ରୂପାନ୍ତରଣ ଏକ ସାଧନା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ରୂପାନ୍ତରଣ-କେମିତି ଏକ ସାଧନା, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ଯେ ପର୍ଯ୍ୟନ୍ତ ନିଜ ବିଷୟରେ ଜାଣି ନାହିଁ, ସେ ପର୍ଯ୍ୟନ୍ତ ନିଜ ଶକ୍ତିର ଉପଯୋଗ କରିପାରିବ ନାହିଁ । ବ୍ୟକ୍ତି ନିକଟରେ ଇଚ୍ଛାଶକ୍ତି ଥିଲେ, ଦୃଢ ଆତ୍ମବିଶ୍ୱାସ ଥିଲେ । ପୃଥିବୀର କୌଣସି ଶକ୍ତି ତାକୁ ଅଟକାଇ ପାରିବ ନାହିଁ । ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ମାନ ଅସମ୍ଭବକୁ ସମ୍ଭବ କରିଦେବ । ଆତ୍ମ ସର୍ମପଣ ଭାବ ଧରୁଥିବା ଲୋକ ମେରୁଦଣ୍ଡ ସିଧାକରି ଛିଡା ହୋଇପାରିବ ନାହିଁ । କାରଣ ତା ପାଇଁ ଏକ ଆଶା ବାଡି ସବୁବେଳେ ଦରକାର ପଡିବ । କେହି ଜଣେ ତା' ନିକଟରେ ଠିଆ ନହେଲେ ସେ ନିଜେ ଛଡା ହୋଇପାରିବ ନାହିଁ । ଅନ୍ୟର ଆଶ୍ରାରେ ମଣିଷ ଆଗେଇ ପାରେ ନାହିଁ । ନିଜ ଶକ୍ତି ନିଜ ବୁଦ୍ଧି ବଳରେ ମଣିଷ ଏ ପୃଥିବୀକୁ ଜୟ କରେ । ଇତିହାସର ସମଗ୍ର ଯୁଦ୍ଧର ବିଜେତା ହେଉଛନ୍ତି, ଦୃଢ ଆତ୍ମ ବିଶ୍ୱାସୀ ଏବଂ ଅସମ୍ଭବକୁ ସମ୍ଭବରେ ପରିଣତ କରିବା ପାଇଁ ଦୃଢ ନିଷ୍ଠା ରଖିଥାନ୍ତି । ମଣିଷ ନିଜେ ବି ଶକ୍ତିର ଉସô । ତା' ପାଇଁ ଅନ୍ୟ କୌଣସି ଶକ୍ତିର ଆବଶ୍ୟକତା ନାହିଁ । କଥାରେ ଅଛି ପର କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଉଥିବା ବ୍ୟକ୍ତି ଲକ୍ଷ୍ୟ ହାସଲ କରିପାରେ ନାହିଁ । ଠିକ୍ ସେହିପରି ଅନ୍ୟର ଆଶ୍ରାରେ ଜୀବନ ବିତାଉଥିବା ବ୍ୟକ୍ତି କେବଳ ମାତ୍ର ବଞ୍ଚିପାରିବ । କିନ୍ତୁ ଜୀବନ ଯୁଦ୍ଧରେ ଯୋଦ୍ଧା ଭାବରେ ଇତିହାସ ରଚି ପାରିବ ନାହିଁ । କୌଣସି ଭାଗ୍ୟ, ଭଗବାନ, ଅଦୃଷ୍ଟ, ପ୍ରାରବ୍ଧ କେହି ବି ବିଜୟର ସାଥୀ ହୁଅନ୍ତି ନାହିଁ । ଦୃଢ ଆତ୍ମବିଶ୍ୱାସର ସହ ନିଜକୁ ଉଦ୍ୟମ କରିବାକୁ ପଡିବ । ହାତ ଟେକି ଦେଇ ଭଗବାନ ଭରସା କହଲେ କେବଳ ନିଜ ପୌରୁଷର ଅଭିମାନ ନିଜେ କରିବା ବ୍ୟତୀତ ଆଉ ଅଧିକ କିଛି ହୁଏ ନାହିଁ । ଅନ୍ୟ କାହାର ସାଧନା ବା ନିରନ୍ତର ଉଦ୍ୟମର ଫଳ ଆମକୁ କେବେ ମିଳିବ ନାହିଁ । ଆମେ ଯେତିକି ଚାଷ କରି ବିହନ ବୁଣିବୁ, ସେତିକିର ଅମଳ କେବଳ ଆମକୁ ମିଳିବ । ସେଥିପାଇଁ କଥାରେ ଅଛି "ଦେଇଥିଲେ ପାଇ, ବୁଣି ଥିଲେ ଦାୟୀ ନହେଲେ ଗୋଧନ ପଡିଆରେ ଚରାଇ' । ଅର୍ଥାତ୍ ନିଜର ଶକ୍ତି ହିଁ ନିଜ ପାଇଁ ଅନନ୍ତ ଶକ୍ତିର ଉସô । ନଜେ ନ କରିଲେ ସମ୍ମାନର ସହ ମଣିଷ ଭାବରେ ବଞ୍ଚିବା ଅସମ୍ଭବ । ନିଜର ସାଧନା, ନିଜର ଉଦ୍ୟମ, ନିଜର ପୌରୁଷ ଏସବୁ ହିଁ କେବଳ ମାତ୍ର ନିଜର । ବାପା, ମା, ଭାଇ, ବନ୍ଧୁ କେହି ଆମ ପାଇଁ ଜୀବନ ଯୁଦ୍ଧରେ ଲଢାଇ କରନ୍ତି ନାହିଁ । ଉଦ୍ୟମ ଆମକୁ କରିବାକୁ ପଡିବ । ଅନ୍ୟମାନେ ହୁଏତ କିଛି ସହଯୋଗ କରନ୍ତି । ତେଣୁ ନିଜର ସାଧନା ନିଜର ଅଧ୍ୟବସାୟ, ନିଜର ନିରନ୍ତର ଉଦ୍ୟମ ବିନା କେବଳ ନିଜର ଅସୀମ ଶକ୍ତିର ଅପଚୟ ମାତ୍ର ।