ରକ୍ତମୁଖା ଛାତ୍ରସଂଘ ଓ ଇସ୍ରାଏଲର ଆତ୍ମରକ୍ଷା
ହୁତି ଆଉ ହେଜବୁଲ୍ଲାଙ୍କୁ ସମୂଳେ ନିପାତ କରିବାକୁ ପଣ କରିଛି ଇସ୍ରାଏଲ । ହେଲେ କିଏ ଏହି ହୁତି ଆଉ ହେଜବୁଲ୍ଲା ଏମାନେ କାହିଁକି ନିଆଁକୁ ପତଙ୍ଗ ପରି ବାରୁଦ ଗଦା ଉପରେ ଠିଆ ହୋଇ ନିଜେ ଜଳୁଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇସ୍ରାଏଲ ସହ ଆମେରିକା ହାତ ମିଳାଇବାକୁ ଜାତିସଙ୍ଘ ନାପସନ୍ଦ କରେ । ଗାଜାଷ୍ଟ୍ରିପରେ ହମାସକୁ ବିଦା କରିବା ଇସ୍ରାଏଲର ଲକ୍ଷ୍ୟ । ୧୯୬୭ର ଇଜିପଟ୍, ସିରିଆ ଓ ଜୋର୍ଡାନ ବିରୋଧରେ ଇସ୍ରାଏଲର ବିଜୟ ପରେ ବିସ୍ତୃତ ଅଞ୍ଚଳ ମାଡ଼ିବସିବା ଓ ୧୯୭୩ ରେ ପୁଣି ଏକ ଯୁଦ୍ଧରେ ଇଜିପଟ୍ ଓ ସିରିଆକୁ ପରାଜିତ କରିଥିବା ଇସ୍ରାଏଲ ପରି ମଧ୍ୟପ୍ରାଚ୍ୟର ବନ୍ଧୁରାଷ୍ଟ୍ରକୁ ଆମେରିକା ଛାଡିବାକୁ ଚାହୁଁନି । ୨ୟ ବିଶ୍ୱଯୁଦ୍ଧ ପରେ ଇସ୍ରାଏଲ ସହ ବାଣିଜ୍ୟ ବୃଦ୍ଧି ଓ ୧୯୧୬ ମସିହାରୁ ଓବାମାଙ୍କ ବେଳର ୩୮ ବିଲିଅନ ଆମେରିକା ଡଲାର ପ୍ରତିରକ୍ଷା ସହାୟତା ଦେଇ ମଧ୍ୟପ୍ରାଚ୍ୟକୁ ତତଲା କଡେଇରେ ଭାଜୁଛି ଆମେରିକା । ପାଲେଷ୍ଟାଇନ ମୁକ୍ତି ପଛରେ କାମ କରୁଥିବା ଇରାନ ଓ ରୁଷିଆଙ୍କୁ ପାନେ ଦବାକୁ ଯାଇ ଇସ୍ରାଏଲକୁ ତେଜୁଛି । ହୁତି, ହେଜବୁଲ୍ଲା ଓ ହମାସ ଉପରେ ଇସ୍ରାଏଲ ରକେଟ ମାଡ କରି ଦକ୍ଷିଣ ଲେବାନନ ଆଡେ ତୋପ କମାଣ ସହ ଆଗକୁ ବଢୁଛି । ଅପର ପକ୍ଷରେ ଦୁଇ ଘଣ୍ଟାର ଅବଧି ଭିତରେ ଇରାନ ଶହେରୁ ଊଦ୍ଧ୍ୱର୍ ରକେଟ ମାରି ଇସ୍ରାଏଲ ଆକାଶରେ ନିଆଁର ତାଣ୍ଡବ ରଚିଛି । ୟେମେନର ମୌଳବାଦୀ ଛାତ୍ର ସଂଗଠନ ‘ହୁତି'ର ସମ୍ପୃକ୍ତିକୁ ନେଇ ଇସ୍ରାଏଲ ୟେମେନ ଉପରେ ମଧ୍ୟ କ୍ଷେପଣାସ୍ତ୍ର ମାଡ କରିଛି ।
ହେଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତୁ୍ୟ ପରେ ମଧ୍ୟ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଇସ୍ରାଏଲ ୱେଷ୍ଟ ବ୍ୟାଙ୍କ ଓ ଗାଜା ଷ୍ଟ୍ରିପ ଦଖଲ କରିନେବା ଉଦ୍ୟମ ଦ୍ୱନ୍ଦ୍ୱର ମୂଳ କାରଣ । ଅନ୍ୟ କାରଣ ମଧ୍ୟରେ ରହିଛି- ଜେରୁଜେଲମର ମାନ୍ୟତା ଉପରେ ପ୍ରତିବନ୍ଧକ, ଇସ୍ରାଏଲର ଜୋର ଜବରଦସ୍ତ ଉପନିବେଶ ତିଆରି ଆଉ ସେଠାରେ ସୀମା ସୁରକ୍ଷା ବାହିନୀ ମୁତୟନ । ପାଲେଷ୍ଟାଇନ ଅନ୍ୟ ପକ୍ଷରେ ଆରମ୍ଭ କରିଛି ମୁକ୍ତି ସଂଗ୍ରାମ, ପଛରେ ଅଛି ଇରାନ । ଦକ୍ଷିଣ ଲେବାନନରେ ଇସ୍ରାଏଲକୁ ଅଟକାଇବା ଆଉ ଆମେରିକାର ଉଦେ୍ଦଶ୍ୟ ପଣ୍ଡ କରିବା ପଣରେ ହେଜବୁଲ୍ଲା ଯାହା ‘ସିଆ' ଇସଲାମର ପ୍ରସାର ପାଇଁ ପ୍ରତିବଦ୍ଧ, ରକେଟ ଓ ପଦାତିକ ବାହିନୀକୁ ନେଇ ସମୃଦ୍ଧ । ଅନ୍ୟ ପକ୍ଷରେ ଇସ୍ରାଏଲ ଉଭୟ ଆକାଶ ଓ ସ୍ଥଳସେନାରେ ପାରଙ୍ଗମ । ପଛରେ ଆମେରିକାର ସମ୍ପୃକ୍ତି ୧୯୪୮ ମସିହାରୁ । ଯୁଦ୍ଧ ଅଧୁ୍ୟଷିତ ଅଞ୍ଚଳଟିରେ ପାଣିର ଅଭାବ ଅଛି । ଆଗାମୀ ତୃତୀୟ ବିଶ୍ୱଯୁଦ୍ଧକୁ ଧର୍ମ ଆଉ ପାଣିକୁ ନେଇ ହେବ ବୋଲି ରାଜନୈତିକ ଆକଳନ କରାଯାଇପାରେ । ଢାକା ବିଶ୍ୱବିଦ୍ୟାଳୟର ତିନି ଛାତ୍ରନେତା ନହିଦ ଇସଲାମ, ଆସିଫ ମହମ୍ମଦ ଓ ଅବୁ ବକ୍କର ମଜୁମଦାର କେମିତି ଏହି ବର୍ଷ ଜୁଲାଇ ଆନେ୍ଦାଳନରେ ବଙ୍ଗଳାଦେଶ ସରକାର ପତନର ପ୍ରମୁଖ ସାଜିଲେ ଆମେ ଦେଖିଲେ । ୧୯୭୧ ସ୍ୱାଧୀନତା ଯୋଦ୍ଧାଙ୍କ ପରିବାରକୁ ୩୦ ପ୍ରତିଶତ କୋଟା ବିରୋଧୀ ଲଢେଇରେ ଛାତ୍ରଙ୍କ ବିଜୟ ଅବିଶ୍ୱସନୀୟ ; ୟୁନୁସ ଖାଁଙ୍କ ଭିତରିଆ ଆମେରିକା ସମ୍ପର୍କ ପରିଚାଳନାକୁ ଅନେକ ସରକାର ପତନର କାରଣ କହନ୍ତ । ବୋକୋ ହାରାମ ପରି ଉଗ୍ରବାଦୀ ଛାତ୍ରସଙ୍ଘ ନାଇଜେରିଆ ସରକାରଙ୍କୁ ନାକରେ ପାଣି ପିଆଇ ସାରିବା ପରେ ଏବେ ସୈନିକ ଲଢେଇରେ ଅନେକ ଜୀବନ ଯାଉଛି । କାମେରୁନ, ନାଇଜେରିଆ ଆଉ ପାଶ୍ଚାତ୍ୟ ଦେଶକୁ ବିରୋଧ କରିଆସୁଥିବା ଉକ୍ତ ଛାତ୍ର ସଂଗଠନ ୨୦୧୪ ମସିହାରେ ୨୭୬ ଜଣ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରି ଆନ୍ତର୍ଜାତିକ ନିନ୍ଦାର ଶିକାର ହୋଇଥିଲା ।
