ବିିଶ୍ୱ ଶାନ୍ତି ଦିବସର ଆହ୍ୱାନ 

ଏକଦା ସହାବସ୍ଥାନ ପାଇଁ ସଂଗ୍ରାମକରୁଥିବା ମାନବଜାତି ନିଜ ମୈାଳିକ ଆବଶ୍ୟକତା ପୂରଣ ହେଲା ପରେ ଯୁଦ୍ଧଖୋର ପାଲଟିଯାଇଛି । ମଣିଷର ଏହି ଯୁଦ୍ଧଘୋର ମାନସିକତା କ୍ରମେ ବ୍ୟାପକରୂପନେଇ ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟିକରିଛି । ଯାହାଫଳରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ,ପରିବାର ପରିବାର ମଧ୍ୟରେ ,ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ,ଜାତି ଜାତି ଓ ଧର୍ମ ଧର୍ମ ମଧ୍ୟରେ ଏବଂ ରାଷ୍ଟ୍ର ରାଷ୍ଟ୍ ମଧ୍ୟରେ ହିଂସା ,ଦ୍ୱୈଷ ,ଅହଂକାର ବଢିବାରେ ଲାଗିଛି । ଏହା ମାନବ ସଭ୍ୟତା ପାଇଁ କେବେବି ଶୁଭଙ୍କର ନୁହେଁ । ସେଥିପାଇଁ ମିଳିତ ଜାତିସଂଘ ସମଗ୍ର ବିଶ୍ୱରେ ଯୁଦ୍ଧ  ଓ ହିଂସାକୁ ନିୟନ୍ତ୍ରଣ କରିବା ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ୧୯୮୧ ମସିହାରେ ଏହାର ସାଧାରଣ ପରିଷଦ ବୈଠକରେ ବିଶ୍ୱ ଶାନ୍ତି ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହା ସେପ୍ଟେମ୍ବର ମାସର ତୃତୀୟ ମଙ୍ଗଳବାର ଦିନ ପାଳନ କରିବା ପାଇଁ ପ୍ରଥମେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ  ୨୦୦୧ ମସିହାରେ  ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସେହି ମାସର ୨୧ ତାରିଖକୁ ପରିବର୍ତ୍ତନ କରାଯାଇଥିଲା । ସେହିଦିନଠାରୁ ଏହି ତାରିଖକୁ ବିଶ୍ୱ ଶାନ୍ତି ଦିବସ ରୂପେ ପାଳନ କରାଯାଇଆସୁଛି । ଏହାର ମୂଳ ଲକ୍ଷ୍ୟ ହେଲା ଦେଶ ଦେଶ ମଧ୍ୟରେ ଦେଖାଦେଉଥିବା  ଯୁଦ୍ଧ ଓ ମାନବ ସଭ୍ୟତା ମଧ୍ୟରେ ଜାଗି ଉଠୁଥିବା ହିଂସାକୁ କିପରି ଏଡାଇ ଦିଆଯାଇପାରିବ ସେଥିପାଇଁ ଏକ ସଚେତନତା ସୃଷ୍ଟି କରିବା ଓ ଭ୍ରାତୃତ୍ୱ ଭାବ ଉଦ୍ରେକ କରିବା ।  ବିଶ୍ୱ ଶାନ୍ତିଦିବସ ପାଳନ କରିବାପାଇଁ ସ୍ୱପ୍ନ ଦେଖିଥିବା ମିଳିତ ଜାତିସଂଘରେ ଅବସ୍ଥାପିତ  ସେହି ବରିଷ୍ଠ ପଦାଧିକାରୀଙ୍କ ଏହି ପଦକ୍ଷେପ ନିଶ୍ଚୟ ପ୍ରଶଂସନୀୟ । 
