର ସନ୍ତାନଟି ପାଇଁ ସେ ବ୍ୟସ୍ତ । ଏହି ବୟସରେ ସେ ଯଦି ଏତେ ବିବ୍ରତ, ବୟସ୍କ ହୋଇଗଲେ ତା'ଅବସ୍ଥା କ'ଣ ହେବ ଅନୁମାନ କର । କୋଡିଏ ବର୍ଷ ନ ହେଉଣୁ କେତେକ ଲୋକ ବିବାହ କରି ପକାଉଛନ୍ତି, ତା'ପରେ ଛାଡ଼ପତ୍ର, ପୁନର୍ବିବାହ, ପୁନର୍ବିଛେଦ, ସ୍ତ୍ରୀ ଓ ସନ୍ତାନଙ୍କ ପାଇଁ ବ୍ୟତିବ୍ୟସ୍ତ । ସେମାନେ ମାନବଜୀବନର ମୂଲ୍ୟ ବିଷୟରେ ଅଜ୍ଞ । ମାନବ ଜୀବନ କେତେ ଦୁର୍ଲଭ ଓ କେତେ ପବିତ୍ର ସେ ଧାରଣା ସେମାନଙ୍କର ନାହିଁ । ଉପନିଷଦ କହନ୍ତି ମାନବ ଜନ୍ମ ଅତି ଦୁର୍ଲଭ ଜନ୍ମ । ମାନବ ଜୀବନ ଅତି ମହାନ ଓ ଶକ୍ତିଶାଳୀ । ତାକୁ ମା+ନବ କୁହାଯାଏ କାରଣ ସେ ନୂଆ ନୁହେଁ ବରଂ ଶାଶ୍ୱତ । ଶରୀର ନୂତନ ରୂପ ଗ୍ରହଣ କରୁଥାଏ, ଆତ୍ମା ନୁହେଁ । ଭଗବାନ ହିଁ ଅପରିବର୍ତ୍ତନୟ ସତ୍ୟ ।
ବାବା ବିଶେଷକରି ଯୁବବର୍ଗଙ୍କ ପାଇଁ ତାଙ୍କ ବାର୍ତ୍ତା ରଖି କହିଛନ୍ତି ଯେ ଯୁବକ ଯୁବତୀଗଣ, ତୁମର ଆହାର ଓ ବିହାର ଅନୁଯାୟୀ ତୁମ ମନକୁ ଅନେକ ପ୍ରକାର ଚିନ୍ତା ଆସୁଥିବ । ସେଥି ମଧ୍ୟରୁ କେଉଁଗୁଡ଼ିକ ଭଲ ଓ କେଉଁ ଗୁଡ଼ିକ ମନ୍ଦ ତୁମକୁ ବାଛିବାକୁ ପଡ଼ିବ । ପୁସ୍ତକଗତ ଜ୍ଞାନ ଓ ଉପରଠାଉରିଆ ଜ୍ଞାନରେ ଭାସିଗଲେ ଚଳିହେବନାହିଁ । ବ୍ୟାବହାରିକ ଜ୍ଞାନ ହାସଲ କରି ଜୀବନକୁ ସଫଳ କରିବାକୁ ହେବ । ତୁମ ଶିକ୍ଷା ଓ ଆଚରଣ ଭିତରେ ସାମଞ୍ଜସ୍ୟ ରହିବା ଦରକାର । ଭାବନା, ବଚନ ଓ କର୍ମ ମଧ୍ୟରେ ସଠିକ୍ ସମନ୍ୱୟ ରକ୍ଷା କରିବା ହିଁ ମଣିଷପଣିଆଁ । ଭଗବାନଙ୍କ ପାଖରେ ପୂର୍ଣ୍ଣ ବିଶ୍ୱାସ ରଖ, ସନେ୍ଦହକୁ ସ୍ଥାନ ଦିଅନାହିଁ । ତୁମର ଏହି ଭୌତିକ ଶରୀର ଦ୍ୱାରା ଭଗବାନଙ୍କ ପରିକଳ୍ପନା କରିବା ତୁମ ସାମର୍ଥ୍ୟ ବାହାରେ । ତୁମ ଭାବନାଗୁଡ଼ିକ ବାହ୍ୟ ଜଗତର ପ୍ରତିଫଳନ, ପ୍ରତିଧ୍ୱନି ଓ ପ୍ରତିକ୍ରିୟା । ଭଗବାନଙ୍କର କୌଣସି ପ୍ରତିକି୍ରୟା ନଥାଏ । ତାଙ୍କ ପାଖରେ ଗୋଟିଏ କଥା ଅଛି, ତାହା ପରମ ସତ୍ୟ । ତୁମକୁ ସେହି ଆଦର୍ଶଦ୍ୱୟ ଗ୍ରହଣ କରିବାକୁ ହେବ । ସତ କଥା କହ, ଧର୍ମ ଆଚରଣ କର ।
ଭଗବାନ ଅପରିବର୍ତ୍ତନୀୟ ସତ୍ତା କିନ୍ତୁ ଏହାକୁ କେହି ବୁଝୁନାହାନ୍ତି । ଧର୍ମ ମାର୍ଗରେ ଚାଲି ନୈତିକତା ଓ ଏକତା ରକ୍ଷା କରିପାରିଲେ ତୁମେ ଏହା ବୁଝିପାରିବ । ମଣିଷ ଟଙ୍କା ପଇସାର କ୍ରୀତଦାସ ହୋଇପଡ଼ିଲାଣି । ସେ ଭଗବାନଙ୍କୁ ଭୁଲିଯାଇପାରେ କିନ୍ତୁ ଟଙ୍କା ପଇସାକୁ ଭୁଲି ପାରିବ ନାହିଁ । ସୁଖରେ ନିଦ୍ରାଯିବା ପାଇଁ ତୁମେ ନିଜ ପାଇଁ ବାତାନୁକୂଳ ଯନ୍ତ୍ର, କୋମଳ ଶଯ୍ୟା, ପଙ୍ଖା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ବ୍ୟବସ୍ଥା କରିଥାଅ । ତଥାପି ସୁନିଦ୍ରା ହୁଏନାହିଁ, କାହିଁକି? ସୁନିଦ୍ରା ପାଇଁ ମାନସିକ ଶାନ୍ତି ଆବଶ୍ୟକ । ତୁମ ଦେହ, ମନ, ଚିତ୍ତ ଓ ଅହଂକାର ଭଳି ଅନ୍ତରିନ୍ଦ୍ରିୟଗୁଡ଼ିକ ବାହ୍ୟ ଅଙ୍ଗପ୍ରତ୍ୟଙ୍ଗ ସହିତ ଶାନ୍ତି ଅଭିମୁଖୀ ହେବା ଦରକାର । ଯେଉଁ ଦିବ୍ୟପ୍ରେମ ନିଃସ୍ୱାର୍ଥ, ଯାହା କେବଳ ଦେଇ ଜାଣେ ଓ ପ୍ରତିଦାନରେ କିଛି ଆଶା କରେନାହିଁ, ସେହି ଭାବର ଅଭିବୃଦ୍ଧି କରାଇଲେ ଯାଇ ତୁମେ ଶାନ୍ତି ହାସଲ କରିପାରିବ । ସାଂସାରିକ ପ୍ରେମ କେବଳ ପାଇବାକୁ ଚାହେଁ ଓ ପାଇସାରି ତାକୁ ଭୁଲିଯିବାକୁ ଚାହେଁ । ନିକଟ ଲୋକଙ୍କୁ ଆଘାତ ଦେବା ଭଗବାନଙ୍କୁ ଆଘାତ ଦେବା ସହ ସମାନ । ଦିବ୍ୟପ୍ରେମର ସମକକ୍ଷ ଅନ୍ୟକିଛି ବି ହୋଇନପାରେ । ଏହା ସର୍ବୋଚ୍ଚ ।
ସଂସାରର କ୍ଷୁଦ୍ର କ୍ଷୁଦ୍ର କଥା ତୁମେ ଭଗବାନଙ୍କୁ ମାଗିଥାଅ । ତୁମ ପାଖରେ ଯାହା ନାହିଁ ସେଭଳି କିଛି ତାଙ୍କୁ ପ୍ରାର୍ଥନା କର । ତୁମ ପାଖରେ ନିଃସ୍ୱାର୍ଥ ପ୍ରେମ ନାହିଁ, ତାହା ତାଙ୍କ ପାଖରେ ପ୍ରଚୁର ପରିମାଣରେ ଅଛି, କେବଳ ତାହାକୁ ହିଁ ମାଗ । ଭଗବାନ ଆନନ୍ଦର ପ୍ରତିମୂର୍ତ୍ତି । ସେହି ଆନନ୍ଦ, ପ୍ରେମ ଓ ଶାନ୍ତି ଯାଚଜ୍ଞା କର । ସାଂସାରିକ ସୁଖ ଓ ଦୈବୀ ଆନନ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ଜାଣିବାକୁ ଚେଷ୍ଟା କର । ଆଜିକାଲି ଲୋକେ ଅନେକ ତୁଚ୍ଛବସ୍ତୁ ଭଗବାନଙ୍କୁ ମାଗୁଛନ୍ତି । ତୁମପାଇଁ କ'ଣ ଶ୍ରେୟସ୍କର ତାହା ଭଗବାନ ଜାଣନ୍ତି ଏବଂ ଦେଇଥାନ୍ତି । ସେ ସମସ୍ତ ଭାବନା, ବଚନ ଓ କର୍ମର ସାକ୍ଷୀ ପୁରୁଷ, ତେଣୁ ଅକୁଣ୍ଠିତ ଚିତ୍ତରେ, ହୃଦୟର ସହିତ ତାଙ୍କ ପାଖରେ ସମର୍ପିତ ହୋଇ ଏକ ଆଦର୍ଶ ଜୀବନଯାପନ କର । ତୁମ୍ଭେମାନେ ମଧ୍ୟ ଦୈବତ୍ୱର ମୂର୍ତ୍ତିମନ୍ତ ରୂପ । ତେଣୁ ତୁମେ ସମସ୍ତଙ୍କୁ ଭଲପାଇବା ଦରକାର, କାହାରିକୁ ଆଘାତ କରିବା ଉଚିତ ନୁହେଁ । ଯଦି କାହାକୁ ବି ଆଘାତ କରୁଥାଅ ତାହା ଭଗବାନଙ୍କୁ ଆଘାତ କରିବା ସହ ସମାନ ।
ସନ୍ଥ ପୁରୁଷ ଜନ୍ ସମସ୍ତଙ୍କୁ ନିଜର ଭାଇଭଳି ଭାବୁଥିଲେ । କୌଣସି ଏକ ଘଟଣାରେ ସେ ଜଣକୁ ଦଣ୍ଡ ଦେଇଥିଲେ । ଯୀଶୁ ସ୍ୱପ୍ନରେ ଆବିର୍ଭାବ ହୋଇ ତାଙ୍କୁ ପଚାରିଲେ, "ତୁ ଭାବୁଛୁ ତୁ ତାକୁ ଦଣ୍ଡ ଦେଇଛୁ ବୋଲି, ନା ତୁ ମୋତେ ଦଣ୍ଡ ଦେଇଛୁ ।' ଏଇଥିରୁ ତୁମେ ବୁଝିବା ଦରକାର ଯେ ନିଜ ଲୋକଙ୍କ କ୍ଷତି କରିବା ଭଗବାନଙ୍କୁ କଷ୍ଟ ଦେବା ସଙ୍ଗେ ସମାନ । ତୁମ୍ଭେ ସମତା ଅଭ୍ୟାସ କରିବା ଦରକାର । ଭଜନ ଓ ଧ୍ୟାନ ପ୍ରଭୃତି ମନକୁ ପବିତ୍ର କରିବାର