କୃଷ୍ଣବଳରାମଙ୍କ ଅଶ୍ୱମେଧ ଯଜ୍ଞ


ଦିନେ ବଳରାମ ଶ୍ରୀକୃଷ୍ଣଙ୍କୁ  ଡାକି କହିଲେ ଏ ପୃଥିବୀରେ ଆମ୍ଭେ ଯୁଦ୍ଧରେ ଅନେକ ହତ୍ୟା କରି ଧର୍ମସ୍ଥାପନ କଲେ ମଧ୍ୟ ହତ୍ୟା ଦୋଷରେ ଦୋଷୀ  ହୋଇପଡିଛେ  । ତେଣୁ ହତ୍ୟା ଦୋଷମାନ ପାର ହେବା ପାଇଁ ଅଶ୍ୱମେଧ ଯଜ୍ଞର ଆୟୋଜନ କରିବା  । ଜ୍ୟେଷ୍ଠ ଭ୍ରାତାଙ୍କ କଥାରେ ଶ୍ରୀକୃଷ୍ଣ ଅଶ୍ୱମେଧ ଯଜ୍ଞର ଆୟୋଜନ କଲେ  ।  ମକର ମାସ ଶୁକ୍ଳପକ୍ଷ ଦ୍ୱିତୀୟାତିଥି ଶ୍ରବଣାନକ୍ଷତ୍ର ଓ ବୃହସ୍ପତି ବାରରେ ସକଳ ମୁନିଋଷିମାନଙ୍କ ଗହଣରେ ଯଜ୍ଞ ଆରମ୍ଭ ହେଲା  । ଶ୍ରୀକୃଷ୍ଣ ଯଜ୍ଞଶାଳର ‘ଦ୍ୱାରରକ୍ଷା ଭାର ଅର୍ଜୁନ ଉପରେ ଦେଇ ଭିତରେ ରହିଲେ  । ଯଜ୍ଞ ଆରମ୍ଭର ତୃତୀୟ ଦିନରେ  ବିସୁକଳ୍ପ ନାମକ ଏକ ବ୍ରାହ୍ମଣ ଶ୍ରୀକୃଷ୍ଣଙ୍କୁ ଦେଖା କରିବା ପାଇଁ ଆସିଲେ  । ବ୍ରାହ୍ମଣ କହିଲେ ତାଙ୍କ ପତ୍ନୀ ଛଅଟି ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ, କିନ୍ତୁ ପ୍ରତ୍ୟେକ ସନ୍ତାନ ଜନ୍ମ ହେବା ମାତ୍ରେ ଅନ୍ତୁଡିଶାଳରୁ ଅନ୍ତର୍ଦ୍ଧାନ ହୋଇଯାଉଥିଲେ  । ଏବେ ତାଙ୍କର ପତ୍ନୀ ଗର୍ଭବତୀ ଅଟନ୍ତି  । ତାଙ୍କର ପ୍ରସବ ସମୟ ନିକଟ ହେବାରୁ ସେ ଶ୍ରୀକୃଷ୍ଣଙ୍କୁ ନିକଟକୁ ଗୁହାରି କରିବାକୁ ଆସିଛନ୍ତି  ଯେପରି ଏହି ନବଜାତକ ସନ୍ତାନଟି ପୂର୍ବ ସନ୍ତାନମାନଙ୍କ ପରି ଉଭାନ ହୋଇନଯାଏ  ।  ଅଜୁର୍ନ କହିଲେ- ଶ୍ରୀକୃଷ୍ଣ ଯଜ୍ଞ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି  । ସେ ନିଜେ ବ୍ରାହ୍ମଣଙ୍କ  ଘରକୁ ଯାଇ ପ୍ରସବଗୃହ ନିକଟରେ ଜଗି ରହି ତାଙ୍କ ସନ୍ତାନକୁ ରକ୍ଷା କରିବେ  । ଯଦି ସେ ତାଙ୍କ ପୁତ୍ରକୁ ରକ୍ଷା କରି ନପାରିବେ, ତେବେ ଅଗ୍ନିରେ ଝାସ ଦେବେ  । 
ଅର୍ଜୁନଙ୍କ କଥାରେ ବ୍ରାହ୍ମଣ ସମ୍ମତ ହୋଇ ନିଜ ଘରକୁ ତାଙ୍କ (ଅର୍ଜୁନଙ୍କ) ସହିତ ଫେରି ଆସିଲେ  । ଅର୍ଜୁନ ଧନୁଶସ୍ତ୍ର ଧରି ବ୍ରାହ୍ମଣର ପ୍ରସବ ଗୃହ ଦ୍ୱାରରେ  ଜଗି ରହିଲେ  । ଯଥା ସମୟରେ ବ୍ରାହ୍ମଣୀ ପୁତ୍ର ପ୍ରସବ କଲେ  । ପୁତ୍ରର କୁଆଁ କୁଆଁ  ରାବ ଶୁଭିଲା, ମାତ୍ର ପୂର୍ବପରି ସେ ଶିଶୁ ପୁତ୍ରଟି କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା  । ଏହା ଦେଖି ବ୍ରାହ୍ମଣ ବ୍ରାହ୍ମଣୀ କାନ୍ଦି କାନ୍ଦି ଅର୍ଜୁନକୁ ଧିକ୍କାର କରିବାରେ ଲାଗିଲେ  । ଅର୍ଜୁନ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଲେ ଓ ଗ୍ଳାନିବୋଧରେ ଅତିଷ୍ଠ ହୋଇ ନିଜ ସତ୍ୟ ପାଳନ ପାଇଁ ଅଗ୍ନିରେ ଝାସ ଦେବା ପାଇଁ ବାହାରିଲେ  ।
ଅର୍ଜୁନଙ୍କ ଅଗ୍ନିରେ ଝାସ ଦେବା ଖବର ଡଗର ଠାରୁ ଶ୍ରୀକୃଷ୍ଣ ପାଇ ଯଜ୍ଞଶାଳାରୁ ତାଙ୍କ ନିକଟକୁ ଉଠି ଆସିଲେ  । ତାଙ୍କ ପୁତ୍ରମାନଙ୍କୁ ଫେରାଇ ଆଣିବାକୁ ବ୍ରାହ୍ମଣଙ୍କୁ ପ୍ରତିଶ୍ରୁତି ଦେଇ ଅର୍ଜୁନକୁ ଧରି ପାତାଳ ବୈକୁଣ୍ଠକୁ ଯାତ୍ରା କଲେ  । ସମ୍ମୁଖରେ ସୁବର୍ଣ୍ଣମୟପୁର ଦେଖି ଅର୍ଜୁନ ପଚାରିଲେ ପ୍ରଭୁ ! ୟେ କେଉଁ ପୁର ? ମାଧବ କହିଲେ ଏ ହେଉଛି ପାତାଳ ବାରସ୍ୱତୀ ଭୂବନ  । ଏହିପରି ଈଶ୍ୱରଙ୍କର ତିନିପୁର ରହିଛି  । ଯେ ବିଷ୍ଣୁ ସେ ଶଙ୍କର  । ପାତାଳ ବାରସୂତୀ ଭୂବନରେ ଶ୍ରୀବିଷ୍ଣୁନାଥ ବାସ କରନ୍ତି  ।  