ବିଂଶଶତାଦ୍ଧୀରେ ଘଟିଥିବା ଦୁଇ ଦୁଇଟି ବିଶ୍ୱଯୁଦ୍ଧର ବିଭୀଷିକା ସେମାନଙ୍କୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠାପାଇଁ ଏଭଳି ଉଦ୍ୟମ କରିବାପାଇଁ  ନିଶ୍ଚୟ  ପ୍ରବର୍ତ୍ତାଇଛି ।  ମାତ୍ର ୨୧ ବର୍ଷ ବ୍ୟବଧାନରେ ସଂଘଟିତ ଏହି  ଦୁଇ  ବିଶ୍ୱଯୁଦ୍ଧ  ମାନବ ସଭ୍ୟତାପାଇଁ ଯେଉଁ ଅକଳନୀୟ କ୍ଷତି ପହଂଚାଇଛି  ତାହା କେବେବି ଭରଣା ହୋଇପାରିବ ନାହିଁ । ଏହି ମହାସମରରେ ପ୍ରକୃତ କ୍ଷତି କେତେ ତାହା ଆକଳନ କରିବା ସଂପୂର୍ଣ ଅସମ୍ଭବ । ତଥାପି କିଛି ଆନ୍ତର୍ଜାତିକ ସଂଗଠନମାନଙ୍କ ଦ୍ୱାରା କରାଯାଇଥିବା ସର୍ବେକ୍ଷଣ ଯେଉଁ ତଥ୍ୟ ଦିଏ ଏହା ଅତ୍ୟନ୍ତ ହୃଦୟ ବିଦାରକ ।  ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାୟ ଦୁଇ କୋଟି ଲୋକଙ୍କ ଜୀବନହାନି ହୋଇଥିବାର କୁହାଯାଏ । ଯେଉଁଥିରେ ପ୍ରାୟ ଏକ କୋଟିରୁ ଊଦ୍ଧ୍ୱର୍ ସାଧାରଣ ନାଗରିକଙ୍କ ଜୀବନହାନି ଘଟିଥିଲା ।  ଅନୁରୂପ ଭାବରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ  ପ୍ରାୟ ସାତ କୋଟି ପଚାଶ ଲକ୍ଷରରୁ ଅଧିକ ଜୀବନ ହାନି ଘଟିଥିବା କୁହାଯାଏ । ଏହି ସଂଖ୍ୟା ଅବିକଳ ହୋଇ ନପାରେ । ଏହି ସଂଖ୍ୟା ଆହୁରି ଅଧିକ ହୋଇଥାଇପାରେ । ଏହି ବିଶ୍ୱଯୁଦ୍ଧରେ ପ୍ରାୟ ପାଂଚ କୋଟି ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ କୋଟି ସାମରିକ ବ୍ୟକ୍ତି ବିଶେଷଙ୍କ ମୃତ୍ୟୁ ହୋଇଥିବା ଜଣାପଡେ । ଏପରିକି ଏହି ମହାଯୁଦ୍ଧରେ କାରାଗାରରେ ବନ୍ଦୀ ଥିବା ପ୍ରାୟ ପଚାଶଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା । କେବଳ ୧୯୪୫ ମସିହା ଅଗଷ୍ଟ ୬ ଓ ୯ ତାରିଖରେ   ଜାପାନର ହିରୋସିମା ଓ ନାଗାସାକିରେ ଘଟିଥିବା ପରମାଣୁ ବୋମା ଆକ୍ରମଣରେ ଦୁଇ ଲକ୍ଷ ଛୟାଳିଶ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କର ପ୍ରାଣହାନି ଘଟିଥିଲା  । ଲକ୍ଷଲକ୍ଷ ଲୋକ ବିକଲାଙ୍ଗ ହୋଇଥିଲେ । ଏହାପରେ ମଧ୍ୟ ପରମାଣୁ ବୋମା ନିକ୍ଷେପଣ ଜନିତ ରାସାୟନିକ ପ୍ରତିକ୍ରିୟା ଫଳରେ ଦୀର୍ଘବର୍ଷ ଧରି ସେଠାରେ ମାନବ ସଭ୍ୟତା ଉପରେ କୁପ୍ରଭାବ ପଡିଛି । ଅନେକ ଧନ ସଂପତ୍ତି ନଷ୍ଟ ହୋଇଛି । ପରିବେଶ ପ୍ରଦୂଷିତ ହୋଇଛି । ଧ୍ୱଂସ ବିଧ୍ୱଂସ୍ତ  ହୋଇଥିବା ଜାପାନକୁ ପୁନଶ୍ଚ ମୁଣ୍ଡ ଟେକିବାକୁ  ଅନେକ ସମୟ ଲାଗିଛି । ଏହା ସହିତ କଠିନ ପରିଶ୍ରମ କରିବାକୁ ପଡିଛି ।  
 ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ଆଜକୁ ଅଣାଅଶୀ ବର୍ଷ ଅତିକ୍ରାନ୍ତ ହୋଇସାରିଛି । ଏହି ସମୟ ବ୍ୟବଧାନରେ କୈାଣସି ମହାସମର ସଂଘଟିତ ହୋଇପାରିନାହିଁ । ଏହାର ଶ୍ରେୟ  ନିଶ୍ଚିତଭାବରେ ମିଳିତ ଜାତିସଂଘର  । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଗଠିତ  ମିଳିତ ଜାତିସଂଘର  ବିଶ୍ୱରେ ଶାନ୍ତି ପ୍ରତିଷ୍ଠାପାଇଁ ଯେଉଁ ପ୍ରୟାସ ହୋଇଛି ,ତାହା ନିଶ୍ଚୟ ସଫଳ ହୋଇଛି ବୋଲି କହିବା । ଅବଶ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମଧ୍ୟ ଅନେକ ଯୁଦ୍ଧ ସଂଘଟିତ ହୋଇଛି । କିନ୍ତୁ ଏହା  ଦେଶ ଦେଶ ମଧ୍ୟରେ ସୀମିତ ରହିଛି । ରାଷ୍ଟ୍ରସମୂହର ସଂପୃକ୍ତି ହୋଇନାହିଁ । ଯଦିଓ କେତେବେଳେ କେଉଁ ଶକ୍ତିଶାଳୀ ରାଷ୍ଟ୍ର ଗୋଟିଏ ପକ୍ଷକୁ ସମର୍ଥନ କରିଥିଲେ ମଧ୍ୟ ଏହା ରାଷ୍ଟ୍ରଗୋଷ୍ଠୀ ଯୁଦ୍ଧର ରୂପ ନେଇପାରିନାହିଁ   ।  ଚୀନ ,ପାକିସ୍ଥାନ , ଭାରତ ,ଇରାନ ଓ ଇରାକ ପ୍ରଭୃତି ଦେଶରେ ଅନେକଥର  ଯୁଦ୍ଧ ସଂଘଟିତ ହୋଇଛି । ପୃଥିବୀ ଯଦିଓ ଯୁଦ୍ଧମୁକ୍ତ ହୋଇପାରିନାହିଁ  କିନ୍ତୁ ସୈାଭାଗ୍ୟର କଥା ଯେ ବିଶ୍ୱଯୁଦ୍ଧ ପାରବର୍ତ୍ତୀ ଯୁଦ୍ଧ ମହାସମରର ରୂପ ନେଇନାହିଁ । ଆଜି ଯଦି ବିଶ୍ୱଯୁଦ୍ଧ ସଂଘଟିତ ହେଲେ ପୃଥିବୀ ଧ୍ୱଂସ ହେବା ପାଇଁ ଗୋଟିଏ ମୁହୂର୍ତ୍ତ ମଧ୍ୟ ଲାଗିବ ନାହିଁ । ଅଶୀବର୍ଷ   ମଧ୍ୟରେ  ସାମରିକ ଜ୍ଞାନ କୈାଶଳର ଯେଉଁ ଉନ୍ନତି ଘଟିଛି । ଏହାର ପ୍ରୟୋଗ ହେଲେ ସମଗ୍ର ବିଶ୍ୱ ଛାରଖାର ହୋଇଯିବ । ଆଜି ଯୁକ୍ତରାଷ୍ଟ୍ର ଆମେରିକା,ଋଷିଆ ,  ଇଂଲଣ୍ଡ ,ଚୀନ ,ଜାପାନ  , ଫ୍ରାନ୍ସ  ,ଭାରତ ,ପାକିସ୍ଥାନ ଭଳି ଅନେକ ରାଷ୍ଟ୍ର ପରମାଣୁ ଶକ୍ତିର ଅଧିକାରୀ ହୋଇସାରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେପରେ ଦୁଇ ସୁପରପାୱାର ବୋଲାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷିଆ ମଧ୍ୟରେ ଯେଉଁ ଆଣବିକ ପ୍ରତିଯୋଗିତା ଲାଗିରହିଥିଲା ତାହା  ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ସୃଷ୍ଟି କରୁଥିଲା  । ଅବଶ୍ୟ ଏହି ପ୍ରତିଯୋଗିତା  ନବେ ଦଶକ ପରେପରେ ହ୍ରାସ ପାଇଛି । ଜାତିସଂଘର ଉଦ୍ୟମରେ ହେଉ ଅଥବା ପରମାଣୁ ଶକ୍ତିସଂପନ୍ନ ଦେଶମାନଙ୍କ ଅନୁତାପ ଯୋଗୁଁ ହେଉ  ସେମାନଙ୍କ ମଧ୍ୟରେ ହୋଇଥିବା ନିରସ୍ତ୍ରୀକରଣ ରାଜିନାମା ବିଶ୍ୱରେ ଶାନ୍ତି ସ୍ଥାପନର ଆଶ୍ୱାସନା ପ୍ରଦାନ କରିଛି  ।   ଯୁଦ୍ଧର ବିଭୀଷିକା କେତେ ଯନ୍ତ୍ରଣାଦାୟକ ଏହା ବିଶ୍ୱଯୁଦ୍ଧକୁ ସାମନା କରିଥିବା ଦେଶସମୂହ ଅବଶ୍ୟ ଉପଲବଧି କରିଛନ୍ତି । ଯୁଦ୍ଧ କେବଳ ପରାଜିତ ଦେଶର କ୍ଷତି କରେ ନାହିଁ ବିଜୟୀ ଦେଶର ମଧ୍ୟ କ୍ଷତି ଆଣିଥାଏ । ଜୀବନହାନି ସହିତ ବ୍ୟାପକ ସମ୍ବଳ ଓ ଧନ ସଂପତ୍ତି ନଷ୍ଟ ହୋଇଥାଏ । ଯୁଦ୍ଧଜନିତ ଆର୍ଥିକ ବୋଝ ସାଧାରଣ ଜନତାକୁ ହିଁ ବୋହିବାକୁ ପଡେ । ଦେଶର ଆର୍ଥିକ ଅବସ୍ଥା ଦୁର୍ବଳ ହୁଏ ।  ବିକାଶ ବାଧାପ୍ରାପ୍ତ ହୁଏ ।  ଆଣବିକଶକ୍ତିର ପ୍ରୟୋଗ ଦ୍ୱାରା କେବଳ ବିପକ୍ଷ ରାଷ୍ଟ୍ର କ୍ଷତିଗ୍ରସ୍ତ ହୁଏ ନାହ,ିଁ  ନିଜକୁ ମଧ୍ୟ ଏହି କ୍ଷତି ସହିବାକୁ ପଡେ । ଏହାର କୁପ୍ରଭାବ ବାୟୁମଣ୍ଡଳରେ ପଡୁଥିବା ଯୋଗୁଁ ଏହା ସମଗ୍ର ବିଶ୍ୱ ପାଇଁ କ୍ଷତି କରିଥାଏ ।  ତଥାପି ସଭ୍ୟ ସମାଜ ଯୁଦ୍ଧ ଓ ହିଂସାରୁ ମୁକ୍ତି ପାଇ ନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାରୁ ମାନବ ସଭ୍ୟତା ଏତିକି ଶିଖିରଖିବା ଉଚିତ ଯେ ସେମାନଙ୍କ ଅହଂଭାବ ଓ ଅପରିଣାମଦର୍ଶିତା ଯୋଗୁଁ  ପ୍ରକୃତିଦତ୍ତ ଏତେ ସୁନ୍ଦର ପୃଥିବୀ କ୍ଷଣକରେ ଶେଷ ହୋଇଯିବ । 
 ଆଜିବି  ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଦୀର୍ଘ ଦୁଇବର୍ଷ ଛଅମାସ ଅତିକ୍ରାନ୍ତ କରିସାରିଛି । ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ସୃଷ୍ଟି  କରିଥିବା ଏହି ଯୁଦ୍ଧ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି । ଜାତିସଂଘର ଚେତାବନୀ ସତ୍ତ୍ୱେ ଏହାର ପରିସମାପ୍ତି ଘଟିନାହିଁ । ହଜାରହଜାର ଲୋକଙ୍କ ପ୍ରାଣବାୟୁ ଯାଇସାରିଛି । ରାସାୟନିକ କ୍ଷେପଣାସ୍ତ୍ର ଗୁଡିକର ପ୍ରୟୋଗ ଯୋଗୁଁ ପରିବେଶର ବ୍ୟାପକ କ୍ଷତି ଘଟୁଛି । ସାଧାରଣ ଜନତା ସବୁବେଳେ ଅଶାନ୍ତିରେ କାଳକାଟୁଛନ୍ତି । ଏକବିଂଶ ଶତାଦ୍ଧୀରେ ବିଶ୍ୱ ଭ୍ରାତୃତ୍ୱଭାବ ସୃଷ୍ଟି ପାଇଁ ମିଳିତ ଜାତିସଂଘ ପ୍ରୟାସ ଜାରି ରଖିଥିବାବେଳେ,ଏହି ଯୁଦ୍ଧ ବିଶ୍ୱବାସୀଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରିଛି ।  ଯୁଦ୍ଧ ବ୍ୟତୀତ  ଆନ୍ତର୍ଜାତିକ ସନ୍ତ୍ରାସବାଦ ମଧ୍ୟ  ବିଶ୍ୱରେ ଅଶାନ୍ତି ସୃଷ୍ଟିର  ମୂଳଉତ୍ସ ପାଲଟି ଯାଇଛି  ।  ଅଲକାଏଦା  ଓ ଅନ୍ୟାନ୍ୟ ଚରମ ଆତଙ୍କବାଦୀ ସଂଗଠନ ଗୁଡିକ ଭାରତ ସମେତ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଆସୁଛନ୍ତି । କିଛି ଷଢଯନ୍ତ୍ରକାରୀ ରାଷ୍ଟ୍ର ଏହି  ଅମାନବୀୟ ସଂଗଠନ ମାନଙ୍କୁ  ଆର୍ଥକ ସହଯୋଗ ଦେବା ସହିତ ସେମାନଙ୍କୁ ନିଜ ମାଟିରେ ରହିବା ପାଇଁ ପ୍ରଶ୍ରୟ ଦେଉଥିବା ଯୋଗୁଁ ଏମାନଙ୍କ ଶକ୍ତି ବୃଦ୍ଧିଘଟିଛି । ଯାହାଫଳରେ ବିଶ୍ୱରେ ଅସ୍ଥିରତା ଓ ଆତଙ୍କ ସୃଷ୍ଟି କରିବାରେ ଏମାନଙ୍କୁ ସହଜ ହୋଇଛି । ବିଶେଷକରି ଭାରତ ଉପରେ ଏମାନଙ୍କ  ତୀକ୍ଷ୍ନ ଦୃଷ୍ଟି ରହିଛି । ୧୯୯୩ ମସିହାରେ ମୁମ୍ବାଇରେ ଆତଙ୍କ୍ବାଦୀ ଆକ୍ରମଣ ଆଜିବି ଲୋକଙ୍କୁ ଶିହରିତ କରିଥାଏ ।  ସୀମାପାର ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଆଜିବି ଭାରତରେ ଅସ୍ଥିରତା  ସୃଷ୍ଟି କରୁଛି ।  
୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାର ନ୍ୟୁୟର୍କ ସହରରେ ଥିବା ବିଶ୍ୱ ବାଣିଜ୍ୟକେନ୍ଦ୍ର ଉପରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ମାନବ ସମାଜର ନିଦ ହଜାଇଦେଇଥିଲା  । ଆମେରିକା ଭଳି ଏକ ଶକ୍ତିଶାଳୀ ଦେଶର ଗୁପ୍ତଚର ସଂସ୍ଥା ମଧ୍ୟ ସେମାନଙ୍କ ଷଢଯନ୍ତ୍ରର ସାମାନ୍ୟତମ ଟେର ପାଇପାରିନଥିଲା । ଏୟାରଲାଇନ୍ସର ଦୁଇ ଦୁଇଟି ବିମାନ ଅପହରଣ କରି କ୍ୃତି୍ରମ ବିମାନ ଦୁର୍ଘଟଣା କରି ଅଲକାଏଦା  ସମଗ୍ର ବିଶ୍ୱକୁ ଥରହର କରିଦେଇଥିଲା  । ଏହି ସନ୍ତ୍ରାସବାଦୀ ଆକ୍ରମଣ ଅବଶ୍ୟ ଆମେରିକାର ମାନସିକତାରେ କିଛି ପରିବର୍ତ୍ତନ ଆଣିପାରିଥିଲା । 
କିଛିଦିନ ତଳେ ବଙ୍ଗଳାଦେଶରେ ଘଟିଥିବା ହିନ୍ଦୁ ମୁସଲିମ ଦଙ୍ଗା ମଧ୍ୟ ଅଶାନ୍ତିର ବାତାବରଣ ସୃଷ୍ଟି କରିଛି । ଭାରତବର୍ଷରେ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନୁରୂପ ଭାବରେ ମଣିପୁରରେ ଦେଖାଦେଇଥିବା ହିଂସା ବର୍ତ୍ତମାନ ବି ନିର୍ବାପିତ  ହୋଇନାହିଁ । ଏପରି ପ୍ରତ୍ୟହ ହିଂସା ଓ ପ୍ରତିହିଂସା ସମାଜରେ ବଢିବଢି ଚାଲିଛି । ମହିଳାଙ୍କ ଉପରେ ମଧ୍ୟ ହିଂସା ଆଚରଣର ମାତ୍ରା ବଢିଛି ।  ଜାତି ଜାତି ଓ  ଧର୍ମ ଧର୍ମ ମଧ୍ୟରେ ବୁଝାମଣାର ଅଭାବ ଦେଶ ତଥା ବିଶ୍ୱରେ ଶାନ୍ତି ଭଙ୍ଗ କରିବା ସହିତ ବିଶ୍ୱ ଭ୍ରାତୃତ୍ୱଭାବକୁ ନଷ୍ଟ କରୁଛି । ପାରସ୍ପରିକ ବୁଝାମଣା ନହେଲେ ଏହା ସମଗ୍ର ବିଶ୍ୱ ପାଇଁ ଘାତକ ସାଜିପାରେ । ଝିମିଟିଖେଳରୁ ମହାଭାରତ ଯୁଦ୍ଧର ସୃଷ୍ଟି ହେଲାଭଳି ସାମାନ୍ୟ ବୁଝାମଣାର ଅଭାବ ଯେ ଆଉ ଏକ ବିଶ୍ୱଯୁଦ୍ଧର କାରଣ ନ ହେବ କିଏ କହି ପାରିବ ।  ଆଜି ମାନବ ଜାତି ହିଂସା ପରାୟଣ ହୋଇଉଠିଛି ।  ମଣିଷର ପ୍ରବୃତ୍ତ ଆସୁରିକ ହୋଇଉଠିଛି । ସାମାନ୍ୟ ସାମାନ୍ୟ କଥାରେ ରକ୍ତପାତ ହେଉଛି ।  ଅର୍ଥ ଓ କ୍ଷମତାର ଲୋଭରେ ମଣିଷ  ମାନବିକତାକୁ ପଦଦଳିତ କରୁଛି । ବନ୍ଧୁତା ଓ ଭାଇଚାରା ଉଭେଇଯାଇଛି । ସାଧୁତା ଓ ବିନମ୍ରତା  ଧୀରେ ଧୀରେ ଅପସରି ଯାଉଛି । କପଟତା ଓ ଷଢଯନ୍ତ୍ର ମାନବ ସମାଜକୁ ଗ୍ରାସକରିଛି । ଲୋକଙ୍କ ମାନସିକତାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି । ଶିକ୍ଷାର ଅଭିବ୍ୃଦ୍ଧି ଯେତିକି ଘଟିଛି କୁଶିକ୍ଷା ଓ ଅନୀତି ସେତିକି ସେତିକି ବଢିଛି । ସର୍ବଶକ୍ତିମାନ ଓ ସର୍ବଶ୍ରେଷ୍ଠ  ହେବାର ତୁମୁଳ ପ୍ରତିଯୋଗିତା ଭିତରେ ମଣିଷ ମଣିଷତ୍ୱକୁ ହଜାଇ ଦେଇଛି । ସାମ୍ରାଜ୍ୟବାଦୀ ଚିନ୍ତାଧାରା ମଣିଷକୁ ଅହଂକାରୀ କରିଦେଇଛି ।  ଆଗକୁ ଏହି ଧାରା ଅବ୍ୟାହତ ରହିଲେ  ପୃଥିବୀ ତିଷ୍ଠି ରହିବା ଅସମ୍ଭବ ।  
ଏକବିଂଶ ଶତାଦ୍ଧୀର ବିଶ୍ୱ ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ସମୃଦ୍ଧ । ମୈାଳିକ ଆବଶ୍ୟକତା ପୂରଣ ପାଇଁ ବିଜ୍ଞାନର ପ୍ରୟୋଗ କରୁକରୁ ମାନବସମାଜ ଭିତରେ ଧ୍ୱଂସାତ୍ମକ ଇଛା ଜାଗି ଉଠିଛି ।  ମାନବକଲ୍ୟାଣ ପାଇଁ ଉଦ୍ଧିଷ୍ଟ ବିଜ୍ଞାନ ଓ କାରିଗରୀ କୌଶଳର ଅପବ୍ୟବହାର ହେତୁ ଅନେକ ଧ୍ୱଂସାତ୍ମକ ଉଦ୍ଭାବନ ବି ଘଟିଛି । ଅତ୍ୟାଧୁନିକ କ୍ଷେପଣାସ୍ତ୍ର , ରକେଟ ,ଜୀବାଣୁବୋମା , ପରମାଣୁ ବୋମାରେ ସୁସଜ୍ଜିତ ରାଷ୍ଟ୍ରସମୂହ ସାମାନ୍ୟ ଉତ୍ତେଜନା ପ୍ରବଣହେଲେ ଜୀବଜଗତ ସଂପୂର୍ଣ ଧ୍ୱଂସସ୍ତୁପରେ ପାଲଟିଯିବ । ଏହିଘଡିସନ୍ଧି ମୁହୂର୍ତ୍ତରେ ଆଜି ବିଶ୍ୱ ଶାନ୍ତି ଦିବସ ପାଳନ ଅନେକ ଗୁରୁତ୍ୱବହନ କରୁଛି । ଯୁଦ୍ଧ ଓ ହିଂସା କେବଳ ପ୍ରଳୟ ରଚିଥାଏ । ମିତ୍ରତା  ଓ ଅହିଂସା ହିଁ  ବଂଚିବାର ଅସଲ ମାର୍ଗ । ବିଶ୍ୱର ସମସ୍ତ ରାଷ୍ଟ୍ର ନାୟକ ,ବୁଦ୍ଧିଜୀବୀ , ଦାର୍ଶନିକ ,ବୈଜ୍ଞାନିକ ,ସାହିତି୍ୟକ ,ସମାଜ ସଂସ୍କାରକ ଏକମନ ଏକପ୍ରାଣ ହୋଇ ବିଶ୍ୱକୁ ବଂଚାଇବା ପାଇଁ ଆଗଭର ହେବାକୁ ପଡିବ । ଆମ ଭିତରେ ଥିବା ମତାନ୍ତର ବା ମନାନ୍ତରକୁ ଭୁଲି ଏକତାର ସୁତ୍ରରେ କାର୍ଯ୍ୟକରିବାକୁ ହେବ ।  ପରିବେଶ ପ୍ରଦୂଷଣ ଆଜି ଏକ ଭୟଙ୍କର ପରିସ୍ଥିତିରେ  ପହଂଚିଥିବାବେଲେ ଆମ  ପାରସ୍ପରିକ ସଂପର୍କ ଆହୁରି ପ୍ରଦୂଷିତ ହେଲେ ସଚାରଚର ପୃଥବୀ ବଂଚିବା କଷ୍ଟସାଧ୍ୟ ହୋଇପଡିବ । ପ୍ୃଥିବୀ ବଂଚିଲେ ହିଁ ଆମେ ବଂଚିବା । ଅତୀତରେ ବିଶ୍ୱଯୁଦ୍ଧର ବିପର୍ଯ୍ୟୟକୁ ବାରମ୍ବାର ସମୀକ୍ଷାକରି ବିଶ୍ୱଭ୍ରାତୃତ୍ୱଭାବ ଜାଗରଣ କରିବା ଆମ ସମସ୍ତଙ୍କ ପ୍ରୟାସ ହେଉ  । ପ୍ରତିଯୋଗିତା ନୁହେଁ ମାନବିକତା ଆମର  ଧର୍ମ ହେଉ । ଯୁଦ୍ଧ ନୁହେଁ ବନ୍ଧୁତା ହିଁ ଆମର ଧ୍ୟେୟ ହେଉ  । ଖୋଲା ମନ ଖୋଲା ହୃଦୟରେ  ମାନବିକତାର ବନ୍ଦନା କଲେ ମଣିଷ ଜାତିର ଅନେକ ପ୍ରଗତି ହେବ । ଡିଜିଟାଲ ଦୁନିଆରେ ଆଜି ସମଗ୍ର ବଶ୍ୱ ଏକ ଗାଁ ହୋଇଯାଇଛି । ଜାତୀୟତାବାଦ ରହିବା ଉଚିତ କିନ୍ତୁ ଉଗ୍ର ଜାତୀୟତାବାଦ ମଧ୍ୟ ଆନ୍ତର୍ଜାତୀୟବାଦ ପାଇଁ ଶୁଭଙ୍କର ନୁହେଁ । ଆମ ଚିନ୍ତାଧାରା ବ୍ୟାପକହେଲେ  ନିଶ୍ଚୟ   ପ୍ରାକୃତିକ ରୂପ ଲାବଣ୍ୟ ବିମଣ୍ଡିତା  ବିଶ୍ୱ ପୁନଶ୍ଚ ଖିଲିଖିଲି ହୋଇ ହସି ଉଠିବ । 
                  ଗୋଡାଲ, ସିନାପାଲି ,ନୂଆପଡା 
                ମୋ -୮୦୧୮୧୮୦୩୮୧