ଶ୍ରୀଶଙ୍କରାଚାର୍ଯ୍ୟ ଓ ଶ୍ରୀଜଗନ୍ନାଥ
ପ୍ରସନ୍ନ କୁମାର ମିଶ୍ର : ଭାରତର ଏକ ସଙ୍କଟପୂର୍ଣ୍ଣ ସାମାଜିକ ଓ ଧାର୍ମିକ ବିପର୍ଯ୍ୟୟ ସମୟରେ ଜଗତ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ଇତିହାସରେ ଚିରକାଳ ଲିପିବଦ୍ଧ ରହିବ । ସେ ସମୟରେ ଧର୍ମର ପୁରୋଧାମାନେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ନିଜ ନିଜ ମତର ପ୍ରାଧାନ୍ୟ ସ୍ଥାପନ ପାଇଁ ସ୍ୱ ସ୍ୱ ଅନ୍ତଃଦ୍ୱନ୍ଦ୍ୱରେ ଜଡ଼ିତ ଥିଲେ, ଯଦ୍ୱାରା ସମଗ୍ର ଭାରତ ଭୂଖଣ୍ଡରେ ବୌଦ୍ଧଧର୍ମର ପ୍ରାବଲ୍ୟ ବୃଦ୍ଧି ପାଇଥିଲା । ଶଙ୍କରାଚାର୍ଯ୍ୟ ସନାତନ ଧର୍ମର ପ୍ରଚାର, ପ୍ରସାର ଓ ସୁରକ୍ଷା ପାଇଁ ଆକୁମାରୀ ହିମାଳୟ ପଦବ୍ରଜରେ ଭ୍ରମଣ କରିଥିଲେ । ନିଜର ମାତ୍ର ୩୨ ବର୍ଷର ଜୀବନକାଳ ମଧ୍ୟରୁ ସେ ୧୬ ବର୍ଷ କାଳ ଭାରତଭ୍ରମଣ କରି ବୌଦ୍ଧଧର୍ମ ପ୍ରାବଲ୍ୟର ପ୍ରତିରୋଧ କରି ସନାତନ ଧର୍ମର ପୁନଃପ୍ରତିଷ୍ଠା କରିଥିଲେ । ଶଙ୍କରାଚାର୍ଯ୍ୟ ପ୍ରଥମେ ଓଡ଼ିଶା ଆସି ତକ୍ରାଳୀନ ରାଜଧାନୀ ଯାଜପୁରରେ ପଦାର୍ପଣ କରି ଦେଖିଲେ ଯେ, ବୌଦ୍ଧଧର୍ମାବଲମ୍ବୀମାନେ ବିରଜାପୀଠର ଚତୁଃର୍ଦ୍ଦିଗରେ ବୌଦ୍ଧବିହାର ଓ ବିଦ୍ୟାଳୟ ଆଦି ସ୍ଥାପନ କରି ବୈଦିକ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ବାଧାସୃଷ୍ଟି କରୁଛନ୍ତି । ପୂର୍ବକାଳରେ ଉତ୍ତର ଭାରତର ହସ୍ତିପାଦ, ଶ୍ରୀବସ୍ତି ,କୋଳାଂଚଳ ଓ ଅହିଛତ୍ର ପ୍ରଭୃତି ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବ୍ରାହ୍ମଣ ଆସି ଓଡ଼ିଶାରେ ବାସ କରୁଥିଲେ ହେଁ ନିଜ ଭିତରେ ଏକତା ଏବଂ ଉପଯୁକ୍ତ ଦିଗ୍ଦର୍ଶନର ଅଭାବ କାରଣରୁ ବୌଦ୍ଧମାନଙ୍କୁ ପ୍ରତିହତ କରିପାରୁ ନଥିଲେ । ବୌଦ୍ଧଭିକ୍ଷୁମାନେ ଯୋଜନାବଦ୍ଧ ଭାବେ ବ୍ରାହ୍ମଣ ସଂସ୍କୃତିର ବିନାଶ ପାଇଁ ଉଦ୍ୟମ ଚଳାଇଥିଲେ । ସେଥିପାଇଁ ଶଙ୍କରାଚାର୍ଯ୍ୟ ବ୍ରାହ୍ମଣତନ୍ତ୍ରର ସଂସ୍କାର ନିମନ୍ତେ ବିଭିନ୍ନ ଶାସ୍ତ୍ର ରଚନା କରି ବିରଜା ଠାକୁରାଣୀଙ୍କୁ କେନ୍ଦ୍ର କରି ପୂର୍ବର ଭବ୍ୟ ପରମ୍ପରା ପୁନଃଜୀବିତ କରିବାପାଇଁ ଉଦ୍ୟମ କରି ବିରଜାପୀଠକୁ ଭାରତବର୍ଷର ଅଷ୍ଟାଦଶ ତନ୍ତ୍ରପୀଠ ରୂପେ ଉଦ୍ଘୋଷଣା କରିଥିଲେ ।
