ତାତିର ରୁଦ୍ର ରୂପ
ମୁଣ୍ଡଫଟା ଖରା । ଘରୁ ପଦାକୁ ବାହାରିଲେ ସିଝିଯାଉଛି ସାରା ଦେହ । ଗ୍ରୀଷ୍ମଲହର ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି । ଆକ୍ତାମାକ୍ତା ହୋଇ ଯାଉଛି ଜନଜୀବନ । ଆଇପିଏଲ ଭଳି ତାପମାତ୍ରାରେ ବି ପ୍ରତିଦିନ ନୂଆ ନୂଆ ରେକର୍ଡ଼ ହେବାରେ ଲାଗିଛି । ଓଡ଼ିଶା ଓ ଭାରତର ତାତି ମାନଚିତ୍ରକୁ ଦେଖିଲେ ଲାଲ ଟହଟହ କଟା ତରଭୁଜ ଭଳି ପ୍ରତୀୟମାନ ହେଉଛି । ଅତି ସର୍ବତ୍ର ଗର୍ହିତମ ଭଳି ଅଧିକ ଖରା ବି ଜୀବାତ୍ମାକୁ ଶୋଷି ନେଇଯାଇଥାଏ । ଏହି ପରିପ୍ରେକ୍ଷୀରେ ଭାରତରେ ହୋଇଥିବା ପ୍ରଚଣ୍ଡ ତାପ ଓ ଏହାର ଭୟାବହତା ସମ୍ପର୍କରେ ରଶ୍ମିତା ବେହେରାଙ୍କ ଉପସ୍ଥାପନା ।
କିଲର ହିଟ ୱେଭ୍
୧୯୯୮ ମସିହାରେ ଓଡ଼ିଶାରେ ହୋଇଥିଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । କେହିକେହି ଏହାକୁ କିଲର ହିଟ ୱେଭ୍ ବୋଲି ବି କୁହନ୍ତି । ଏହାର ପ୍ରଭାବ ଏତେ ଭୟଙ୍କର ଥିଲାଯେ, ଖରାରେ ୨୫ ଶହ ଲୋକଙ୍କର ଜୀବନ ଚାଲି ଯାଇଥିଲା । କରୋନାଠୁ ବି ଏହା ମାରାତ୍ମକ ଥିଲା ବୋଲି କହିଲେ ଭୁଲ ହେବନାହିଁ । ସେତେବେଳେ ତାପମାତ୍ରା ୪୯.୫ ଡିଗ୍ରୀ ପହଁଚି ଯାଇଥିଲା । ଖାଲି ଓଡ଼ିଶା ନୁହେଁ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜୁରାଟରେ ବି ହଜାର ହଜାର ଲୋକଙ୍କ ଜୀବନ ନେଇଥିଲା ଏହି ପ୍ରାଣଘାତୀ ଖରା ।
୨୦୦୨ ଆନ୍ଧ୍ର ହିଟ ୱେଭ୍ ୨୦୦୨ରେ ଆନ୍ଧ୍ର ତତଲା କଡ଼େଇରେ ଭାଜି ହୋଇଯାଇଥିଲା । ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ, ପ୍ରକାଶମ ଓ ୱେଷ୍ଟ ଗୋଦାବରୀରେ ପ୍ରଚଣ୍ଡ ଗ୍ରୀଷ୍ମଲହର ବହିଥିଲା । ଯାହାଫଳରେ ପାରଦ ୪୯ ଡିଗ୍ରୀ ଛୁଇଁ ଯାଇଥିଲା । ଫଳରେ ଆନ୍ଧ୍ରରେ ୧ ହଜାର ଲୋକଙ୍କ ଜୀବନ ଚାଲି ଯାଇଥିଲା । ଏହି ଗ୍ରୀଷ୍ମ ଲହରର ପ୍ରଭାବ ପଞ୍ଜାବ, ହରିୟାଣାକୁ ବି ଚରିଯାଇଥିଲା ।
