ଅଜଣା ଜଗତର ଡାକ 


ଅସୀମଙ୍କର ଅନେକ ଆଡଭେଞ୍ଚର ପ୍ରସାଦବାବୁଙ୍କ ସହ ହୋଇଛି । ପ୍ରସାଦବାବୁଙ୍କ ଶରୀରଟା ଯେମିତି ଖେଳିବା ବୁଲିବା ପାଇଁ ତିଆରି ହୋଇଥିଲା । ବୋଟରେ ଘଣ୍ଟା ଘଣ୍ଟାଗଲେ ମଧ୍ୟ ତାଙ୍କ ଦେହ ଖରାପ ହୁଏନା । ଲହଡି ଭରା ସମୁଦ୍ରରେ କେମିତି ଠିକଭାବେ ବୋଟ ଚଲାଯିବ ଏ କଳା ତାଙ୍କୁ ଅଭିଜ୍ଞ ବୋଟମ୍ୟାନଙ୍କଠାରୁ ବେଶି ଜଣା ଥିଲା । ଅସୀମ ତାଙ୍କ ସାଙ୍ଗରେ ବୁଲି ଅରଣ୍ୟକୁ ପାଖରେ ଦେଖିଛନ୍ତି ଆଉ ଆଡଭେଞ୍ଚର ଭଲରେ ଶିଖିଛନ୍ତି । ସରଭାଇଭାଲ ସ୍କିଲ ମଧ୍ୟ ବେଶ ଭଲ ପ୍ରସାଦବାବୁ ଜାଣନ୍ତି । ଏସବୁ ଜାଗାରେ ଜଣେ ସରଭାଇଭାଲ ସ୍କିଲ ନଜାଣିଲେ ବଞ୍ଚôପାରିବନି । ତାଛଡା ପ୍ରସାଦବାବୁ ବେଶ ଭଲ ଆଥଲେଟ । ତାଙ୍କ ସହ ଅନେକବାର ବ୍ୟାଡମିଣ୍ଟନ ଅସୀମ ଖେଳିଛି । କିନ୍ତୁ କେବେ ଜିତି ପାରିନାହାନ୍ତି । ଅସୀମ ପ୍ରସାଦବାବୁଙ୍କ ଠାରୁ ବେଶ କୁଇକ ବା ଚଞ୍ଚଳ । କିନ୍ତୁ ପ୍ରସାଦବାବୁଙ୍କ ରିଭର୍ସ ମାରିବାର କୌଶଳ ଅସୀମଙ୍କୁ ଆଚମ୍ବିତ କରିଦେଇଛି । ସର୍ଭିସ କଲାବେଳେ ସେ ଏମିତି କୌଶଳ ଦେଖାନ୍ତି ଯେ ଅସୀମପ୍ରାୟ ରିଟର୍ଣ୍ଣ କରିପାରନ୍ତିନାହିଁ । ତଥାପି ପ୍ରସାଦବାବୁଙ୍କୁ ସେ ବେଶ ଟକ୍କର ଦିଅନ୍ତି । ସହଜରେ ହାରନ୍ତି ନାହିଁ । 
“ପ୍ରସାଦବାବୁ କୁଆଡେ ଦିନକୁ ପାଞ୍ଚଲିଟର ଦୁଧ ପିଅନ୍ତି ।”- ଶୋଭନା ଦିନେ ଅସୀମଙ୍କୁ କହିଥିଲେ । 
ଅସୀମ ଆଶ୍ଚର୍ଯ୍ୟ ହୋଇଗଲେ । ଏକ ମଣିଷ କେମିତି ପାଞ୍ଚ ଲିଟର ଦୁଧ ପିଇପାରିବ? ଅସୀମ ଅତି ବେଶିରେ ଏକ ଲିଟର ଦୁଧ ଦିନକରେ ପିଇଥାନ୍ତି । ବାକି ପ୍ରୋଟିନ ଡାଲି, ମାଛ, ଅଣ୍ଡା ଆଦିରୁ ଆସିଥାଏ । ସେମାନଙ୍କ ଅଞ୍ଚଳରେ ମଧ୍ୟ ଏତେ ପରିମାଣରେ ଦୁଧ କେହି ପିଅନ୍ତିନି ଆଉ କ୍ୟାମ୍ପବେଲ ବେରେ ଏତେ ପରିମାଣରେ ଦୁଧ ମିଳୁଥିବ ବୋଲି ଅସୀମ ଭାବୁନଥିଲେ । ତେଣୁ ତାଙ୍କ ଭ୍ରୂଲତା କୁଞ୍ଚôତ ହୋଇଗଲା । 
