ଭାରତୀୟ ଗଣତନ୍ତ୍ରର ଜୟଯାତ୍ରା

ସମଗ୍ର ଦେଶରେ ଗଣତନ୍ତ୍ରର ରଣଭେରି ବାଜି ଉଠିଛି । ଗତ ଏପ୍ରିଲ ୧୯ରୁ ଆରମ୍ଭ ହେଇଥିବା ଏହି ଭୋଟ ଗ୍ରହଣ ପର୍ବ ଜୁନ ପହିଲା ପର୍ଯ୍ୟନ୍ତ  ଚାଲିବ । ଦେଶର ୯୭ କୋଟି ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଲୋକସଭା ଏବଂ କେତେକ ରାଜ୍ୟର ବିଧାନସଭା ସକାଶେ ବିଭିନ୍ନ ପର୍ଯ୍ୟାୟରେ ମତଦାତାମାନେ ସେମାନଙ୍କର ଅଧିକାର ସାବ୍ୟସ୍ତ ପୂର୍ବକ ପ୍ରାର୍ଥୀ ଚୟନ କରିବେ । ପର୍ଯ୍ୟାୟଭିତ୍ତିକ ମତଦାନ ପାଇଁ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ଘୋଷଣା ସହ ସମଗ୍ର ଦେଶରେ ଲାଗୁ ହୋଇଯାଇଛି ଆଦର୍ଶ ଆଚରଣ ବିଧି । ଲୋକସଭା ସହିତ ଯେଉଁ କେତେକ ରାଜ୍ୟ ଚାରି ବିଧାନସଭା ସକାଶେ ଭୋଟ ଦାନ ହେବ ସେଗୁଡ଼ିକ ହେଲା ଓଡ଼ିଶା, ସିକିମ, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ । ସାରା ଦେଶରେ ଗଣତନ୍ତ୍ରର ଏହି ମହାପର୍ବ ଲାଗି ମାହୋଲ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଏବଂ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମତଦାତା ମାନଙ୍କୁ ପ୍ରଭାବିତ କରିବା ସକାଶେ ଭରପୂର ପ୍ରୟାସ ଚଳାଇଛନ୍ତି । 
ନିର୍ବାଚନ ଗଣତନ୍ତ୍ରର ଜୀବନ ରେଖା । ଏଥିପାଇଁ ଏହା ଅବାଧ ଓ ନିରପେକ୍ଷ ହେବା ସହ ସାଧାରଣ ଲୋକଙ୍କର ଅଂଶ ଗ୍ରହଣ ଜରୁରି । ଦୀର୍ଘଦିନର ସାମ୍ରାଜ୍ୟବାଦ ଓ ଉପନିବେଶବାଦ ବିରୋଧୀ ସଂଗ୍ରାମରୁ ସ୍ୱାଧୀନତା ପାଇବା ପରେ ଏକ ନିର୍ବାଚିତ ସରକାର ଗଠନ କରିବା ସ୍ୱାଧୀନ ଭାରତ ଆଗରେ ସବୁଠୁ ବଡ଼ ଆହ୍ୱାନ ଥିଲା । ପୁଣି ଭାରତର ସାମ୍ପ୍ରଦାୟିକ ବିଭାଜନ ହୋଇ ସାରିଛି ଓ ଉଭୟ ପକ୍ଷର ପ୍ରାୟ ୧୧ ନିୟୁତ ଜନଗଣ ବିସ୍ଥାପିତ ହେବା ସହ ଅନେକ ଦଙ୍ଗାରେ ପ୍ରାଣ ହରାଇଛନ୍ତି । ଏପରି ପୃଷ୍ଠଭୂମିରେ ଭାରତର ଗଣତନ୍ତ୍ରର ସଫଳତା, କାର୍ଯ୍ୟକାରିତା ଓ ସ୍ଥାୟିତ୍ୱ ପ୍ରତି ଅନେକ ପାଶ୍ଚାତ୍ୟ  ପଣ୍ଡିତମାନେ ପ୍ରଶ୍ନବାଚୀ ଉପସ୍ଥାପିତ କରିଥିଲେ । ଏସବୁକୁ ଭୁଲ ପ୍ରମାଣିତ କରି ଭାରତୀୟ ଗଣତନ୍ତ୍ରର ଜୟଯାତ୍ରା ପ୍ରଥମ ନିର୍ବାଚନରୁ ଆରମ୍ଭ ହୋଇଥିଲା । ଏହାର ଅନେକ ତଥ୍ୟ ଆଜିର ପିଢ଼ିକୁ ଆଶ୍ଚର୍ଯ୍ୟ କଲାଭଳି ଅଟେ । ଏହି ନିର୍ବାଚନ କେବଳ ଗଣତନ୍ତ୍ରର ଶକ୍ତିଶାଳୀ ମୂଳଦୁଆ ପକାଇ ନଥିଲା, ବରଂ ଏକ ସମୃଦ୍ଧ ଗଣତାନ୍ତ୍ରିକ ଐତିହ୍ୟ ଓ ପରମ୍ପରା ଛାଡ଼ି ଯାଇଛି । ଯାହାକୁ ଭିତ୍ତିକରି ଭାରତୀୟ ଗଣତନ୍ତ୍ରର ଯାତ୍ରା ଅବ୍ୟାହତ ରହିଛି । ଅନେକ ଉପନିବେଶ ପରବର୍ତ୍ତୀ ରାଷ୍ଟ୍ର ଓ ସମାଜରେ ଗଣତନ୍ତ୍ର ମାଟି କାମୁଡ଼ିଛି ଓ ଏକଛତ୍ରବାଦକୁ ଜନ୍ମ ଦେଇଛି । କିନ୍ତୁ ଭାରତୀୟ ଗଣତନ୍ତ୍ରର ଚେର ଏତେ ଗଭୀର ଯେ ଏହାକୁ ମୂଳୋତ୍ପାଟନ କରିବା କଷ୍ଟସାଧ୍ୟ । ସମଗ୍ର ତୃତୀୟ ବିଶ୍ୱରେ ଗଣତନ୍ତ୍ରର ମୂଳଦୁଆ ପ୍ରଥମ ନିର୍ବାଚନରେ ହିଁ ପଡ଼ିଥିଲା । ପାଶ୍ଚାତ୍ୟ ରାଷ୍ଟ୍ରମାନେ ଏକାଥରକେ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ପ୍ରଦାନ କରିପାରିନଥିଲେ । ପ୍ରଥମେ ଧନିକ ଶ୍ରେଣୀ, ପରେ ଶ୍ରମିକ ଓ ସବା ଶେଷରେ ମହିଳାମାନଙ୍କୁ ଅଧିକାର ପ୍ରଦାନ କରାଯାଇଥିଲା । କିନ୍ତୁ ଭାରତୀୟ ସମ୍ବିଧାନରେ ସାର୍ବଜନୀନ ସାବାଳକ ଭୋଟ ବ୍ୟବସ୍ଥା କରାଯାଇଥିଲା । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଅଞ୍ଚଳ, ଭାଷା ଓ ସମ୍ପତ୍ତି ନିର୍ବିଶେଷରେ ସମସ୍ତ ୨୧ ବର୍ଷ ପ୍ରାପ୍ତ ନାଗରିକଙ୍କୁ ପ୍ରଥମ ନିର୍ବାଚନରେ ହିଁ ଭୋଟ ଦେବାର ଅଧିକାର ପ୍ରଦାନ କରାଯାଇଥିଲା । ଏହା ସମଗ୍ର ବିଶ୍ୱରେ ଗଣତନ୍ତ୍ର ଇତିହାସରେ ଏକ ବଡ଼ ସାଫଲ୍ୟ । 
ଏକ ଦୃଢ଼ ଏବଂ ସଶକ୍ତ ଗଣତାନ୍ତ୍ରିକ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ନିର୍ବାଚନ । କାରଣ ରାଜନୈତିକ ପୃଷ୍ଠଭୂମିର ଏହି ମହାନ ଗଣପର୍ବ ଗଣତନ୍ତ୍ର ବ୍ୟବସ୍ଥାର ପ୍ରକୃତ ଅର୍ଥ ଓ ଅଭିପ୍ସାକୁ ପରିପୂରଣ କରିଥାଏ । ନାଗରିକ ଅଧିକାର ଏବଂ ସମ୍ମିଳିତ ଶାସନ ବ୍ୟବସ୍ଥାରେ ସାଧାରଣ ନାଗରିକଙ୍କ ଭାଗିଦାରିତାର ପରିକଳ୍ପନାକୁ ନେଇ ଯେ ଗଣତନ୍ତ୍ର ବ୍ୟବସ୍ଥାର ପ୍ରାରମ୍ଭ ଏହା ଅନସ୍ୱୀକାର୍ଯ୍ୟ । ଐତିହାସିକମାନଙ୍କ ମତରେ ପାଶ୍ଚାତ୍ୟ ସଭ୍ୟତାର ମୂଳଦୁଆ ପକାଇଥିବା ପ୍ରାଚୀନ ଗ୍ରୀସ୍ରେ ହିଁ ଗଣତନ୍ତ୍ରର ସୃଷ୍ଟି । ଖ୍ରୀଷ୍ଟପୂର୍ବ ୫୦୮ ଶତାବ୍ଦୀରେ ଏଥେନ୍ସର ସିରକାରେ ଏହି ବ୍ୟବସ୍ଥାର ପରିକଳ୍ପନା ସହ ସମ୍ବିଧାନ ଗଠନରେ ଶାସନ ବ୍ୟବସ୍ଥାର ପରିଚାଳନା ଆରମ୍ଭ ହୁଏ ବୋଲି ଇତିହାସ କୁହେ । କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ବିଶ୍ୱର