ଏଥିକୁ ଦାୟୀ କିଏ?


ଏବେ ମାଲାୟାଲାମ୍ ସିନେମା ଜଗତରେ କାଷ୍ଟିଂ କାଉଚ୍ର ଝଡ଼ ପ୍ରବାହିତ ହେଉଛି । ଜଷ୍ଟିସ୍ ହେମା କମିଶନ୍ଙ୍କ ରିପୋର୍ଟ୍ ପ୍ରକାଶ ପାଇବା ପର ଠାରୁ ମାଲାୟାଲାମ୍ ସିନେମା ଉଦ୍ୟୋଗରେ ପ୍ରତିଦିନ ନୂଆ ନୂଆ ଝଡ଼ ବୋହି ଚାଲିଛି । ଚଳଚ୍ଚିତ୍ର ଶିଳ୍ପରେ ସ୍ଥାନ ଦେବା ପାଇଁ ଅଭିନେତ୍ରୀ ମାନଙ୍କୁ ଯୌନ ଶୋଷଣ କରାଯାଉଥିବାର ଘଟଣା ପ୍ରକାଶ ପାଇବା ପରେ ନିଦେ୍ର୍ଦଶକ, ଅଭିନେତା, ପ୍ରଯୋଜକ ଆଦିଙ୍କ ବିରୁଦ୍ଧରେ ନୂଆ ନୂଆ ଅଭିଯୋଗ ନୂଆ ନୂଆ ମହିଳା ଆଣିବାରେ ଲାଗିଛନ୍ତି । 
ଅଳ୍ପ କେତେବର୍ଷ ତଳେ ଦେଶର ଚଳଚ୍ଚିତ୍ର ଜଗତରେ ମହିଳାମାନଙ୍କୁ ଯେଭଳି ଭାବରେ ଯୌନ ଶୋଷଣ କରାଯାଇଛି, ତାହାର ଏକ ଚିତ୍ର ପ୍ରକାଶ ପାଇବା ପରେ ସମଗ୍ର ଦେଶରେ "ମି ଠୁ' ନାମରେ ଏକ ଜନ ଆନେ୍ଦାଳନ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଲା । ଚଳଚ୍ଚିତ୍ର ଶିଳ୍ପରେ ପରଦା ଉପରେ ଅତି ଭଦ୍ର ଦେଖା ଯାଉଥିବା ଚରିତ୍ର ଗୁଡ଼ିକୁ ଆଦର୍ଶ ଭାବରେ ଗ୍ରହଣ କରି ନିଆଯାଏ । କିନ୍ତୁ ଏହି ଭଦ୍ର ଚରିତ୍ରମାନେ କିଭଳି ଲମ୍ପଟ ଏବଂ ଆଉ କିଛି ମହିଳା ଏହି ଲମ୍ପଟ ମାନଙ୍କର ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି, ସେ ସମ୍ପର୍କରେ ଧୀରେ ଧୀରେ ଜଣକ ପରେ ଜଣେ ମୁହଁ ଖୋଲିଲେଣି । ପରିସ୍ଥିତି ଏପରି ହେଲା ଯେ ସାମାଜିକ ଗଣମାଧ୍ୟମରେ ପ୍ରତିଦିନ ନୂଆ ନୂଆ ମହିଳା ତାଙ୍କ ଜୀବନର ତିକ୍ତ ଅନୁଭୂତିକୁ ନେଇ ଅଭିଯୋଗ ସବୁ ବାଢ଼ି ବସିଲେ । ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଘଟୁଥିବା ସମୟରେ ସେମାନେ ପରିସ୍ଥିତିର ଚାପରେ ହିଁ ମୁହଁ ବନ୍ଦ କରିଥିଲେ । କିନ୍ତୁ ସୁଯୋଗ ପାଇବା ମାତ୍ରକେ "ମି ଠୁ' ଏକ ଜନ ଆନେ୍ଦାଳନରେ ପରିଣତ ହୋଇଗଲା । ଏବେ ମାଲାୟାଲାମ୍ ମନୋରଞ୍ଜନ ଏବଂ ସିନେମା ଜଗତରେ କାଷ୍ଟିଂ କାଉଚ୍ ଏବଂ "ମି ଠୁ' ଝଡ଼ ଏବେ ଥମିବା ଭଳି ଲାଗୁ ନାହିଁ । ବିଭିନ୍ନ ଚଳଚ୍ଚିତ୍ର ନାୟିକାଙ୍କ ଅଭିଯୋଗ ପରେ ଏ ପର୍ଯ୍ୟନ୍ତ ୧୭ରୁ ଅଧିକ ମାମଲା ରୁଜୁ ହୋଇ ସାରିଲାଣି । ଖାଲି ସେତିକି ନୁହେଁ ମାଲାୟାଲାମ୍ ଚଳଚ୍ଚିତ୍ର ଜଗତ ଦୋହଲି