ଅର୍ଜୁନ ଭିତରକୁ ଯାଇ ଦେଖିଲେ କଣୟ ସିଂହାସନରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି ଶ୍ରୀବିଷ୍ଣୁନାଥ ଧ୍ୟାନମୁଦ୍ରାରେ ବସିଛନ୍ତି  । ଗୋବିନ୍ଦ ଓ ଅର୍ଜୁନ ଶ୍ରୀବିଷ୍ଣୁନାଥଙ୍କ ପ୍ରଣାମ କରିବାରୁ ସେ କହିଲେ- କେବଳ ଅର୍ଜୁନକୁ ଧରିଆସିଲା, ବଳରାମ କାହାନ୍ତି ? ତୁମେ ତ ପୃଥୀଭାର ନିବାରଣ କଲ ଏବେ ସେଠାରେ କାହିଁକି ରହିଛ ? ପୃଥୀର ଭାରା ଭାର ନିବାରଣ ନିମିତ୍ତ ଦେବତାମାନଙ୍କ ଅନୁରୋଧରେ ମୋ ଦେହରୁ ଗୋଟେ ଶୁକ୍ଳବର୍ଣ୍ଣ ରୋମ ଓ ଗୋଟିଏ କୃଷ୍ଣବର୍ଣ୍ଣ ରୋମ ଉପାଡି ପକାଇଲି  । ତେଣୁ ବଳରାମ ଶୁକ୍ଳବର୍ଣ୍ଣ ଓ ଶ୍ରୀକୃଷ୍ଣ କୃଷ୍ଣବର୍ଣ୍ଣ ସ୍ୱରୂପ ଧାରଣ କରି ପୃଥୀର ଭାର ନିବାରଣ କରି ଫେରିଆସିବା କଥା  । ଏହି କଥାକୁ କ’ଣ ଭୋଗ ବିଳାସରେ ରହି ପାଶୋରି ପକାଇଲ ? ତୁମ୍ଭେମାନେ ଏଠିକୁ ଫେରିଆସିବା କଥା ମନେ ପକାଇ ଦେବା ପାଇଁ ବ୍ରାହ୍ମଣର ପୁତ୍ରମାନଙ୍କୁ ମୁଁ ନେଇ ଆସିଥିଲି  ।  ଏବେ ପୁତ୍ରମାନଙ୍କୁ ନେଇ ବାହୁଡିଯାଅ ଓ ଶୀଘ୍ର ଫେରିଆସ  । ଦ୍ୱାପର ଯୁଗ ଶେଷ ହେବାକୁ ବସିଲାଣି  । ତୁମ୍ଭେମାନେ ସେଠାରେ ରହିଲେ କଳିଯୁଗ କିପରି ଭୋଗ ହେବ ? ଶ୍ରୀକୃଷ୍ଣ କହିଲେ- ଯଦୁବଂଶର ବିନାଶ କରି ମୁଁ ଶୀଘ୍ର ଫେରିଆସିବି  ।  ଶ୍ରୀ ବିଷ୍ଣୁନାଥଙ୍କୁ ପ୍ରଣାମ କରି ହରି ଅର୍ଜୁନ ବ୍ରାହ୍ମଣର ପୁତ୍ରମାନଙ୍କୁ ସାଙ୍ଗରେ ଧରି ଦ୍ୱାରକା ଯାତ୍ରା କଲେ  । ଶ୍ରୀକୃଷ୍ଣ ଅର୍ଜୁନ ପାତାଳ ଭୁବନକୁ ଯିବା ପରେ ଦ୍ୱାରକାରେ ଯଜ୍ଞ ରକ୍ଷା କରିବାକୁ କେହି ନଥାନ୍ତି  ।  ବସୁଦେବ ଶକ୍ରାଜିତ ଓ ଉଦ୍ଧବକୁ ଯଜ୍ଞ ରକ୍ଷାର ଭାର ଦେଇଥାନ୍ତି  । ଯଜ୍ଞ ଚାଲିଥାଏ  । ମାର୍କଣ୍ଡ ଓ ବଶିଷ୍ଠ ଋଷି ବେଦଧ୍ୱନି ଧରି ଆହୁରି ପ୍ରଦାନ କରିଥାନ୍ତି  । ବେଧଧ୍ୱନିରେ ବସୁମତୀ କର୍ମ ଉଠୁଥାଏ  ।  