ଯୁଦ୍ଧର ଦାବାଗ୍ନିରେ ଜର୍ଜରିତ ଜଗତ


୨୦୨୨ ଫେବୃଆରୀ ୨୪ରୁ ଋୁଷ-ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ଚାଲିଛି । ଥମିବାର ନାଁ ଧରୁନି । ଏଇ ୨୦୨୩ ଅକ୍ଟୋବର ୭ ତାରିଖରେ ପାଲେଷ୍ଟାଇନ୍-ହମାସ୍ ଇସ୍ରାଏଲ ଉପରେ ୨୦ ମିନିଟ୍ରେ ୭୦୦୦ ରକେଟ୍ ମାଡକରି ସାରାବିଶ୍ୱକୁ ଚମକାଇଦେଲା । ପାଲେଷ୍ଟାଇନ୍ ଠାରୁ ଇସ୍ରାଏଲ ୧୦୦ ଗୁଣ ଶକ୍ତିଶାଳୀ । ଇସ୍ରାଏଲ ପ୍ରତିଶୋଧ ନେବାପାଇଁ ଗାଜା ଉପରେ ବୋମାବର୍ଷଣ କରିଚାଲିଛି ା ଉଭୟପଟରୁ ସୈନ୍ୟ-ସାଧାରଣ ନାଗରିକଙ୍କ ମୃତୁ୍ୟସଂଖ୍ୟା ଓ ଆହତସଂଖ୍ୟା ବଢିବାରେ ଲାଗିଛି । ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧରେ ରକ୍ତର ହୋରିଖେଳ ଚାଲିଛି । ଯେଉଁମାନେ ଯୁଦ୍ଧ କ’ଣ ଜାଣିନାହାଁନ୍ତି - ଶତ୍ରୁତା କ’ଣ ବୁଝିନାହାଁନ୍ତି - ସେଇ ସାଧାରଣ ନାଗରିକ, ନାରୀ, ଶିଶୁମାନଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରାଯାଉଛି । ବର୍ବରତାର ସୀମା ଟପିଗଲାଣି । ସବୁଠି ଜଳୁଛି ଅଶାନ୍ତି ଅସନ୍ତୋଷର ନିଆଁ । ବଂଗଳାଦେଶ, ଇଂଲଣ୍ଡ, ଇରାନ୍-ପାଲେଷ୍ଟାଇନ୍ ଏମାନଙ୍କ ସହଯୋଗୀ ମଧ୍ୟରେ ଏକପ୍ରକାର ଯୁଦ୍ଧ ଚାଲିଛି । ବହୁ ଲୋକ ମୃତାହତ । ଇସ୍ରାଏଲ-ଇରାନ୍ ଯୁଦ୍ଧ ମଧ୍ୟପ୍ରାଚ୍ୟ ଭୀଷଣ ଭୟଙ୍କର ହେବାକୁ ଯାଉଛି । ଏବେ ବଂଗଳାଦେଶ ଅନ୍ତର୍ବିବାଦ ଓ ବିଦ୍ରୋହର ନିଆଁରେ ଜଳୁଛି ।
ସଂପ୍ରତି ଯୁଦ୍ଧର କଳାବାଦଲ ସାରାଆକାଶକୁ ଆଚ୍ଛାଦିତ କଲାଣି । ମେଦିନୀ ଥରୁଛି । ଏ ପୃଥିବୀର ୪ ଭାଗରୁ ଭାଗେ ସ୍ଥଳ ପାଇଁ ଦେଶ ଦେଶ ମଧ୍ୟରେ କେତେ ଯେ ଯୁଦ୍ଧ ହୋଇଗଲାଣି, କେତେ ଯେ ଧନସଂପତ୍ତି ଜୀବନ ନଷ୍ଟ ହେଲାଣି ତା’ର ହିସାବ କରିବା କଷ୍ଟକର । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାରାବିଶ୍ୱ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା । ଏବେ ମଧ୍ୟ ରୁଷ-ୟୁକ୍ରେନ୍, ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧରେ ବିଶ୍ୱର ବିଭିନ୍ନ ଦେଶ ପକ୍ଷଭୁକ୍ତ ହେବାରେ ଲାଗିଛନ୍ତି ା  ୨୦୨୪ରେ ପୃଥିବୀ ଧ୍ୱଂସଆଡକୁ ଅଗ୍ରସର ହେବାକୁ ଯାଉଛି । ପ୍ରାକୃତିକ-ମନୁଷ୍ୟକୃତ ବିପଦ ଏକାକାର ହୋଇଗଲାଣି ା ଯୁଦ୍ଧଯୋଗୁ ଜଗତରେ ଜଘନ୍ୟ ଘଟଣାମାନ ଘଟିଚାଲିଛି ା ଏ ଘୋର କଳିକାଳରେ କେବଳ ଯୁଦ୍ଧ ନୁହେଁ - ମହାମାରୀ ମଧ୍ୟ ମାଡିଆସୁଛି । କରୋନାଠାରୁ ସାତଗୁଣ ଶକ୍ତିଶାଳୀ ଭୟଙ୍କର ଜୀବାଣୁ ‘ଡିଜିଜ୍ ଏକ୍ସ୍’ ଆକ୍ରମଣରେ ରକ୍ଷାପାଇବା କଷ୍ଟକର । ଯୁଦ୍ଧ, ଭୋକ-ରୋଗରେ ସାରାସଂସାର ଜୀବଜଗତ ଛଟପଟ ହେଉଛନ୍ତି । ନାରୀ, ଜମି, ଧନ, ଧର୍ମ ପାଇଁ ଯୁଦ୍ଧ । ଏବକାର ଯୁଦ୍ଧ ଜମି ଅର୍ଥାତ୍ ଦେଶ ଦଖଲ, ଧର୍ମ-ଧର୍ମ ମଧ୍ୟରେ ଯୁଦ୍ଧ ।  ୨ୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱରେ ଶୀତଳଯୁଦ୍ଧ ଲାଗିରହିଛି । ଆମେରିକା-ଭିଏତନାମ୍ ଯୁଦ୍ଧ, ତୁର୍କୀ-ସିରିଆ ଯୁଦ୍ଧ, ଚୀନ୍-ଭାରତ ଯୁଦ୍ଧ, ପାକିସ୍ତାନ-ଭାରତ, ଏବେ ରୁଷ-ୟୁକ୍ରେନ୍ - ସଂପ୍ରତି ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ ପ୍ରମୁଖ ଭାବେ ଦେଖାଦେଇଛି । ଲେବାନନ୍ର ଲଢୁଆ ଗୋଷ୍ଠୀ ହିଜିବୁ୍ଲ୍ୱାହା ଯୁଦ୍ଧକ୍ଷେତ୍ରରେ । ଇସ୍ଲାମିକ୍ ଜିହାଦ୍ ଚରମପନ୍ଥୀ ଗୋଷ୍ଠୀ, ଆଦିବାସୀ ସଂଗଠନ ‘ହାଇଥି’ ଦୁର୍ଦ୍ଧର୍ଷ ସଂଗଠନ ଇସ୍ରାଏଲକୁ ଷଣ୍ଢୁଆସି ଆକ୍ରମଣ କରୁଛନ୍ତି । ଇରାନ୍-ସିରିଆ-ଲେବାନନ୍ ସହାୟତା ଯୋଗାଇଦେଉଛନ୍ତି । ଇରାନ୍-ରୁଷ୍-ଚୀନ୍ ସମସ୍ତେ ହମାସ୍ ପକ୍ଷରେ । ଯୁଦ୍ଧଭୂମିରେ ବିଶେଷକରି ଗାଜା ରାସ୍ତାରେ କୁଢକୁଢ ଶବର ପାହାଡ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ତୈଳ ସଂକଟ ଦେଖାଯିବ । ଇରାନ୍ ତୈଳ ସମ୍ପଦରେ ବଳୀୟାନ୍ । ସେଠାରୁ ତୈଳ ନଆସିଲେ ଡିଜେଲ୍-ପେଟ୍ରୋଲ୍ ଦାମ୍ ବଢିଯିବ । ଏହା ବିଶ୍ୱସଂକଟରେ ପରିଣତ ହେବ । କଳିଯୁଗରେ ଭୂମି ଓ ଧର୍ମ ପାଇଁ କେତେ ଯେ ଯୁଦ୍ଧ ଲାଗି ଧନସଂପତ୍ତି ଜୀବନ ଛାରଖାର୍ - ତାର ହିସାବ ନାହିଁ ା ଆଜି ଜମି ଖଣ୍ଡକ ପାଇଁ ଗାଁରେ ଭାଇଭାଇ ମଧ୍ୟରେ ଲଢେଇ, ଦେଶଦେଶ ମଧ୍ୟରେ ଯୁଦ୍ଧ ଲାଗିରହିଛି ା ଏଇ ବିଶ୍ୱରେ ବିଭିନ୍ନ ଧର୍ମାବଲମ୍ବୀ ପ୍ରାୟ ସବୁଦେଶରେ ମିଳିମିଶ ବାସ କରୁଛନ୍ତି ା ଖ୍ରୀଷ୍ଟିଆନ୍, ମୁସଲିମ୍, ହିନ୍ଦୁ, ଇହୁଦୀ, ଜିଉ, ବୌଦ୍ଧ, ଜୈନ ପ୍ରମୁଖ ଧର୍ମ ଏବଂ ସେମାନଙ୍କର ପ୍ରାର୍ଥନା ପାଇଁ ଗିର୍ଜା, ମସଜିଦ୍, ଚର୍ଚ୍ଚ, ମନ୍ଦିର, ପାଗୋଡ଼ା ଇତ୍ୟାଦି ଗଢିଉଠିଛି । ଯାହାଫଳରେ ଏଇ ଜମି, ସଂପତ୍ତି, ଧର୍ମକୁ ନେଇ ଅହରହ ଯୁଦ୍ଧ ଲାଗିଚାଲିଛି । 
ଯୁଦ୍ଧଖୋରମାନଙ୍କ ଯୁଦ୍ଧଖୋରମାନଙ୍କ ପାଖରେ ମଣିଷ ଏକ ଖେଳନା । ଛୋଟଛୋଟ ପୋକମାଛି । ଏମାନେ ଆଖିବୁଜି ଗୁଳି ଫୁଟାନ୍ତି - ବୋମାବର୍ଷଣ କରନ୍ତି । ଏମାନଙ୍କଠାରୁ ସ୍ନେହ, ମମତା, ଦୟା, କ୍ଷମା ଆଶା କରିବା ବୃଥା । ଏ ଅହଂକାର ଦିନେ ସାରାବିଶ୍ୱକୁ ପୋଡି ପାଉଁଶ କରିଦେବ - ଏ କଥା ସେମାନେ ବୁଝନ୍ତି କି ? ରୁଷ-ୟୁକ୍ରେନ୍, ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧରେ କଅଁଳାଛୁଆ ବଳିପଡୁଛନ୍ତି । ହସ୍ପିଟାଲରେ ଶହଶହ କଅଁଳାଛୁଆକୁ ବଣକବର ଦିଆଯାଉଛି । ପୁଣି ଇସ୍ରାଏଲ ପରମାଣୁ ବୋମା ନିକ୍ଷେପ କରିବାପାଇଁ ହୁଙ୍କୁହୁଙ୍କୁ ହେଲାଣି । ଅନ୍ୟଦେଶମାନେ ଉଭୟ ଯୁଦ୍ଧଖୋର ଦେଶର ନିଆଁରେ ଘିଅ ଢାଳୁଛନ୍ତି । ସତେ କ’ଣ ଏ ଏକବିଂଶ ଶତାବ୍ଦୀରେ ଯୁଦ୍ଧରେ ମଣିଷ ଶବ ପାଲଟିଯିବ ? ବିଂଶ ଶତାଦ୍ଦୀରେ ଘଟିଯାଇଥିବା ପ୍ରଥମ, ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ବିଶ୍ୱବାସୀ ଏପର୍ଯନ୍ତ୍ୟ ଭୂଲିନଥିବାବେଳେ ଏକବିଂଶ ଶତାବ୍ଦୀରେ ଯୁଦ୍ଧରହିତ ବିଶ୍ୱ କାମନା କରିଥିଲେ ।  