"ହେ ଈଶ୍ୱର, ରକ୍ଷା କର'
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଆମେ ଅବସନ୍ନ ହୋଇପଡ଼ି ଈଶ୍ୱରଙ୍କୁ ବ୍ୟାକୁଳ ଭାବେ ଚିକ୍ରାର କରି ଯେଉଁ କହୁ, "ହେ ଈଶ୍ୱର ମତେ ରକ୍ଷା କର' ବୋଲି ସେନେଇ କିଛି ମରମ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଆଜିର ଦିନରେ ସମ୍ପର୍କର ମୂଲ୍ୟ ପ୍ରାୟତଃ ସଙ୍କୁଚିତ । ସମ୍ପର୍କର ପରିଭାଷା ବି ସ୍ଥାନ, କାଳ, ପାତ୍ର ଭିତ୍ତିରେ ବଦଳିଯାଉଛି । ହେଲେ ଆଜ୍ଞା, ଏହା ପଛରେ ମୂଳ କାରଣଟିକୁ ଆମେ କେବେ ଖୋଜିବାକୁ ଚେଷ୍ଟା କରିଛେ?
କହିବାକୁ ଗଲେ ଆଜିକା ଦିନରେ ସମ୍ପର୍କର ମୂଲ୍ୟ, କେବଳ ଦେବା ଆଉ ନେବାର । "କିଏ ଯଦି ମୋର ସ୍ୱାର୍ଥର କାରଣ ହେବ, ତେବେ ଯାଇ ତା' ପାଇଁ କିଛି କରିବି, ନହେଲେ ନାଇଁ' କିମ୍ବା "ତୁ ମୋର ଅମୁକଟା କରିଦେ, ମୁଁ ତୋର ସମୁକଟା କରିଦେବି' ନ୍ୟାୟରେ ଜୀବନ ଛନ୍ଦିି ହୋଇଯାଇଛି । ଏହା ନହେଲେ ମୋର ଦୁନିଆ କାମ, ମୋ ପାଖରେ ସମୟ ନାହିଁ ବୋଲି କଥାମାନ ଶୁଣିବାକୁ ମିଳେ ।
ଆଜି ସମ୍ପର୍କ ବୋଇଲେ କେବଳ ଆପଣାର ସ୍ୱାର୍ଥ ହିଁ ସର୍ବସ୍ୱ!
ଏ ନଶ୍ୱର ଜୀବନରେ ଏହା ଏକ ବଡ଼ ଉପଲବ୍ଧି ନୁହେିଁ । ଦବା ଆଉ ନବା ଭିତରେ କଣ ସମ୍ପର୍କ ବଳିଷ୍ଠ ହୋଇପାରେ କି? ପାଇବାର ଆଶା କି ହରାଇବାର ଦୁଃଖ ଯେଉଁଠି ବିଲୀନ ହୋଇଯାଏ ସେଇଠି ଥାଏ ଜୀବନର ପ୍ରକୃତ ଆନନ୍ଦ । ଏହି ଆନନ୍ଦ ହିଁ ଜୀବନକୁ ମଧୁମୟ କରି ତୋଳେ । ପାର୍ଥôବ ସମ୍ପତ୍ତିର କ୍ଷଣସ୍ଥାୟୀ ସୁଖ, ମଣିଷକୁ ମଣିଷ କରିପାରେନି; ଅମଣିଷ କରିପକାଏ, ଅନ୍ଧ କରିପକାଏ ।
ତେବେ ସମ୍ପର୍କ ଭିତରେ ମଣିଷ କେବଳ ସ୍ୱାର୍ଥ ଭିତରେ ବନ୍ଧା ହୋଇଗଲେ ଜୀବନଟା ଆଉ ଜୀବନ୍ତ ହୋଇପାରେ ନାହିଁ । ପ୍ରତି ମୁହୂର୍ତ୍ତରେ ମଣିଷ ନିଜକୁ ଅଣନିଃଶ୍ୱାସୀ ମନେ କରେ । ସ୍ୱାର୍ଥ ଯେତେବେଳେ ବେଲଗାମ୍ ହୋଇଯାଏ, ସେତେବେଳେ ମଣିଷର ଜୀବନ ମଧ୍ୟ ଅଦୃଶ୍ୟ ଭାବରେ ଅଣାୟତ୍ତ ହୋଇପଡ଼ିଥାଏ । ଅଣାୟତ୍ତ ଅବସ୍ଥାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ବେଳେ ମଣିଷ ନାକେଦମ୍ ହବାକୁ ହୋଇଥାଏ । ଆଉ ଶେଷରେ ମଣିଷ ଅବସନ୍ନ ହୋଇପଡ଼ି ଈଶ୍ୱରଙ୍କୁ ବ୍ୟାକୁଳ ଭାବେ ଚିକ୍ରାର କରି କହେ, "ହେ ଈଶ୍ୱର ମତେ ରକ୍ଷା କର!' ସୁଖରେ ଈଶ୍ୱରଙ୍କୁ ଭୁଲି ଯାଉଥିବା ମଣିଷ କେବଳ ଦୁଃଖରେ ହିଁ ଡ଼ାକେ । ସୁଖରେ ନିଜକୁ ହିଁ ଦେଖିଥାଏ ଏବଂ ନିଜ ଅହଂକାର, ଆତ୍ମବଡ଼ିମାରେ ଡୁବେଇ ରଖିଥାଏ । ଜୀବନରେ ସବୁକିଛି ଏକୁଟିଆ କରିବା ସମ୍ଭବପର ନୁହେଁ । ଜୀବନରେ ଏକୁଟିଆ କେହି କିଛି କରିପାରେନି । ଜଣେ ଏକଲା ଚାଲିଲେ ମଧ୍ୟ ଅନ୍ୟମାନଙ୍କ ଗହଣରୁ ଦୂର ହୋଇପାରିିବ ନାହିଁ । ସେଇଥିପାଇଁ ସମ୍ପର୍କର ସୃଷ୍ଟି । ଜୀବନରେ ଅନେକ ସମ୍ପର୍କରେ ଭଟ୍ଟା କେବଳ ସ୍ୱାର୍ଥ ପାଇଁ ହିଁ ପଡ଼ିଥାଏ ଏବଂ ତା'ରି କାରଣ ଆମେ ନିଜେ । ଈଶ୍ୱର ସବୁ ଦୁଃଖ ବା ସୁଖର ମୂଳ କାରଣ ନୁହଁନ୍ତି । ଆମକୁ ଏତକ ବୁଝିବାକୁ ହେବ ଏବଂ କୃତକର୍ମ ପ୍ରତି ଯଥେଷ୍ଟ ସଚେତନ ରହିବାକୁ ପଡ଼ିବ । ହଉ ଆଜ୍ଞା, ଆଜି ପାଇଁ ତାହା ହେଲେ ଏତିକିରେ ରହୁଛି । ଆପଣ ଭଲରେ ଥାଆନ୍ତୁ, ନମସ୍କାର ।