ମହାଳୟା ଓ ମା’ଦୁର୍ଗା

ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଅମାବାସ୍ୟା ପିତୃଲୋକଙ୍କ ପାଇଁ ପୁଣ୍ୟ ତିଥି ହୋଇଥାଏ । କିନ୍ତୁ ଆଶ୍ୱିନ ମାସ ଅମାବାସ୍ୟା ଦିନ ପିତୃଲୋକଙ୍କୁ ଶ୍ରାଦ୍ଧ ଦେବା ବହୁତ ଫଳଦାୟକ ହୋଇଥାଏ । ସେଥିପାଇଁ ଏହି ଅମାବାସ୍ୟାକୁ ପିତୃ ବିସର୍ଜନୀ ଅମାବାସ୍ୟା ବା ପିତୃ ଅମାବାସ୍ୟା କୁହାଯାଏ । ମହାଳୟା ଶ୍ରାଦ୍ଧ ହେଉଛି ପିତୃପକ୍ଷର ଅନ୍ତିମ ଦିନ ହୋଇଥାଏ । ଅର୍ଥାତ୍ ଆଶ୍ୱିନ ଅମାବାସ୍ୟାରେ ଏହି ଶ୍ରାଦ୍ଧ ବିଧି ତର୍ପଣ ଆଦି କରାଯାଏ । ଏହି ଦିନ ଦାନ କଲେ ଅଶେଷ ଲାଭ ମିଳିଥାଏ । ବ୍ରାହ୍ମଣ ଭୋଜନରେ ମଧ୍ୟ ବିଶେଷ ଉପକାର ମିଳିଥାଏ । ଏହି ଶ୍ରାଦ୍ଧରେ ଦାନର ମହତ୍ୱ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଦିନ ବ୍ରାହ୍ମଣମାନଙ୍କୁ ଲୁଗାପଟା, ଭୋଜନ ଆଦି ଶ୍ରଦ୍ଧା ଅନୁସାରେ ଦାନ କରିବା, ଗରିବଙ୍କ ଭୋଜନ କରାଇବାରେ ବହୁତ ଶୁଭଫଳ ମିଳିଥାଏ । ମହାଳୟ ପାଳନ ମଧ୍ୟ ମାତା ଦୁର୍ଗାଙ୍କ ସହ ଜଡ଼ିତ । ଯେଉଁଦିନ ମା ଦୁର୍ଗାଙ୍କ ପୂଜା କରାଯାଏ । ମା'ଦୁର୍ଗାଙ୍କୁ ଅପାର ଶକ୍ତିର ଅଧିକାରିଣୀ ଭାବେ ପୂଜା କରାଯାଏ । ମହାଳୟା ପାଳନ ମା' ଦୁର୍ଗାଙ୍କୁ ପୃଥିବୀ ପୃଷ୍ଠକୁ ଆମନ୍ତ୍ରଣ କରିବାପାଇଁ ପାଳନ କରାଯାଏ ଏବଂ ଜାଗୋ ତୁମ ଜାଗେ ମନ୍ତ୍ର ଉଚ୍ଚାରଣ କରାଯାଏ । ପିତୃପକ୍ଷର ଅନ୍ତିମ ଦିବସରେ ମହାଳୟା ପାଳନ କରାଯାଏ । ଭାରତର ଓଡ଼ିଶା, କର୍ଣ୍ଣାଟକ, ତ୍ରିପୁରା ତଥା ପଶ୍ଚିମବଙ୍ଗର ଜନସାଧାରଣ ମହାଳୟା ପାଳନ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେହିଦିନ ଠାରୁ ମହାଳୟା ପାଳନ କରାଯାଉଛି, ଯେଉଁଦିନ ପ୍ରଭୁ ଶ୍ରୀରାମ ଲଙ୍କାକୁ ଯୁଦ୍ଧ ପାଇଁ ବାହାରିବା ପୂର୍ବରୁ ଦେବୀ ଦୁର୍ଗାଙ୍କ ପୂଜା କରିଥିଲେ । ଅନ୍ୟ ଏକ ପୌରାଣିକ କଥା ଅନୁସାରେ ଦାନବୀର କର୍ଣ୍ଣ ଭୋଜନ ବ୍ୟତୀତ ଅନ୍ୟ ସବୁକିଛି ଦାନ କରି ଦାନବୀର କର୍ଣ୍ଣ ନାମରେ ପରିଚିତ ଥିଲେ । ତେଣୁ ତାଙ୍କର ମୃତୁ୍ୟପରେ ଇନ୍ଦ୍ରଦେବ ତାଙ୍କୁ ୧୪ ଦିନ ପାଇଁ ଧରାପୃଷ୍ଠକୁ ଆସିବାକୁ ଅନୁମତି ଦେଇଥିଲେ କେବଳ ଭୋଜନ ଦାନ କରିବା ପାଇଁ । ତେବେ ମହାଳୟ ହେଉଛି ଦେବୀ ପୂଜାର ଏକ ଅଭିନ୍ନ ଅଙ୍ଗ । ଏହି ଦିନ ପିତୃଲୋକଙ୍କ ପୂଜା କରାଯାଇ ପିଣ୍ଡ ଦାନ କରାଯାଏ ।
ଗିରିଧାରୀ ସାମଲ,ମୋ: ୯୪୩୭୪୫୦୧୧୪