୨୦୧୫ ଆନ୍ଧ୍ର-ତେଲେଙ୍ଗାନା ଗ୍ରୀଷ୍ମଲହର : ୨୦୧୫ରେ ପୁଣିଥରେ ଆନ୍ଧ୍ର ଦେଖିଥିଲା ଭୟଙ୍କର ଗ୍ରୀଷ୍ମପ୍ରବାହ । ଯେଉଁଥିରେ ଆନ୍ଧ୍ରପ୍ରଦେଶର ୧୭୩୫ ଓ ତେଲେଙ୍ଗାନାରେ ୫୮୫ ଜଣଙ୍କର ଜୀବନ ଚାଲି ଯାଇଥିଲା । ସେହି ବର୍ଷ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବି ପ୍ରଚଣ୍ଡ ତାତି ଯୋଗୁଁ ଲୋକେ କଲବଲ ହୋଇଯାଇଥିଲେ ।
୨୦୧୬ରେ ତାତି ଟପିଥିଲା ୫୧ ଡିଗ୍ରୀ : ୨୦୧୬ରେ ତାତି ସବୁ ରେକର୍ଡ଼ ଭାଙ୍ଗି ଦେଇଥିଲା । ରାଜସ୍ଥାନରେ ତାପମାତ୍ରା ୫୧ ଡିଗ୍ରୀ ଟପି ଯାଇଥିଲା । ଯାହାକୁ ଫାଲୋଡ଼ି ଗ୍ରୀଷ୍ମ ପ୍ରବାହ ବୋଲି କୁହାଯାଏ । ସେହିବର୍ଷ ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ ଓ ଗୁଜୁରାଟରେ ବି ପ୍ରଚଣ୍ଡ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା ।
ଚୁରୁ ହିଟୱେଭ
୨୦୧୯ରେ ରାଜସ୍ଥାନରେ ଆଉଥରେ ପ୍ରଚଣ୍ଡ ଗ୍ରୀଷ୍ମଲହର ପ୍ରବାହିତ ହୋଇଥିଲା । ଯେତେବେଳେକି ପାରଦ ୫୦.୮ ଡିଗ୍ରୀ ଛୁଇଁଥିଲା । ଏହି ଗ୍ରୀଷ୍ମଲହରର ପ୍ରଭାବ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ବିହାରରେ ଅନୁଭୂତ ହେବା ସହ ପ୍ରାୟ ୨୦୦ ଲୋକଙ୍କ ଜୀବନ ଚାଲି ଯାଇଥିଲା
ହିଟୱେଭ କ’ଣ ?
ଯେତେବେଳେ ବାୟୁମଣ୍ଡଳ ଶୁଷ୍କ ବାୟୁରେ ଆଚ୍ଛାଦିତ ହୋଇଯାଏ, ସେତେବେଳେ ସୂର୍ଯ୍ୟଙ୍କ ତାତି ପ୍ରଚଣ୍ଡ ଅନୁଭୂତ ହୋଇଥାଏ । ଜଳବାୟୂ ପରିବର୍ତ୍ତନ ପାଇଁ ୧୯୫୦ ଦଶକରୁ ସାରା ବିଶ୍ୱରେ ଗ୍ରୀଷ୍ମ ପ୍ରବାହର ଦିନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ହିଟୱେଭର ସଂଜ୍ଞା ବିଭିନ୍ନ ଅଞ୍ଚଳ ପାଇଁ ଭିନ୍ନଭିନ୍ନ ହୋଇଥାଏ । ହାରାହାରି ତାପମାତ୍ରା ଠାରୁ ଯେତେବେଳେ ସେହି ଅଞ୍ଚଳର ତାପମାତ୍ରା ବହୁମାତ୍ରାରେ ବଢ଼ିଯାଏ ସେତେବେଳେ ତାହାକୁ ଗ୍ରୀଷ୍ମ ଲହର ବୋଲି କୁହାଯାଏ । ଅର୍ଥାତ ଗରମ ଜଳବାୟୁରେ ହିଟୱେଭର ସଂଜ୍ଞା ଓ ଥଣ୍ଡା ଜଳବାୟୁରେ ହିଟୱେଭର ସଂଜ୍ଞା ଭିନ୍ନ ଭିନ୍ନ ହୋଇଥାଏ ।
ତାତିର ପ୍ରଭାବ
