ପୁରାଣଶାସ୍ତ୍ରରେ ଶିବଲିଙ୍ଗର ବାସ୍ତବ ତତ୍ତ୍ୱ 


ଡକ୍ଟର ଅମୂଲ୍ୟ କୁମାର ପଣ୍ଡା  : ମହା ଶିବଲିଙ୍ଗର ଅର୍ଥ ହେଉଛି ଭଗବାନ ଶିବ ତଥା ମହାଦେବଙ୍କ ଆଦି-ଅନାଦି ସ୍ୱରୂପ  । ଶୂନ୍ୟ , ଆକାଶ , ଅନନ୍ତ ବ୍ରହ୍ମାଣ୍ଡ ଏବଂ ନିରାକାର ପରମ ପୁରୁଷଙ୍କ ପ୍ରତୀକ ହୋଇଥିବାରୁ ଏହାକୁ ଲିଙ୍ଗ କୁହାଗଲା  । ସ୍କନ୍ଦ ପୁରାଣରେ କୁହାଯାଇଛି , ଆକାଶ ସ୍ୱୟଂ ଲିଙ୍ଗ ଅଟେ  । ଧରିତ୍ରୀ ତାହାର ପୀଠ କିମ୍ବା ଆଧାର ଅଟେ ଏବଂ ସମସ୍ତ ଅନନ୍ତ ଶୂନ୍ୟରୁ ଜନ୍ମ ହୋଇଛନ୍ତି , ସେଥିରେ ଲୟ ହେବା କାରଣରୁ ତାହାଙ୍କୁ ଲିଙ୍ଗ କୁହାଗଲା  । ବାତାବରଣ ସହିତ ଘୂରୁଥିବା ପୃଥିବୀ କିମ୍ବା ଅନନ୍ତ ବ୍ରହ୍ମାଣ୍ଡର ଅକ୍ଷ ଯାହାକୁ ଇଂରାଜୀରେ axis  କୁହଯାଏ ତାହା ଲିଙ୍ଗ ଅଟେ  । ପୁରାଣରେ ଶିବଲିଙ୍ଗକୁ ବହୁ ଅନ୍ୟ ନାମରେ ମଧ୍ୟ ସମ୍ବୋଧିତ କରାଯାଇଛି ଯେପରି : ପ୍ରକାଶ ସ୍ତମ୍ଭ/ଲିଙ୍ଗ , ଅଗ୍ନି ସ୍ତମ୍ଭ/ଲିଙ୍ଗ , ଉର୍ଜା ସ୍ତମ୍ଭ/ଲିଙ୍ଗ , ବ୍ରହ୍ମାଣ୍ଡୀୟ ସ୍ତମ୍ଭ/ଲିଙ୍ଗ  । ପୁରାଣରେ ଭଗବାନ ମହେଶ୍ୱରଙ୍କ ମହଣ ମହିମାର ବଖାଣ କରୁଥିବା ଲିଙ୍ଗ ପୁରାଣକୁ ବିଶିଷ୍ଟ ପୁରାଣ କୁହାଯାଏ  । ଭଗବାନ ଶିବଙ୍କର ଜ୍ୟୋତିର୍ଲିଙ୍ଗର କଥା , ଈଶାନ-କଳ୍ପର ବୃତ୍ତାନ୍ତ ସର୍ବବିସର୍ଗ ଆଦି ଦଶା ଲକ୍ଷଣ ସହିତ ବର୍ଣ୍ଣିତ ହୋଇଛି  । ଭଗବାନ ଶିବଙ୍କ ମହିମା ଲିଙ୍ଗ ପୁରାଣରେ ୧୧,୦୦୦ ଶ୍ଳୋକରେ ବର୍ଣ୍ଣିତ ହୋଇଛି  । ଏହା ସମସ୍ତ ପୁରାଣରେ ଶ୍ରେଷ୍ଠ ଅଟେ  । ବେଦବ୍ୟାସ କୃତ ଏହି ପୁରାଣରେ ପ୍ରଥମେ ଯୋଗ ପରେ କଳ୍ପ ବିଷୟରେ ବର୍ଣ୍ଣନା କରାଯାଇଛି  । ଲିଙ୍ଗ ଶବ୍ଦ ପ୍ରତି ଆଧୁନିକ ସମାଜରେ ବଡ଼ ଧରଣର ଭ୍ରାନ୍ତି ପାଇଛନ୍ତି  । ଲିଙ୍ଗ ଶବ୍ଦର ଶାବ୍ଦିକ ଅର୍ଥ ଚିହ୍ନ ଅଥବା ପ୍ରତୀକ ଅଟେ । ଭଗବାନ ମହେଶ୍ୱର ଆଦି ପୁରୁଷ ଅଟନ୍ତି  । ଏହି ଶିବଲିଙ୍ଗ ଭଗବାନ ଶଙ୍କରଙ୍କ ଜ୍ୟୋତିରୂପା ଚିନ୍ମୟ ଶକ୍ତିର ଚିହ୍ନ ଅଟେ  । ତାହାର ଉଦ୍ଭବ ବିଷୟରେ ସୃଷ୍ଟିର କଲ୍ୟାଣ ପାଇଁ ଜ୍ୟୋତିର୍ଲିଙ୍ଗଦ୍ୱାରା ପ୍ରକଟ ହୋଇ ବ୍ରହ୍ମା ତଥା ବିଷ୍ଣୁଙ୍କ ପରି ଅନାଦି ଶକ୍ତିଙ୍କୁ ମଧ୍ୟ ଆଶ୍ଚର୍ଯ୍ୟରେ ପକାଉଥିବା ଘଟଣାର ବର୍ଣ୍ଣନା ଏହି ପୁରାଣର ବର୍ଣ୍ଣିତ ବିଷୟର ଏକ ପ୍ରଧାନ ଅଙ୍ଗ ଅଟେ । ଆଜିର ଏ ସମାଜ ରେ କିଛି ଅଜ୍ଞାନ ପ୍ରଜାତୀର ପ୍ରାଣୀ ପବିତ୍ର ‘ଶିବଲିଙ୍ଗ' କୁ ଯୌନାଙ୍ଗ କହି କିଛି କପୋଳକଳ୍ପିତ ଜ୍ଞାନ ବାଣ୍ଟିଚାଲିଛନ୍ତି  । ଭଗବାନ ଶିବଙ୍କୁ ଅନେକ ପ୍ରକାର ମିଛ ଗଳ୍ପ ରେ ବର୍ଣ୍ଣନା କରି ଚାଲିଛନ୍ତି ଓ ଆମେ ବିଶ୍ୱାସ ମଧ୍ୟ କରି ଚାଲିଛୁ  । ତେବେ ପ୍ରକୃତ ରେ ‘ଶିବଲିଙ୍ଗ' କଣ ? ‘ଶିବଲିଙ୍ଗ' ର ଅର୍ଥ କଣ ? ‘ଶିବଲିଙ୍ଗ' କାହାର ପ୍ରତିନିଧିତ୍ୱ କରିଥାଏ ? ପବିତ୍ର ‘ଶିବଲିଙ୍ଗ', ସମ୍ପୂର୍ଣ୍ଣ ବାୟୁ ମଣ୍ଡଳ, ଘୂର୍ଣ୍ଣାୟମାନ ପୃଥିବୀ ଓ ପରିବର୍ତ୍ତନଶୀଳ ବ୍ରହ୍ମାଣ୍ଡର ଅକ୍ଷକୁ ସୂଚାଇଥାଏ  । ଭୁଲ ବୁଝାମଣା, ଅଜ୍ଞାନତା,ବିଦେଶୀ ବିଧର୍ମୀ ମାନଙ୍କ ଦ୍ୱାରା ଆମ ଧର୍ମ ଶାସ୍ତ୍ର ମାନଙ୍କୁ ନଷ୍ଟ କରାଯିବା ହେତୁ ବହୁତ ଲୋକ ‘ଶିବଲିଙ୍ଗ' ବିଷୟରେ ଭୁଲ ଧାରଣା ପାଇଛନ୍ତି  ।
ଏକଥା ପ୍ରାୟ ସମସ୍ତଙ୍କୁ ଜଣା ଥିବ କି ସଂସ୍କୃତ ଭାଷା ହେଉଛି ଆଦିଭାଷା ବା ସବୁ ଭାଷାର ଜନକ ଏହାକୁ ଦେବନାଗରୀ ଲିପି ମଧ୍ୟ କୁହାଯାଏ  । ଆମେ ଜାଣୁ କି କୌଣସି ଶବ୍ଦର ଅର୍ଥ ଭିନ୍ନ ଭାଷାରେ ଭିନ୍ନ ଭିନ୍ନ ହୋଇଥାଏ  । ସେପରି ଏହି ସଂସ୍କୃତ ଭାଷାରେ କିଛି ଏପରି ଶବ୍ଦ ରହିଛି ଯାହାର କି ଭିନ୍ନ ଭିନ୍ନ ଅର୍ଥ ରହିଛି । ଉଦାହରଣ ସ୍ୱରୂପ,  ‘ସୂତ୍ର' ଓ ‘ଅର୍ଥ' - ‘ସୂତ୍ର' କହିଲେ ସୂତା ଓ  ‘ସୂତ୍ର' କହିଲେ ଗଣିତର ସୂତ୍ର, ବିଜ୍ଞାନର ସୂତ୍ରକୁ ମଧ୍ୟ ବୁଝାଏ  । ସେହିପରି ‘ଅର୍ଥ' କହିଲେ ଟଙ୍କା,ଧନ,ସମ୍ପତ୍ତିକୁ ବୁଝାଏ ଓ ‘ଅର୍ଥ' କହିଲେ କୌଣସି ଶବ୍ଦର ଭାବାର୍ଥକୁ ମଧ୍ୟ ବୁଝାଏ  । ‘ଲିଙ୍ଗ' ଏକ ସଂସ୍କୃତ ଶବ୍ଦ ଯାହାର ଅର୍ଥ ହେଉଛି ପ୍ରତୀକ ଯେମିତିକି ପୁଲିଙ୍ଗର ଅର୍ଥ ପୁରୁଷର ପ୍ରତୀକ ବା ଚିହ୍ନ ଓ ସ୍ତ୍ରୀଲିଙ୍ଗର ଅର୍ଥ ହେଉଛି ସ୍ତ୍ରୀର ପ୍ରତୀକ ବା ଚିହ୍ନ । ସେହିପରି ‘ଶିବଲିଙ୍ଗ' ର ଅର୍ଥ ହେଉଛି ଶିବଙ୍କର ପ୍ରତୀକ ବା ଚିହ୍ନ  । ଏହା ଶିବଙ୍କର ଯୌନାଙ୍ଗ ବୋଲି ଭାବିବା ଆମର ମସ୍ତବଡ଼ ଭୁଲ । ଯେପରି ଗୋଲାକାର ବାୟୁ ମଣ୍ଡଳ,ଗୋଲାକାର ପୃଥିବୀ ଓ ଗୋଲାକାର ବ୍ରହ୍ମାଣ୍ଡ ରହିଛି ସେପରି ଶିବଲିଙ୍ଗର ଚାରିପାଖର ଗୋଲାକାର ଅଂଶ ରହିଛି  । ଅର୍ଥାତ ‘ଶିବଲିଙ୍ଗ' ର ଗୋଲାକାର ଅଂଶ ବ୍ରହ୍ମାଣ୍ଡକୁ ବୁଝାଏ ଓ ‘ଶିବଲିଙ୍ଗ' ବ୍ରହ୍ମାଣ୍ଡର ଅକ୍ଷ ଅଟେ  । ବିଜ୍ଞାନ ମଧ୍ୟ ପ୍ରମାଣ କରି ସାରିଛି କି ‘ଶିବଲିଙ୍ଗ' ବ୍ରହ୍ମାଣ୍ଡର ଏକ ପ୍ରତୀକ । ଭାରତର ବହୁତ ନାରୀ ଶିବଲିଙ୍ଗକୁ ସ୍ପର୍ଶ କରନ୍ତି ନାହିଁ  । ସେମାନେ ଭାବନ୍ତିକି ଶିବଲିଙ୍ଗ ହେଉଛି ଶିବଙ୍କର ଯୌନାଙ୍ଗ  । ଆମ ମନରେ ଏଭଳି ଅନ୍ଧବିଶ୍ୱାସ ଭରି ଦିଆଯାଇଛି କେବଳ ବିଦେଶୀ ମାନଙ୍କ ଦ୍ୱାରା  । ସନାତନ ଧର୍ମ ଏକ ଏପରି ଧର୍ମ ଯାହା କି ବିଜ୍ଞାନ ସହ ଯୋଡି ହୋଇ ରହିଛି  । ବିଜ୍ଞାନ ମଧ୍ୟ ଭଗବାନଙ୍କ ଅସ୍ତିତ୍ୱର ପ୍ରମାଣ କରି ସାରିଛି  । ଏପରି ମହାନ ଆମ ସନାତନ ଧର୍ମ  । ଏବେ ପ୍ରଶ୍ନ ଆସୁଛି ‘ଶିବଲିଙ୍ଗ' ର ସୃଷ୍ଟି କିପରି ହେଲା ଆଉ କାହିଁକି ହେଲା ? ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଅଛି କି ପୁରାତନ କାଳରେ ମୁନି ଋଷି ମାନେ ଦୀପ ଜ୍ୟୋତିକୁ ଚାହିଁ ପରମାତ୍ମାଙ୍କୁ ଧ୍ୟାନ କରୁଥିଲେ  । ବାୟୁ ସଞ୍ଚାଳନ ହେତୁ ଦୀପ ଜ୍ୟୋତି ସ୍ଥିର ରହୁ ନଥିଲା ଓ ମୁନି ରୁଷି ମାନଙ୍କର ଧ୍ୟାନ ଭଗ୍ନ ହେଉଥିଲା  । ତେଣୁ ସେମାନେ ଦୀପ ଜ୍ୟୋତିର ଏକ ବିକଳ୍ପ ଚିନ୍ତା କଲେ  । ଅନନ୍ତ ବ୍ରହ୍ମାଣ୍ଡ ଓ ପୃଥିବୀର ଅକ୍ଷକୁ ଚିନ୍ତା କରି ସେମାନେ ପଥରରେ ଏକ ଦୀପ ଜ୍ୟୋତିର ମୂର୍ତ୍ତି ତିଆରି କଲେ ଯାହା କି ଏହି ‘ଶିବଲିଙ୍ଗ'  । ସେମାନେ ଏହି ‘ଶିବଲିଙ୍ଗ' କୁ ଚାହିଁ ଧ୍ୟାନ କରିବା ଆରମ୍ଭ କଲେ ତେଣୁ ଏହା ପରଠାରୁ ‘ଶିବଲିଙ୍ଗ' ର ପ୍ରଚଳନ ଆରମ୍ଭ ହେଲା  ।
ତେବେ ପଦ୍ମପୁରାଣ ଅନୁସାରେ ଏକଦା ମହର୍ଷି ଭୃଗୁ ସୃଷ୍ଟି ତତ୍ତ୍ୱ ଓ ପରମପିତା ଶିବଙ୍କର ମାହାତ୍ମ୍ୟ ଜାଣିବା ପାଇଁ କୈଳାସରେ ପହଞ୍ଚିଲେ  । ଠିକ୍ ସେହି ସମୟରେ ଭଗବାନ ଶିବ ମାତା ପାର୍ବତୀଙ୍କ ସହିତ ଏକ ନିଭୃତ ସ୍ଥାନରେ ରତିକ୍ରୀଡ଼ା ଅର୍ଥାତ୍ ସୃଷ୍ଟି ସର୍ଜନାରେ ମଗ୍ନ ଥିଲେ  । ବହୁଦିନ ଧରି ଅପେକ୍ଷା କରିଥିଲେ ମଧ୍ୟ ମହର୍ଷି ଭୃଗୁ ପରମପିତାଙ୍କର ଦର୍ଶନ କରିପାରିଲେ ନାହିଁ  । ଏଥିପାଇଁ ତାଙ୍କର ଧୈର୍ଯ୍ୟଚୁ୍ୟତି ହେବାରୁ ସେ ପରମପିତାଙ୍କୁ ପ୍ରାର୍ଥନା ତଥା ଅଭିଶାପ ଦେଇ କହିଲେ-“ ହେ ପରମ ପିତା ! ଆପଣ ଯେଉଁ ଅବସ୍ଥାରେ ନାରୀ ଶକ୍ତି ସହିତ ସଂଯୁକ୍ତ ହୋଇଛନ୍ତି, ସେହି ଅବସ୍ଥାରେ ଏ ଭବମୟ ସାରା ସଂସାରରେ ପୂଜା ପାଇବେ  ।” ତାହା ହିଁ ହେଲା  । ଭୃଗୁ ଋଷିଙ୍କର କଥା ସତ୍ୟ ହେଲା  । ସେହିଦିନରୁ ଭଗବାନ ଶିବ ଲିଙ୍ଗରୂପରେ ପୂଜା ପାଇଆସୁଛନ୍ତି  । ସେହିପରି କୋଟିରୁଦ୍ର ସଂହିତା ଅନୁସାରେ ଦେବଦାରୁ ବନରେ ଥିବା ଏକ ଆଶ୍ରମରେ କେତେକ ଋଷି ସପନôୀକ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରୁଥିଲେ  । ଏକଦା ଏହି ସପନôୀକ ଋଷିମାନଙ୍କୁ ପରୀକ୍ଷା କରିବା ପାଇଁ ଭଗବାନ ଶିବ ସେହି ଆଶ୍ରମରେ ପହଞ୍ଚିଲେ  । ଠିକ୍ ସେହି ସମୟରେ ଋଷିମାନେ ସମିଧ ସଂଗ୍ରହ ନିମନ୍ତେ ବନକୁ ଯାଇଥିଲେ  । ଭଗବାନ ଶିବ ଋଷି ପନôୀମାନଙ୍କ ସମ୍ମୁଖରେ ନଟରାଜ ରୂପରେ ନୃତ୍ୟ କରିବାକୁ ଲାଗିଲେ  । ନୃତ୍ୟ ସମୟରେ ଦେହରୁ ସମ୍ପୂର୍ଣ୍ଣ ବସ୍ତ୍ର ଖସି ଯାଇଥିଲା, ତାଙ୍କର ସେଥିପ୍ରତି ଧ୍ୟାନ ନଥିଲା  । ଠିକ୍ ସମୟରେ ଋଷିମାନେ ବନରୁ ଫେରି ଭଗବାନ ଶିବଙ୍କର ଏପରି ଉଲଗ୍ନ ଅବସ୍ଥା ଦେଖି କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ, ଏହାଫଳରେ ଶିବଙ୍କ ଲିଙ୍ଗ ତାଙ୍କ ଦେହରୁ ଛିନ୍ନ ହୋଇ ଭୂମିରେ ପଡ଼ିଲା  । ଛିନ୍ନ ଲିଙ୍ଗ ଅସ୍ଥିର ହୋଇ ସମଗ୍ର ସଂସାରରେ ବହୁ ଉତ୍ପାତ କଲେ  । ଦେବତାମାନେ ବ୍ୟସ୍ତ ହୋଇ ବେଦପତି ବ୍ରହ୍ମା ମାତା ପାର୍ବତୀଙ୍କୁ ଧ୍ୟାନ କଲେ  । ବ୍ରହ୍ମାଙ୍କ ଧ୍ୟାନରେ ସନ୍ତୁଷ୍ଟ ହୋଇ ମାତା ପାର୍ବତୀ ସମସ୍ତ ଜାଣିପାରି ମର୍ତ୍ତ୍ୟକୁ ଆଗମନ କଲେ  । ମାତା ଭଗବତୀ ଦେବୀ ପାର୍ବତୀ ଶିବଙ୍କର ସେହି ଛିନ୍ନ ଲିଙ୍ଗକୁ ନିଜ ଶକ୍ତିଚକ୍ର (ଯୋନି) ମଧ୍ୟରେ ଧାରଣ କରି ଶାନ୍ତ କରାଇଲେ  । ସେହିଦିନ ଏକାନ୍ତ ଭକ୍ତି ଓ ନିଷ୍ଠାର ସହିତ ସପନôୀକ ଋଷିମାନେ ଶକ୍ତିଚକ୍ର ସହିତ ଲିଙ୍ଗପୂଜା କଲେ  । ଫଳରେ ସେହିଦିନରୁ ଭଗବାନ ଶିବଲିଙ୍ଗ ରୂପରେ ପୂଜା ପାଇଆସୁଛନ୍ତି । ଆଉ ଶିବ ପୁରାଣ ଅନୁସାରେ ଦକ୍ଷପ୍ରଜାପତିଙ୍କ ଯଜ୍ଞରେ ମଙ୍ଗଳମୟ ଦେବାଧିଦେବ ମହାଦେବଙ୍କ ଅପମାନ ସହ୍ୟ କରିନପାରି ମାତା ସତୀ ଯଜ୍ଞକୁଣ୍ଡରେ ଆତ୍ମହୁତି ଦେଲେ  । ଫଳରେ ସତୀଙ୍କୁ ନପାଇ ଭଗବାନ ଶିବ ହତଜ୍ଞାନ ହୋଇ ଦକ୍ଷଯଜ୍ଞ ଭଙ୍ଗ କରିବା ସଙ୍ଗେ ସଙ୍ଗେ ସଂସାରରେ ତାଣ୍ଡବଲୀଳା କରି ସମଗ୍ର ସୃଷ୍ଟିକୁ ପ୍ରଳୟ କରିବାକୁ ଲାଗିଲେ  । ସେହି ସମୟରେ ତାଙ୍କ କଟିରୁ ବ୍ୟାଘ୍ରଚର୍ମ ଖସିପଡ଼ିବାଦ୍ୱାରା ସେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଗଲେ  । ଶିବଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଦକ୍ଷ ପ୍ରଜାପତିଙ୍କ ରାଣୀ ନୈବେଦ୍ୟ ଧରି ଶିବଙ୍କ ସମ୍ମୁଖରେ ଉଭା ହେଲେ  । ଭଗବାନ ଶିବଙ୍କର ଏପରି ଉଲଗ୍ନ ରୂପ ଦେଖି ରାଗିଯାଇ ବଡ଼ÿପାଟିରେ କହିଲେ, “ ମୁଁ ତୁମର ମାତୃତୁଲ୍ୟ, ତୁମେ ମୋ ସମ୍ମୁଖରେ ଉଲଗ୍ନ ହୋଇ ଲିଙ୍ଗ ପ୍ରଦର୍ଶନ କଲ  । ତେଣୁ ତୁମେ ଯୁଗେ ଯୁଗେ ଏହି ଲିଙ୍ଗ ରୂପରେ ପୂଜା ପାଅ  । ତାହା ହିଁ ହେଲା  । ସେହିଦିନରୁ ଭଗବାନ ଶିବଶଙ୍କର ସମଗ୍ର ସଂସାରରେ ଲିଙ୍ଗରୂପରେ ପୂଜା ପାଇ ଆସୁଛନ୍ତି  । ତେବେ ତତ୍ତ୍ୱ ଜନିତ ଓ ବୈଜ୍ଞାନିକ ପ୍ରାମାଣିକ ଅନୁସାରେ ଶୂନ୍ୟ , ଆକାଶ , ଅନନ୍ତ ବ୍ରହ୍ମାଣ୍ଡ ଏବଂ ନିରାକାର ପରମ ପୁରୁଷଙ୍କ ପ୍ରତୀକ ହୋଇଥିବାରୁ ଏହାକୁ ଲିଙ୍ଗ କୁହାଗଲା ଯାହା ଶିବଲିଙ୍ଗ ନାମରେ ନାମିତ ଆଉ ଏହା ହିଁ ପ୍ରକୃତ ସତ୍ୟ ।
ଅରଙ୍ଗାବାଦ, ବରୀ, ଯାଜପୁର
ମୋବାଇଲ - ୮୨୪୯୫୦୨୭୭୬