ଛୋଟ ଚାକିରିକୁ ଉଚ୍ଚଶିକ୍ଷିତ ପ୍ରାର୍ଥୀ


ଲୋକମାନଙ୍କ ଭିତରେ ଶିକ୍ଷାର ସ୍ତର ଦିନକୁ ଦିନ ବୃଦ୍ଧି ପାଉଛି । ସାକ୍ଷରତାର ହାର ବୃଦ୍ଧି ପାଉଛି । ହେଲେ ସେହି ତୁଳନାରେ ଉଚ୍ଚଶିକ୍ଷିତମାନଙ୍କୁ କିମ୍ବା ଶିକ୍ଷିତମାନଙ୍କୁ କର୍ମନିଯୁକ୍ତି ମିଳୁନାହିଁ । ଘରୋଇ କ୍ଷେତ୍ର ଗୁଡ଼ିକରେ ମଧ୍ୟ କର୍ମନିଯୁକ୍ତିର ପରିସର ସଙ୍କୁଚିତ ହେଉଛି । ତେଣୁ ଚତୁର୍ଥ ଶ୍ରେଣୀ ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାରିଲେ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ ଥିବା ବେଳେ ବିଟେକ୍, ଏମ.ଟେକ୍, ଗ୍ରାଜୁଏଟ୍୍, ପୋଷ୍ଟ ଗ୍ରାଜୁଏଟ୍ ଆଦି ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିବା ପାଇଁ ଆଗଭର ହେଉଛନ୍ତି । କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାରେ ୧୦୭ଟି ହୋମ୍ଗାର୍ଡ୍ ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାରିଥିଲା । ଏହି ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ ଥିଲା । ଏହି ହୋମ୍ଗାର୍ଡ ପଦବୀ ଗୁଡ଼ିକ ମଧ୍ୟ ନିୟମିତ ନୁହେଁ କିମ୍ବା ସମ୍ପୂର୍ଣ୍ଣ ରୂପେ ସରକାରୀ ନୁହେଁ । ହେଲେ ବି ଏହି ପଦବୀ ଲାଗି ପ୍ରାୟ ୯ ହଜାର ଆଶାୟୀ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଆବେଦନକାରୀ ହେଉଛନ୍ତି ଉଚ୍ଚଶିକ୍ଷିତ । ଶିକ୍ଷାଗତ ଯୋଗ୍ୟତା ଅଳ୍ପ ଥିବା ପ୍ରାର୍ଥୀଙ୍କ ପାଇଁ ଗ୍ରୁପ୍ ଡ଼ି ଶ୍ରେଣୀରେ ଆସୁଥିବା ପଦବୀ ଗୁଡ଼ିକ ରହିଛି । ଏହି ପଦବୀରେ ସର୍ବୋଚ୍ଚ ଶିକ୍ଷାଗତ ଯୋଗ୍ୟତାଧାରୀ ପ୍ରାର୍ଥୀ ଯଦି ଆବେଦନ କରିବେ, ତାହା ହେଲେ ଅଳ୍ପ ପାଠ ପଢ଼ିଥିବା ଶିକ୍ଷିତ ଯୁବଗୋଷ୍ଠୀ କୌଣସି ସରକାରୀ ବିଭାଗରେ ଅସ୍ଥାୟୀ ଚାକିରିଟିଏ ପାଇବେ ନାହିଁ । ଏପରି ହେବାର ମୁଖ୍ୟ କାରଣ ହେଉଛି ନିଯୁକ୍ତି ଓ ରୋଜଗାର କ୍ଷେତ୍ରରେ ନୈରାଶ୍ୟଜନକ ପରିସ୍ଥିତି । କାର୍ଯ୍ୟାଳୟର ସବୁଠାରୁ ବଡ଼ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ସବୁଠାରୁ ତଳିଆ କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ସମାନ ହୋଇଗଲେ କାର୍ଯ୍ୟାଳୟ ଗୁଡ଼ିକରେ କାର୍ଯ୍ୟ କିଭଳି ଭାବରେ ସମ୍ପାଦନ ହେବ ତାହା ପ୍ରଶ୍ନବାଚୀ ଭିତରକୁ ଆସିଯାଉଛି । ଏପରି ହେବା ଦ୍ୱାରା କର୍ମଚାରୀମାନେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଭାଗ୍ୟକୁ ନିନ୍ଦିବା ଭଳି ପରିସ୍ଥିତି ସୃଷ୍ଟି ହେବ ଓ କର୍ମଚାରୀମାନଙ୍କ ମଧ୍ୟରେ ଏକ ହତାଶାଭାବ ସୃଷ୍ଟି ହେବ । ଏହାର କୁପ୍ରଭାବ ସମଗ୍ର କାର୍ଯ୍ୟାଳୟ ଉପରେ ପଡ଼ିବ । 
