"ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ' ଶକ୍ତି ଉପାସକଙ୍କ ଦୃଷ୍ଟିରେ ମହାଶକ୍ତି ହେଉଛନ୍ତି ପରବ୍ରହ୍ମ ପରମାତ୍ମା । ସେ ସୃଜନ କରନ୍ତି, ପାଳନ କରନ୍ତି, ସଂହାର କରନ୍ତି । ସେ ଆଦ୍ୟା ମହାଶକ୍ତି । ତାଙ୍କର ସ୍ୱରୂପ ବିବିଧ । ସେ ନବଦୁର୍ଗା, ଦଶ ମହାବିଦ୍ୟା, ଅନ୍ନପୂର୍ଣ୍ଣା, କାତ୍ୟାୟନୀ, ଲଳିତାମ୍ବା, ଗାୟତ୍ରୀ, ଭୁବନେଶ୍ୱରୀ, କାଳୀ, ତାରା, ବଗଳା । ସେ ସଂହାର ପାଇଁ ମହାକାଳୀ, ବିଦ୍ୟା ଦାନ ପାଇଁ ସରସ୍ୱତୀ, ଧନ ପାଇଁ ମହାଲକ୍ଷ୍ମୀ । ମାର୍କଣ୍ଡେୟ ପୁରାଣରେ ଭଗବତୀଙ୍କୁ ଏହି ରୂପେ ସ୍ତୁତି କରାଯାଇଛି । ଶକ୍ତି ପୂଜାର ପରମ୍ପରା ବୈଦିକ କାଳରୁ ରହିଆସିଛି । ଭାରତ ବର୍ଷର ଧାର୍ମିକ ଚଳଣିରେ ଯେତେ ଦେବଦେବୀଙ୍କୁ ଉପାସନା କରାଯାଏ ଜଗଜ୍ଜନନୀ ମା'ଦୁର୍ଗାଙ୍କ ଶକ୍ତି ପୂଜା ତା ମଧ୍ୟରେ ମୁଖ୍ୟସ୍ଥାନ ଅଧିକାର କରିଥାଏ । ଋଗବେଦରେ ବର୍ଣ୍ଣିତ - "ତାମାଗ୍ନି ବର୍ଣ୍ଣାଂ ତପସା ଜ୍ୱଳନ୍ତୀଂ ବୈରୋଚନୀଂ କର୍ମଫଳେଷୁ ଦୁଷ୍ଟାମ୍, ଦୁର୍ଗା ଦେବୀଂ ଶରଣମହଂ ପ୍ରପଦ୍ୱେ ସୁତରସି ତରସେ ନମଃ' । ଅର୍ଥାତ୍ "ମୁଁ ଅଗ୍ନିବର୍ଣ୍ଣା ତପୋଜ୍ୱଳା ଦୁର୍ଗାଦେବୀଙ୍କର ଶରଣ ପଶୁଛି, ଯେ କି ପରମ ଶକ୍ତିସମ୍ପନ୍ନ, ଯେ ନିଜକୁ ବହୁବିଧ ରୂପରେ ପ୍ରକଟ କରନ୍ତି, ଯେ କି କର୍ମ ଓ ଫଳରେ ନିହିତ ଶକ୍ତି ଅଟନ୍ତି । ହେ ରକ୍ଷାରେ ନିପୁଣା ଦେବୀ, ଆମକୁ ଅଧିକ କୁଶଳତାର ସହ କଷ୍ଟ ମଧ୍ୟରେ ପାର କରାଅ । ଆମେ ତୁମକୁ ପ୍ରଣାମ କରୁଛୁ ।'
ମା'ସୃଷ୍ଟି ସ୍ଥିତି ବିନାଶର ଆଧାର । ଓଁକାର ଶବ୍ଦ ସହ ପୃଥିବୀ ସୃଷ୍ଟି ହେବା ସମୟରୁ ଶକ୍ତି ଉତ୍ପନ୍ନ ହୋଇଅଛି । ଏହି ଶକ୍ତି ସମଗ୍ର ଜଗତରେ ଜୀବ, ମାନବ, ବୃକ୍ଷଲତାରେ ପୁରି ରହିଛି । ନବରାତ୍ରି ଉପାସନା ଆମକୁ ସେହି ଶକ୍ତି ପ୍ରଦାନ କରେ । ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ମହାନବମୀ ପର୍ଯ୍ୟନ୍ତ ନବରାତ୍ରି ପାଳନ କରାଯାଏ । ଏହି ନଅ ଦିନ ମା'ମହିଷାମର୍ଦ୍ଦିନୀ ଭିନ୍ନ ଭିନ୍ନ ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେଇ ଅଭୟ ପ୍ରଦାନ କରନ୍ତି । ତାହା ହେଲା "ପ୍ରଥମଂ ଶୈଳପୁତ୍ରୀ ଚ, ଦ୍ୱିତୀୟଂ ବ୍ରହ୍ମଚାରିଣୀ, ତୃତୀୟଂ ଚନ୍ଦ୍ରଘଣ୍ଟେଚି, କୁଷ୍ମାଣ୍ଡେତି ଚତୁର୍ଥକମ୍, ପଞ୍ଚମଂ ସ୍କନ୍ଦମାତେ ତି, ଷଷ୍ଠ କାତ୍ୟାୟନୀତି ଚ, ସପ୍ତମଂ କାଳରାତି୍ରତି ମହାଗୌରୀ ଚାଷ୍ଟକମ୍, ନବମଂ ସିଦ୍ଧିଦାତ୍ରୀ ଚ, ନବଦୁର୍ଗାଃ ପ୍ରକୀର୍ତିତାଃ, ଅକ୍ତାନ୍ୟେତାନି ନାମାନି ବ୍ରାହ୍ମଣୈବ ମହାତ୍ମନୀ ।' ମହାଶକ୍ତିକୁ ନବରାତି୍ରରେ ମହାକାଳୀ, ମହାଲକ୍ଷ୍ମୀ ଓ ମହା ସରସ୍ୱତୀ ରୂପରେ ମଧ୍ୟ ପୂଜା କରନ୍ତି । ମହାକାଳୀ ତମଗୁଣର ପ୍ରତୀକ । ମା'କାଳୀ ଆମର ତମ ଗୁଣ ଯଥା - କାମ, କ୍ରୋଧ, ଲୋଭ, ମଦ, ମାତ୍ସର୍ଯ୍ୟ, ଦୂର କରି ଆମକୁ ଦିବ୍ୟଗୁଣ ପ୍ରଦାନ କରିବା ପାଇଁ ଆମେ ତାଙ୍କୁ ଆରାଧନା କରୁ ପ୍ରାର୍ଥନା କରୁ । ମା'ଆମର ଅଜ୍ଞାନ ନାଶ କରି ଦିବ୍ୟଜ୍ଞାନ ପ୍ରଦାନ କରନ୍ତୁ, ମହାଲକ୍ଷ୍ମୀ ରଜଗୁଣର ପ୍ରତୀକ । ଏହା ସାହସ, ତ୍ୟାଗ, ଶାସନ ଓ କର୍ମ ତତ୍ପରତା ଆଦି ଗୁଣାବଳୀର ପ୍ରତୀକ । ମା'ଲକ୍ଷ୍ମୀଙ୍କୁ କ'ଣ ଦେଇ ପୂଜା କରିବା । ଆମର ଦେହ, ମନ, ବୁଦ୍ଧି ସବୁତ ତାଙ୍କର । ସେ ଆମକୁ ଆବଶ୍ୟକ ଖାଦ୍ୟପେୟ ଓ ଯଶ ପ୍ରଦାନ କରନ୍ତୁ । ମହାସରସ୍ୱତୀ ସତ୍ତ୍ୱଗୁଣର ପ୍ରତୀକ । ଏଥିରେ ସହିଷ୍ଣୁତା, ଦୟା, ପ୍ରେମ ଆଦି ଗୁଣ ରହିଛି । ମା'ସରସ୍ୱତୀ ହଂସବାହିନୀ, ହଂସ ଯେପରି କ୍ଷୀର ଓ ପାଣିରୁ କେବଳ କ୍ଷୀର ପିଇଦିଏ ଆମେ ସେହିପରି ଭଲ ଓ ମନ୍ଦ ମଧ୍ୟରୁ ଭଲଟିକୁ ବାଛିନେବା ।
ଦୁର୍ଗାପୂଜା କେତେକ ସ୍ଥାନରେ ଷୋଳଦିନ ଧରି ପାଳିତ ହେଉଥିବାବେଳେ କେତେକ ସ୍ଥାନରେ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ପାଳିତ ହୁଏ । ସେ ସବୁୁକୁ ଗୋଟି ଗୋଟି କରି ଆଲୋଚନା କଲେ ଏହି ସ୍ପଷ୍ଟୀକରଣ ମିଳିବ ଯେ ଦୁର୍ଗାପୂଜା ମାତୃଜାତିର ପୂଜା, ପ୍ରକୃତିର ପୂଜା । ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ପାଞ୍ଚଦିନ ଦେବୀ ପାଞ୍ଚ ଚେତନାରେ ଜଡ଼ିତ । ଯଥା ନନ୍ଦା, ଭଦ୍ରା, ଜୟା, ରିକ୍ତା ଓ ପୂର୍ଣ୍ଣା । ପ୍ରଥମରେ ଶୈଶବ ଅବସ୍ଥାରେ ଆମର ଆତ୍ମଚୈତନ୍ୟ ଜାଗ୍ରତ ହୁଏ । ଷଷ୍ଠୀ ତିଥି ନନ୍ଦା, ଦେବୀ ନନ୍ଦା ବା ଆନନ୍ଦମୟୀ ସେତେବେଳେ ବାଳିକା । ଭଦ୍ରା ତିଥିରେ ସେ ସୁମଙ୍ଗଳା, କୈଶୋରୀ, ଜୟା ତିଥିରେ ତାଙ୍କର ଶକ୍ତିରୂପର ପ୍ରକାଶ, ସେ ତରୁଣୀ । ରିକ୍ତାରେ ସେ ଯୋଗିନୀ ଓ ପୂର୍ଣ୍ଣାରେ ସେ ସମର୍ଥା ଯୁବତୀ । ଦେବୀ ଦୁର୍ଗାଙ୍କ ମଧ୍ୟରେ ଆମ୍ଭେମାନେ ଅସୁରଘାତିନୀ ମହାଶକ୍ତିଙ୍କୁ ପୂଜା କରୁ । ଏହି ସମୟରେ ମା'ଦୁର୍ଗା ମହିଷାସୁରକୁ ବଦ୍ଧ କରି ଦେବତା ତଥା ମନୁଷ୍ୟମାନଙ୍କୁ ତାର ଅତ୍ୟାଚାରରୁ ରକ୍ଷା କରିଥିଲେ । ତେଣୁ ଆମେ ମା'ଦୁର୍ଗାଙ୍କୁ ଅସୁରଶକ୍ତିର ବିନାଶ କରି ପୃଥିବୀକୁ ଶାନ୍ତି ତଥା ଆନନ୍ଦ ପ୍ରଦାନ କରିବା ପାଇଁ ଏହି ବିଜୟର ପର୍ବ ପାଳନ କରୁ । ଆଉ ମଧ୍ୟ ଶ୍ରୀରାମଚନ୍ଦ୍ର ମା'ଦୁର୍ଗାଙ୍କୁ ପୂଜା କରି ଏହି ସମୟରେ ଲଙ୍କାର ରାଜା ରାବଣକୁ ବିନାଶ କରି ମା'ସୀତାଙ୍କୁ ଉଦ୍ଧାର କରିଥିଲେ । ଆମେ ମା'ର ଶକ୍ତିରେ ନିଜକୁ ଆଲୋକିତ କରିବା । ସେ ପଦପଦବୀ ଛୋଟବଡ଼ ଦେଖନ୍ତି ନାହିଁ । ବର୍ଷକରେ ଥରେ ଏ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି ତାଙ୍କର ସମସ୍ତ ସନ୍ତାନମାନଙ୍କୁ ଆଶୀର୍ବାଦ କରିବା ପାଇଁ । ତେଣୁ ଚାଲନ୍ତୁ ଆମେ ମା'ଦୁର୍ଗାଙ୍କୁ ପୂଜା କରିବା । ସେ ଆମକୁ ଶକ୍ତି ପ୍ରଦାନ କରନ୍ତୁ ଓ ଆମ ଭିତରେ ଥିବା ସମସ୍ତ ଅଜ୍ଞାନ ଅନ୍ଧକାର ଦୂର କରନ୍ତୁ । "ଓଁ କାତ୍ୟାୟନାୟ ବିଦ୍ମହେ କନ୍ୟାକୁମାରୀ ଧୀମହି, ତନ୍ନୋ ଦୁର୍ଗିଃ ପ୍ରଚୋଦୟାତ୍' । ଆମେ ଆଦିଶକ୍ତି କାତ୍ୟାୟନୀଙ୍କର ଉପଲବ୍ଧି କରିବା । ଆମେ କନ୍ୟାକୁମାରୀଙ୍କର ଧ୍ୟାନ କରିବା, ଦୁର୍ଗା ଆମକୁ ଜ୍ଞାନାଲୋକ ପ୍ରଦାନ କରନ୍ତୁ । ଦେବୀ ନିଜେ କହିଛନ୍ତି ଯେ, ଶରତ କାଳରେ ଯେ ମୋର ବର୍ଷକୁ ଭକ୍ତିପୂତ ଭାବରେ ଆରାଧନା କରି ଶ୍ରଦ୍ଧାର ସହିତ ମୋର ମହାତ୍ମ୍ୟକୁ ଶ୍ରବଣ କରନ୍ତି, ସେମାନେ ମୋର ପ୍ରସାଦରୁ ସକଳ ବିଘ୍ନକୁ ଅତିକ୍ରମ ପୂର୍ବକ ଧନ୍ୟ, ଧାନ୍ୟ, ସ୍ତ୍ରୀ, ପୁତ୍ର ଇତ୍ୟାଦି ଲାଭ କରନ୍ତି । "ଶରତ କାଳେ ମହାପୂଜା କ୍ରୟତେ ଯାଚ ବାର୍ଷିକୀ, ତସ୍ୟା ମମୈ ତନ୍ମାହାତ୍ମ୍ୟଂ ଶ୍ରୁତ୍ୱାଭକ୍ତି ସମନ୍ୱିତଃ । ସର୍ବବାଧା ବିନିର୍ମୁକ୍ତୋ ଧନ୍ୟଧାନ୍ୟ ସୁତନ୍ୱିତଃ, ମହଷ୍ୟୋ ମତ୍ ପ୍ରମାଦେନ ଭବିଷ୍ୟତିନ ସଂଶୟଃ ।'
ଅଲେଖ ଚନ୍ଦ୍ର ସାମଲ,ମୋ: ୯୪୩୭୨୫୭୧୨୩