ମହାନଦୀରେ କମୁଛନ୍ତି ମାଛ

ଗତ କେତେବର୍ଷ ହେଲା କ୍ରମାଗତ ଭାବରେ ଲକ୍ଷ୍ୟ କରାଯାଉଛି ଯେ ମହାନଦୀର ବିଭିନ୍ନ ସ୍ଥାନରେ ଏବଂ ମୁଣ୍ଡୁଳି ବ୍ୟାରେଜ୍ରେ ମାଛ ଉତ୍ପାଦନର ପରିମାଣ କମି କମିଯାଉଛି । ମାଛ ଉତ୍ପାଦନ କମିବାର ମୁଖ୍ୟ କାରଣ ହେଲା ବିଭିନ୍ନ ସମୟରେ ଜିରୋ ନେଟିଂ ମାଧ୍ୟମରେ ଅତି ଛୋଟ ଛୋଟ ମାଛଙ୍କୁ ଧରି ନିଆଯାଉଛି । ଏହା ଫଳରେ ସେମାନେ ବଡ଼ ହୋଇ ପ୍ରଜନନକ୍ଷମ ସ୍ଥିତିକୁ ଆସିବା ଭଳି ପରିସ୍ଥିତି ସୃଷ୍ଟି ହେଉନାହିଁ । ଏହି କାରଣରୁ ବିଭିନ୍ନ ନଦୀରୁ ମଧୁର ମାଛର ଉତ୍ପାଦନ କମି କମିଯାଉଛି । ସାତକୋଶିଆ ଗଣ୍ଡରେ କୁମ୍ଭୀର ରହୁଥିବାରୁ ସ୍ୱାଭାବିକ ଭାବରେ ସେଠାରେ ମାଛ ଉତ୍ପାଦନ କମିବ, ହେଲେ ଦେଖାଯାଇଛି ଯେ ବନ୍ସି କଣ୍ଟା ସାହାଯ୍ୟରେ ମାଛ ମାରୁଥିବା ମତ୍ସ୍ୟଜୀବୀମାନେ ବଡ଼ ବଡ଼ ମାଛ ମଧ୍ୟ ଧରୁଛନ୍ତି । ସାତକୋଶିଆ ଗଣ୍ଡରେ କୁମ୍ଭୀରଙ୍କ ଉପସ୍ଥିତି ସତ୍ତ୍ୱେ ବଡ଼ ବଡ଼ ମାଛ ରହି ସେମାନେ ଡ଼ିମ୍ବ ଛାଡ଼ି ପୁଣି ବଂଶ ବିସ୍ତାର କରାଇ ପାରୁଛନ୍ତି । ସାତକୋଶିଆ ଗଣ୍ଡ ଠାରୁ ତଳକୁ ଆସିଲେ ସେ ସ୍ଥାନରେ କୁମ୍ଭୀର ଦେଖାଯାନ୍ତି ନାହିଁ, ମାତ୍ର ନଦୀର ଦୁଇ ପାଶ୍ୱର୍ରେ ଅନେକ ମତ୍ସ୍ୟଜୀବୀ ରହିଛନ୍ତି । ମାଛ ଧରିବା ପାଇଁ ସମସ୍ତେ ଆଗ୍ରହ ରଖୁଥିବା ବେଳେ ମାଛର ବଂଶ ବୃଦ୍ଧି ପାଇଁ କେହି ଚିନ୍ତା କରୁନାହାନ୍ତି । 
ପ୍ରାକୃତିକ ଭାବରେ ବିଭିନ୍ନ ମାଛ ଅଣ୍ଡା ଛାଡ଼ି ନିଜର ବଂଶ ବିସ୍ତାର କରିଥାଆନ୍ତି । ଅଥଚ ନଦୀ ଭିତରେ ଅଣ୍ଡା ଛାଡ଼ିବା ଏବଂ ଅଣ୍ଡାରୁ ଯାଆଁଳ ଫୁଟି ନଦୀ ଭିତରେ ବଡ଼ ହେବା ପର୍ଯ୍ୟନ୍ତ ଅନେକ ପ୍ରକାରର ବିପଦର ସମ୍ମୁଖୀନ ହେଉଛନ୍ତି । ଏହି ମାଛ ଗୁଡିକ ବଡ଼ ମାଛ ଗୁଡ଼ିକ ଛୋଟମାଛକୁ ଖାଇ ବଞ୍ଚୁଛନ୍ତି । ଏହି ପ୍ରକ୍ରିୟାରେ ପ୍ରାୟ ଶତକଡ଼ା ୮୦ ଭାଗ ଡ଼ିମ୍ବରୁ ଫୁଟୁଥିବା ଯାଆଁଳ ପ୍ରଜନନକ୍ଷମ ହେବା ପୂର୍ବରୁ ମରୁଛନ୍ତି । ଏ ସବୁକୁ ଲକ୍ଷ୍ୟ କରି ରାଜ୍ୟ ମତ୍ସ୍ୟ ବିଭାଗ ରାଜ୍ୟର ମୁଣ୍ଡଳି ବ୍ୟାରେଜ୍ ଓ ଗଡ଼ଗଡ଼ିଆ ଘାଟରେ ଉନ୍ନତ ମାନର ଭାକୁର, ମିରିକାଳୀ, ରୋହି ଆଦିର ଯାଆଁଳ ଛାଡ଼ିଛନ୍ତି । ମୁଣ୍ଡୁଳି ବ୍ୟାରେଜ୍ରେ ୫ ଲକ୍ଷ ଯାଆଁଳ ଏବଂ ଗଡ଼ଗଡ଼ିଆ ଘାଟରେ ଅଢ଼େଇ ଲକ୍ଷ ଯାଆଁଳ ଏବେ ଛଡ଼ାଯାଇଛି । ଏହି ଯାଆଁଳ ଗୁଡ଼ିକ ବଡ଼ ହେବା ପର୍ଯ୍ୟନ୍ତ ବଞ୍ଚି ରହିବେ ବୋଲି ଆଶା କରାଯାଉଛି, କିନ୍ତୁ ପ୍ରକୃତିର ଖାଦ୍ୟଚକ୍ର ଏହି ଯାଆଁଳ ଗୁଡିକ ବଞ୍ଚି ରହିବା କ୍ଷେତ୍ରରେ କେତେଦୂର ସହାୟକ ହେବ ତାହା ଭବିଷ୍ୟତ କହିବ । ମୁଣ୍ଡୁଳି ବ୍ୟାରେଜ୍ ଠାରେ ମହାନଦୀ ପାଣିକୁ ବର୍ଷସାରା ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଅଟକାଇ ରଖାଯାଏ । ମାଛ ବଢ଼ିବା କ୍ଷେତ୍ରରେ ପାଣିର ଗଭୀରତା ମଧ୍ୟ ଅନ୍ୟ ଏକ ଉପାଦାନ ଭାବରେ ପରିଗଣିତ ହୁଏ । ପାଣି ଗଭୀର ଥିଲେ ମାଛ ଗୁଡ଼ିକ ବଞ୍ଚି ରହିବା ପାଇଁ ଜୀବନ ସଂଘର୍ଷ ନିମିତ୍ତ ଅନୁକୂଳ ପରିବେଶ ପାଇଥାଆନ୍ତି । କମ୍ ପାଣି ରହିଲେ ମାଛ ଗୁଡ଼ିକ ଜୀବନ ସଂଘର୍ଷରେ ହାରିଯାଆନ୍ତି । ତେଣୁ ଯୋବ୍ରା ବ୍ୟାରେଜ୍ ଏବଂ ମୁଣ୍ଡୁଳି ବ୍ୟାରେଜ୍ରେ ମହାନଦୀରେ ଗଭୀରତା ଅଧିକ ଥିବାରୁ ଛଡ଼ା ଯାଉଥିବା ମାଛ ଯାଆଁଳ ସବୁ ଅଧିକ ପରିମାଣରେ ବଞ୍ଚି ରହିବେ ବୋଲି ଆଶା କରାଯାଉଛି । ପ୍ରାକୃତିକ ଭାବରେ ଏହି ମାଛ ଯାଆଁଳ ଗୁଡ଼ିକର ଜୀବନଚକ୍ର ଏଠାରେ ଅନୁକୂଳ ପରିବେଶ ପାଇବ । ଯୋବ୍ରା ବ୍ୟାରେଜ୍ ନିକଟରେ ପ୍ରତିଦିନ ବିଭିନ୍ନ ଉପାୟରେ ମାଛ ଧରା ଯାଉଥିଲେ ମଧ୍ୟ ସ୍ଥାନୀୟ ବଜାରରୁ ବାହାରକୁ ଚାଲାଣ ହେବା ଭଳି ମାଛ ସେଠାରେ ଉତ୍ପାଦନ ହେଉନାହିଁ । ତେଣୁ ଦେଖିବାକୁ ଗଲେ ମହାନଦୀର ଏହି ଦୁଇ ବ୍ୟାରେଜ୍ରେ ମାତ୍ର ସାଢ଼େ ୭ ଲକ୍ଷ ଯାଆଁଳ ସେଭଳି କିଛି ବଡ଼ ସଂଖ୍ୟା ନୁହେଁ । ଏହି ଦୁଇ ବ୍ୟାରେଜ୍ରେ ଅନୂନ୍ୟ କୋଟିଏ ଲେଖାଏଁ ହିସାବରେ ୨ କୋଟି ମାଛ ଯାଆଁଳ ଛଡ଼ାଗଲେ ମହାନଦୀର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ ହେବ ।