“ଆରେ ସତରେ ଦୁଧଟା ପ୍ରତିଦିନ ସିଂ ସାଙ୍ଗରେ ନେଇଆସେ ।”- ଶୋଭନା ପୁଣି କହିଲେ । କ୍ୟାମ୍ପବେଲ ବେରେ ସିଂ ପ୍ରସାଦବାବୁଙ୍କ ଅଫିସରେ କାମ କରୁଥିଲା । ସେ ଶିବଚରଣ ସିଂହଙ୍କ ଜ୍ୱାଇଁ । ଏଠାକାର ପ୍ରକୃତ ଅଧିବାସୀ ନିକୋବରୀ କିମ୍ପା ଶୋମ୍ପେନ ଗାଈ ରଖନ୍ତି ନାହିଁ । ଗାଈ ରଖିବା, ଦୁଧ ପିଇବା ଆଦି ଅଭ୍ୟାସ ସେଟଲରମାନଙ୍କ ପାଖରେ । ପ୍ରାୟ ପ୍ରତି ସେଟଲରମାନେ ନିଜ ଘରେ ଗାଈ ରଖିଛନ୍ତି । ବଳିପଡୁଥିବା ଦୁଧକୁ ବିକି ଦିଅନ୍ତି । କ୍ୟାମ୍ପବେଲ ବେ ମାର୍କେଟରେ ଦୁଧ ବା ଦହି ମିଳେନା । ପ୍ରସାଦବାବୁ ବା ସେଇପରି ଚାକିରିଆ ଲୋକମାନେ ଘରେ ଗାଈ ରଖିପାରନ୍ତି ନାହିଁ । ଅନ୍ୟମାନଙ୍କ ଠାରୁ ଦୁଧ ସଂଗ୍ରହ କରନ୍ତି । ଏତିକି ଦୁଧ ସଂଗ୍ରହ କରିବାକୁ ସିଂକୁ ଅନେକ ଚେଷ୍ଟା କରିବାକୁ ପଡୁଥିବ । ନିଜ ଘରେ ଯଦି ଗାଈ ନଥିବ କାହା ପାଖରେ ନାଗୁଆ କରିଥିବ ।  ପରେ ଏ ବିଷୟରେ ବାବୁରାଓ ପୂରା ଘଟଣା କହିଲା । ପ୍ରସାଦବାବୁ ଡାଇବେଟିସ ରୋଗୀ । ତାଙ୍କୁ ଦୁଧ ସେବନ କରିବାକୁ ଡାକ୍ତର କୁଆଡେ ପରାମର୍ଶ ଦେଇଛନ୍ତି । ତେଣୁ ସେ ଏତେ ପରିମାଣରେ ଦୁଧ ପିଇଥାନ୍ତିି । କହିବାକୁ ଗଲେ ଦୁଧ ଏକ ପୂର୍ଣ୍ଣ ଆହାର । ସବୁ ଆବଶ୍ୟକୀୟ ପଦାର୍ଥ ଦୁଧରେ ଅଛି । ପ୍ରସାଦବାବୁ ଶରୀର ପ୍ରତି ସମ୍ପୂୂର୍ଣ୍ଣସଜାଗ । ପରିବାର ଦୂରରେ ପୋର୍ଟବ୍ଲେଆରରେ ରହୁଛନ୍ତି । ନିଜକୁ ଜଗିରଖି ଚଳିବାକୁ ପଡିବ । ଡାଇବେଟିସ ରୋଗୀଙ୍କ ନିମନ୍ତେ ପ୍ରୋଟିନର ବହୁତ ଆବଶ୍ୟକତା ଅଛି । 
ପ୍ରସାଦବାବୁଙ୍କ ଘର ଥିଲା କ୍ୟାମ୍ପବେଲ ବେର ସାସ୍କୃତିକ ଆଡ୍ଡା । ପ୍ରାୟ ପ୍ରତି ସପ୍ତାହରେ ତାଙ୍କ ଘରେ ସଙ୍ଗୀତର ଆସର ଜମୁଥିଲା ଆଉ କିଛି ଆସରରେ ତ ଅସୀମ ଆଉ ଶୋଭନା ଯୋଗ ଦେଇଥିଲେ । କ୍ୟାମ୍ପବେଲର ସବୁ ପ୍ରତିଷ୍ଠିତ ନାମୀ କଳାକାର ଆସନ୍ତି । ତାଙ୍କ ପାଇଁ କ୍ୟାମ୍ପବେଲ ବେରେ ଏକ ସୁନ୍ଦର ମହଲ ଗଢିଉଠିଥିଲା । ତାଙ୍କ ଘରୁ ଗୀତର ଲହରି ମଝିରେ ମଝିରେ ଭାସିଆସେ । ଭଲ ଗୀତ ଗାଇବା ଭିତରେ ମଧ୍ୟ ଥିଲେ ସ୍ଥାନୀୟ ଡାକ୍ତରାଣୀ ଆଉ ତାଙ୍କ ଭଉଣୀ । ସେମାନେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ସେମାନଙ୍କ ସ୍ୱର ବହୁତ ମଧୁର । ପ୍ରସାଦବାବୁ ସମସ୍ତଙ୍କୁ ଗୀତ ଗାଇବାର ସୁଯୋଗ ଦିଅନ୍ତି । ନିଜେ ସେ ମଧ୍ୟ ବେଶ ଭଲଭାବେ ଗୀତ ଗାଆନ୍ତି ଆଉ ଗିଟାରରେ ତାଙ୍କର ହାତ ଭଲ । ଗିଟାର ବଜାଇ ଗୀତ ଗାଇଲେ ଲାଗେ ସେ ନିଜେ ଯେମିତି ସେହି ଗୀତର ପ୍ରକୃତ ପାତ୍ର । ଅନେକ ଗୀତଭରା ସନ୍ଧ୍ୟା ତାଙ୍କ ମେଳରେ କଟିଯାଇଛି ।
ଏମିତି ଏକ ମଲ୍ଟି ଟ୍ୟାଲେଣ୍ଟେଡ ବ୍ୟକ୍ତି ଥିଲେ ପ୍ରସାଦବାବୁ । ସମୁଦ୍ରରେ ଏକ ମନେରଖିବା ଭଳି ମାଛମରା ଅସୀମ ତାଙ୍କଠାରୁ ଶିଖିଥଲେ । ଅସୀମଙ୍କ ଜାଣିବାରେ ସମୁଦ୍ରରେ ମାଛ ମାରିବା ପାଇଁ ଜାଲ ଲଗାଇ ଦିଆଯାଏ ଆଉ ମାଛ ସେଥିରେ ଲାଗନ୍ତି । କେବେକେବେ ବଡ ଟ୍ରଲର ଜାଲକୁ ଟାଣନ୍ତି । କିନ୍ତୁ ପ୍ରସାଦବାବୁ ଏକ ଅଲଗା ମାଛ ଧରିବା ଉପାୟ ଅସୀମଙ୍କୁ ଦେଖାଇଥିଲେ । ଏଇଟା ଆଣ୍ଡାମାନରେ ସବୁ ମାଛୁଆ ମଧ୍ୟ ଗଭୀର ସମୁଦ୍ରରେ କରନ୍ତି । ବଡ ମାଛ ଧରିବା ପାଇଁ ସାମାନ୍ୟ ପଥୁରିଆ ଅଞ୍ଚଳ ଭଲ । ଜେଟିଠାରୁ ପ୍ରାୟ ଦେଢ ଦୁଇ କିଲୋମିଟର ଦୂର ଗଭୀର ସମୁଦ୍ରକୁ ଚାଲିଯାଇ ଥୋପକୁ କଣ୍ଟାରେ ବାନ୍ଧି ସମୁଦ୍ର ତଳକୁ ଓହ୍ଲାଇ ଦେବାକୁ ପଡେ । କ୍ୟାମ୍ପବେଲ ବେ ଜେଟିରୁ କିଲୋମିଟର ବା ଦୁଇ କିଲୋମିଟର ଦୂରରେ ବେଶ ଗଭୀର ସମୁଦ୍ର । ସ୍ଲୋପ ହଠାତ୍ ବେଶି ହୋଇଯାଏ । ଗଭୀରତା ବୋଧହୁଏ ତିନି ଚାରିଶହ ମିଟରରୁ କମ ହେବନି । ସେ କିଛି ମାଛ ଧରିବା ସ୍ଥାନ ବିଷୟରେ ଜାଣିଥିଲେ । ପାଣିରୁ ତଳ ତ ଦେଖାଯିବନି । ଆଗର ଅଭିଜ୍ଞତା କାମରେ ଆସେ । ସୂତାରେ ମାଛ ଧରିବା ପାଇଁ ସମୟ ସନ୍ଧ୍ୟା ହେବା ହେବା ଦରକାର । ପୂୂର୍ଣ୍ଣମୀ ବା ଅମାବାସ୍ୟା ସମୟରେ ବେଶି ମାଛପଡେ । ଜୁଆର ସହ ସମୁଦ୍ରର ମାଛମାନେ କୂଳ ଆଡକୁ ମାଡ଼ିଆସନ୍ତି ।  