ଜିଡ଼ିପି ହ୍ରାସ : ତାତିର ପ୍ରଭାବରେ ଜିଡ଼ିପି ବି ହ୍ରାସ ପାଇଥାଏ । ଏହା ଅର୍ଥନୀତିକୁ ବହୁଳ ଭାବେ ପ୍ରଭାବିତ କରେ । ୨୦୨୨ରେ କେବଳ ଖରା ପାଇଁ ବିଶ୍ୱ ଅର୍ଥନୀତି ୧% ହ୍ରାସ ପାଇ ଯାଇଥିଲା । ଖରା ଯୋଗୁଁ ଶ୍ରମଶକ୍ତି ହ୍ରାସ ପାଇବା ସହ କୃଷି ଓ ଶିଳ୍ପ କ୍ଷେତ୍ର ପ୍ରଭାବିତ ହୋଇଥାଏ ।
କୃଷି ଉତ୍ପାଦନ ହ୍ରାସ : ଅଧିକ ତାତି ଯୋଗୁଁ କୃଷି ଉତ୍ପାଦନ ହ୍ରାସ ପାଇଥାଏ । କାହିଁକିନା ଜଳାଭାବରୁ ଫସଲ ବାଧାପ୍ରାପ୍ତ ହେଉଥିବାବେଳେ କୃଷି ଶ୍ରମିକ ମଧ୍ୟ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିନଥା’ନ୍ତି ।
ବନାଗ୍ନି : ଅଧିକ ଖରା ହେଲେ ଜଙ୍ଗଲରେ ନଅାଁ ଲାଗିଯାଏ । ଫଳରେ ହଜାର ହଜାର କିଲୋମିଟର ଅଞ୍ଚଳ ଜଳିପୋଡ଼ି ଛାରଖାର ହୋଇଯାଏ । ସବୁଜିମା ଅଞ୍ଚଳ ମରୁଭୂମିରେ ରୂପାନ୍ତରିତ ହୋଇଥାଏ । ଓଡ଼ିଶାରେ ବି ଶହ ଶହ ଜଙ୍ଗଲରେ ଏବେ ନିଅାଁ ଲାଗିଯାଇଛି । ୨୦୦୩ରେ ପର୍ତ୍ତୁଗାଲରେ ଜଙ୍ଗଲରେ ନିଅାଁ ଲାଗିଯିବାରୁ ୩୦୧୦ କିଲୋମିଟର ଜଙ୍ଗଲ ଓ ୪୪୦ ବର୍ଗ କିଲୋମିଟର କୃଷିକ୍ଷେତ୍ର ଜଳି ଯାଇଥିଲା । ଯାହାଫଳରେ ୧ ବିଲିୟନ ପାଉଣ୍ଡ କ୍ଷତି ହୋଇଥଲା । ପ୍ରତିବର୍ଷ ଅଧିକ ତାତି ଯୋଗୁଁ ଭାରତ ଓ ଓଡ଼ିଶାରେ ମଧ୍ୟ ହଜାର ହଜାର ଏକର ଜଙ୍ଗଲ ପାଉଁଶ ହୋଇଯାଉଛି ।
ବନ୍ୟା : ପ୍ରବଳ ଖରାରେ ଗ୍ଲାସିୟର ତରଳିଥାଏ । ୨୦୨୨ ମେ’ରେ ଗ୍ଲାସିୟର ତରଳି ଯିବାରୁ ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ୧୧ ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା ।
ବିଜୁଳି ସଂକଟ : ପ୍ରବଳ ଖରା ଯୋଗୁଁ ଏସି, ଫ୍ରିଜ ଆଦିର ବ୍ୟବହାର ବଢ଼ି ଯାଇଥାଏ । ଲୋକମାନେ ଗରମରୁ ତ୍ରାହି ପାଇଁ ଫ୍ୟାନ ଓ କୁଲର ଆଦି ବି ବ୍ୟବହାର କରିଥା’ନ୍ତି । ସେହିପରି ଜଳ ବିଦୁ୍ୟତ ପ୍ରକଳ୍ପଗୁଡ଼ିକ ମଧ୍ୟ କାମ କରିନଥାଏ । ଶକ୍ତିର ଚାହିଦା ବଢ଼ିବାରୁ ବିଜୁଳି ସଂକଟ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହୋଇଥାଏ ।