ଜୀବେଦୟାର ଅନନ୍ୟ ଉଦାହରଣ


ଦିନ କେଇଟା ତଳେ ଇଦ୍-ଉଲ୍-ଜୁହା ବା ବକ୍ରି ଇଦ୍ ପାଳନ ହୋଇଯାଇଛି । ମୁସଲମାନ୍ ସମ୍ପ୍ରଦାୟ ମଧ୍ୟରେ ଉଦ୍-ଉଲ୍-ଜୁହା ପାଳନର ଏକ ସ୍ୱାତନ୍ତ୍ର୍ୟ ହେଲା ସେଦିନ ଆହ୍ଲାଙ୍କ ଉଦେ୍ଦଶ୍ୟରେ ଗୋଟାଏ ଛେଳିକୁ ସମର୍ପଣ କରାଯାଏ । ଏହି ଘଟଣାକୁ ନେଇ ଅତୀତରେ ଦେଶର କିଛି ସ୍ଥାନରେ ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ ହୋଇଛି । ଅନେକ ଧର୍ମରେ ଜୀବେଦୟା ଉପରେ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ପର୍ବପର୍ବାଣୀରେ ବିପୁଳ ସଂଖ୍ୟାରେ ପଶୁପକ୍ଷୀଙ୍କୁ ବଳି ଦିଆଯାଏ । ମୁହଁରେ ଜୀବେଦୟା ବୋଲି କୁହାଯାଉଥିଲେ ମଧ୍ୟ ଆଚରଣରେ ଜୀବମାନଙ୍କ ପ୍ରତି ନିଷ୍ଠୁରତା କେତେକ ଧର୍ମରେ ରହିଛି । ବକ୍ରି ଇଦ୍ ପାଳନ ପୂର୍ବରୁ ବିଭିନ୍ନ ହାଟରେ ଛେଳିମାନଙ୍କର କିଣାବିକାକୁ ନେଇ କୋଟି କୋଟି ଟଙ୍କାର ବ୍ୟବସାୟିକ କାରବାର ହୋଇଥାଏ । ତେଣୁ ଏଭଳି କାରବାରକୁ କେତେକ ସ୍ଥାନରେ ଉତ୍ସାହିତ ମଧ୍ୟ କରାଯାଏ । ତେବେ ବକ୍ରି ଇଦ୍ ପାଳନର ଅଳ୍ପ କିଛି ଦିନ ପୂର୍ବରୁ ନୂଆଦିଲ୍ଲୀର ଚାନ୍ଦିନୀଚୌକ୍ ଅଞ୍ଚଳରେ ଜୈନ ସମ୍ପ୍ରଦାୟର କିଛି ଲୋକ ଛେଳିମାନଙ୍କର ଜୀବନରକ୍ଷା କରିବା ପାଇଁ ତଥା ଜୀବେଦୟାର ସନ୍ତକ ଭାବରେ ହାଟକୁ ବିକ୍ରି ପାଇଁ ଆସିଥିବା ସବୁତକ ଛେଳି କିଣି ନେଇ ଗଲେ । ପ୍ରାୟ ଶହେଟି ଛେଳି ସେମାନେ କିଣି ନେବା ପରେ ସେସବୁକୁ ବିଭିନ୍ନ ଫାର୍ମ୍କୁ ପଠେଇ ଦେଇଛନ୍ତି । ଏହି ଫାର୍ମ୍ ଗୁଡିକରେ ଛେଳିମାନଙ୍କର ରକ୍ଷଣାବେକ୍ଷଣ କରାଯିବ ଏବଂ ସେମାନଙ୍କୁ ସ୍ୱାଭାବିକ ଭାବରେ ମୃତୁ୍ୟ ପର୍ଯ୍ୟନ୍ତ ପାଳନ ପୋଷଣ କରି ରଖାଯିବ । ଏହି ଶହେ ଛେଳି କିଣିବା ପାଇଁ ସେମାନେ ବ୍ୟକ୍ତିଗତ ଭାବରେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଜୈନ ସମ୍ପ୍ରଦାୟର ଫାର୍ମ୍ରେ ଏହି ଛେଳିମାନଙ୍କୁ ପାଳନ କରାଯିବା ପରିବେଶରେ ରଖାଯିବ, ମାଂସ ଉଦେ୍ଦଶ୍ୟରେ ହତ୍ୟାର ପରିବେଶ ନୁହେଁ ।
ଚାନ୍ଦିନୀଚୌକ ଅଞ୍ଚଳକୁ ବକ୍ରି ଇଦ୍ ପୂର୍ବରୁ ବିକ୍ରି ଉଦେ୍ଦଶ୍ୟରେ ଶହ ଶହ ସଂଖ୍ୟାରେ ଛେଳି ଅଣାଯାଏ । ତେବେ ଏହି ଛେଳିମାନଙ୍କର ଜୀବନକୁ ସୁରକ୍ଷିତ ରଖିବ ପାଇଁ ହଠାତ୍ ଜୈନ ସଂପ୍ରଦାୟର କିଛି ଯୁବକ ନିଷ୍ପତ୍ତି ନେଇଥିଲେ । ମୋଟ୍ ୧୨୨ଟି ଛେଳି କିଣିନେଇ ସେମାନଙ୍କୁ ନିଶ୍ଚିତ ମୃତୁ୍ୟମୁଖରୁ ରକ୍ଷା କରିପାରିଛନ୍ତି । ଏଭଳି ଏକ ଘଟଣା ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚାର ପରିସରକୁ ଆସିଛି । 
ଆମ ଦେଶରେ ବଳିକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ବିତର୍କ ହୋଇଥାଏ । ଖାଦ୍ୟ ଉଦେ୍ଦଶ୍ୟରେ ପଶୁପକ୍ଷୀମାନଙ୍କର ହତ୍ୟା ଏବଂ ବଳି ନାମରେ ଦେବଦେବୀଙ୍କ ନିକଟରେ ପଶୁପକ୍ଷୀଙ୍କ ହତ୍ୟାକୁ କିଛି ବ୍ୟକ୍ତି ସମାନ ଦୃଷ୍ଟିରେ ଦେଖନ୍ତି । ତେଣୁ ସେମାନେ ବଳିର ସପକ୍ଷରେ ଯୁକ୍ତି ବାଢ଼ି ରାସ୍ତାକଡ଼ରେ ଖାଦ୍ୟ ଉଦେ୍ଦଶ୍ୟରେ ହତ୍ୟା କରାଯାଉଥିବା ପଶୁପକ୍ଷୀଙ୍କର ଉଦାହରଣ ଦେଇଥାନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ନାନାପ୍ରକାରର ବିବାଦ ମଧ୍ୟ ମୁଣ୍ଡ ଟେକିଛି । ଖାଦ୍ୟ ଉଦେ୍ଦଶ୍ୟରେ ପଶୁପକ୍ଷୀ ହତ୍ୟା ଏବଂ ଦେବଦେବୀ କିମ୍ବା ଈଶ୍ୱରଙ୍କ ନାମରେ ପଶୁପକ୍ଷୀଙ୍କ ହତ୍ୟାକୁ ଭିନ୍ନ ଭିନ୍ନ ଦୁଇଟି ଘଟଣା ଭାବରେ ଦେଖିବା ପାଇଁ ଅନେକ ଲୋକ ନାରାଜ୍ । ବିଶେଷ ଭାବରେ ଜୀବେଦୟା ଏବଂ ଅହିଂସା ନୀତି ଉପରେ ବିଶ୍ୱାସ ରଖୁଥିବା ଲୋକମାନେ ମୋଟ୍ ଉପରେ କୌଣସି ପ୍ରକାରର ପଶୁପକ୍ଷୀ କିମ୍ବା ପ୍ରାଣୀଙ୍କର ହତ୍ୟାକୁ କେବେ ହେଲେ ସମର୍ଥନ କରନ୍ତି ନାହିଁ ।  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କ୍ଷେତ୍ରରେ ଏଭଳି ଏକ ଘଟଣା ଘଟିଥିଲା, ଯେଉଁଥି ପାଇଁ ସେ ସାରା ଜୀବନ ଶାକାହାରୀ ହୋଇ ଯାଇଥିଲେ । ଖାଦ୍ୟ ଉଦେ୍ଦଶ୍ୟରେ ପଶୁପକ୍ଷୀଙ୍କ ହତ୍ୟାକୁ ଅନେକ ବ୍ୟକ୍ତି ସମର୍ଥନ କରିଥାନ୍ତି । ଦେଶରେ ମାଛ, ମାଂସ, ଅଣ୍ଡା ଆଦିର ବିଶାଳ ବଜାର ରହିଛି ଏବଂ ଜନସଂଖ୍ୟାର ଅଧିକାଂଶ ଲୋକ ହେଉଛନ୍ତି ଆମିଷ ଆହାରୀ । ଦେଶର ଅର୍ଥନୀତିକ ଦୃଷ୍ଟିରୁ ଆମିଷ ଭୋଜନର ଯଥେଷ୍ଟ ଗୁରୁତ୍ୱ ଅଛି । କିନ୍ତୁ ଏହି ଆମିଷ ଭୋଜନ ଧର୍ମୀୟ ପରମ୍ପରା ନାଁରେ ନ ହେବା ଉଚିତ୍ ।