ଦେବର୍ଷି ନାରଦ ଭାବିଲେ ଗୋବିନ୍ଦଙ୍କର କି କଥା ? ଯଜ୍ଞକୁ ସବୁ ମୁନିଋଶଷିଙ୍କୁ ନିମନ୍ତ୍ରଣ କଲେ, ହେଲେ ତାଙ୍କୁ ଡାକିଲେ ନାହିଁ  । ହଉ !  କିପରି ହରି ଶୁଭ ଶୁଭରେ ଯଜ୍ଞ ସମାପନ କରିବେ ଦେଖିବା  । ଏହା ବିଚାର କରି ନାରଦ ମହର୍ଷି ଯାଇ ଶୋଣିତ ନଗ୍ରରେ ପହଞ୍ଚôଲେ  । ଶୋଣିତ ନଗ୍ରର ରାଜା କଦମ୍ବାସୁର ନାରଦଙ୍କୁ ଦେଖି ତାଙ୍କର  ପାଦପୂଜା ସହ ପ୍ରଣାମ କରି ଦିବ୍ୟ ଆସନରେ ବସାଇ କୁଶଳ ଜିଜ୍ଞାସା କଲା  ।
ଦେବର୍ଷି ନାରଦ କହିଲେ ତୋ ପିତାର ବଇରି ଦାମୋଦର ଅଶ୍ୱମେଧ ଯଜ୍ଞ କରୁଛନ୍ତି  । କଥାରେ ଅଛି ବଳବୀର୍ଯ୍ୟ ଥିଲେ ପିତାର ଶତ୍ରୁକୁ ପୁତ୍ର ନିରୋଧ କରିଥାଏ  । ପୁତ୍ର ହୋଇ ଯେବେ ପିତାକୁ କାରଣ କରନ୍ତି, ସେ ଯମ ଭୁବନରେ ଦଣ୍ଡ ପାଇଥାନ୍ତି  । ପିତା କଇଁ କାରଣ ନକଲେ ନର୍କଗତି ପ୍ରାପ୍ତ ହୋଇଥାଏ  । ଯୁଗ ଯୁଗେ ଦାମୋଦର ହେଉଛନ୍ତି ତୋ ବଂଶର ବଇରି  । ତାହା କହୁଛି ଅସୁରେଶ୍ୱର ଶୁଣ  । ତୋ ପିତାଙ୍କୁ କୃଷ୍ଣ ବଧ କରିଥିଲେ  । ତୋ ପୂର୍ବ ବଂଶଧର ଶଙ୍କାସୁରକୁ ନାରାୟଣ ମୀନରୂପ ଧାରଣ କରି ମାରିଥିଲେ  । ତାଙ୍କ ପୁତ୍ର ଅବନି ଦ୍ୱୈତକୁ କର୍ମରୂପରେ ବିନାଶ କରିଥିଲେ  । ଅବନି ଦୈତ୍ୟର ପୁତ୍ର ହିରଣାକ୍ଷକୁ ବରାହ ଅବତାରରେ ଶ୍ରୀବତ୍ସ ବଧ କଲେ  । ହରିଣାକ୍ଷର ଭାଇ ହିରଣ୍ୟକଶିପୁକୁ ନରସିଂହ ରୂପ ଧାରଣ କରି ବିଦାରଣ କରିଥିଲେ  । କେବଳ ହିରଣ୍ୟ କଶିପୁର ସନ୍ତାନ କୃଷ୍ଣଭକ୍ତ ଥିବାରୁ ସେହି ପ୍ରହଲ୍ଲାଦକୁ ରକ୍ଷା କରିଥିଲେ  । ପ୍ରହଲ୍ଲାଦର ପୁତ୍ର ବଇଲୋଚନକୁ ସ୍ତ୍ରୀ ରୂପେ ବିନାଶ କଲେ   । ବଇଲୋଚନ ପୁତ୍ର ବଳୀକୁ ବାମନ ଅବତାରରେ ପାତାଳକୁ ଚାପି ଦେଲେ  । ବଳୀର ପୁତ୍ର ବାଣାସୁରର ନବଶତ ଅଠାନବେ ଭୂଜ ଛେଦନ କରି ତାହାକୁ ବିକଳାଙ୍ଗ କରି