ପ୍ରଣୟ କବି ମାୟାଧର ମାନସିଂହ
ଓଡ଼ିଆ ସାହିତ୍ୟ ଜଗତରେ କବିବର ରାଧାନାଥ ରାୟଙ୍କ ପରବର୍ତ୍ତୀ ପିଢ଼ିର ପ୍ରସିଦ୍ଧ ରୋମାଣ୍ଟିକ କବିଙ୍କ କଥା ଉଠିବା ମାତ୍ରକେ ମନେପଡ଼ନ୍ତି ପ୍ରଣୟ କବି ଡ.ମାୟାଧର ମାନସିଂହ । ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଶିକ୍ଷା କ୍ଷେତ୍ରର ସଫଳ ସ୍ରଷ୍ଟା । ସ୍ୱ-ଭାଷା ଛଡ଼ା ସଂସ୍କୃତ, ଇଂରେଜୀ, ବଙ୍ଗଲା ଆଦି ଏକାଧିକ ଭାଷାରେ ତାଙ୍କର ପ୍ରବେଶ ଥିଲା । ସଂଘର୍ଷମୟ ଜୀବନରେ ପେଟ ପାଇଁ ନାନା ବୃତ୍ତି ଅବଲମ୍ବନ କରିବାକୁ ପଡ଼ିଥିଲା । ଘରୋଇ ଟୁ୍ୟସନ୍ ସାରରୁ ବିଦ୍ୟାଳୟ ଶିକ୍ଷକ, ମହାବିଦ୍ୟାଳୟ ଅଧ୍ୟାପକ, ଇଷ୍ଟର୍ନ ଷ୍ଟେଟ ପ୍ରୌଢ଼ ଶିକ୍ଷା ପରାମର୍ଶଦାତା, ପ୍ରୌଢ଼ ଶିକ୍ଷା ଅଧିକାରୀ, ସ୍କୁଲ ସବ୍ ଇନ୍ସପେକ୍ଟର ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ । ଚାକିରି ଜୀବନରେ ନାନା ଉତ୍ଥାନ ପତନ ମଧ୍ୟରେ ଗତି କରିଥିଲେ । ହେଲେ କେବେ ହେଲେ ନୀତି ଆଦର୍ଶ ବିଚୁ୍ୟତ ହୋଇ ନଥିଲେ ଡ.ମାୟାଧର । ସେ ସ୍ୱାଧୀନଚେତା ବ୍ୟକ୍ତିତ୍ୱ । ତାଙ୍କର ଘଟନା ବହୁଳ ସଂଘର୍ଷମୟ ଜୀବନର ଚିତ୍ର ହେଉଛି, ତାଙ୍କ ଦ୍ୱାରା ରଚିତ ଶିକ୍ଷାବିତ୍ ଗାଥା । ଅନେକଙ୍କ ମତରେ ବିଭିନ୍ନ କ୍ଷେତ୍ରରେ ପଦ ଚିହ୍ନ ଛାଡ଼ିଯାଇଥିଲେ ହେଁ ତାଙ୍କର କବି ଜୀବନ ସବୁଠାରୁ ପ୍ରତିଷ୍ଠିତ । ସେ ବହୁମୁଖୀ ସାହିତି୍ୟକ ପ୍ରତିଭା ।
ଏକାଧାରରେ କବି, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ, ସମାଲୋଚନା, ସଂପାଦକ ଆଦି । ଗୀତି କବିତା, ଚତୁର୍ଦଶପଦୀ, କବିତା, ଗାଥା କବିତା, ଶୋକ କବିତା ଆଦି ପାଶ୍ଚାତ୍ୟ କାବ୍ୟ ରୀତିକୁ ସେ ଓଡ଼ିଆ ସାହିତ୍ୟରେ ଲୋକପ୍ରିୟ କରାଇଥିଲେ । ଡ.ମାୟାଧରଙ୍କ କବି ଜୀବନ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଆରମ୍ଭ ହୋଇଥିଲା । ବାରବାଟୀ ତାଙ୍କର ପ୍ରଥମ ପ୍ରକାଶିତ କବିତା । ଧୂପ, ହେମଶସ୍ୟ, ହେମପୁଷ୍ପ, ସିନ୍ଧୁ ଓ ବିନ୍ଦୁ ଆଦି ତାଙ୍କର ପ୍ରସିଦ୍ଧ କବିତା ସଂକଳନ । ଇଂରାଜୀ ଭାଷାରେ ସେ ବହୁ ପୁସ୍ତକ ରଚନା କରି ଓଡ଼ିଶାକୁ ଓଡ଼ିଶା ବାହାରେ ଚିହ୍ନାଇଥିଲେ । ଡ.ମାୟାଧର ମାନସିଂହ ପ୍ରାୟ ସାତ ବର୍ଷ ସମ୍ବଲପୁରର ଗଙ୍ଗାଧର ମେହେର କଲେଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଥିଲେ । ଏହି କାଳରେ ଉକ୍ତ କଲେଜକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ କରିଥିଲେ । ସରକାରୀ ଚାକିରିରୁ ଅବସର ପରେ ସାହିତ୍ୟକୁ ପୂର୍ଣ୍ଣ ସମୟ ଦେଇଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟ ଦ୍ୱାରା ନିଯୁକ୍ତ ହୋଇ ଏନ୍ସାଇକ୍ଲୋପିଡ଼ିଆ ବ୍ରିଟାନିକା ଢ଼ାଞ୍ଚାରେ ଓଡ଼ିଆ ଜ୍ଞାନକୋଷ ସଂକଳନ କାର୍ଯ୍ୟ ହାତକୁ ନେଇଥିଲେ । ତେବେ, ନାନା ସମସ୍ୟା ଯୋଗୁଁ ଚାରି ଖଣ୍ଡରେ ବିଭକ୍ତ ଏକ ସଂକ୍ଷିପ୍ତ ଜ୍ଞାନକୋଷ ପ୍ରସ୍ତୁତ କରିପାରିଥିଲେ । ୧୯୦୫ ନଭେମ୍ବର ୧୩ ତାରିଖରେ ନନ୍ଦଳା ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା ।
ବାଦଲ ଭୂୟାଁ