ଯୁଦ୍ଧ ପ୍ରଭାବିତ ଦେଶରେ ଭାରତର ଶାନ୍ତିବାର୍ତ୍ତା
ଡକ୍ଟର ଲକ୍ଷ୍ମଣ ସାହୁ : ଭାରତ ଓ ରୁଷ ମଧ୍ୟରେ କୂଟନୈତିକ ଓ ସାମରିକ ସମ୍ପର୍କରେ ପ୍ରତିବଦ୍ଧତାର ଏକ ସୁବର୍ଣ୍ଣ ଇତିହାସ ଅଛି । ଭାରତର ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ, ରୁଷର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ, ଆପୋଷ ଆଲୋଚନା ସମ୍ଭାବନା ସହିତ ଜଡିତ ଥିବାବେଳେ , ସେପଟରେ ପାଲେଷ୍ଟାଇନ-ଇସ୍ରାଏଲ୍ ବିବାଦରେ ଭାରତର କୂଟନୈତିକ ପଦକ୍ଷେପ ମଧ୍ୟ ଗୋଟିଏ ପାଦ ଆଗରେ ଥିବା ଜଣାପଡିଛି । ବାସ୍ତବରେ ରୁଷ-ୟୁକ୍ରେନ ବିବାଦ ଓ ପଶ୍ଚିମ ଏସିଆ ସମ୍ବନ୍ଧରେ ଭାରତୀୟ ବୈଦେଶିକ ନୀତିର ପରିବର୍ତ୍ତିତ ଆଭିମୁଖ୍ୟ ଭାରତୀୟ ସ୍ୱାର୍ଥ ପାଇଁ ସୁଦୂରପ୍ରସାରୀ ପରିଣାମ ଆଣିପାରେ ।
ପ୍ରଧାନମନ୍ତ୍ରୀ ମୋଦୀ ରୁଷ ଓ ୟୁକ୍ରେନ ମଧ୍ୟରେ ଥିବା ସମସ୍ୟାର ଓ କୂଟନୀତି ମାଧ୍ୟମରେ ସମାଧାନ କରିବାର ଆବଶ୍ୟକତା ପ୍ରକାଶ କରିଛନ୍ତି । ସ୍ୱକୀୟ ଅଭିଭାଷଣରେ ଶାନ୍ତି ପାଇଁ ପ୍ରତ୍ୟେକ ପ୍ରୟାସରେ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଆଶ୍ୱାସନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତ ଉପରେ ୟୁରୋପ ଏବଂ ଆମେରିକା ମଧ୍ୟ ନଜର ରଖିଥିଲେ । ତାଙ୍କର ରୁଷ ଗସ୍ତକୁ ୟୁରୋପ ଓ ଆମେରିକାରେ ସନେ୍ଦହ ଚକ୍ଷୁରେ ଦେଖାଯାଇଥିଲା । ତେଣୁ ତାଙ୍କର ୟୁକ୍ରେନ ଗସ୍ତକୁ ସମସ୍ୟା ସମାଧାନର କୂଟନୀତି ବୋଲି ବର୍ଣ୍ଣନା କରାଯାଇଥିଲା ।
କହିବାକୁ ଗଲେ ରୁଷ ଆମର ପୁରୁଣା ବନ୍ଧୁ ଓ ବଡ ସହଯୋଗୀ ଭାବରେ ଠିଆ ହୋଇଆସିଛି, ଏହା ମଧ୍ୟ ଏସିଆର ସବୁଠାରୁ ବଡ ଖେଳାଳି । ଆମର ଶତ୍ରୁ ଚୀନ୍ର ସୀମା ରୁଷକୁ ସ୍ପର୍ଶ କରେ । ରୁଷ ମଧ୍ୟ ପାକିସ୍ତାନର ସୀମାଠାରୁ ବେଶୀ ଦୂରରେ ନୁହେଁ । ଏଭଳି ପରିସ୍ଥିତିରେ ରୁଷ ସହିତ ଭାରତର ବନ୍ଧୁତାକୁ ବୈଦେଶିକ ସମ୍ପର୍କ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି । ଚୀନ୍ ଉପରେ ଚାପ ବଢାଇବା ପାଇଁ ଭାରତ- ରୁଷ ସମ୍ପର୍କ ଆବଶ୍ୟକ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଦେଖିବାକୁ ଗଲେ ପରିସ୍ଥିତି ବଦଳିଛି । ରୁଷ ଗତ ଦୁଇ ବର୍ଷ ଧରି ୟୁକ୍ରେନ ସହିତ ଯୁଦ୍ଧ କରିଆସୁଛି । ଏହି ସମୟରେ ଚାଇନା ରୁଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବରେ ଉଭା ହୋଇଛି । ଚୀନ୍ ଓ ରୁଷର ବଢୁଥିବା ଯୋଗଦାନ ଆମେରିକା ସହିତ ସେମାନଙ୍କର ରଣନୀତିକ ପ୍ରତିଦ୍ୱନ୍ଦ୍ୱିତା ଦ୍ୱାରା ପରିଚାଳିତ । ଚୀନ୍ ଓ ଭାରତ ମଧ୍ୟରେ ବିଶେଷ କରି ସୀମାରେ ଅଧିକ ମାତ୍ରାରେ ଉତ୍ତେଜନା ଦେଖାଦେଇଛି । ଚୀନ୍ କ୍ରମାଗତ ଭାବରେ ଅନ୍ତର୍ଜାତୀୟ ସୀମା ରେଖା ଉଲ୍ଲଂଘନ କରୁଛି ।
ଚୀନ୍ ଉପରେ ଚାପ ବଢାଇବା ପାଇଁ ଭାରତ ରୁଷ ସହିତ ଦୃଢ଼ ସମ୍ପର୍କରେ ରହିବା ଆବଶ୍ୟକ ରହିଛି । ଚୀନ୍ ଓ ରୁଷ ମଧ୍ୟରେ ଘନିଷ୍ଠ ସମ୍ପର୍କ ସତ୍ତ୍ୱେ ଭାରତ ବୁଝିବା ଆବଶ୍ୟକ ଯେ ଏହି ଦୁଇ ଦେଶ ଆନୁଷ୍ଠାନିକ ସହଯୋଗୀ ନୁହଁନ୍ତି । ବରଂ ଐତିହାସିକ ଭାବରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହେଇଥାନ୍ତି । ରୁଷରେ ଚାଇନାର କମ୍ପାନୀଗୁଡିକର ପ୍ରଭାବକୁ ନେଇ ରୁଷ ବ୍ୟବସାୟୀମାନେ ଭୟଭୀତ ଅଛନ୍ତି । ବାସ୍ତବରେ ମସ୍କୋ ଓ ବେଜିଂ ମଧ୍ୟରେ ସମ୍ପର୍କ ଆମେରିକାର ଅଧିନାୟକତ୍ୱକୁ ଚ୍ୟାଲେଞ୍ଜ କରିବାର ଇଚ୍ଛା ଦ୍ୱାରା ପରିଚାଳିତ । ପୁଟିନ ଓ ଜିନପିଙ୍ଗ ଦୀର୍ଘ ସମୟ ଧରି କ୍ଷମତାରେ ଅଛନ୍ତି । ଏହି ପରିସ୍ଥିତି ବଦଳିବା ମାତ୍ରେ ଆମେରିକା ସହିତ ସମ୍ପର୍କର ପରିସ୍ଥିତି ବଦଳିପାରେ ।
ଆମେରିକା ଏସିଆ, ଆଫ୍ରିକା ଓ ୟୁରୋପରେ ଶକ୍ତି ସନ୍ତୁଳନ ବଜାୟ ରଖିବାକୁ ଚାହୁଁଛି । ଗତ ଦେଢ ଦଶନ୍ଧି ମଧ୍ୟରେ ଆମେରିକା ଏହାର ଏସିଆ କୈନ୍ଦ୍ରିକ ବୈଦେଶିକ ନୀତିକୁ ମଜବୁତ କରିଛି ଓ ଭାରତ ଏହାର ଆଶା ତଥା ରଣନୀତିର ମୁଖ୍ୟ କେନ୍ଦ୍ର ଅଟେ । ଓବାମା ଓ ଟ୍ରମ୍ପଙ୍କ ପରେ ବାଇଡେନ ମଧ୍ୟ ଏହାକୁ ଭଲ ଭାବରେ ବୁଝିଛନ୍ତି । ଆମେରିକାର ବିଶ୍ୱର ପ୍ରଭାବକୁ ବଜାୟ ରଖିବା ପାଇଁ ଚୀନ୍, ରୁଷ ଓ ଇରାନ ଭଳି ଦେଶର ପ୍ରଭାବକୁ କିଛି ମୂଲ୍ୟରେ ସୀମିତ ରଖିବାକୁ ପଡିବ । ସେଥିପାଇଁ ସେମାନେ ସନ୍ତୁଳନ ରକ୍ଷା ଉପରେ ଆଧାର କରି ନୂତନ ସହଭାଗିତା ଅନୁସରଣ କରୁଛନ୍ତି ଯାହା ଦ୍ୱାରା ଆମେରିକାର ସାମରିକ ତଥା ରାଜନୈତିକ ସ୍ୱାର୍ଥ ସୁରକ୍ଷିତ ହୋଇପାରିବ । ବର୍ତ୍ତମାନ କେବଳ ଭାରତ ଓ ଆମେରିକା ମଧ୍ୟରେ ସାମରିକ ସହଯୋଗ ମଜବୁତ ହେଉନାହିଁ । ବରଂ ଉଭୟ ଦେଶ ମଧ୍ୟ ପ୍ରତିରକ୍ଷା ଓ ଔଦ୍ୟୋଗିକ ସହଯୋଗ ମଧ୍ୟରେ ଅଗ୍ରଗତି କରୁଛନ୍ତି । ନିକଟରେ ଭାରତ ଓ ଆମେରିକା ଉଭୟ ଏକ ନୂତନ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିନାମା ଉଭୟ ଦେଶକୁ ପ୍ରତିରକ୍ଷା ଉପକରଣ ଓ ଅତିରିକ୍ତ ଯନ୍ତ୍ରାଂଶ ଯୋଗାଣରେ ପରସ୍ପରର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ । ପୂର୍ବରୁ ଭାରତ ଓ ରୁଷ ମଧ୍ୟରେ ଏଭଳି ଚୁକ୍ତିନାମା କରାଯାଇଥିଲା ।
ଚୀନ୍ ପ୍ରଭାବର ବିଶ୍ୱର ବିପଦକୁ ମୁକାବିଲା କରିବା ପାଇଁ ଆମେରିକା ଭାରତ-ପ୍ରଶାନ୍ତ ମହାସାଗରରେ ସମ୍ଭାବନା ଅନୁସନ୍ଧାନ କରୁଛି । ସେସବୁ ଅଞ୍ଚଳରେ ଚାଇନାକୁ ଘେରି ରହି ଏହାର ଅର୍ଥନୈତିକ ଓ ସାମରିକ କ୍ଷମତାକୁ ଦୁର୍ବଳ କରିବାକୁ ଚାହୁଁଛି । ସେ ଅନୁଭବ କରୁଛନ୍ତି ଯେ ଚାଇନାକୁ ନିୟନ୍ତ୍ରଣ କରିବା ପାଇଁ ଏସିଆକୁ କୂଟନୈତିକ କେନ୍ଦ୍ରରେ ରଖିବାକୁ ପଡ଼ିବ । ରଣନୀତିକ ଭାଗିଦାରୀ ସହିତ ଆମେରିକା ଅର୍ଥନୈତିକ ଓ ବାଣିଜ୍ୟ ନୀତି ଉପରେ ଆଗକୁ ବଢିବାକୁ ଚାହୁଁଛି । ସେଥିପାଇଁ କ୍ୱାଡ୍ ପରେ ଆମେରିକା ବର୍ତ୍ତମାନ ‘ଇଣ୍ଡୋ-ପାସିଫିକ୍ ଇକୋନୋମିକ୍ ଫେ୍ାରମ ୱାର୍କ'ର ରଣନୀତି ଉପରେ ଆଗକୁ ବଢିବାକୁ କହିଛି, ଯେଉଁଥିରେ ବାଣିଜ୍ୟ ସୁବିଧା ସହିତ ପାରସ୍ପରିକ ସହଯୋଗ ବୃଦ୍ଧି କରିବାକୁ ପଡିବ । ଏବେ ଚାଇନାକୁ ରୋକିବା ପାଇଁ କ୍ୱାଡ୍ ଏକ ଶକ୍ତିଶାଳୀ ରଣନୀତିକ ଭାଗିଦାରୀ ଭାବରେ ଉଭା ହୋଇଛି । ଏହାକୁ ଏସୀୟ ‘ନାଟୋ' ବୋଲି କହିଛି । କ୍ୱାଡକୁ ରୁଷ ମଧ୍ୟ ସମାଲୋଚନା କରିଥିଲା, କିନ୍ତୁ ଏହା ଯେ ଭାରତର ସାମରିକ ଆହ୍ୱାନ ବୋଲି ଜାଣିଛି । ସମସ୍ତ ପ୍ରତିବାଦ ସତ୍ତ୍ୱେ ଭାରତ ଓ ଆମେରିକା ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ନେଇ ରୁଷ ଭୟଭୀତ ହୋଇ ନାହିଁ । ଅପରପକ୍ଷରେ ଏଥିରେ ଭାରତର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇଛି । ଜାତିସଂଘ, ଜି -୨୦, ବ୍ରିକ୍ସ ଓ ଏସସିଓ ଭଳି ବହୁପକ୍ଷୀୟ ଫୋରାରେ ଭାରତ ଓ ରୁଷ ଘନିଷ୍ଠ ବନ୍ଧୁ ଭାବରେ ପରସ୍ପର ସହଯୋଗ କରନ୍ତି । ସାଢ଼େ ସାତ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ ଏବଂ ସ୍ଥିର ରହିଛି । ୧୯୯୦ ମସିହାରେ ଭାରତ ଓ ୟୁକ୍ରେନ ମଧ୍ୟରେ ଉତ୍ତମ ସମ୍ପର୍କ ଗଠନ ହୋଇଥିଲା । ୧୯୯୮ ରେ ‘ଅପରେସନ୍ ଶକ୍ତି' ଅଧୀନରେ ଭାରତ ଆଣବିକ ପରୀକ୍ଷଣ କରିଥିଲା । ଯେତେବେଳେ ୟୁକ୍ରେନ, ବିଶ୍ୱ -୨୦ ର ପଚିଶଟି ଦେଶ ଏହାକୁ ବିରୋଧ କରିଥିଲେ । ପାକିସ୍ତାନ ସହ ସମ୍ପର୍କକୁ ନେଇ ରୁଷ ସତର୍କତା ଅବଲମ୍ବନ କରିଥିବାବେଳେ ୟୁକ୍ରେନ ପାକିସ୍ତାନକୁ ବହୁ ସଂଖ୍ୟକ ଅସ୍ତ୍ର ଯୋଗାଉଛି । ବିଶ୍ୱ ଫୋରମରେ କାଶ୍ମୀର ଉପରେ ପାକିସ୍ତାନର ମତକୁ ୟୁକ୍ରେନ ମଧ୍ୟ ଅନେକ ଥର ସମର୍ଥନ କରିଛି । ତେଣୁ ବିଚାର ଦୃଷ୍ଟିରୁ ରୁଷ ଏବଂ ଆମେରିକା ଭାରତର ବୈଦେଶିକ କୂଟନୈତିକ ସନ୍ତୁଳନରେ ଅଛନ୍ତି ।
ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବହୁପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇଁ ଭାରତର ପ୍ରୟାସ ପାରସ୍ପରିକ ସମ୍ପର୍କରେ ଜଟିଳତା ସୃଷ୍ଟି କରିପାରେ । ଏଥି ସହିତ ପଶ୍ଚିମ ଏସିଆରେ ଭାରତର ଅର୍ଥନୈତିକ ଓ ସାମରିକ ସ୍ୱାର୍ଥ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଇସ୍ରାଏଲ ଭାରତର ଏକ ସାମରିକ ଅଂଶୀଦାର ହୋଇଥିବାବେଳେ ଅନ୍ୟ ଗଲ୍ଫ ଦେଶଗୁଡ଼ିକ ଭାରତର ଆର୍ଥିକ ଆବଶ୍ୟକତା ପାଇଁ ଅପରିହାର୍ଯ୍ୟ । ରୁଷ-ୟୁକ୍ରେନ ବିବାଦ ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ମହାଶକ୍ତି ମଧ୍ୟରେ ତୀବ୍ର ରଣନୀତିକ ପ୍ରତିଦ୍ୱନ୍ଦ୍ୱିତା ଦ୍ୱାରା ପରିଚାଳିତ ହେଉଅଛି । ଏଭଳି ପରିସ୍ଥିତିରେ ଭାରତର ଜାତୀୟ ସ୍ୱାର୍ଥ ଅନୁଯାୟୀ ସନ୍ତୁଳିତ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଧାର କରି ରଣନୀତି ଜାରି ରଖିବା ଭାରତ ପାଇଁ ଭଲ ହେବ । ଏହି ଜଟିଳ ବିଶ୍ୱ ପରିସ୍ଥିତିରେ ଭାରତ ଏହାର ସାମରିକ ରଣନୀତି ଓ ଅର୍ଥନୈତିକ ପ୍ରାଥମିକତାକୁ ଧ୍ୟାନରେ ରଖି ସ୍ଥିରତା ହାସଲ କରିବାରେ ଯଥେଷ୍ଟ ଆବଶ୍ୟକ ରହିଛି । ତେଣୁ ସଂକ୍ଷେପରେ କୁହାଯାଇପାରେ ବନ୍ଧୁମାନଙ୍କ ଉପରେ ବିଶ୍ୱାସ ବଜାୟ ରଖିବାର ଆବଶ୍ୟକତା ଅଛି ...!!!
ମୋ: ୯୦୪୦ ୧୫୧୪୭୫