ଦେଇଥିଲେ  । ପୁଣି ବାଣାସୁର ନନ୍ଦନ ମୋଢାସୁରକୁ ନିଜେ ନାରଣ ନମାରି ଅର୍ଜୁନ ହାତରେ ମରାଇଥିଲେ  । ତେଣୁ ତୋ ପିତାର ଶତ୍ରୁକୁ ବିନାଶ ନକଲେ ଶେଷରେ ନର୍କଗାମୀ ହେବୁ  । ଏବେ ଶ୍ରୀକୃଷ୍ଣ ଅର୍ଜୁନ ଦ୍ୱାରକାରେ ନାହାଁନ୍ତି  । ବଳରାମ ଯଜ୍ଞରେ ବସିଛନ୍ତି  । ତୁତ ବ୍ରହ୍ମାଙ୍କ ବଳରେ ବଳବନ୍ତା  । ପାରଛୁ ଯେବେ ଏବେ ଦଣ୍ଡଘେନି ଦ୍ୱାରକା ଆକ୍ରମଣ କର  । ଏହା କହି ନାରଦ  ସେଠାରୁ ଚାଲିଆସିଲେ  । ନାରଦଙ୍କ କଥା ଶୁଣି କଦମ୍ବାସୁର ପିତୃହତ୍ୟାର ପ୍ରତିଶୋଧ ନେବା ପାଇଁ ସମଦଣ୍ଡ ସାଜି ଦ୍ୱାରକା ଯାତ୍ରା କଲା  । ମହାଘୋର ନାଦ କରି ଅସୁରବଳ ଦ୍ୱାରକା ଭୁବନର ଦ୍ୱାରଦେଶରେ ଉପସ୍ଥିତ ହେଲେ  । ସେମାନଙ୍କୁ ଉଦ୍ଧବ ଓ ଶକ୍ରାଜିତ ଅସ୍ତ୍ରଧରି ଅଟକାଇବାକୁ ଯୁଦ୍ଧ କଲେ  । ମାତ୍ର ଅସୁରବଳ ଆଗରେ ସେମାନେ ଧରାଶାୟୀ ହେଲେ  । ରାକ୍ଷସମାନେ ଯଜ୍ଞଶାଳ ଭାଙ୍ଗି ଭିତରେ ପ୍ରବେଶ କଲେ  । ଯଜ୍ଞ ଛାଡି ବଳରାମ ଓ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ, ପଦ୍ମନ ପ୍ରଭୃତି ରାକ୍ଷସମାନଙ୍କୁ ପ୍ରତିରୋଧ କଲେ  । ଯାଦବମାନଙ୍କ ସହିତ ରାକ୍ଷସମାନଙ୍କର  ଘୋର ଯୁଦ୍ଧ ଲାଗିଲା  । ବର୍ଷାଧାରା ପରି ଶରାବର୍ଷା ହେବାରେ ଲାଗିଲା  । ଶାମ୍ବ ଓ ପଦ୍ମନର ଶରାଘାତରେ ରାକ୍ଷସବଳ ଅନେକ ଦ୍ୱୈତ ମରି ଶୋଇଲେ  । ମାତ୍ର ଶେଷରେ ଅସୁରମାନଙ୍କ ଗଦାଘାତରେ ଶାମ୍ବ ଓ ପଦ୍ମନ ଧାରାଶାୟୀ ହେଲେ  । ରାକ୍ଷସମାନଙ୍କ ବଳ ଦେଖି ମୁନିଋଷିଗଣ ବଳରାମଙ୍କ ପଛପଟେ ଲୁଚିଲେ  । ଦ୍ୱାରକା  ନଗ୍ରରେ କାନ୍ଦ ବୋବାଳି  ପଡିଗଲା  । ରାକ୍ଷସମାନେ ରତ୍ନଭଣ୍ଡାର ଦୂର କରିବାରେ ଲାଗିଲେ  । ଅନ୍ତପୁର  ନାରୀମାନଙ୍କର କ୍ରନ୍ଦନ ସହିନପାରି ଦେବହଳୀ ହଳମୁଷଳ ଧରି ରାକ୍ଷସମାନଙ୍କୁ ନିପାତ କରିାବରେ ଲାଗିଲେ  । ବଳରାମଙ୍କୁ ଦେଖି କଦମ୍ବାସୁର ତାଙ୍କ ଉପରେ ଅମୋହ ଶକ୍ତି ପ୍ରହାର କଲା  । ବଳରାମ ଅସାଷ୍ଟମ ହୋଇ ପଡିବାରୁ  ରାକ୍ଷସ ତାଙ୍କୁ କାନ୍ଧରେ ପକାଇ ନେଇଗଲା ଓ ଯୁଦ୍ଧରେ ଜୟଲାଭ କରିବା ଆନନ୍ଦରେ ସେ ମଣିନାଗ ପର୍ବତ ଉପରେ ଯାଇ ରାକ୍ଷସବଳ ସହିତ ରହିଲା  । କୃଷ୍ଣବଳରାମଙ୍କ ଅଶ୍ୱମେଧ ଯଜ୍ଞ ଉପନସ୍ତ ହୋଇଥିଲା  । 
ଅନ୍ୟପଟେ ଅର୍ଜୁନ ଓ ଶ୍ରୀକୃଷ୍ଣ ବ୍ରହ୍ମଣର ପୁତ୍ରମାନଙ୍କୁ ଧରି ଦ୍ୱାରିକା ଫେରୁଥାନ୍ତି  । ଶ୍ରୀକୃଷ୍ଣ କହିଲେ ଅର୍ଜୁନ ଆମ୍ଭେ ପାତାଳସ୍ୱର୍ଗକୁ ଯାଇଥିବା କଥା ଯେପରି ସେ କାହାକୁ ନ କୁହନ୍ତି  । ଏହା କହି ହରି ଅର୍ଜୁନ  ମଧ୍ୟ ଭୁବନରେ ପହଞ୍ଚôଲେ  । ସେହି ସମୟରେ ନାରଦମୁନି ସେଠାରେ ପହଞ୍ଚô କଦମ୍ବାସୁର ଯଜ୍ଞଶାଳ ଭଗ୍ନ କରିବା ସହିତ ଦ୍ୱାରକା ଭୁବନକୁ ନାରଖାର କରିଥିବା ବିଷୟ ହରି ଅର୍ଜୁନକୁ ଜଣାଇଲେ  । ଏପରିକି କଦମ୍ବାସୁର ଦ୍ୱାରକା ରତ୍ନଭଣ୍ଡାର ଜୁର କରି ବଳରାମଙ୍କୁ ଧରି ମଣିନାଗ ପର୍ବତରେ ଅବସ୍ଥାନ କରୁଥିବା କଥା ମଧ୍ୟ କହିଲେ  । 
ନାରଦଙ୍କ କଥା ଶୁଣି ଅର୍ଜୁନ ନିଜର ଗାଣ୍ଡିବ ଧନୁ ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ  । ଗୋବିନ୍ଦ ଗରୁଡଙ୍କୁ ସ୍ମରଣ କରି ଶଙ୍ଖ ଚକ୍ର ଗଦା ଧନୁ ଧାରଣ କରି ମଣିନାଗ ପର୍ବତକୁ  ଯାତ୍ରା କଲେ  । ଗରୁଡ ପୃଷ୍ଠରେ କୃଷ୍ଣ ଅର୍ଜୁନଙ୍କୁ ଦେଖି ରାକ୍ଷସମାନେ କୋପାନଳ ହୋଇ ଯୁଦ୍ଧରେ ଝାସ ଦେଲେ  । କଦମ୍ବାସୁରକୁ ଦେଖି ଶ୍ରୀକୃଷ୍ଣ ଗଦାଧରି ଗରୁଡପୃଷ୍ଠରୁ ଡେଇଁପଡିଲେ  । କୃଷ୍ଣ ଓ କଦମ୍ବାସୁର ଗଦାଯୁଦ୍ଧରେ ଲାଗିଗଲେ  । ଅର୍ଜୁନର ଶରାଘାତରେ ଶହଶହ ରାକ୍ଷସ ମରି ଶୋଇଲେ  । ଘୋର ଯୁଦ୍ଧ ଲାଗିଗଲା  । ଶେଷରେ ରାକ୍ଷସ ନାଗଫାଶରେ କୃଷ୍ଣଙ୍କୁ ବାନ୍ଧି ପକାଇଲା  । ଅର୍ଜୁନ କାଳଚକ୍ର ଓ ପାଶୁପତ ଶସ୍ତ୍ର ଘେନି ଅସୁରାଳେ ବିନାଶ କରି ଚାଲିଥାଏ  । ଗରୁଡ କୃଷ୍ଣଙ୍କୁ ନ ପାଇ ମଣିନାଗ ପର୍ବତରେ ପଶି ଅଚେତ କୃଷ୍ଣବଳରାମଙ୍କୁ ଧରି ଅମର ସ୍ୱର୍ଗକୁ ଗମନ କରି ଅମୃତ  ବୃଦ୍ଧି କରାଇ ସଚେଷ୍ଟ କରାଇଲେ  । ସ୍ୱର୍ଗରେ ଇନ୍ଦ୍ରଦେବ କହିଲେ  ପ୍ରଭୁ ଆପଣଙ୍କ ବଳବିକ୍ରମ କୁଆଡେ ଗଲା ? ବୃହଷ୍ପତି କହିଲେ କଳିକାଳ ଉପଗତ ହେବାରୁ ବଳରାମଙ୍କ ବଳ କ୍ଷୀଣ ହେଲାଣି  । ବ୍ରହ୍ମା କହିଲେ କଦମ୍ବାସୁର ବଳରାମଙ୍କ ହସ୍ତରେ ନୀଳଚକ୍ର ଅସ୍ତ୍ର ଦ୍ୱାରା ନିହତ ହେବ  । ଆଉ ବିଳମ୍ବ ନକରି କୃଷ୍ଣବଳରାମ ଫେରିଆସି ମଣିନାଗ ପର୍ବତରେ ପର୍ବତରେ ରାକ୍ଷସ ବଳକୁ ଭେଟିଲେ  । ଅର୍ଜୁନ ଶରାଘାତରେ ରାକ୍ଷସବଳଙ୍କୁ ନିପାତ କରି ଚାଲିଥାଏ  । ଶେଷରେ ବଳରାମ ନୀଳଚକ୍ର ଅସ୍ତ୍ର କଦମ୍ବାସୁରକୁ ପ୍ରୟୋଗ କଲେ ଓ ତାହାର ମୃତୁ୍ୟ ହେଲା ।  ରାମବଳରାମ ଦ୍ୱାରକାପୁରକୁ ଅର୍ଜୁନ ସହିତ ଫେରି ଆସିଲେ  । ଦେଖିଲେ ଯାଦବମାନେ ମରି ପଡିଛନ୍ତି  । ସୁବର୍ଣ୍ଣ ଜଗତି, ପାଚେରି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡିଛି  । ଶ୍ରୀକୃଷ୍ଣ ଅମୃତ ଦୃଷ୍ଟିରୁ ଚାହିଁବାରୁ ସମସ୍ତେ ଚେତି ଉଠିଲେ  । ରାମ ବଳରାମଙ୍କୁ ଦେଖି ସମସ୍ତେ ଖୁସି ହେଲେ  । ବ୍ରାହ୍ମଣଙ୍କୁ ଡାକି ତାଙ୍କ ପୁତ୍ରମାନଙ୍କୁ ଫେରାଇ ଦେଲେ  । ତାହାପରେ ଶ୍ରୀକୃଷ୍ଣ ବଳରାମ ଯଜ୍ଞ ସମାପନ କରି ଆନନ୍ଦରେ ଦ୍ୱାରକାରେ ରହିଲେ  ।