ବିଲୁପ୍ତ ପଥେ ସରକାରୀ ବିଦ୍ୟାଳୟ
ବର୍ତ୍ତମାନ ସମୟରେ ଶିକ୍ଷାର ଘରୋଇକରଣ ଏତେ ଦୂର ମାଡ଼ିଗଲାଣି ଯେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକର ସ୍ଥିତି ରହିବ କି ନାହିଁ ସେନେଇ ସନେ୍ଦହ ପ୍ରକାଶ ପାଇଲାଣି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କ୍ରମାଗତ ଭାବରେ ପରୀକ୍ଷାଫଳ ଭଲ ହେବା, ବିଭିନ୍ନ ପ୍ରତିଯୋଗୀତାମୂଳକ ପରିକ୍ଷାରେ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କର ର୍ୟାଙ୍କ୍ ଭଲ ରହିବା, ପ୍ରଥମ ୧୦ଜଣ କିମ୍ବା ଶହେ ଜଣଙ୍କ ମଧ୍ୟରେ ଅଧିକାଂଶ ସ୍ଥାନ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ମାରି ନେବା ଆଦି କାରଣରୁ ଅଭିଭାବକମାନଙ୍କର ଏକ ସାଧାରଣ ମନୋଭାବ ହେଲା ସରକାରୀ ବିଦ୍ୟାଳୟରେ ଆଉ ପାଠପଢ଼ା ହେଉନାହିଁ । ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଉ କୌଣସି ପ୍ରକାରର ଉଲ୍ଲେଖନୀୟ ସଫଳତା ପାଇ ପାରିବେ ନାହିଁ । ଏଭଳି ଏକ ମନୋଭାବ ନେଇ ଅଭିଭାବକମାନେ ଘରୋଇ ବିଦ୍ୟାଳୟ ମୁହାଁ ହୋଇଛନ୍ତି । କେବଳ ଅଭିଭାବକ ନୁହଁନ୍ତି, ଛାତ୍ରଛାତ୍ରୀମାନେ ମଧ୍ୟ ସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହି କାରଣରୁ ନିପଟ ମଫସଲ ଅଞ୍ଚଳରେ ମଧ୍ୟ ଘରୋଇ ବିଦ୍ୟାଳୟ ସବୁ ଖୋଲି ଗଲାଣି ଏବଂ ସରକାର ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଦେଉଥିଲେ ମଧ୍ୟ ଏହି ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ସଂଖ୍ୟା ବଢ଼ିବା ପରିବର୍ତ୍ତେ ଦିନକୁ ଦିନ ହ୍ରାସ ପାଉଛି । ଛାତ୍ରଛାତ୍ରୀମାନଙ୍କର ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବିଭିନ୍ନ ଜିଲ୍ଲାରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ସେସବୁ ବିଦ୍ୟାଳୟ ଗୁଡ଼ିକୁ ଅନ୍ୟ ବିଦ୍ୟାଳୟ ସହିତ ମିଶାଇ ବିଲୋପ କରି ଦେଉଛନ୍ତି । ବର୍ତ୍ତମାନ ଗରିବ ଘରର ପିଲାମାନେ ବି ସରକାରୀ ବ୍ୟବସ୍ଥା ଭିତରେ ସରକାରଙ୍କର ସବୁ ପ୍ରକାରର ପ୍ରୋତ୍ସାହନ ଭିତରେ ସରକାରୀ ବିଦ୍ୟାଳୟ ପ୍ରତି ଆଉ ଆକର୍ଷିତ ହେଉନାହାନ୍ତି । ଏକଦା ରାଜଧାନୀ ଭୁବନେଶ୍ୱରରେ ସରକାରୀ ବିଦ୍ୟାଳୟ ଗୁଡିକ ରାଜ୍ୟ ସ୍ତରରେ ପ୍ରଥମ ୧୦ ଜଣଙ୍କ ଭିତରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରୁଥିଲେ । ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟି ଯାଇଛି ।
ଗତ ୨୨ ବର୍ଷରେ ରାଜଧାନୀ କ୍ଷେତ୍ର ଭିତରୁ ସରକାରୀ ବିଦ୍ୟାଳୟ ଗୁଡ଼ିକ ଉଭାନ୍ ହୋଇଯାଇଛି । ଗତ ୨୨ ବର୍ଷରେ ରାଜଧାନୀ କ୍ଷେତ୍ର ମଧ୍ୟରେ ୨୩୩ଟି ଘରୋଇ ସ୍କୁଲ୍ ଗଢ଼ି ଉଠିଛି । ଏହି ୨୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ମାତ୍ର ୧୧ଟି ପ୍ରାଥମିକ ବିଦ୍ୟାଳୟ ହିଁ ଖୋଲିଛନ୍ତି । ରାଜଧାନୀର ଜନସଂଖ୍ୟା ଗତ ୨୨ ବର୍ଷରେ ଅଢ଼େଇ ଗୁଣା ବଢିଛି । ସେହି ହିସାବରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଛି । କିନ୍ତୁ ସେମାନେ ସରକାରୀ ବିଦ୍ୟାଳୟ ପରିବର୍ତ୍ତେ ଘରୋଇ ବିଦ୍ୟାଳୟ ଗୁଡ଼ିକରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ରାଜଧାନୀ ଭିତରେ ରହୁଥିବା ଅତି ଗରିବ ପିଲାମାନେ ବି ସରକାରୀ ବିଦ୍ୟାଳୟରେ ନାମ ନ ଲେଖାଇ ମାସକୁ ମାସ ଦରମା ଦିଆଯାଉଥିବା ଘରୋଇ ବିଦ୍ୟାଳୟରେ ନାମ ଲେଖାଉଛନ୍ତି । ପିତାମାତାମାନେ ମଧ୍ୟ ଆଉ ସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହାର ମୁଖ୍ୟ କାରଣ ହେଲା ଏହି ବିଦ୍ୟାଳୟ ଗୁଡ଼ିକରେ ଭଲ ପାଠ ପଢ଼ାଯାଉନାହିଁ ବୋଲି ଏକ ଧାରଣା ସୃଷ୍ଟି ହୋଇ ସାରିଲାଣି । ସେଥିପାଇଁ ସବୁବେଳେ ଶିକ୍ଷକ ସମାଜକୁ ହିଁ ଦାୟୀ କରାଯାଉଛି । ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟର ଶିକ୍ଷକମାନେ ବହୁ ଅଧିକ ଦରମା ପାଉଛନ୍ତି । କିନ୍ତୁ ଦରମାକୁ ଦୃଷ୍ଟିରେ ରଖି ଶିକ୍ଷାର ମାନକୁ ବୃଦ୍ଧି କରିବା ଦିଗରେ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି ।
ହଁ, ବର୍ତ୍ତମାନ ସମୟରେ ଶିକ୍ଷା କ୍ଷେତ୍ରରେ ଏକ ନୂଆ ବିପ୍ଳବ ଦେଖା ଦେଇଛି । ତାହା ହେଲା ପ୍ଲେ ସ୍କୁଲ୍ । ଶିଶୁଟିଏକୁ ଦୁଇ ବର୍ଷ ହୋଇଗଲେ ତାକୁ ପ୍ଲେ ସ୍କୁଲ୍ରେ ନାମ ଲେଖାଇବା ପାଇଁ ପିତାମାତାମାନେ ଆଗ୍ରହୀ । ଏଭଳି ହେବାର ମୂଳ କାରଣ ହେଲା ରାଜଧାନୀ କ୍ଷେତ୍ର ଭିତରେ ଅଧିକାଂଶ ପିତାମାତା ଉଭୟ କର୍ମଜୀବୀ । ଛୋଟ ପିଲାମାନଙ୍କର ଯତ୍ନ ନେବା ସେମାନଙ୍କ ପକ୍ଷରେ ସମ୍ଭବ ହେଉ ନାହିଁ । ତେଣୁ ସେମାନେ ପ୍ଲେ ସ୍କୁଲ୍ରେ ହିଁ ନାମ ଲେଖାଇ ଦେଉଛନ୍ତି । ପ୍ଲେ ସ୍କୁଲ୍ରେ ଏଲ୍କେଜି, ୟୁକେଜି ପରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବେଳକୁ ଆଉ ସରକାରୀ ବିଦ୍ୟାଳୟ ପ୍ରତି ପିଲାଙ୍କର କି ପିତାମାତାଙ୍କର ଆଗ୍ରହ ରହୁନାହିଁ । ସାମଗ୍ରିକ ଭାବରେ ଦେଖିବାକୁ ଗଲେ ଶିକ୍ଷା ବ୍ୟବସ୍ଥାର ଅଧୋଗତି ପାଇଁ ଶିକ୍ଷକ ସମାଜ ଯେତିକି ଦାୟୀ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର ଅଭାବ, ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ଶିକ୍ଷକମାନଙ୍କୁ ନିୟୋଜିତ କରିବା, ଭୋଟର୍ ତାଲିକା ସଂଶୋଧନ ଠାରୁ ଆରମ୍ଭ କରି ଯାବତୀୟ ସରକାରୀ କାର୍ଯ୍ୟରେ ଶିକ୍ଷକମାନଙ୍କୁ ନିୟୋଜିତ କରିବା ଭଳି ଅତିରିକ୍ତ ଦାୟିତ୍ୱ ମଧ୍ୟ ସରକାରୀ ଶିକ୍ଷକମାନଙ୍କୁ ଦିଆଯାଉଛି । ତେଣୁ ଶିକ୍ଷାର ବାତାବରଣ କେବଳ ଶିକ୍ଷକମାନଙ୍କ ପାଇଁ ଯେ ନିମ୍ନମୁଖୀ ହେଉଛି ତାହା କହିବା ସମ୍ପୂର୍ଣ୍ଣ ଠିକ୍ ହେବ ନାହିଁ ।