ମା'ର ସ୍ନେହ : ନାରୀର ସଂସାର 


ପୁରାଣରେ ବର୍ଣ୍ଣିତ ଅଛି- "ଜଗତ ମାତା ଚ ପ୍ରକୃତିଃ ପୁରୁଷଶ୍ଚ ଜଗତ ପିତା । ଗରିୟସୀ ଜଗତାଂ ମାତା, ମାତା ଶତଗୁଣଂ ପିତା । ।' ଅର୍ଥାତ୍ ଜଗତର ଜନ୍ମଦାତ୍ରୀ ହେଉଛନ୍ତି ମାତା । ଜଗତର ପାଳନ ବା ରକ୍ଷାକର୍ତ୍ତା ହେଉଛନ୍ତି ପୁରୁଷ । ସୁତରାଂ ଜନ୍ମଦାତ୍ରୀ ବା ଜଗତର ମାତା, ପିତାଙ୍କ ଠାରୁ ଶହେଗୁଣ ଅଧିକ ଶ୍ରେଷ୍ଠ । ନାରୀଙ୍କ ସ୍ଥାନ ସର୍ବଦା ଆଗରେ । ନାରୀକୁ ପ୍ରଥମ ସ୍ଥାନ ଦିଆଯାଇଛି । ସୁତରାଂ ଦେବତା ଓ ମହାପୁରୁଷମାନଙ୍କର ନାମ ସହିତ ସେମାନଙ୍କର ପତ୍ନୀଙ୍କ ନାମ ସଂଯୋଗ କରାଯାଇଛି । ଯଥା ସୀତାରାମ, ରାଧେଶ୍ୟାମ, ଗୌରୀଶଙ୍କର, ଉମାମହେଶ, ଲକ୍ଷ୍ମୀନାରାୟଣ, ସାବିତ୍ରୀସତ୍ୟବାନ, ମାୟାବ୍ରହ୍ମା, ପ୍ରକୃତିପରମେଶ୍ୱର, ଶକ୍ତିଶିବ ଇତ୍ୟାଦି । ପବିତ୍ରତା, ସ୍ନେହ, ବାତ୍ସଲ୍ୟ, ଦୟା, ସେବା, ସହାନୁଭୂତି, ଭକ୍ତିଭାବନା ଆଦି ଗୁଣରେ ପୁରୁଷ ଅପେକ୍ଷା ନାରୀ ହିଁ ଆଗରେ । ସୁତରାଂ ଧାର୍ମିକ ଓ ଆଧ୍ୟାତ୍ମିକ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକରେ ନାରୀକୁ ସର୍ବତ୍ର ସ୍ୱାଗତ ଓ ସମ୍ମାନ କରାଯାଏ । ନାରୀକୁ ତା'ର ମହାନୀୟତା ଅନୁଯାୟୀର ପ୍ରତିଷ୍ଠା ମଧ୍ୟ ଦିଆଯାଇଛି । ସତ୍ୟଯୁଗରେ ସାବିତ୍ରୀ, ତ୍ରେତୟା ଯୁଗରେ ସୀତା, ଅନୁସୂୟା, ଦ୍ୱାପରରେ କୁନ୍ତୀ, ଦ୍ରୌପଦୀ ଆଦି ନିଜ ନିଜର ପବିତ୍ରତା ଓ ପରାକାଷ୍ଠା ବଳରେ ଯୁଗେ ଯୁଗେ ବନ୍ଦିତ । ଇତିହାସରୁ ଜଣାଯାଏ ଝାନସୀରାଣୀ ଲକ୍ଷ୍ମୀବାଈ, ସରୋଜିନୀ ନାଇଡୁ, ଅରୁଣା ଆସଫ୍ ଅଲ୍ଲୀ, ସୁଚେତା କୃପାଳିନୀ, କମଳା ନେହେରୁ, କସ୍ତୁରବା ଗାନ୍ଧୀ, ମଦରଟେରେସା, ଇନ୍ଦିରାଗାନ୍ଧୀ, ନନ୍ଦିନୀ ଶତପଥୀ ଆଦି ମହୀୟସୀ ମହିଳାମାନେ ନିଜ ନିଜ କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟଦକ୍ଷତା ଓ ଅଦମ୍ୟ ଶକ୍ତିର ପରାକାଷ୍ଠା ପ୍ରତିପାଦନ କରି କାଳଜୟୀ ହୋଇପାରିଛନ୍ତି । ନାରୀ ପୁରୁଷଙ୍କଠାରୁ କୌଣସି ଗୁଣରେ କମ ନୁହଁନ୍ତି । ନାରୀ ବିନା ଏ ସୃଷ୍ଟି ସମ୍ଭବ ନୁହେଁ । ନାରୀ ବିନା ସଂସାର କଳ୍ପନା ବୃଥା । ନାରୀ ବିନା ପୁରୁଷ ସମ୍ପୂର୍ଣ୍ଣ ହୋଇପାରେନା । ନର, ନାରୀ ଏକ ରଥର ଦୁଇ ଚକ । ଏକ ଶରୀରର ଦୁଇପାଦ । ଏକ ମୁଖର ଦୁଇ ନେତ୍ର । ଜଣକ ବିନା ଅନ୍ୟଟି ଅସମ୍ପୂର୍ଣ୍ଣ । ତେଣୁ ନାରୀକୁ ପୁରୁଷର ଅର୍ଦ୍ଧାଙ୍ଗିନୀ କୁହାଯାଏ । ଭାରତୀୟ ସଂସ୍କୃତି ଓ ଧର୍ମରେ ନାରୀକୁ ଆବହମନ କାଳରୁ ପୁରୁଷର ଏକ ଓ ଅବିଚ୍ଛିନ୍ନ ଅଙ୍ଗରୂପେ ସ୍ୱୀକାର କରାଯାଇଛି । ପତ୍ନୀ ବିନା ପତିର କୌଣସି ଧର୍ମକାର୍ଯ୍ୟ, ଯଜ୍ଞାଦି କର୍ମ ସଫଳ ହୁଏନା । ତେଣୁ ତୈ୍ରତ୍ତରୀୟ ପୁରାଣରେ ବର୍ଣ୍ଣିତ ଅଛି - "ଅଯଜେ୍ଞା ବା ଏଷ ପୋଞ୍ଚପତ୍ନୀକଃ । । ଅର୍ଥାତ୍ ଯିଏ ଅପତ୍ନୀକ, ତାର ଯଜ୍ଞପୂର୍ଣ୍ଣ ହୁଏନା । ପତ୍ନୀ ବିନା ଯଜ୍ଞ ଅସମ୍ଭବ ବା ଅପୂର୍ଣ୍ଣ ରହେ । ନାରୀ ସର୍ବଦା କଲ୍ୟାଣକାରୀ । ସେ ପୂଜ୍ୟା । ଗୃହର ଦୀପ୍ତି । ନାରୀ ଧର୍ମକାର୍ଯ୍ୟର ସହାୟିକା ଅଟନ୍ତି । 
 ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ । ଏହାକୁ ପୂର୍ବେ ଆନ୍ତର୍ଜାତିକ ଶ୍ରମଜୀବୀ ମହିଳା ଦିବସ କୁହାଯାଉଥିଲା । ସାରା ବିଶ୍ୱର ମହିଳାଙ୍କୁ ସମ୍ମାନ ଓ ଶ୍ରଦ୍ଧା ଦେବା ସହ ସେମାନଙ୍କର ରାଜନୀତିକ, ସାମାଜିକ ଏବଂ ଆର୍ଥିକ ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ବାଇଗଣୀ ରିବନ୍ ଏହି ଦିନର ପ୍ରତୀକ । ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଅଧିକାର ପାଇବା ପାଇଁ ବହୁ ଦିନରୁ ସଂଘର୍ଷରତ । ଇଉରୋପରେ ଉନ୍ନବିଂଶ ଶତାବ୍ଦୀର ଆଦ୍ୟ ଭାଗ ପର୍ଯ୍ୟନ୍ତ ମହିଳମାନେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ଗଣାଯାଉଥିଲେ । ସ୍ୱାଧୀନ ମତ ପୋଷଣ ବା ଭୋଟ ଦେବାର ଅଧିକାର ନଥିଲା । ଏପରିକି ଗ୍ରେଟ୍ ବି୍ରଟେନ୍ ଭଳି ରାଷ୍ଟ୍ରରେ ମଧ୍ୟ ମହିଳାଙ୍କ ଶିକ୍ଷା ଅନେକଟା ସୀମିତ ଥିଲା । ୧୭୯୨ରେ ମେରି ଉଲ୍ଷ୍ଟୋନକ୍ରାଫ୍ଟ ପୁରୁଷ ଓ ମହିଳାଙ୍କର ସମାନ ଅଧିକାର ପ୍ରସଙ୍ଗରେ ଲେଖିଥିଲେ "ଏ ଭିଣ୍ଡିକେସନ୍ ଅଫ୍ ଦ ରାଇଟ୍ସ ଅଫ୍ ୱିମେନ୍' । ବହିଟି ସମଗ୍ର ଇଉରୋପରେ ଚହଳ ପକାଇଥିଲା ଏବଂ ସମସ୍ତଙ୍କୁ ଏହି ଦିଗରେ ଚିନ୍ତା କରିବା ପାଇଁ ଖୋରାକ ଯୋଗାଇଥିଲା । ତାହା ପରେ ପୁରୁଷଙ୍କ ସହ ସମାନ ଅଧିକାର ପାଇବା ପାଇଁ ଇଉରୋପ୍ର ବିଭିନ୍ନ ଅଞ୍ଚଳର ମହିଳାମାନେ ଆନେ୍ଦାଳନ ଆରମ୍ଭ କରିଥିଲେ । ଜାତିସଂଘର ଅନୁମୋଦନ କ୍ରମେ ୧୯୯୬ରୁ ଏହା ବିଷୟ ଭିତ୍ତିକ ଭାବେ ପାଳିତ ହେଉଛି ।
ଆଜିର ମହିଳା ଦିବସ ପ୍ରସଙ୍ଗରେ ମନେପଡ଼ିଯାଉଛି ପୁରାଣର ଏକ ସ୍ମରଣୀୟ ଘଟଣାଟି । ମାଆ ତା ସନ୍ତାନଟି ପାଇଁ କେତେ ତ୍ୟାଗ ଓ ତିତିକ୍ଷା କରିପାରେ ଏହା ହିଁ ଏହି ଆଲୋଚନାର ଉପଲକ୍ଷ୍ୟ । ଦିନେ ଆଶ୍ରମରେ ଶିଷ୍ୟମାନଙ୍କୁ ଗୁରୁ ବୁଝାଉଥିଲେ ପିତା-ମାତାଙ୍କ ମହାନତା କେତେ । ସନ୍ତାନ ପ୍ରତି ମା'ର ନିଃସର୍ତ୍ତ ପ୍ରେମ ଅନ୍ୟ କେଉଁଠି ଦେଖିବାକୁ ମିଳେନା । ଶିଷ୍ୟଗଣଙ୍କ ଉତ୍ସୁକ ନୟନକୁ ଦେଖି ଏହି ଅବସରରେ ଗୁରୁ ଏକ ସତ୍ୟ ଘଟଣାର ଅବତାରଣା କରିବାକୁ ଯାଇ କହିଚାଲିଲେ ଛୋଟ ସହରରେ ଏକ ଦମ୍ପତି ରହୁଥାନ୍ତି । ସେମାନଙ୍କର ଏକମାତ୍ର ପୁଅଟି ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥାଏ । ବାପାଙ୍କ ଆକସ୍ମିକ ମୃତୁ୍ୟ ହୋଇଗଲା । ଆର୍ଥିକ ଅବସ୍ଥା ଭଲ ନଥାଏ । ପୁଅର ସ୍କୁଲ ହଷ୍ଟେଲରେ ମା' ରୋଷେଇ କରି କିଛି ରୋଜଗାର କରୁଥିଲେ ଏବଂ ପିଲାଟିକୁ ପାଠ ପଢ଼ାଉଥିଲେ । ପୁଅଟି ଭଲ ପାଠ ପଢ଼ୁଥାଏ । ଦିନେ ପୁଅର ଜଣେ ସାଙ୍ଗ ଥଟ୍ଟା କରି କହିଲା