ବର୍ତ୍ତମାନ ସମଗ୍ର ଦେଶର ନିଯୁକ୍ତି କ୍ଷେତ୍ରରେ ଏକ ମାନ୍ଦାବସ୍ଥା ଦେଖା ଦେଇଛି । ଏହା ଫଳରେ ଉଚ୍ଚଶିକ୍ଷିତମାନଙ୍କ ମଧ୍ୟରେ ହତାଶାଭାବ ସୃଷ୍ଟି ହୋଇ ସେମାନଙ୍କ ମନରେ ଅପରାଧପ୍ରବଣତା ବୃଦ୍ଧି ପାଉଛି । ସବୁଆଡ଼େ ଘଟୁଥିବା ଅନେକ ପ୍ରକାରର ଅପରାଧ ଗୁଡ଼ିକ କ୍ଷେତ୍ରରେ ଦେଖାଯାଉଛି ଯେ ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ଦିନକୁ ଦିନ ଅଧିକ ସଂଖ୍ୟାରେ ଏ ଦିଗକୁ ଆସୁଛନ୍ତି । ପୁଣି ଆଜିକା ଦିନରେ ଧନୀ-ଦରିଦ୍ର ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ଅଳ୍ପସଂଖ୍ୟକ ଧନୀ ଅଧିକ ଧନୀ ହେବାରେ ଲାଗିଛନ୍ତି । ଆଉ ଅନ୍ୟପଟେ ବହୁସଂଖ୍ୟକ ଗରିବ ଅଧିକ ଗରିବ ହୋଇ ଯାଉଛନ୍ତି । ଏଭଳି ପରିସ୍ଥିତି ଆତ୍ମନିଯୁକ୍ତି ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରୁଛି । ଖାଲି ଉଚ୍ଚଶିକ୍ଷିତ ହୋଇଗଲେ ଜଣେ ରୋଜଗାର କରିବା ସମ୍ଭବ ନୁହେଁ । ଉଚ୍ଚଶିକ୍ଷିତ ଗରିବ କେବଳ ଚାକିରିଟିଏ ଉପରେ ନିର୍ଭର କରୁଥିବା ବେଳେ ଉଚ୍ଚଶିକ୍ଷିତ ଧନୀ ଅନୈତିକ ଉପାୟରେ ଚାକିରି ପାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି କାରଣରୁ ଅନେକ ନିଯୁକ୍ତି କ୍ଷେତ୍ରରେ ଅଦାଲତର ସମସ୍ୟା ଦେଖା ଦେଉଛି । ନିଯୁକ୍ତି ପ୍ରକ୍ରିୟା ଶେଷ ହେବାରେ ବର୍ଷ ବର୍ଷ ସମୟ ଲାଗିଯାଉଛି ।  ନିଯୁକ୍ତି ପାଇବା ଅପେକ୍ଷା ନିଯୁକ୍ତିଦାତା ହେବା ପାଇଁ ସରକାର ସ୍ଲୋଗାନ୍ ଦେଉଥିବା ବେଳେ ଏ କ୍ଷେତ୍ରରେ ବାସ୍ତବତା ଏକ ଭିନ୍ନ ପ୍ରକାରର । ଶିକ୍ଷାଗତ ଯୋଗ୍ୟତାକୁ ନେଇ ଗାଁ ଗହଳି ଗୁଡ଼ିକରେ ବେକାର ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି । ଏକଥା ମଧ୍ୟ ସତ୍ୟ ଯେ ନିୟମିତ ସରକାରୀ ନିଯୁକ୍ତି ବଦଳରେ ଠିକା ନିଯୁକ୍ତି ଦିଆଯାଉଥିବାରୁ ଏହା ଯୁବଗୋଷ୍ଠୀଙ୍କର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଛି । ଦେଖିବାକୁ ଗଲେ ବର୍ତ୍ତମାନର ସରକାରୀ ନିଯୁକ୍ତି ଗୁଡ଼ିକ ପ୍ରାୟତଃ ଶତକଡ଼ା ଶହେ ବିବାଦରେ ଛନ୍ଦି ହୋଇପଡୁଛି । ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ନିଯୁକ୍ତି ସଂଖ୍ୟା କମିବା ବାସ୍ତବିକ ଚିନ୍ତାର ବିଷୟ ।