ସେଦିନ ସଞ୍ଜ ହୋଇଆସୁଥିଲା । ସୂର୍ଯ୍ୟ ପ୍ରାୟ ବୁଡିବା ବୁଡିବା ହେଉଥିଲା । ଜଲଦି ଜହ୍ନ ଆସିଯିବ । ସେମାନେ ଛୋଟ ମୋଟର ବୋଟକୁ ଅଫିସ ପଛ ଉପସାଗରରୁ ବେଶ ଭିତରକୁ ନେଇଗଲେ । ଆଗକୁ ଖୋଲା ସମୁଦ୍ର । ସେଇଠୁ କୂଳ ଟିକିଏ ଟିକିଏ ଦେଖାଯାଉଥିଲା । ଦିଗବଳୟରେ ଯେମିତି ଏକ ରେଖା । ତା’ପରେ ଇଂଜିନ ବନ୍ଦ କରି ବୋଟକୁ ଭାସିବାକୁ ଛାଡିଦେଲେ । ମାଛ ଧରିବାକୁ ଘଣ୍ଟାଏ ଦୁଇଘଣ୍ଟା ଅପେକ୍ଷା କରିବାକୁ ପଡିବ । ବୋଟ ଛୋଟ ଲହଡିରେ ନାଚୁଥିଲା । ଏହାକୁ ପିଚିଙ୍ଗ କୁହନ୍ତି । ଝୁଲି ଦୋହଲି ପାଣିରେ ବାଡେଇ ହୋଇଯିବା କଥା । ସେତିକିରେ ପନ୍ଦର ମିନିଟରେ ପେଟରୁ ସବୁ ଖାଇବା ବାନ୍ତି ହୋଇଯିବ । ମାଛୁଆମାନଙ୍କର ଅଭ୍ୟାସ ହୋଇଗଲାଣି । ସେମାନଙ୍କୁ କିଛି ଲାଗୁନଥାଇପାରେ । ଯାହାହେଉ ବୋଟ ବେଶ ନାଚୁଥିଲା । ବେଶି ସମୟ ବସିବାରୁ ଅସୀମଙ୍କୁ ଅବଶ୍ୟ ଅସକ୍ତ ଲାଗିଥିଲା । ବାନ୍ତି ହୋଇନି । ବୋଟ ଚାଲିଲେ ଏ ଅବସ୍ଥା ହେବନି ।
ପ୍ରସାଦବାବୁ ନିଜର ମାଛ ଧରା ସୂତା ବାହାର କଲେ । ଲଟେଇ ଭଳି ବହୁତ ସୂତା ଗୁଡାଯାଇଥିଲା । ସବୁ ମୋଟା ପ୍ଲାଷ୍ଟିକ ସୂତା । ତଳକୁ ଗୋଟାଏ ଜାଗାରେ ହାତେ ହାତେ ଛାଡି ଚାରି ପାଞ୍ଚୋଟି ବଡ ମାଛଧରା କଣ୍ଟା ବନ୍ଧାଯାଇଥିଲା । ଅସୀମ ବନିଶୀରେ ଗୋଟିଏ କଣ୍ଟା ବନ୍ଧା ହେବା ଦେଖିଛନ୍ତି । କିନ୍ତୁ ଏଠି ପ୍ରତି ସୂତାରେ ଅତିକମରେ ଚାରୋଟି କଣ୍ଟା ବନ୍ଧା ହୋଇଥିଲା । ପ୍ରସାଦବାବୁ ଅତି ଯତ୍ନର ସହ ଏକ ବଡ ମାଛକୁ ଖଣ୍ଡ ଖଣ୍ଡ କରି କାଟିଲେ । ପ୍ରତି କଣ୍ଟାରେ ଥୋପ ହିସାବରେ ପ୍ରାୟ ୧୦୦ ଗ୍ରାମ ହିସାବରେ ମାଛ ଖଣ୍ଡମାନ ଲଗାଇଲେ । ଏତେ ବଡ ମାଛ ଖଣ୍ଡ ଲଗାଇବା ଦେଖି ଅସୀମ ଆଶ୍ଛର୍ଯ୍ୟ ହୋଇଗଲେ । ସାଧାରଣତଃ କଣ୍ଟାରେ ଜିଆ ଲଗାଯାଏ ବା ଟିପେ ଆକାରର