ବ୍ରହ୍ମବରଦା ବଜାରଘାଟ ବ୍ରିଜ୍ : ମୁଣ୍ଡ ନେବ ଗଦା ଗଦା ବାଲ
ବ୍ରହ୍ମବରଦା : ରସୁଲପୁର ବ୍ଲକ୍ ବ୍ରହ୍ମବରଦା ବଜାରଘାଟ ବ୍ରିଜ୍ ଏବେ ଦୁର୍ଘଟଣା ଜୋନ୍ ପାଲଟିଛି । ବ୍ରିଜ୍ ଉପରେ ଗଦା ଗଦା ବାଲି ଦୁର୍ଘଟଣାକୁ ହାତଠାରି ଡାକୁଥିବା ବେଳେ, କେତେ ବେଳେ ଯେ କାହା ମୁଣ୍ଡ ନେବ ତାହା କହିହେବନି । ଯାହା ସମସ୍ତଙ୍କ ଚିନ୍ତା ବଢାଇଛି । ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ବ୍ରାହ୍ମଣୀ ନଦୀରେ ବ୍ରହ୍ମବରଦା ବଜାରଘାଟ ବ୍ରିଜ୍ ରହିଛି । ଉକ୍ତ ବ୍ରିଜ୍ ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡିମଟର ଯିବାଆସିବା କରିଥାନ୍ତି । କିନ୍ତୁ ରସୁଲପୁର ତହସିଲ ଅଧିନ ଅଭିଭକ୍ତ ବ୍ରହ୍ମବରଦା ପଞ୍ଚାୟତର ବ୍ରାହ୍ମଣୀ ନଦୀରେ ଥିବା ବିଭିନ୍ନ ବେଆଇନ ବାଲି ଘାଟରୁ ସହ ସହ ସଂଖ୍ୟାରେ ଟ୍ରାକ୍ଟର, ହାଇବା ପରି ଭାରିଯାନ ଗୁଡିକ ବାଲି ବୋଝେଇ କରି ଉକ୍ତ ବ୍ରିଜ୍ ଦେଇ ଦିନରାତି ଅବାଧରେ ଯାତାୟତ କରନ୍ତି । କ୍ଷମତା ଠାରୁ ଅଧିକ ବା ଓଭରଲୋଡିଂ ସାଙ୍ଗକୁ ଅଧିକାଂଶ ଗାଡିରେ ପାଲ ବନ୍ଧା ଯାଉ ନଥିବାରୁ ଡାଲାରୁ ବାଲି ସବୁ ଖସି ବ୍ରିଜ୍ ଉପରେ ଗଦା ହେଉଛି । ଯାହାଦ୍ୱାରା ସାଇକଲ କିମ୍ବା ବାଇକ ଆରୋହି ଉକ୍ତ ବ୍ରିଜ୍ ଉପର ଦେଇ ଯିବା ଆସିବା କରିବା ସମୟରେ କୁଢ କୁଢ ବାଲି ସଂସ୍ପର୍ଶରେ ଆସି ଚକ ସ୍ଲିପ୍ କରିବା ଦ୍ୱାରା ଦୁର୍ଘଟଣାର ସମୂଖୀନ ହେଉଛନ୍ତି । ଏହାଛଡ଼ା ବ୍ରିଜର ଉଭୟ ପାର୍ଶ୍ୱରେ ସ୍କୁଲ, କଲେଜ, ବଜାର ଆଦି ଥିବାରୁ ଛାତ୍ରୀଛାତ୍ର ଓ ପଥଚାରୀ ମଧ୍ୟ ବ୍ରିଜ୍ ଦେଇ ଗଲାବେଳେ ବ୍ରିଜ ଉପରୁ ବାଲି ଉଡି ସେମାନଙ୍କ ଆଖି କାନରେ ପଶିବା ଦ୍ୱାରା ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି । ଗତ କିଛିଦିନ ପୂର୍ବରୁ ଏକ ଦ୍ରୁତଗାମୀ ଟ୍ରକ ଗୋଟିଏ ଅଟୋକୁ ଉକ୍ତ ବ୍ରିଜ୍ ଉପରେ ସାଇଡ ମାରିଥିଲା । କିନ୍ତୁ ସୌଭାଗ୍ୟ ବଶତଃ ଅଟୋରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତୀ ଯାଇଥିଲେ । କିନ୍ତୁ ଦୀର୍ଘ ଦିନଧରି ବ୍ରିଜ୍ ଉପରେ ଏପରି ଗଦା ଗଦା ବାଲି ଜମି ରହୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଗୁଡିକ ସଫା କରାଯାଉନାହିଁ ।
ବାରମ୍ବାର ଦୃଷ୍ଟି ଆକର୍ଷଣ ପରେବି କେହି କର୍ଣ୍ଣପାତ କରୁନଥିବା ଉଭୟପାର୍ଶ୍ୱର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବ୍ରହ୍ମବରଦା ବଜାରଘାଟ ବ୍ରିଜ୍ ଉପରେ ବର୍ଷ ବର୍ଷ ଧରି ଏପରି ଗଦାଗଦା ମାଟି ମିଶା ବାଲି ଜମିବା ଦ୍ୱାରା ବ୍ରିଜ୍ରର ସ୍ଥାୟିତ୍ୱକୁ ନେଇ ଏବେ ପ୍ରଶ୍ନ ଉଠିଛି । ତା ଛଡା ବ୍ରିଜର ଉଭୟପାର୍ଶ୍ୱର ବାଡାରୁ କଙ୍କ୍ରିଟ୍ ସବୁ ଝଡ଼ି ପଡିଥିଲେ ମଧ୍ୟ ତାହାର ମରାମତି ହେଉନି । ଏହା ବ୍ୟତୀତ ବ୍ରିଜର ପାର୍ଶ୍ୱବର୍ତୀ ଅଂଚଳରୁ ବେଆଇନ୍ ଭାବେ ବାଲି ଖନନ ହେଉଥିବାରୁ ବ୍ରିଜ୍ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି । ତେଣୁ ତୁରନ୍ତ ବ୍ରିଜ୍ ଉପରୁ ବାଲି ଗୁଡିକ ସଫା କରିବା ସହ ବାଡା ଗୁଡିକ ମରାମତି କରିବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।