ଉପାୟ । "ଚିତ୍ତସ୍ୟ ଶୁଦ୍ଧୟେ କର୍ମଣେ ।' ଯେଉଁ ପ୍ରେମ ତୁମର ପ୍ରାଣବାୟୁ ତାହାକୁ କର୍ଷଣ କର । ବୃକ୍ଷଟି ସବୁଜ ପତ୍ର, ଡାଳ, ଫଳରେ ପରିପୂର୍ଣ୍ଣ ଥିଲାବେଳେ ତୁମେ ତାହା ପ୍ରତି ଆକର୍ଷିତ ହୋଇଥାଅ । ସେ ସବୁ ଯେତେବେଳେ ଶୁଖିଯାଏ ତୁମେ ତାକୁ କାଟି ପକାଅ କାରଣ ବର୍ତ୍ତମାନ ସେଥିରେ ଜୀବନ ନାହିଁ । ପ୍ରେମଶୂନ୍ୟ ବ୍ୟକ୍ତି ମୃତ ବୃକ୍ଷ ସହ ସମାନ । କୋଇଲାକୁ ଆଞ୍ଚ କରିବା ପାଇଁ ନିଅାଁ ଯେପରି ଅତ୍ୟାବଶ୍ୟକ ସେହିପରି ମଣିଷ ପାଇଁ ପ୍ରେମ ନିତାନ୍ତ ପ୍ରୟୋଜନ ।
ଦିବ୍ୟପ୍ରେମ ଉପରେ ମନକୁ ପର୍ଯ୍ୟବସିତ କରି ନିଜକୁ ଦୁର୍ବଳତାରୁ ମୁକ୍ତ କର, କାରଣ ଦିବ୍ୟକୃପା ପ୍ରଚଣ୍ଡ ଶକ୍ତି ପ୍ରଦାନ କରିଥାଏ । ଅନ୍ୟ ସମସ୍ତ ବସ୍ତୁ ମିଳିପାରେ, ଚାଲିଯାଇପାରେ କିନ୍ତୁ ଦିବ୍ୟକୃପା ଚିରସ୍ରୋତା । ତୁମେ ଅନ୍ୟକିଛି କର ନକର ଦିବ୍ୟପ୍ରେମ ବିକାଶ କର । ଭଗବାନ ନିଦେ୍ର୍ଦଶକ, ମଣିଷ ଅଭିନେତା ମାତ୍ର । ଭଗବାନଙ୍କ ନାଟକରେ ସୁଦକ୍ଷ ଅଭିନୟ ପ୍ରଦର୍ଶନ କର । ଆତଙ୍କ, ଅନାସ୍ଥା ଓ ଅଭିଯୋଗ ପୂର୍ଣ୍ଣ ଏହି ସଂସାରରେ ତୁମ୍ଭମାନଙ୍କୁ ଭଗବାନଙ୍କ ଦେବଦୂତ ଭାବେ ଦଣ୍ଡାୟମାନ ହେବାକୁ ପଡ଼ିବ ଓ ସତ୍ୟ, ପ୍ରେମ ଓ ଶାନ୍ତିର ମୂର୍ତ୍ତିମନ୍ତ ରୂପ ଗ୍ରହଣ କରିବାକୁ ପଡ଼ିବ । ଦୈବତ୍ୱ ବାବଦରେ ଉପଲବ୍ଧି ଆଣିଦିଅ । ଭଗବାନ କ'ଣ, ସତ୍ୟ କ'ଣ, ପ୍ରେମ କ'ଣ ଏବଂ ମନ ଓ ସଂସାର ଭିତରେ ଥିବା ସମ୍ପର୍କ କ'ଣ ଜାଣିରଖ । ଧନ ଲାଳସାରେ ଆଜିର ଯୁବକଯୁବତୀମାନେ ବିଦେଶକୁ ଚାଲିଯାଉଛନ୍ତି । ଏଠାରେ ଯେତିକି ପାଉଛ ସେଥିରେ ତୁମେ ସନ୍ତୁଷ୍ଟ ନ ହୋଇ ଲୋଭର ବଶବର୍ତ୍ତୀ ହୋଇପଡ଼ୁଛ । ତୁମର ହସ୍ତ ଏଠାରେ କର୍ମକରୁ ମାତ୍ର