ସର୍ବପୁରାତନ ସଭ୍ୟତା ଭାବେ ଭାରତରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଯେ ଅୟମାରମ୍ଭ ହୋଇଥିଲା ତାହା ମଧ୍ୟ ପ୍ରାଚୀନ ଇତିହାସ ପୃଷ୍ଠା ବର୍ଣ୍ଣନା କରେ । ଐତିହାସିକମାନଙ୍କ ମତରେ ଅଖଣ୍ଡ ଭାରତର ବିଭିନ୍ନ ପ୍ରାଦେଶିକ ଭାଗରେ ସଂଘ ଏବଂ ଗଣ ବ୍ୟବସ୍ଥାରେ ଗଣତନ୍ତ୍ରର ମୂଲ୍ୟବୋଧ ନିହିତ ଥିଲା । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଭାରତର ବିଭିନ୍ନ ଅଞ୍ଚଳରେ ଚତୁର୍ଥ ଶତାବ୍ଦୀ ଯାଏଁ ବଳବତ୍ତର ରହିଥିଲା । ତେବେ ଆଧୁନିକ ସମାଜରେ ଗଣତାନ୍ତ୍ରିକ ବ୍ୟବସ୍ଥାର ପୁନରୁତ୍ଥାନ ସହ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହି ବ୍ୟବସ୍ଥା ଆରମ୍ଭ ହେଲା ଏବଂ ସମୟକ୍ରମେ ଭାରତ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ ଭାବେ ମର୍ଯ୍ୟାଦା ଲାଭ କଲା ।  ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ଏବେ ସାଧାରଣ ନିର୍ବାଚନ ଚାଲିଛି । ଏଥିପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି । ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଜରିଆରେ ବିଜ୍ଞାପନ, ସଭା ଆଦି କରୁଛନ୍ତି । ନିର୍ବାଚନୀ ବିଶେଷଜ୍ଞଙ୍କ କହିବାନୁଯାୟୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତରେ ୧ଲକ୍ଷ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା । ସେହି ସମୟରେ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏପରିକି ଏହି ସୀମା ୧୯୫୭, ୧୯୬୨ ଏବଂ ୧୯୬୭ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଥିଲା । କିନ୍ତୁ ୧୯୭୧ରେ ପ୍ରଥମଥର ପାଇଁ ଏଥିରେ ସଂଶୋଧନ ଅଣାଯାଇ ୩୫ ହଜାର କରାଯାଇଥିଲା । ୧୯୭୭ ନିର୍ବାଚନରେ ମଧ୍ୟ ଏହାକୁ ୩୫ ହଜାର ଟଙ୍କାରେ ରଖାଯାଇଥିଲା । କିନ୍ତୁ ୧୯୮୦ ନିର୍ବାଚନରେ ଏହାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ୧୯୮୪ ନିର୍ବାଚନରେ ଏହାକୁ ୧.୫ ଲକ୍ଷ ଟଙ୍କାକୁ ବଢ଼ାଯାଇଥିଲା, ଯାହା ୧୯୮୯ ଏବଂ ୧୯୯୧ ନିର୍ବାଚନରେ ମଧ୍ୟ ଅପରିବର୍ତ୍ତିତ ରହିଥିଲା । ତେବେ ୧୯୯୬ ନିର୍ବାଚନରେ ଏହାକୁ ୪.