ସେ ଭାରତର ବିଭିନ୍ନ ବିଦ୍ୟାନଗରୀ, ତୀର୍ଥସ୍ଥଳ ଓ ଦେବାଦେବୀଙ୍କ ପୀଠସ୍ଥଳୀ ଭ୍ରମଣ ସମୟରେ ଜାଣିପାରିଲେ, ବିଶ୍ୱନିୟନ୍ତା ପରଂବ୍ରହ୍ମ ଭଗବାନ ବିଷ୍ଣୁ ଭାରତର ପୂର୍ବ ତଟରେ ଥିବା ପୁରୁଷୋତ୍ତମ କ୍ଷେତ୍ରରେ ପୂଜା ପାଉଛନ୍ତି । ତେଣୁ ସେ ସ୍ୱନେତ୍ରରେ ଭଗବାନ ପୁରୁଷୋମଙ୍କୁ ଦର୍ଶନ କରିବାପାଇଁ ଶିଷ୍ୟମାନଙ୍କୁ ସଙ୍ଗରେ ଧରି ଶ୍ରୀକ୍ଷେତ୍ର ଯାତ୍ରା କଲେ । ତାଙ୍କ ସାଥିରେ ଥିବା ହଜାର ହଜାର ଶିଷ୍ୟମାନଙ୍କ ମଧ୍ୟରେ ଶୁଦ୍ର, ବ୍ରାହ୍ମଣ, କ୍ଷତ୍ରୀୟ ଓ ଚାଣ୍ଡାଳ ଥିଲେ । ଜଣେ ମୂକ-ବଧିର ଶିଷ୍ୟ ମଧ୍ୟ ଥିଲା । ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିର ନିକଟସ୍ଥ ଏକ ପ୍ରାକୃତିକ ଚଟାଣ ଉପରେ ସେ ଓ ସମସ୍ତ ଶିଷ୍ୟ ବିଶ୍ରାମ ନେଇଥିଲେ । ଶଙ୍କରାଚାର୍ଯ୍ୟଙ୍କ ମନରେ ପୁରୀ ମନ୍ଦିରରେ ଠାକୁରଙ୍କର ସେବାପୂଜା, ପ୍ରଚଳିତ ବିଧି ବିଧାନ ଓ ନୀତିନିୟମ ଆଦି ବିଷୟରେ ବହୁ ଜିଜ୍ଞାସା ଥିଲା । ସେ ଶ୍ରୀପୁରୁଷୋତ୍ତମଙ୍କ ସେବାରେ ନିୟୋଜିତ କୌଣସି ସେବାୟତଙ୍କୁ ଭେଟିବା ଆଶାରେ ସେହିଠାରେ ଅପେକ୍ଷା କରି ରହିଲେ । ସେତେବେଳକୁ ଶଙ୍କରାଚାର୍ଯ୍ୟଙ୍କ ଖ୍ୟାତି ସାରା ଭାରତରେ ପରିବ୍ୟାପ୍ତ ହୋଇଯାଇଥିଲା । ସେବକମାନେ ଏକଥା ଜାଣିଥିଲେ । ସେ ଶ୍ରୀମନ୍ଦିର ମୁଖ୍ୟଦ୍ୱାର ନିକଟରେ ଥିବା ଜାଣି ଏଭଳି ବିଦ୍ୱାନ ଓ ମହାନ ପଣ୍ଡିତଙ୍କର ସମ୍ମୁଖୀନ ହେବାକୁ ସାହସ କରି ନପାରି ପୂର୍ବଦ୍ୱାର ବାଟେ ନ ଆସି ଲୁଚି ଲୁଚି ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ ଏବଂ ପଶ୍ଚିମ ଦ୍ୱାର ଦେଇ ବାହାରି ଯାଉଥିଲେ ।