ମାଛଖଣ୍ଡ ଲଗାଯାଇ କଣ୍ଟାକୁୁ ପାଣିରେ ପକାଯାଏ । କଣ୍ଟାପରେ ସୂତାରେ ଅଲଗା ଜାଗାରେ ପ୍ରାୟ ୨୦୦ ଗ୍ରାମର ଲୁହାଖଣ୍ଡ ଲାଗିଥିଲା । ଅବଶ୍ୟ ବନିଶୀରେ ମଧ୍ୟ ସିସା ଲଗାଯାଏ । ଏଠି ଗୋଲ କଣାଥିବା ମୋଟା ଲୁହାଖଣ୍ଡ ଲଗାଯାଇଥିଲା । ଏ ଲୁହା ସୂତାକୁ ତଳକୁ ଟାଣିନେବ । ସମୁଦ୍ରତଳେ ଯାଇ ସୂତା ଆଉ ଥୋପ ଲାଗିବ । ମାଛ ଆଗରେ ଖାଇବା ପଡିଥିବ । ବଢିଆ ବ୍ୟବସ୍ଥା । ଏମାନେ ଥୋପ ଲାଗିଥିବା ଲୁହାକୁ ତଳକୁ ଛାଡିଦେଲେ । ସର୍ଅ୍ ଅ୍ କରି ପ୍ଲାଷ୍ଟିକ ସୂତା କେଉଁ ଅତଳ ଗହୀରକୁ ଚାଲିଗଲା । ସୂତା କଣ୍ଡେଇରୁ ପ୍ରାୟ ସୂତା ସରି ଆସୁଥିଲା । ଉପରେ ବୋଟ ନାଚୁଥିଲା । ବୋଟମ୍ୟାନ, ପ୍ରସାଦବାବୁ ଆଉ ଅସୀମ ଏକ ଏକ ସୂତା ଧରି ବସିଗଲେ । ପ୍ରସାଦବାବୁ ମାଛ ଧରିବା କୌଶଳ ବତେଇଦେଲେ । ତଳେ ମାଛ ଥୋପ ପାଇଲେ ଟାକୁ କିନା ଗିଳିଦିଏ । କଣ୍ଟା ତଣ୍ଟିରେ କଣ୍ଟା ଲାଗିଯିବାରୁ ଛାଟି ପଟି ହୋଇ ପଳେଇ ଯିବାକୁ ଲାଗେ । ସେ ସମୟରେ ହାତରେ ସୂତା ଥରି ଥରି ଟାଣି ହୁଏ । ଗୋଟାଏ ଦୁଇଟା ସାମାନ୍ୟ ଝଟକା ରେ ଜଣାପଡିଯାଏ ମାଛ ଲାଗିଛି । ତା’ପରେ ଧୀରେ ଧୀରେ ମାଛକୁ ସୂତା ସହ ଉପରକୁ ଟଣାଯାଏ । ଜୋରରେ ସୂତା ଟଣାଯାଏନା । ତଳେ କୋରାଲ ବେଡ ହେତୁ ମାଛ ତରକିଯାଇ କେଉଁ ଗାତରେ ପଶିଯିବ । ତେଣିକି ଛଡେଇବା କଷ୍ଟ । ଯାହାହେଉ ଅସୀମ ସୂତା ଧରି ବସିଲେ । ଡାହାଣ ହାତର ପ୍ରଥମ ଆଙ୍ଗୁଠିରେ ସୂତା ଟିକିଏ ଗୁଡାଇ ଦେଇଥାନ୍ତି । ସୂତା ଟାଣିହେଲା ଭଳି ଲାଗିଲା । ମାଛ ବୋଧେ । ଅସୀମ ପ୍ରସାଦବାବୁଙ୍କ ଆଡକୁ ଅନାଇଲେ । ସେ ଅସୀମଙ୍କ ହାତରୁ ସୂତା ନେଲେ । ସୂତାଟା ଟାଣିହୋଇ ଯାଉଛି । କିନ୍ତୁ ଟଣାରେ ଝଟକା ନାହିଁ ।
“ସମୁଦ୍ର କରେଣ୍ଟ ।”
“ଏତେ ଜୋରରେ?”- ଅସୀମ ପଚାରିଲେ । ଏକ ଖରସ୍ରୋତା ନଦୀରେ କାଠ ଭାସିଗଲାପରି ତଳେ ଲୁହା ଟାଣିହୋଇଯାଉଛି । (କ୍ରମଶଃ)
ଭୁବନେଶ୍ୱର