୫ ଲକ୍ଷ ଟଙ୍କାକୁ, ୧୯୯୮ ନିର୍ବାଚନରେ ୧୫ ଲକ୍ଷ ଟଙ୍କାକୁ, ୨୦୦୪ରେ ୨୫ ଲକ୍ଷ ଟଙ୍କାକୁ ଏବଂ ୨୦୧୪ରେ ୭୦ ଲକ୍ଷ ଟଙ୍କାକୁ  ଏବଂ ୨୦୨୪ ସାଧାରଣ ନିର୍ବାଚନରେ ଏହି ସୀମା ୯୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଛୋଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଖର୍ଚ୍ଚ ସୀମା ଲୋକସଭା ପ୍ରାର୍ଥୀଙ୍କ ପାଇଁ ଓଡ଼ିଶା ଭଳି ରାଜ୍ୟରେ ଧାର୍ଯ୍ୟ କରାଯାଇଛି । ତେବେ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଓଡ଼ିଶା ଭଳି ରାଜ୍ୟରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଏବେ ୪୦ ଲକ୍ଷ ଟଙ୍କା ରହିଥିବାବେଳେ ଛୋଟ ରାଜ୍ୟରେ ୨୮ ଲକ୍ଷ ଟଙ୍କା ରହିଛି ।
ଦେଶରେ ମତଦାତାଙ୍କ ସଂଖ୍ୟା ଏଥର ୯୬.୬ କୋଟିକୁ ବୃଦ୍ଧି ପାଇଛି । ଅର୍ଥାତ୍ ଭୋଟର ପିଛା ଖର୍ଚ୍ଚ ୧୪୦୦ ଟଙ୍କା ରହିବ ବୋଲି ଆକଳନ କରାଯାଇଛି । ଉକ୍ତ ଖର୍ଚ୍ଚ ୨୦୨୦ ଆମେରିକା ନିର୍ବାଚନ ଠାରୁ ମଧ୍ୟ ଅଧିକ ବୋଲି କୁହାଯାଉଛି । ୨୦୧୪ ସାଧାରଣ ନିର୍ବାଚନରେ ହୋଇଥିବା ଖର୍ଚ୍ଚର ୪୫ ପ୍ରତିଶତ ବିଜେପି ପକ୍ଷରୁ ହୋଇଥିଲା । ଚଳିତଥର ଏହା ବୃଦ୍ଧି ପାଇବ ବୋଲି କୁହାଯାଉଛି । ଓଡ଼ିଶାରେ ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ମେ ୧୩ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେଉଛି । ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟର ପ୍ରାର୍ଥୀଙ୍କ ସଂଖ୍ୟା ଜଣା ପଡ଼ିଛି । ଓଡ଼ିଶାରେ ୩ଟି ପର୍ଯ୍ୟାୟରେ ଲୋକସଭା ପାଇଁ ୧୪୧ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି । ନିର୍ବାଚନ କମିସନଙ୍କ ଧାର୍ଯ୍ୟ ସୀମା (୯୫) ଲକ୍ଷ ଅନୁଯାୟୀ ଏହି ପ୍ରାର୍ଥୀ ମାନଙ୍କ ମୋଟ ଖର୍ଚ୍ଚ ୧୩୩.୯୫ କୋଟି ଟଙ୍କା ରହିବ । ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ହେଉଥିବା ବେଳେ ପ୍ରତ୍ୟେକ ନାଗରିକ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଆଗେଇ ଆସିବା ଉଚିତ । ଭାରତର ଏହି ମହାନ ଗଣପର୍ବରେ ଆସନ୍ତୁ ଆମେ ସମସ୍ତେ ସାମିଲ ହୋଇ ଆମ ମୂଲ୍ୟବାନ ଭୋଟଟି ପ୍ରଦାନ କରିବା ।
କଟିକଟା, ମଙ୍ଗଳପୁର, ଯାଜପୁର