ଏହିପରି ଦୁଇଦିନ ବିତିଯାଇଥିଲେ ହେଁ ମନ୍ଦିର ଦ୍ୱାରଦେଶରେ କୌଣସି ବ୍ୟକ୍ତିଙ୍କୁ ନ ଦେଖି ଶଙ୍କରାଚାର୍ଯ୍ୟଙ୍କ ମନରେ କ୍ଷୋଭ ଓ ଅଭିମାନ ଜାତ ହେଲା । ସେ ମନେ ମନେ ସ୍ଥିର କରିନେଲେ ଯେ ସେ ଯେଉଁ ବିଶ୍ୱନିୟନ୍ତା ପରଂବ୍ରହ୍ମଙ୍କ ସନ୍ଧାନରେ ଏଠାକୁ ଆସିଛନ୍ତି, ବାସ୍ତବରେ ସେ ଏଠାରେ ନାହାନ୍ତି । ଠିକ୍ ସେତିକିବେଳେ ସେ ଦେଖିଲେ ଜଣେ ବୃଦ୍ଧ ବ୍ରାହ୍ମଣ ଗୋଟିଏ ହାତରେ ବାଡ଼ି ଓ ଆର ହାତରେ ଏକ କୁଡ଼ୁଆ ଧରି କାନ୍ଧରେ “ପାକଲା ଗାମୁଛା’ ପକେଇ ଥିରି ଥିରି ପାଦରେ ମନ୍ଦିର ଭିତରୁ ଚାଲି ଆସୁଛନ୍ତି । ତାଙ୍କ ପାକୁଆ ପାଟିର ପାନରସ ଓଠର ଦୁଇ ପାଖକୁ ଲମ୍ବି ଯାଇଥିଲା ।ତାଙ୍କ ନିକଟକୁ ଆଗେଇ ଯାଇ ଶଙ୍କରାଚାର୍ଯ୍ୟ ପ୍ରଶ୍ନ କଲେ ମହାଭାଗ ! ଠାକୁରଙ୍କର ସେବାପୂଜା ଠିକ୍ ଚାଲିଛି ତ ? ବ୍ରାହ୍ମଣ ମୁଣ୍ଡ ହଲାଇ ହଁ କଲେ । ସେ ପୁଣି ପ୍ରଶ୍ନ କଲେ - ସ୍ନାନ ଆଦି କର୍ମସବୁ ଠିକ୍ଭାବେ ଚାଲିଛି ତ ? ବ୍ରାହ୍ମଣ ସମ୍ମତି ଜଣାଇଲେ । ଶଙ୍କରାଚାର୍ଯ୍ୟ ପୁଣି ପ୍ରଶ୍ନ କଲେ - ଠାକୁରଙ୍କର ଭୋଜନ ବ୍ୟବସ୍ଥା ଠିକ୍ ଚାଲିଛି ତ ? କେଉଁଥିରେ କିଛି ତ୍ରୁଟି ନାହିଁ ତ ?
ଏଥର ବୃଦ୍ଧ ଜଣକ କିଛି ନ କହି ଆଗେଇ ଗଲେ ଓ ପାଖରେ ବସିଥିବା ମୂକ-ବଧିର ଶିଷ୍ୟଟିର ମୁଣ୍ଡରେ ହାତ ବୁଲାଇ ତା’ ପାଟିରେ ଟିକିଏ ପ୍ରସାଦ ଦେଇ କହିଲେ, ଏଇ ସବୁ କହିବ । ସଙ୍ଗେ ସଙ୍ଗେ ମୂକ ବଧିର ଶିଷ୍ୟଟି ମୁହଁ ଖୋଲି ଶ୍ଲୋକ ବୋଲିଲା । “ଅରେ ବିଦ୍ୱାନ ମାନ୍ୟାନନଧିଗତ ବେଦାର୍ଥ ନିଗମାନ... ।’ ଯାହାର ଅର୍ଥ ହେଉଛି, “ହେ ଜ୍ଞାନୀବୃନ୍ଦ ! ବେଦାର୍ଥ ନ ଜାଣି ଅଯଥାରେ ଆପଣ ଆତ୍ମାଭିମାନ ପ୍ରକାଶ କରୁଛନ୍ତି କାହିଁକି ?’ଏହାଦେଖି ଶଙ୍କରାଚାର୍ଯ୍ୟ ଆତ୍ମବିଭୋର ହୋଇଉଠିଲେ । ଶିଷ୍ୟମାନେ ଉକ୍ତ ମୂକ-ବଧିର ସାଥିଟିର ଗୋଡ଼ତଳେ ଲମ୍ବ ଲମ୍ବ ହୋଇ ପଡ଼ିଗଲେ ଓ ପାଖରେ ବୃଦ୍ଧ ବ୍ରାହ୍ମଣ ରଖିଦେଇ ଯାଇଥିବା ମାଟି କୁଡ଼ୁଆରୁ ପ୍ରସାଦ ଖାଇବାକୁ ଲାଗିଲେ । ଶଙ୍କରାଚାର୍ଯ୍ୟ ପ୍ରସାଦ ଭକ୍ଷଣ କରିସାରି ପୂର୍ବୋକ୍ତ ବୃଦ୍ଧଙ୍କୁ ଖୋଜିଲେ । ସେତେବେଳେ ସେ କେଉଁଆଡ଼େ ଅନ୍ତଃର୍ଦ୍ଧାନ ହୋଇଯାଇଥିଲେ ।