ଶୀଘ୍ର ଯଦି କେହିଜଣେ ହାରିଯାଆନ୍ତା - ତେବେ ଯୁଦ୍ଧ ସମାପ୍ତି ହୁଅନ୍ତା । ଜଣେ ହାରିଲାବେଳକୁ ତା’ପକ୍ଷମାନେ ଠେଲାଦେଇ ଯୁଦ୍ଧକୁ ବଂଚେଇ ରଖୁଛନ୍ତି । ଯୁଦ୍ଧର ଇତିହାସ ବିଚିତ୍ର ଓ ଅତ୍ୟନ୍ତ ପୀଡାଦାୟକ । ବିଂଶ ଶତାବ୍ଦୀରେ ୧୯୧୪ରେ ପ୍ରଥମ ବିଶ୍ୱଯୁଦ୍ଧ ୪ବର୍ଷ ଚାଲିଲା । ଏହାପଛରେ ଥିଲା ଜଟିଳ ରାଜନୈତିକ, ସାମାଜିକ ଓ ସାମରିକ କାରଣ । ଏଥିରେ ଏକକୋଟି ସୈନିକ ଓ ଅସଂଖ୍ୟ ଜନସାଧାରଣଙ୍କର ମୃତୁ୍ୟ ହୋଇଥିଲା । ୨ୟ ବିଶ୍ୱଯୁଦ୍ଧ ସବୁଠାରୁ ଘାତକ ଯୁଦ୍ଧ । ପୃଥିବୀର ଅଧିକାଂଶ ଦେଶ ଏହି ଯୁଦ୍ଧରେ ମିତ୍ରଶକ୍ତି ଓ କେନ୍ଦ୍ରଶକ୍ତିରେ ବିଭାଜିତ ହୋଇଥିଲେ । ୧୯୩୯ରୁ ୧୯୪୫ ପର୍ଯ୍ୟନ୍ତ ଲାଗିରହିଥିବା ଯୁଦ୍ଧରେ ପାଖାପାଖି ଆଠକୋଟି ଲୋକ ପ୍ରାଣ ହରାଇଥିଲେ । ଏଥିରେ ନିରୀହ ଜନତା ୫କୋଟି ମରିଥିଲେ । ଆମେରିକା-ଭିଏତନାମ ଯୁଦ୍ଧ ୧୯୫୫ରୁ ଆରମ୍ଭହୋଇ ୨୦ବର୍ଷ ଚାଲିଥିଲା । ପାଖାପାଖି ୨୦ଲକ୍ଷ ଲୋକ ମରିଥିଲେ । ଇତିହାସ ପୃଷ୍ଠାରେ ଯୁଦ୍ଧ ଲାଗିରହିଛି- କେତେବେଳେ ସୀମା ବିବାଦ, ଧର୍ମ ଓ କ୍ଷମତା, ଶକ୍ତିପ୍ରଦର୍ଶନ, ସନ୍ତ୍ରାସବାଦର ପକ୍ଷବିସ୍ତାର ପାଇଁ ବାରମ୍ବାର ଯୁଦ୍ଧ ହୋଇଛି ଏ ବିଶ୍ୱରେ । ଆଫ୍ରିକାର ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ କଙ୍ଗୋ ଯୁଦ୍ଧ, ରାୱାଣ୍ଡା ଗଣହତ୍ୟା, ହୁତୁ ଓ ତୁଚ୍ସି ମଧ୍ୟରେ ଜାତିଗତ ସଂଘର୍ଷରେ ଅନାହାର ଓ ଅପପୃଷ୍ଟି ସହିତ ଏହି ଯୁଦ୍ଧରେ ୩୦ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଆରବ ସ୍ପ୍ରିଙ୍ଗ୍ ଗଣତନ୍ତ୍ର ସପକ୍ଷ ଯୁଦ୍ଧର ତରଙ୍ଗରେ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫି୍ରକାର ଟୁନିସିଆ, ଲିବ୍ୟା, ଇଜିପ୍ଟ, ୟେମେନ୍ରେ ଏକଛତ୍ରବାଦୀ ଶାସକମାନଙ୍କର ପତନ ଘଟିଲା । ସିରିଆ, ଉତ୍ତର ଇରାକ୍ ଉପରେ ଆମେରିକା ଆକ୍ରମଣ କରିଥିଲା । ରୁଷିଆର ହସ୍ତକ୍ଷେପ ଫଳରେ ଯୁଦ୍ଧ ଓଲଟପାଲଟ ହୋଇଯାଇଥିଲା । ଆଉ ଦୁଇଟି ବଡ ଯୁଦ୍ଧ ହେଲା - ଇରାକ୍ ଓ ଆଫଗାନୀସ୍ଥାନ ଯୁଦ୍ଧ । ଇରାକ୍ ଉପରେ ଆମେରିକା ଆକ୍ରମଣ ୨୦୧୦ରୁ ଚାଲିଥିଲା । ଇରାକର ରାଷ୍ଟ୍ରପତ ସଦ୍ଦାମ ହୁସେନ୍ଙ୍କୁ ଫାଶୀଖୁଂଟରେ ଝୁଲାଇ ଦିଆଯାଇଥିଲା । ଆମେରିକାର ୫ହଜାର ମିଳିତସେନା ଏବଂ ଇରାକର ୮୫ହଜାର ଇରାକୀ ନାଗରିକଙ୍କର ମୃତୁ୍ୟ ହୋଇଥିଲା । ଏଥିରେ ସୁନିଗ୍ରୁପ୍ ଆଇ.ଏସ୍.ଆଇ.ଏସ୍. ମୁଣ୍ଡଟେକି ୨୦୧୩ରୁ ୨୦୧୬ ମଧ୍ୟରେ ୫୦ ହଜାରରୁ ଅଧିକ ନାଗରିକଙ୍କୁ ମୃତୁ୍ୟମୁଖକୁ ଠେଲିଦିଆଯାଇଛି ।
ସମଗ୍ର ବିଶ୍ୱ ବର୍ତ୍ତମାନ ଯୁଦ୍ଧମୁହାଁ  । ଯେଉଁମାନଙ୍କ ପାଖରେ ପରମାଣୁବୋମା ଅଛି ସେମାନେ ଯଦି ରାଗରେ ବଟନ୍ ଦବେଇଦିଅନ୍ତି - ତା’ହେଲେ ସମଗ୍ର ବିଶ୍ୱରେ ଘୋର ବିପର୍ଯ୍ୟୟ ଘଟିବ । ବିଶ୍ୱଧ୍ୱଂସର କାରଣ ହେବ ।  କୋଉ ଭଗବାନ କେଉଁ ଦେଶରେ ଅଛନ୍ତି - ଏ ଜଘନ୍ୟ କାଣ୍ଡକୁ ଦେଖି ପ୍ରତିକାର କରିବେ? କୌଣସି ଦେଶର କୌଣସି ସ୍ଥାନ ବର୍ତମାନ ସୁରକ୍ଷିତ ନୁହେଁ । ହଜାର ହଜାର ବର୍ଷ ଧରି ଜାତି-ଜାତି ମଧ୍ୟରେ ପ୍ରଚଳିତ ସାଂସ୍କୃତିକ ବୈଚିତ୍ର୍ୟସଂପନ୍ନ ନାନା ଭେଦବୈଷମ୍ୟ ବଳବତ୍ତର ରହିଆସିଥିବା ସତ୍ୱେ ବିଶ୍ୱସଭ୍ୟତାର ଗତି ଥିଲା ଅବାଧ, ଅବ୍ୟାହତ, ଏପରିକି ପ୍ରଚୁର ପ୍ରତିକୂଳତା ସତ୍ତ୍ୱେ ସ୍ୱାଭାବିକ ମଧ୍ୟ । ଆଜି କିନ୍ତୁ ସେ ଜାତିସଂସ୍କୃତିରୀତିଗତ ବୈଚିତ୍ର୍ୟକୁ ‘ଶତ୍ରୁ’ ବୋଲି ଚିହ୍ନଟକରି ପ୍ରଚଣ୍ଡ ହିଂସ୍ରତାର ବିଷବାର୍ତ୍ତା ପ୍ରଚାର କରାଯାଉଛି । ଫୁଲପତ୍ରର ଏଇ ପୃଥିବୀରେ ପ୍ରତିହିଂସା ନିଜ ବିଷବୃକ୍ଷର କଂଟା ବିଛାଇ କେତେ ଯେ ଅଘଟଣ ଘଟାଇଯାଇଛି - କେବଳ ଇତିହାସ ତା’ର ହିଁ ମୂକସାକ୍ଷୀ । ସବୁଠି କ୍ଷମତା ଓ ସଂପତି ଲୋଭରେ ରକ୍ତପାତ । ମଣିଷପଣର ମଶାଣିପଦାରେ  ଗାଜା ପରିଣତ ହୋଇଗଲାଣି ା ଏହି ନିଷ୍ଠୁରତା ବନ୍ଦ କରିବାକୁ ବିଶ୍ୱବାସୀ ଆଗେଇ ଆସନ୍ତୁ ା 
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