ଗଲାଣି । ଇସ୍ତଫାର ସୁଅ ଛୁଟିଛି । ବାଧ୍ୟ ହୋଇ ରାଜ୍ୟ ସରକାର ସିନେ କଳାକାର ସଂଘକୁ ଭାଙ୍ଗି ଦେଇଛନ୍ତି । ଏହିସବୁ ମାମଲା ଗୁଡ଼ିକର ତଦନ୍ତ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଗଲାଣି । ଅଭିଯୋଗ ଗୁଡ଼ିକ ମଧ୍ୟରୁ ଅନେକ ଦଶନ୍ଧି ତଳର ଘଟଣା । ପରିସ୍ଥିତିର ଚାପରେ ଏସବୁ ମହିଳାମାନେ ପ୍ରକାଶ କରିବାରେ ସୁଯୋଗ ପାଇନଥିଲେ । ଏବେ ଘଟଣା ଫୁଟିକି ବାହାରକୁ ଆସୁଛି ।
ମଣିଷ ହେଉଛି ଏଭଳି ଏକ ପ୍ରାଣୀ ଯିଏକି ଯୌନ ଜୀବନକୁ ସୁଯୋଗ ପାଇବା ମାତ୍ରକେ ଯେକୌଣସି ଅବସ୍ଥା, ଯେକୌଣସି ପରିସ୍ଥିତି, ଯେକୌଣସି ସ୍ଥାନ, ଯେକୌଣସି ବୟସ ନିର୍ବିଶେଷରେ ଉପଭୋଗ କରିବା ପାଇଁ ପାଉଥିବା ସୁଯୋଗ ହାତଛଡ଼ା କରେ ନାହିଁ । ଉପରକୁ କୋଟ୍ ଆଉ ଟାଏ ଭିଡ଼ି, ସୁଟ୍ ବୁଟ୍ ମାରି ଭଦ୍ର ଚେହେରାର ଖପୁରୀ ଭିତରେ କିଭଳି ବିକଟାଳ ଯୌନ ରାକ୍ଷସ ଲୁଚି ରହିଛି ତାକୁ ଦେଖିବା ଏତେ ସହଜ ନୁହେଁ । କର୍ମକ୍ଷେତ୍ର ଠାରୁ ଆରମ୍ଭ କରି ରାସ୍ତାରେ ଯାତାୟତ କରିବା ପର୍ଯ୍ୟନ୍ତ ଏବେ ସବୁଠି ମହିଳାମାନେ ନିଜର ଶରୀରଟିକୁ ସୁରକ୍ଷିତ ରଖିବା ପାଇଁ ସର୍ବାଧିକ ଚିନ୍ତିତ ଅଛନ୍ତି । ଘରୁ ବାହାରକୁ ଗଲେ ସେମାନଙ୍କ ଉପରେ କୌଣସି ଏକ ଯୌନ ଅତ୍ୟାଚର ନ ହେବ ତାହାର କୌଣସି ନିଶ୍ଚିତତା ନାହିଁ । ଏବେ ଏଇଠି ପ୍ରଶ୍ନ ଉଠୁଛି ଯେ ମହିଳାମାନଙ୍କ ପ୍ରତି ଏ ପ୍ରକାରର ମନୋଭାବ ପୁରୁଷମାନଙ୍କ ଭିତରେ ରହୁଛି କାହିଁକି? ଗୋଟିକ ପରେ ଗୋଟିଏ ଘଟଣାର ପଛକୁ ପଛ ଗଲେ ଆମେ ସେହି ବଡ ପରଦା କିମ୍ବା ଛୋଟ ପରଦା ପାଖରେ ପହଞ୍ଚିବା ଯେଉଁଠି ଶରୀରକୁ ମୁକୁଳା କରି ଦେଖାଇବାର ବ୍ୟବସାୟ ଚାଲେ । ଏ ଶିଳ୍ପରେ ପୁରୁଷମାନେ ବୁଟ୍ ସୁଟ୍ ଟାଏ ଭିଡ଼ି ହୋଇ କୋଟ୍ ପକେଇ ନିଜକୁ ବରଫ ଦେଶର ମଣିଷ ଭଳି ଦେଖେଇ ହୁଅନ୍ତି । ଆଉ ତାହା ବିପରୀତ ହେଲା ଏହି ଶିଳ୍ପରେ ମହିଳାମାନେ ଯେତେ କମ୍ ସମ୍ଭବ ପୋଷାକ ପିନ୍ଧି ମରୁଭୂମିର ଉତ୍ତପ୍ତ ଦ୍ୱିପ୍ରହରରେ ଛିଡା ହୋଇଥିବା ଭଳି ଦେଖେଇ ହୁଅନ୍ତି । ପୁରୁଷଙ୍କୁ ପ୍ରବଳ ଶୀତ ଏବଂ ମହିଳାଙ୍କୁ ପ୍ରବଳ ଗରମ ଦେଖେଇ ହେବାର ପରିଣତି ଆଜି କାଷ୍ଟିଂ କାଉଚ୍ରେ ପରିଣତ ହୋଇଛି । ଏଥିକୁ ଦାୟୀ କିଏ?