ଏଃ, ତୋ ମା କାଣୀ । ଅର୍ଥାତ୍ ମା'ର  ଗୋଟିଏ ଆଖି ନାହିଁ । ପୁଅକୁ ଖରାପ ଲାଗିଲା । ଏମିତି ଭିନ୍ନ ଭିନ୍ନ ସମୟରେ ସେ ମନ୍ତବ୍ୟ ଶୁଣିଲା ଯେ ତାର ପରିଚୟ ହେଉଛି କାଣୀ ରୋଷେୟାଙ୍କ ପୁଅ ବୋଲି । ସେ ମନେ ମନେ ସ୍ଥିର କଲା ସହର ଛାଡ଼ି ବହୁ ଦୂରକୁ ଚାଲିଯିବ । ମା'ର ପରିଚୟ ଠାରୁ ଦୂରେଇ ଯିବ । ଭଲ ପାଠ ପଢ଼ୁଥିଲା, ବଡ଼ ସହରକୁ ଚାଲିଗଲା । ମା'ପାଖକୁ ଫେରିଲାନି, ଭାବିଲା ମା' ତା ପାଇଁ ଅଭିଶାପ । ପୁଅଠୁ ଅଲଗା ରହିବାର କଷ୍ଟ ସହି ମା'  ଗାଁରେ ପଡ଼ି ରହିଲା । ପୁଅ ବଡ଼ ଅଫିସର, ବାହାସାହା ହୋଇ ସହରରେ ରହୁଛି । ଦିନେ ମା'ର ଇଛା ହେଲା ପୁଅ-ବୋହୂ, ନାତି-ନାତୁଣୀଙ୍କୁ ଟିକିଏ ଦେଖନ୍ତା । ପଚାରି ପଚାରି ଗଲା । ପିଲାମାନଙ୍କୁ ଘର ବାହାରେ ଠିଆ ହୋଇ ଦେଖିଲା । କିନ୍ତୁ ପୁଅ ଯେତେବେଳେ ମା'କୁ ଦେଖିଲା ଗାଳି କରି ତଡ଼ିଦେଲା । କହିଲା କାଣୀ ମା'ର ପୁଅ ବୋଲି ମୋତେ ଲାଜ ଲାଗୁଛି । ଏ ଭିତରେ କିଛି ମାସ ଚାଲିଗଲା । କ'ଣ ସରକାରୀ କାମରେ ପୁଅ ସେଇ ଗାଁକୁ ଆସିଥାଏ । କ'ଣ ମନ ହେଲା କେଜାଣି ଭାବିଲା ଜନ୍ମସ୍ଥାନ ଟିକିଏ ଦେଖିଯିବି । ଘରେ ପହଞ୍ଚôଲା ବେଳକୁ ଜାଣିବାକୁ ପାଇଲା ମାସକ ଆଗରୁ ମା' ମରିଯାଇଛି । ପଡ଼ୋଶୀ ମହିଳା ପୁଅ ନାଁରେ ଲେଖାଥିବା ଚିଠିଟିଏ ଆଣି ଦେଲେ । ସେଥିରେ ଲେଖାଥିଲା - ପୁଅ, ତୁ ଖୁସିରେ ଅଛୁ ଜାଣିଲି, ଯାହାହେଉ ତୋ ଜରିଆରେ ମୁଁ ଦୁନିଆକୁ ଦେଖିପାରିବି, ସେଥିଲାଗି ମୋ ଆଖି କାଢ଼ି ତୋ ଆଖିରେ ଡାକ୍ତର ଲଗାଇଥିଲେ । ମୋର ଦୁର୍ଭାଗ୍ୟ ଯେ ତୋ ସହିତ ଆଉ ଭେଟ ହୋଇପାରିଲା ନାହିଁ । ବିଶ୍ୱ ମହିଳା ଦିବସ ଅବସରରେ ନାରୀ ସଶକ୍ତିକରଣକୁ ସମ୍ମାନ ଓ ନିଜ ମାଆ ମାନଙ୍କ ପ୍ରତି କର୍ତ୍ତବ୍ୟର ଦିଗଟିକୁ ଅନୁଚିନ୍ତନକଲେ ଏହି ଦିବସର ଅନ୍ତର୍ନିହିତ ତାତ୍ପର୍ଯ୍ୟର ଗୁରୁତ୍ୱ ରହିବ । 
କଟକ
ମୋ : ୯୯୩୭୧୭୨୮୧୦