ରାମନାମ ଓ ଗାନ୍ଧିଜୀ

ଗାନ୍ଧିଜୀ ଥିଲେ ପରମ ଭାଗବତ । ଚୈତନ୍ୟ ପ୍ରାପ୍ତି ହେବା ପରଠାରୁ ଜୀବନରେ ସେ କେବେ ଭଗବାନଙ୍କୁ ବି ସ୍ମରଣ ହେବାକୁ ଦେଇନାହାନ୍ତି । ଅନ୍ଧାର ରାତିରେ, ପାଣି ଭିତରେ, ଯାତ୍ରା ସମୟରେ, ଅତ୍ୟନ୍ତ ବ୍ୟସ୍ତତା ଭିତରେ ବି ସେ ଭଗବାନଙ୍କୁ ଭୁଲି ନାହାନ୍ତି । ସେ ସର୍ବଦା ନିଜକୁ ନିମିତ୍ତ ମନେ କରୁଥିଲେ ଏବଂ କହୁଥିଲେ ଯେ ସେ ଯାହା କିଛି କରୁଛନ୍ତି, ସେ ସବୁ ପ୍ରଭୁ ରାମଙ୍କର କୃପା । ରାମ ଯାହା ଚାହୁଁଛନ୍ତି ତାଙ୍କ ଦ୍ୱାରା ତାହା କରାଇ ନେଉଛନ୍ତି । ତେଣୁ ତାଙ୍କ ନିଜର କର୍ତ୍ତୃତ୍ୱ କିଛି ନାହିଁ । 
ନିଜର ବ୍ୟକ୍ତିଗତ ଅନୁଭବରୁ ଗାନ୍ଧିଜୀ ଲେଖିଛନ୍ତି ଯେ ବିଷୟ ବାସନା ଉପରେ ବିଜୟଲାଭ କରିବାର ସ୍ୱର୍ଣ୍ଣିମ ଧାରା ରାମନାମ ଛଡ଼ା ଅନ୍ୟ କିଛି ନାହିଁ । ମୁଁ ଯଦି ସଂସାରରେ ବ୍ୟଭିଚାରୀ ହେବାରୁ ରକ୍ଷା ପାଇଯାଇଛି ତାହେଲେ ଏହା କେବଳ ରାମନାମର ପ୍ରଭାବ ଯୋଗୁ । ଯେବେ ଯେବେ ମୋ ଉପରକୁ କଠିନ ପରିସ୍ଥିତି ଆସିଛି, ମୁଁ ରାମ ନାମ ନେଇଛି ଏବଂ ଉପକୃତ ହୋଇଛି । ବିକାର ବିଚାରରୁ ରକ୍ଷା ପାଇବାର ଅମୋଘ ଅସ୍ତ୍ର ହେଉଛି ରାମ ନାମ । ଏ ପ୍ରସଙ୍ଗରେ ଜଣେ ସନ୍ଥଙ୍କର ମନ୍ତବ୍ୟ ହେଉଛି ବିଷୟଜ୍ୱାଳାରୁ ମୁକ୍ତିର ଅମୋଘ ମନ୍ତ୍ର ରାମ ନାମ । କିନ୍ତୁ ହୃଦୟର ଯୋଗ ଆବଶ୍ୟକ । ଅସହାୟ ବାଳକ ଯେପରି ମାଅାଁକୁ ଡାକେ, ସେହିପରି ହୃଦୟ କନ୍ଦରରୁ ପ୍ରଭୁଙ୍କୁ ଡାକିବା ଉଚିତ । ଗାନ୍ଧିଜୀ କହନ୍ତି ରାମ ନାମର ପ୍ରତାପରେ ସମୁଦ୍ରରେ ପଥର ଭାସିଲା, ରାବଣର ବିଶାଳପୁରୀକୁ ବାନରସେନା ଧ୍ୱଂସ କରିଦେଲେ ପୁଣି ରାମ ନାମର ପ୍ରଭାବରେ ହନୁମାନ ବିରାଟ ପର୍ବତ ଉଠାଇ ଧରି ଆଣିଲେ ଏବଂ ଦୁଷ୍ଟ ରାବଣର ଦୁର୍ଗରେ ବର୍ଷାଧିକ କାଳ ରହି ମଧ୍ୟ ସୀତା ତାଙ୍କର ସତୀତ୍ୱ ରକ୍ଷା କରିପାରିଲେ । ଭରତ ଚଉଦବର୍ଷ କାଳ ପ୍ରାଣରକ୍ଷା କରି ରହିପାରିଲେ କାରଣ ତାଙ୍କର କଣ୍ଠରୁ ରାମନାମ ବ୍ୟତୀତ ଅନ୍ୟ କୌଣସି ଶବ୍ଦ ନିର୍ଗତ ହେଉନଥିଲା । ଏଣୁ କଳିଯୁଗର ଦୂଷଣକୁ ସଫା କରିବା ପାଇଁ ନିୟମିତ ରାମନାମ ଜପିବାକୁ ତୁଳସୀ ଦାସ ପରାମର୍ଶ ଦେଇଛନ୍ତି । ଭଗବାନ ରାମଙ୍କ ଉପରେ ଗାନ୍ଧିଜୀଙ୍କର ନିଷ୍ଠା ତାଙ୍କର ଜୀବନରେ ନିରନ୍ତର ଭାବରେ ଦୃଢ଼ ହୋଇ ଚାଲିଲା । କ୍ରମେ ତାହା ବିକଶିତ ଏବଂ ପ୍ରସାରିତ ହେଲା । ଏପରିକି ତାହା ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ସ୍ପର୍ଶ କଲା । ଏପରିକି ତାଙ୍କ ଭଳି ଜଣେ ବ୍ୟକ୍ତି ଶରୀରର ସମସ୍ତ ବ୍ୟାଧିର ଏକମାତ୍ର ଉପଚାର ରାମନାମ ବୋଲି ସ୍ୱୀକାର କଲେ ଏବଂ କହି ଚାଲିଲେ । ତାଙ୍କର ଜଣେ ଶିଷ୍ୟାଙ୍କ ନିକଟକୁ ସେ ଗୋଟିଏ ପତ୍ରରେ ଲେଖିଥିଲେ ଯେ ବ୍ୟାଧି ଅନେକ ପ୍ରକାର, ବୈଦ୍ୟ ଅନେକ, ଉପଚାର ମଧ୍ୟ ଅନେକ ଅଛି । କିନ୍ତୁ ଯଦି ବ୍ୟାଧିକୁ ଏକ ରୂପେ ଦେଖିବା ଏବଂ ତାକୁ ଦୂର କରୁଥିବା ବୈଦ୍ୟ ଜଣେ ହିଁ ରାମ ବୋଲି ମନେ କରିବା ତାହେଲେ ଆମେ ଅନେକ ଜଞ୍ଜାଳରୁ ମୁକ୍ତି ପାଇଯିବା । କିିଛି ଦିନ ପରେ ପୁଣି ଲେଖିଥିଲେ ଆଶ୍ଚର୍ଯ୍ୟର କଥା ଯେ ବୈଦ୍ୟ ମରୁଛନ୍ତି, ଡାକ୍ତର ମରୁଛନ୍ତି, ତଥାପି ଆମେ ତାଙ୍କ ପଛରେ ଧାଉଁଛେ । କିନ୍ତୁ ଯେଉଁ ରାମ ମରନ୍ତି ନାହିଁ, ସର୍ବଦା ଜୀବିତ ଏବଂ ଅବ୍ୟର୍ଥ ବୈଦ୍ୟ ତାଙ୍କୁ ଭୁଲି ଯାଉଛୁ  ।
୧୯୪୬ ମସିହାରେ ସେ ଥରେ କହିଥିଲେ ଯେ କୌଣସି ରୋଗ ହେଉ, ହୃଦୟ ସହକାରେ ଜଣେ ଯଦି ରାମ ନାମ ନିଏ ତାର ରୋଗ ଅବଶ୍ୟ ଦୂର ହୋଇଯିବ (‘ହରିଜନ ସେବକ’; ତା ୩/୩୩୧୯୪୬) । ଶାରୀରିକ ରୋଗକୁ ଦୂର କରିବାରେ ରାମ ନାମ ଅଳ୍ପ କିଛି ବିଶିଷ୍ଟ ଲୋକଙ୍କ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ । ଯିଏ ତାଙ୍କର ନାମ ନିଏ, ସେ ତାଙ୍କ ପାଇଁ ବିପୁଳ ଭଣ୍ଡାର ଜମା କରିଚାଲେ । ଏହା ଏଭଳି ଏକ ଭଣ୍ଡାର ଯାହା କେବେ ସରେ ନାହିଁ, ସେଥିରୁ ଯେତେ କାଢ଼ିଲେ ତାହା ଆହୁରି ବଢ଼ୁଥାଏ । ଉପନିଷଦରେ କୁହାଯାଇଛି ପୂର୍ଣ୍ଣତାରୁ ପୂର୍ଣ୍ଣକୁ କାଢ଼ିଲେ ମଧ୍ୟ ପୂର୍ଣ୍ଣ ହିଁ ଅବଶେଷ ରହିଥାଏ । ରାମ ନାମ ସମ୍ପୂର୍ଣ୍ଣ ରୋଗର ଏକ ନିରାପଦ ଔଷଧ । ତାହା ଶାରୀରିକ ହେଉ ମାନସିକ କିମ୍ବା ଆତ୍ମିକ ।  ‘ରାମ ନାମ ହିଁ ମୋର ବଳ’ ବୋଲି  ସେ ସର୍ବଦା କହୁଥିଲେ । ତାଙ୍କ ଦ୍ୱାରା ଯାହା କିଛି ସେବା ସମ୍ଭବ ହେଉଛି ସେ ସବୁ ରାମ ନାମର ପ୍ରଭାବ ଏବଂ କୃପା । ତାଙ୍କର ଉକ୍ତି ସ୍ପଷ୍ଟ ଥିଲା- ‘ମୋ ପାଖରେ ରାମ ନାମ ବ୍ୟତୀତ ଅନ୍ୟ କୌଣସି ଶକ୍ତି ନାହିଁ । ଏହା ମୋର ଏକମାତ୍ର ଆଶ୍ରା’ । ମହର୍ଷି ଚରକ କହିଛନ୍ତି -"ବିଷ୍ଣୁ ସହସ୍ରାମୂର୍ଦ୍ଧନାଂ ଚରାଚରପତିଂ ବିଭୁମ୍ । ସ୍ତୁବନାମସହସ୍ତ୍ରେଣ ଜ୍ୱରାନ୍ ବ୍ୟପୋହତି । ଭାରତର ଆସ୍ତିକ ସାଧାରଣ ଜନତା ନ ଜାଣେ କେଉଁ କାଳରୁ କହି ଆସିଛି - ଔଷଧଂ ଜାହ୍ନବୀତୋୟଂ ବୈଦ୍ୟୋ ନାରାୟଣୋ ହରିଃ । ଏଥିପାଇଁ ଗାନ୍ଧିଜୀ କହିଛନ୍ତି - "ପ୍ରକୃତ ଡାକ୍ତର ତ ରାମ ଅଟନ୍ତି । ଭଗବାନଙ୍କର ନାମର ମହିମା ପ୍ରାୟ ସମସ୍ତ ଧର୍ମରେ ସମାନରୂପରେ ଦେଖିବାକୁ ମିଳିଥାଏ । ଗାନ୍ଧିଜୀଙ୍କ ଭାଷାରେ ରାମ ନାମର ମହିମା କେବଳ ଯେ ତୁଳସୀ ଦାସ ଗାନ କରିଛନ୍ତି ତାହା ନୁହେଁ । ରାମାୟଣରେ ଗୋଟିଏ କଥା ଅଛି ଯେ ହନୁମାନଜୀଙ୍କୁ ସୀତାଦେବୀ ଯେତେବେଳେ ମୋତିର ମାଳାଟିଏ ଦେଲେ, ସେ ତାକୁ ଛିଣ୍ଡାଇ ଭାଙ୍ଗିଦେଲେ, କାରଣ ତାଙ୍କୁ ସେଥିରେ ଦେଖିବାର ଥିଲା ଯେ ସେଥିରେ ରାମ ନାମ ଅଛି କି ନାହିଁ । ଏହି କଥା ସତ କି ନୁହେଁ ଏହି ଚିନ୍ତା ଆମେ କାହିଁକି କରିବା? ଆମର ତ ଏତିକି ଶିଖିବାର ଅଛି ଯେ ହନୁମାନଜୀଙ୍କ ଭଳି ଶକ୍ତି ଶୈବାଳପ୍ରଦ ଶରୀର ଆମର ନହେଉ କିନ୍ତୁ ତାଙ୍କ ଭଳି ଆତ୍ମା ତ ବିକଶିତ କରିପାରିବା । ଚାହିଁଲେ ଏହି ଉଦାହରଣକୁ ଗ୍ରହଣ କରି ଜଣେ ସିଦ୍ଧ କରିପାରିବ । ସିଦ୍ଧ ନ ହୋଇପାରିଲେ ନ ହେଉ ତାକୁ ଚେଷ୍ଟା କରିବା ତ ଢ଼େର । ଗୀତାରେ କୁହାଯାଇଛି ମନୁଷ୍ୟକୁ ପ୍ରଯତ୍ନ କରିବା ଉଚିତ ଏବଂ ଫଳ ଈଶ୍ୱରଙ୍କ ହାତରେ ଛାଡ଼ିଦେବା ଉଚିତ । ଏଣୁ ତୁମକୁ, ମୋତେ ଏବଂ ସମସ୍ତଙ୍କୁ ପ୍ରୟାସ କରିବାକୁ ପଡ଼ିବ । ସେହିଦିନ ରୋଗରେ ପୀଡ଼ିତ ଜଣେ ଭଉଣୀଙ୍କ ନିକଟକୁ ପତ୍ର ଲେଖି ମଧ୍ୟ ବାପୁ ଏକଥା ଲେଖିଥିଲେ ଯେ ସଂସାରରେ ଯଦି କୌଣସି ଅବ୍ୟର୍ଥ ଔଷଧ ଅଛି ତାହେଲେ ତାହା ହେଉଛି ରାମନାମ । 
ଡ.ଅରୁନ୍ଧତୀ ଦେବୀ,ମୋ : ୯୯୩୭୧୭୨୮୧୦