ଶଙ୍କରାଚାର୍ଯ୍ୟ ଥିଲେ ଆଶୁତୋଷ ଶିବଙ୍କ ଅବତାର । ସେ ତତ୍କ୍ଷଣାତ୍ ଖୋଜିବାକୁ ଆସିଥିବା ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସତ୍ତାକୁ ଅନୁଭବ କରି ଗାଇଥିଲେ -
“ଶ୍ରୀଜଗନ୍ନାଥଂ ମନସା ସ୍ମରାମି
ଶ୍ରୀଜଗନ୍ନାଥଂ ହୃଦୟେ ଭଜାମି,
ଶ୍ରୀଜଗନ୍ନାଥଂ ଶିରସା ନମାମି
ଶ୍ରୀଜଗନ୍ନାଥ ଚରଣୌ ଶରଣଂ ପ୍ରପଦ୍ୟେ ।’
ମାଦଳାପାଞ୍ଜି ବର୍ଣ୍ଣନା ଅନୁଯାୟୀ ପରବର୍ତ୍ତୀ କାଳରେ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଯଯାତିକେଶରୀ ଯାଜପୁରରୁ ପୁରୀ ଯାଇ ସେଠାରେ ଓଡ଼ିଶାର ପ୍ରଭୁ ଜଗନ୍ନାଥ କେଉଁଠି ବୋଲି ବ୍ରାହ୍ମଣମାନଙ୍କୁ ପଚାରିବାରୁ ସେମାନେ କହିଲେ, ମୋଗଲମାନେ ଗୋଳ କରିବାରୁ ଏବଂ ସମୁଦ୍ର ମାଡ଼ି ଆସିବାରୁ ଠାକୁରଙ୍କୁ ସୁନୁପୁର (ସୋନପୁର) ଅଂଚଳରେ କୌଣସି ସ୍ଥାନରେ ପାତାଳି କରାଯାଇଛି । ଭକ୍ତ ,ସେବକ ଓ ପଣ୍ଡିତମାନଙ୍କର ଅନୁରୋଧ କ୍ରମେ ମହାରାଜା ଯଯାତି ପୁରୀ ଠାରେ ୨୯ ହାତର ଗୋଟିଏ ଛୋଟିଆ ଦେଉଳ ନିର୍ମାଣ କଲେ । କାରଣ ସେତେବେଳକୁ ପୁରାତନ ମନ୍ଦିରଟି ମୁସଲମାନ ଆକ୍ରମଣକାରୀମାନେ ଭାଙ୍ଗି ଦେଇଥିଲେ ।
ଠାକୁରମାନଙ୍କୁ ଯେତେବେଳେ ସୋନପୁର ନିଆଗଲା ତାଙ୍କ ସାଥିରେ ଦଇତାଗୋଷ୍ଠୀ ଏବଂ ପତି ମହାପାତ୍ରମାନେ ସେବାପୂଜା କରିବା ପାଇଁ ଯାଇଥିଲେ । ମହାରାଜା ଯଯାତିଙ୍କ ନିଦେ୍ର୍ଦଶରେ ଉକ୍ତ ଦଇତା ଓ ପତି ମହାପାତ୍ର ସେବକମାନଙ୍କ ସାହାଯ୍ୟରେ ‘ଦିଅଁବର’ କଟାଇ ଠାକୁରମାନଙ୍କୁ ଉଦ୍ଧାର କରାଯାଇଥିଲା । ସେତେବେଳକୁ ଦାରୁବିଗ୍ରହ ଗୁଡ଼ିକ ନଷ୍ଟ ହୋଇଯାଇଥିଲେ । ତେଣୁ ସେଗୁଡ଼ିକୁ ଲୁଗାରେ ଗୁଡ଼ାଇ ଯାଜପୁର ନିଆଯାଇ ଦଶାଶ୍ୱମେଧ ଘାଟଠାରେ ଗୋଟିଏ ଯଜ୍ଞ କରାଗଲା । ପରେ ପରେ ରାଜାଦେଶରେ ନଷ୍ଟ ହୋଇଯାଇଥିବା ମୂର୍ତ୍ତିଗୁଡ଼ିକୁ ଏକ ବିରାଟ ପଟୁଆରରେ ପୁରୀ ନିଆଯାଇ ନୀଳାଚଳ ଧାମରେ ଏକ ମଣ୍ଡପରେ ରଖାଗଲା । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୌରୋହିତ୍ୟରେ ବ୍ରାହ୍ମଣ, ପଣ୍ଡିତ, ଭଟ୍ଟମିଶ୍ର, ପୂଜାପଣ୍ଡା, ସୁଆର, ସିଂହାରୀ ଓ ଖୁଂଟିଆ ମାନଙ୍କର ଏକ ସଭା କରାଗଲା । ଏଥିରେ ଠାକୁରମାନଙ୍କର ନବନିର୍ମାଣ ବା ‘ନବକଳେବର’ ନିମନ୍ତେ ଶଙ୍କରାଚାର୍ଯ୍ୟଙ୍କ ନିଦେ୍ର୍ଦଶରେ ସକଳ କାର୍ଯ୍ୟର ଆୟୋଜନ କରିବା ପାଇଁ ସିଦ୍ଧାନ୍ତ ନିଆଗଲା ।ଜଗତଗୁରୁ ଶାସ୍ତ୍ର, ପୁରାଣ ଓ ପରମ୍ପରା ଅନୁଧ୍ୟାନ କରି ସେବକମାନଙ୍କୁ ‘ମଳୟ ସ୍ପର୍ଶରେ ମହାଦାରୁରେ ପରିଣତ ହୋଇଥିବା ନିମ୍ବବୃକ୍ଷ’ର ସନ୍ଧାନ ପାଇଁ ନିଦେ୍ର୍ଦଶ ଦେଲେ । ସ୍ୱୟଂ ମହାରାଜା ଦଇତା, ପତିମହାପାତ୍ର, ସୁଇ (ସ୍ୱାଇଁ) ମହାପାତ୍ର, ପୁରୋଧା (ପୁରୋହିତ), ଲେଙ୍କା, ବିଶ୍ୱକର୍ମା ମହାରଣା ପ୍ରଭୃତିଙ୍କୁ ଗୁର୍ବାକ୍ଷତ ଓ ଖଣ୍ଡୁଆ ଦେଇ ବରଣ କଲେ । ଦାରୁ ଖୋଜା, ଦାରୁ ଚିହ୍ନଟ ଓ ବନଯାଗ ଆଦି ପରେ ଚାରି ବିଗ୍ରହଙ୍କ ନିମନ୍ତେ ଚାରିଗୋଟି ଦାରୁ ସଂଗ୍ରହ କରାଯାଇ ଶ୍ରୀକ୍ଷେତ୍ର ଅଣାଗଲା । କୌଣସି ଏକ ସ୍ଥାନରେ ଅତି ଗୋପନରେ ଶ୍ରୀବିଗ୍ରହ ନିର୍ମାଣ କରାଯିବା ପରେ ଶ୍ରୀମୂର୍ତ୍ତିଙ୍କ ନାଭିଚକ୍ରରେ ବ୍ରହ୍ମସ୍ଥାପନା ନିମନ୍ତେ ଶଙ୍କରାଚାର୍ଯ୍ୟ ତାଙ୍କର ଶିଷ୍ୟ ‘ଭାରତୀ ତୀର୍ଥ’ଙ୍କୁ ନେପାଳରୁ ଜୀବନ୍ତ ଶାଳଗ୍ରାମ ସଂଗ୍ରହ ନିମନ୍ତେ ପଠାଇଲେ । ନେପାଳର ରାଜା ଭାରତୀ ତୀର୍ଥଙ୍କୁ ଭବ୍ୟ ସମ୍ବର୍ନ୍ଧନା ସହ ଗଣ୍ଡକୀ ନଦୀରୁ ଚାରିଗୋଟି ଜୀବନ୍ତ ଶାଳଗ୍ରାମ ସଂଗ୍ରହ କରି ତାଙ୍କୁ ପ୍ରଦାନ କଲେ । ଏହି ମହତ୍କାର୍ଯ୍ୟ ନିମନ୍ତେ ଜଗତଗୁରୁ ନେପାଳ ରାଜା ଶଙ୍କରଦେବଙ୍କୁ ସ୍ୱତନ୍ତ୍ର ‘ପଟ୍ଟ ମହାନାୟକ’ ଉପାଧିରେ ଭୂଷିତ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ୱହସ୍ତରେ ପୂଜାର୍ଚ୍ଚନା କରିବାର ଅଧିକାର ପ୍ରଦାନ କଲେ । ରାଜା