ମନ ଅରଣ୍ୟରେ ବାସ କରୁ । ଏହା ହିଁ ପ୍ରକୃତ ବିଶ୍ରାମ । ଲୋକମାନେ ଟଙ୍କାପଇସା ପ୍ରତି ଏତେ ମାତ୍ରାରେ ଆସକ୍ତ ଯେ ତାଙ୍କ ମୃତୁ୍ୟଶଯ୍ୟାରେ ସେମାନେ ଭଗବାନଙ୍କୁ ମନେପକାଇ ପାରୁନାହାନ୍ତି । ତୁମ୍ଭମାନଙ୍କୁ ପାପଭୀତି ଓ ସଂଘନୀତି ବିଷୟରେ କୁହାଯାଇଛି । ଏହି ଆଦର୍ଶକୁ ଅନ୍ତର ସହିତ ଗ୍ରହଣ କରି ଦୈନନ୍ଦିନ ଜୀବନରେ ଅଭ୍ୟାସ କର ।
ବର୍ତ୍ତମାନ ସମୟରେ ଲୋକମାନଙ୍କ ଭିତରେ କେବଳ ଗଣ୍ଡଗୋଳ ଓ ବିଦ୍ୱେଷଭାବ ପରିଲକ୍ଷିତ ହେଉଛି । ତୁମକୁ ଏକତା, ପବିତ୍ରତା ଓ ଦୈବତ୍ୱର ବାର୍ତ୍ତା ପ୍ରସାର କରିବାକୁ ହେବ । ସ୍ୱାମୀ ବିବେକାନନ୍ଦ କହିଥିଲେ, "ମୋତେ ଦଶଜଣ ପବିତ୍ର ପ୍ରାଣ ବ୍ୟକ୍ତି ଦିଅ, ମୁଁ ପୃଥିବୀକୁ ସଜାଡ଼ି ଦେବି ।' ଭଗବାନ ବାବା କହନ୍ତି, ମାତ୍ର ଜଣେ ସଠିକ୍ ବ୍ୟକ୍ତିକୁ ନେଇ ରୂପାନ୍ତରଣ ଆଣି ଦେଇପାରିବି ।' ଭଗବାନ ତୁମ ଜୀବନର ଏକମାତ୍ର ଭିତ୍ତି ହୁଅନ୍ତୁ । ତାହା ପାଖକୁ ଯେତେ ଗୁଡ଼ିଏ ଶୂନ୍ୟ ଲେଖିଲେ ତାହାର ମୂଲ୍ୟ ବଢ଼ି ବଢ଼ି ଯାଉଥିବ । କିନ୍ତୁ ସେ ଏକ ସଂଖ୍ୟାଟି ନଥିଲେ କେବଳ ଶୂନ୍ୟଗୁଡ଼ିକ କୌଣସି କାମରେ ଆସିବ ନାହିଁ । ଭଗବାନ ସେହି ସଂଖ୍ୟା, "ଏକ' । ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ ପ୍ରଭୃତି ସାମାନ୍ୟ ଶୂନ । ଭଗବାନଙ୍କ ଠାରେ ପୂର୍ଣ୍ଣ ବିଶ୍ୱାସ ରଖ ଓ ତାଙ୍କ ପାଖରେ ସମର୍ପିତ ହୁଅ । ନୈବେଦ୍ୟ ଅର୍ପଣର ଭାବ ନେଇ ସେବାକାମ କରିଚାଲ । ଭଗବାନଙ୍କ ନାମ କୀର୍ତ୍ତନ କରି ଭଗବାନଙ୍କ ମହିମାର ପ୍ରସାର କରିଚାଲ । ସମଗ୍ର ପୃଥିବୀର ବାତାବରଣ ପରିବର୍ତ୍ତନ ହୋଇଯିବ, ଉନ୍ନତ ହୋଇଯିବ, ପବିତ୍ର ହୋଇଯିବ ।
ମୋ : ୯୪୩୭୫୧୧୨୩୦