ପାଉଁରୋଟି ଉପରେ ଷୋଳ ପ୍ରତିଶତ ଆଉ ଖାଇବା ତେଲ ଉପରେ ପଚିଶ ପ୍ରତିଶତ କର ଆଦାୟ ଯୋଗୁ ଚଳିତବର୍ଷ ଜୁନ ମାସରେ ଆଫ୍ରିକୀୟ ରାଷ୍ଟ୍ର କେନିଆ ରାଜଧାନୀ ନାଇରୋବିରେ ସରକାର ଆଉ ଛାତ୍ରଙ୍କ ମଧ୍ୟରେ ସଂଘର୍ଷରୁ ଦୁଇଶହଙ୍କ ମୃତୁ୍ୟ ହୋଇଥିଲା । ସଂସଦ ଭବନରେ ଛାତ୍ରମାନେ ନିଆଁ ଲଗେଇବା କାରଣରୁ ସରକାର ମୁଣ୍ଡ ନୋଇଁଲେ । ସ୍ୱଦେଶରେ ଛାତ୍ର ଜାଗରଣ ଯେତିକି ଭୟଙ୍କର ଏହାଠାରୁ ଅଧିକ ଭୟଙ୍କର ଯେବେ ତାହା ଦୁଇ ଦେଶକୁ ନେଇ ଲଢେଇ ଲାଗିଯାଏ ।୧୪ ମଇ ୧୯୪୮ ମସିହା, ଡେଭିଡ ବେନ-ଗୁରିଅଣ ଯିଏ ୧୯୩୭ରୁ ଜିଉ ସଂଗଠନର ମୁଖ୍ୟଥାଇ ଆମେରିକା ରାଷ୍ଟ୍ରପତି ହାରୀ ଏସ. ଟ୍ରୁମ୍ୟାନଙ୍କ ମୋହରରେ ଇସ୍ରାଏଲକୁ ଦେଶର ମାନ୍ୟତା ଘୋଷଣାକରି ପ୍ରଥମ ପ୍ରଧାନମନ୍ତ୍ରୀ ବନିଗଲେ । ଆମେରିକାରେ ଜିଉ ଧାର୍ମିକ ସମ୍ପ୍ରଦାୟଙ୍କ ସଂଖ୍ୟାଗତ ଉପସ୍ଥାନ ଟ୍ରୁମ୍ୟାନଙ୍କୁ ଆକର୍ଷିତ କରିଥିଲା ବୋଲି ଶୁଣାଯାଏ । ତେଲ-ଅଭିଭ ସେ କାଳରୁ ରାଜଧାନୀ ରହିଲା । ଏବେ ଇସ୍ରାଏଲର ଲକ୍ଷ୍ୟ ହେଜବୁଲ୍ଲା, ହମାସ ସହ ୟେମେନ ସମର୍ଥିତ ହୁତି ଆତଙ୍କୀ ସଂଗଠନକୁ ସଫା କରିବା । ଜାଇଦି ଧର୍ମ ନେତା ହୁସେନ-ଅଲ-ହାଉଥି ‘ହୁତି'ର ନେତୃତ୍ୱ ନେଇ ୟେମେନ ରାଷ୍ଟ୍ରପତି ଅଲ୍ଲୀ ଅବଦୁଲ୍ଲା ସାଲେଙ୍କୁ ସାଉଦି ଆରବ ଓ ଆମେରିକାର ହାତବାରିସି ହୋଇଥିବା ସହ ଭ୍ରଷ୍ଟାଚାର ଲିପ୍ତ ଅଭିଯୋଗ ଆଣିଲେ । ଗୃହଯୁଦ୍ଧ କ୍ରମେ ୨୦୧୪ ରେ ହାଉଥି ସେନା ରାଜଧାନୀ ସାନ୍ନା ଅକ୍ତିଆର କରିବାସହ ଅନେକ ଜାତୀୟ କାର୍ଯ୍ୟାଳୟକୁ ଅଧିକାର କରିନେଲେ । ‘ହୁତି’ ବା ‘ହାଉଥି’ ଛାତ୍ରସଙ୍ଘର ନେତା ହୁସେନ ବଦରୁଦ୍ଦିନ ହାଉଥିଙ୍କ ଏହା ପଛରେ ବିରାଟ ହାତ ଥିଲା ଆଉ ଛାତ୍ରଙ୍କ ସମର୍ଥନରେ ଇରାନ ଭିତିରିଆ ୧୯୯୦ ମସିହାରୁ କାର୍ଯ୍ୟ ଚଳେଇଥିଲା । ସେହି ସ୍ୱାଭିମାନୀ ତଥା ‘ସାଲିସ ବିହୀନ ସଂଗ୍ରାମ' ପଣ କରିଥିବା ହୁତିଙ୍କୁ ଏବେ ବାରୁଦ ଗଦାରେ ବସେଇ ଇରାନ ପ୍ରତ୍ୟକ୍ଷ ସହାୟତା ଦେଉଛି । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ହୁତି ଆତଙ୍କୀଙ୍କ ଯୁଦ୍ଧ ବିମାନ ସମେତ ପାୱାର ପ୍ଲାଣ୍ଟ ଏବଂ ୟେମେନର ରସ ଇସା ଏବଂ ହୋଡିଡାହ ସମୁଦ୍ର ବନ୍ଦର ଉପରେ ମଧ୍ୟ ଆକ୍ରମଣ କରିଛି । ଅପରପକ୍ଷରେ ଇରାନ ମାଟିରୁ ଇସ୍ରାଏଲ ଆକାଶକୁ ମରାଯାଇଛି ଶହେରୁ ଊର୍ଦ୍ଧ୍ୱ ରକେଟ ।
ଛାତ୍ର ସଂଗଠନ ଆଳରେ ଯୁବକ ମାନଙ୍କୁ ରକ୍ତମୁଖା କରୁଥିବା ହେଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତୁ୍ୟ ପରେ ମଧ୍ୟ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଏବେ ହେଜବୁଲ୍ଲାକୁ ହମାସ ଭରସା । ‘ହରକତ ଉଲ ମୁକ୍ୱାଉମାହ' ନାମରେ ଇସଲାମିକ ପ୍ରତିରୋଧୀ ଗୋଷ୍ଠୀ ଦ୍ୱାରା ରାଜନୈତିକ ଆନେ୍ଦାଳନ ଚଳେଇ ରଖିଥିବା ବେଳେ ଗୁଳି, ବାରୁଦ, ବୋମାର ଗଦା ଉପରେ ଛିଡା ହୋଇଛି ହମାସ । ହମାସର ସଦସ୍ୟଗଣ ସୁନ୍ନି ମୁସଲମାନ, ହେଲେ ଜାତୀୟ ଆନେ୍ଦାଳନ ବେଳେ ସିଆ ଗୋଷ୍ଠୀ ହେଜବୁଲ୍ଲା ପାଇଁ ପ୍ରାଣ ଦେଇପାରନ୍ତି । ପାଲେଷ୍ଟାଇନ ଜାତୀୟ ପ୍ରତିରୋଧ ସେନା ‘ଇଜଦିନ ଅଲ କସିମ ବ୍ରିଗେଡ' ନାମରେ ନିଜ ସାମରିକ ବାହିନୀର ପରିଚାଳନା କରେ ହମାସ, ଯେଉଁଥିରେ ଅଧିକାଂଶ ପାଠପଢା ଯୁବକ ମୁଲ୍ଲା ମୌଲବୀଙ୍କ ଶିକ୍ଷା ପ୍ରାପ୍ତ, ପାଠ କହିଲେ ବନ୍ଧୁକ ଚାଳନା ଓ ଈଶ୍ୱରଙ୍କ ପାଇଁ ନିଜକୁ କୁରବାନ । ୭ ଅକ୍ଟୋବର ୨୦୨୩, ହମାସ ଆକ୍ରମଣରେ ବାରଶହ ଇସ୍ରାଏଲି ଲୋକ ପ୍ରାଣ ହରେଇବା ଏକ ଭୟାନକ ଘଟଣା ଥିଲା । ପାଲେଷ୍ଟାଇନ ଇନ୍ତିଫଦା ବା ସଂଗ୍ରାମର ଆରମ୍ଭ ୧୦ ଡିସେମ୍ବର ୧୯୮୭ରୁ ଜନ୍ମ ନେଇଥିବା ହମାସ ଏବେ ୩୭ ବର୍ଷରେ ପଦାର୍ପଣ କରିଛି । ଗାଜା ଷ୍ଟ୍ରିପକୁ ନିଜ ରାଜଧାନୀ କରିସାରିଥିବା ହମାସ ପାଇଁ ଏବେ ‘କର ଅବା ମର' ପରିସ୍ଥିତି । ୧୯୯୨ବେଳକୁ ରୁଷ ଆଫଗାନିସ୍ତାନ ଛାଡିବା ବେଳେ ତାଲିବାନମାନଙ୍କ ବହୁଳ ପ୍ରବେଶ ହେଲା, ଯେଉଁମାନଙ୍କୁ ପାକିସ୍ଥାନ ନିଜ ଦେଶରେ ପାଠପଢା ଆଳରେ ‘ହଲାଲ' ଆଉ ମହିଳା ଅଧିକାରରେ ଅନ୍ତରାୟ ଶିକ୍ଷା ଦେଇଥିଲା ଆଉ ପରୀକ୍ଷା ଦବାକୁ ଯାଇ ସେମାନେ ୧୧ ବର୍ଷୀୟା ସ୍କୁଲ ଝିଅ ମଲାଲା ଜୁସୁଫଯାଇକୁ ଗୁଳି ମାରିଥିଲେ । ପାସ୍ତୁନ ଭାଷାରେ ତାଲିବାନ ଅର୍ଥ ଛାତ୍ର ଆନେ୍ଦାଳନ । ଏବେ ସେହି ସୁନ୍ନି ଇସଲାମିୟ ତଥା କୋରାନ ମାର୍ଗୀ ‘ସାରିୟାତ' ଆଇନରେ ଚାଲୁଥିବା ତାଲିବାନ ହାତରେ ଆଫଗାନିସ୍ତାନର ବିକାଶ । ୨୩ ଫେବୃଆରୀ, ୧୮୪୮ର ଫରାସୀ ଗଣବିଦ୍ରୋହରେ ପଚାଶ ଛାତ୍ର ପୋଲିସ ଗୁଳିରେ ପ୍ରାଣ ହରେଇଲେ । ପ୍ରଧାନମନ୍ତ୍ରୀ ଫ୍ରଙ୍କାଇସ ଗୁଇଜତ ପଦ ଛାଡିଲେ ଆଉ ରାଜା ଲୁଇ ଫିଲିପ ପଶ୍ଚିମ ଜର୍ମାନୀ ପଳାୟନ କଲେ । ବେରୋଜଗାର ଉପରେ ଆନେ୍ଦାଳନକୁ ନେଇ ଛାତ୍ରମାନଙ୍କ ଭୂମିକା ଥିଲା ମହତ୍ୱପୂର୍ଣ୍ଣ ।ରାଜନୈତିକ ବିଚାରରେ ଏକାଠି ହେବାକୁ ସରକାରଙ୍କ ‘ନାଁ', ସହର ଉପାନ୍ତରୁ ଆରମ୍ଭ ମେଳି ବ୍ୟାପିଗଲା ମହାମାରୀ ପରି । ପୂର୍ବର ସମୃଦ୍ଧ ଓ୍ଟୋମାନ ସାମ୍ରାଜ୍ୟ ବ୍ରିଟିଶ ଶାସନ ମୁକ୍ତ ହେବାପରେ ଅନ୍ୟସବୁ ଅଞ୍ଚଳ ଛାଡି ପାଲେଷ୍ଟାଇନକୁ ବ୍ରିଟିଶ ଶାସନାଧୀନ ରଖିବାକୁ ମିଳିତ ଜାତି ପରିଷଦ (ଲିଗ ଅଫ ନେସନସ) ବର୍ଷ ୧୯୨୨ରୁ ନୀତିଗତ ନିଷ୍ପତ୍ତି ନେଲା । କାଳକ୍ରମେ ସବୁ ଅଞ୍ଚଳ ସ୍ୱାଧୀନ ହବା ସତ୍ତ୍ୱେ ପାଲେଷ୍ଟାଇନ ବ୍ରିଟେନର ପରାମର୍ଶ ମାନିବାକୁ ବାଧ୍ୟ କରାଗଲା । ୧୯୧୭ରୁ ବ୍ରିଟେନର "ବାଲଫୋର ଘୋଷଣାନାମା" ଦ୍ୱାରା ପାଲେଷ୍ଟାଇନ ଜୀଉ ଧାର୍ମିକ ସମ୍ପ୍ରଦାୟଙ୍କ ଲାଗି ଜାତୀୟ ଘର ହୋଇଗଲା । ଏମିତିକା ସୁବିଧା ପାଇ ୧୯୨୨-୧୯୪୭ ମଧ୍ୟରେ ପୂର୍ବ ଇଉରୋପରୁ ବହୁମାତ୍ରାରେ ଜିଉ ଧର୍ମାମବଲମ୍ବୀ ପାଲେଷ୍ଟାଇନ ପ୍ରବେଶ କରିଗଲେ । ନାଜିର ବର୍ବରତାରୁ ତ୍ରାହି ପାଇବା ପାଇଁ ୧୯୩୦ ମସିହାରେ ସର୍ବାଧିକ ଜିଉଧର୍ମୀଙ୍କ ଆଗମନ ହେଲା ପାଲେଷ୍ଟାଇନକୁ । ଆରବ ଏଭଳି ଜିଉ ପ୍ରବେଶକୁ ୧୯୩୭ରେ ବିରୋଧ କରିବାରୁ ପ୍ରଥମେ ହିଂସା ଓ ପରେ ଉଗ୍ରବାଦର ମୂଳଦୁଆ ପଡିଗଲା । ହିତ ଉପଦେଶ ସବୁ ଫେଲ ହବାରେ ୧୯୪୭ରୁ ବ୍ରିଟେନ ମୁଣ୍ଡେଇଥିବା ବୋଝଟିକୁ ଜାତିସଙ୍ଘ ମୁଣ୍ଡକୁ ଦେଇଦେଲା । ତକôାଳୀନ କାଶ୍ମୀର ସୀମାରେଖା ବିଷମଞ୍ଜିଟି ଭାରତକୁ ସମସ୍ୟା ହେଲାପରି ଇସ୍ରାଏଲ ଆଉ ପାଲେଷ୍ଟାଇନବାସୀ ମଧ୍ୟରେ ସୀମା ସମସ୍ୟା ଧାର୍ମିକ ବିଭାଜନ ଭିତରେ ରହିଗଲା । ପୂର୍ବ ଅଧ୍ୟାଦେଶକୁ ଅଗ୍ରାହ୍ୟ କରି ଜାତିସଙ୍ଘ ରିଜୋଲୁସନ ୧୮୧ (୨)ରେ ଲିପିବଦ୍ଧ ଅନୁସାରେ ପାଲେଷ୍ଟାଇନକୁ ଦୁଇଭାଗ (ଆରବ ପାଲେଷ୍ଟାଇନ ଓ ଜିଉ ଅଧୁ୍ୟଷିତ ଜେରୁଜେଲମ ପାଲେଷ୍ଟାଇନ) କରିଦେଲା । ୧୯୭୪ରେ ଜାତିସଙ୍ଘ ସାଧାରଣ ପରିଷଦ କହିଲା ପାଲେଷ୍ଟାଇନ ବାସୀ ନିଜ ପସନ୍ଦର ଅଧିକାର ସାବ୍ୟସ୍ତ କରନ୍ତୁ । ଇସ୍ରାଏଲ କବ୍ଜାରେ ଥିବା ୱେଷ୍ଟ ବ୍ୟାଙ୍କର ୪୨ ପ୍ରତିଶତ ଅନୈତିକ ଅଞ୍ଚଳ ପାଲେଷ୍ଟାଇନକୁ ହସ୍ତାନ୍ତର ପୁଣି ସିରିଆର ଗୋଲଡେନ ହାଇଟ ଅଞ୍ଚଳ ନେଇ ଜାତିସଙ୍ଘ ମୁହଁ ନଖୋଲିଲେ ନିଜ ଭିଟାମାଟିକୁ ନେଇ ଛାତ୍ରଯୁବକ ମାନେ ରକ୍ତମୁଖା ହେଉଥିବେ ।
ଡ. ସାରଦା ପ୍ରସାଦ କର
ଭୁବନେଶ୍ୱର
ମୋବାଇଲ : ୮୨୪୯୮୨୭୧୪୮