ଯଯାତି ଏକ ୩୮ ହାତ ଉଚ୍ଚ ଦେଉଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପ୍ରତିଷ୍ଠା କଲେ । ରନô ସିଂହାସନରେ ବିଜେ ହେବା ପରେ ପ୍ରଥମେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଅଭିଷେକ କରି ଠାକୁରଙ୍କ ଠାରେ ‘ହିରାଚିତା’ ଲାଗି କରିଥିଲେ । ସେଦିନ ଥିଲା ଶ୍ରାବଣ ମାସ ଅମାବାସ୍ୟା ଯାହାକି “ଚିତାଲାଗି ଅମାବାସ୍ୟା’ ରୂପେ ପରିଚିତ । ପରେ ଶଙ୍କରାଚାର୍ଯ୍ୟ ଠାକୁରଙ୍କର ବନ୍ଦ ହୋଇଯାଇଥିବା ନୀତି ନିର୍ଘଂଟ ଓ ପର୍ବପର୍ବାଣିର ପୁନଃ ନିର୍ଦ୍ଧାରଣ କରି ‘ଅନ୍ନ ମହାପ୍ରସାଦ’ ଭୋଗର ବ୍ୟବସ୍ଥା କରିଥିଲେ । ମହାରାଜା ଯଯାତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଧର୍ମାଧ୍ୟକ୍ଷ ଓ ତାଙ୍କ ଅଧୀନରେ ପଣ୍ଡିତଗଣଙ୍କୁ ନେଇ ମୁକ୍ତିମଣ୍ଡପ ଗଠନ କରିଥିଲେ । ଏହା କୌଣସି ପ୍ରତିନିଧିମୂଳକ ସଂଗଠନ, ନିଯୋଗ କିମ୍ବା ସଭା ନଥିଲା । ଶ୍ରୀମନ୍ଦିରର ପରିଚାଳନା ଓ ନିତ୍ୟ ନୈମିତ୍ତିକ ପୂଜାପର୍ବାଣିରେ ମୁକ୍ତିମଣ୍ଡପ ପଣ୍ଡିତ ମଣ୍ଡଳୀର ଶାସ୍ତ୍ରୀୟ ସିଦ୍ଧାନ୍ତ ସର୍ବଶେଷ ନିଷ୍ପତ୍ତି ବୋଲି ଘୋଷଣା କରାଗଲା । ସକଳ ସଂପ୍ରଦାୟକୁ ଶ୍ରୀଜୀଉଙ୍କ ସେବାପୂଜାର ସୁଯୋଗ ପ୍ରଦାନ ନିମନ୍ତେ ଛତିଶା ପାଟକ ନିଯୋଗ (ଛତିଶା ନିଯୋଗ)ର ବ୍ୟବସ୍ଥା ପ୍ରଚଳନ ହେଲା ।
ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମହତକାର୍ଯ୍ୟ ଓ ସଂସ୍କାରରେ ଅତିଶୟ ପ୍ରୀତ ହୋଇ ମହାରାଜା ଯଯାତି ପୁରୀ ଶ୍ରୀମନ୍ଦିରରେ ଶଙ୍କରାଚାର୍ଯ୍ୟଙ୍କ ଅଧିକାର ସମ୍ବନ୍ଧରେ ‘ଆଜ୍ଞାପତ୍ର’ ଉଦ୍ଘୋଷଣା କରିଥିଲେ । ଶଙ୍କରାଚାର୍ଯ୍ୟଙ୍କ ପ୍ରଚେଷ୍ଟାରେହିଁ ଦାରୁବ୍ରହ୍ମ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବିଶ୍ୱପ୍ରସିଦ୍ଧି ଲାଭ କରିଥିଲେ ଓ ଜଗନ୍ନାଥ ଚେତନା ସାରା ବିଶ୍ୱରେ ସଂଚାରିତ ହୋଇଥିଲା ।
ପୁରୀ
ମୋ:୮୦୧୮୮୭୫୩୩୫