ମୋହଗ୍ରସ୍ତ ଜୀବନ

କିଛି ଦିନ ତଳର ଏକ ଛବିଟି ମୋ ଦୃଷ୍ଟିକୁ ଆସିଥିଲା । ଏକ ମାଠିଆ ମୁହଁ ଭିତରେ ମାଙ୍କଡଟି ହାତ ପୁରାଇ କିଛି ଖାଦ୍ୟ ଧରିଦେଇଛି କିନ୍ତୁ ଛୋଟ ମାଠିଆ ମୁହଁଟି ଭିତରୁ ତା'ହାତଟି ଆଉ ବାହାରି ପାରୁନି । ମୁଠାଏ ଖାଦ୍ୟଟି ଧରିଥିବାରୁ ସେ ନା ହାତ ଖୋଲା କରିପାରୁଛି ନା ତା ହାତଟି ମାଠିଆ ଭିତରୁ ବାହାରକୁ ଆସିପାରୁଛି । ମୁଠାଟି ଫିଟାଇ ଦେଲେ ସହଜରେ ହାତଟି ବାହାରି ଆସିବାର କଥାଟି ଲୋଭୀ ମାଙ୍କଡ଼ ଭିତରେ ନାହିଁ । ଠିକ ସେହିପରି ଆମ୍ଭ ମାନଙ୍କ ଜୀବନ ଆମ୍ଭେମାନେ ସଂସାର ଭିତରେ ଥିବା ସମସ୍ତ ମାୟା ମୋହର କାମନା, ବାସନା, ଆସକ୍ତିକୁ ଜାବୁଡ଼ି ଧରିଛେ ତାକୁ ଛାଡ଼ି ପାରୁନେ କିମ୍ବା ଏହି କାମନା ରୂପକ ସଂସାର ଭିତରୁ ବାହାରକୁ ବାହାରି ପାରୁନାହୁଁ । ତେଣୁ ଏହି ଛୋଟିଆ କଥନିକାଟି ଆମକୁ ଅନେକ ଶିକ୍ଷା ଦିଏ । ଜୀବନ ତମାମ ଅର୍ଥ, ଯଶ, ପ୍ରତିପତ୍ତି, କ୍ଷମତା ସବୁ ପାଇବା ପାଇଁ ଅନେକ କୁସ୍ତି କସରତ କରୁଛେ । ଅଥଚ ସଂସାରକୁ ଆସିଥିବାର ଅସଲ ମର୍ମଟି ଆମେ ବୁଝିବାକୁ ସମର୍ଥ ହୋଇପାରୁନାହେଁ । ଆମେ ଭୁଲି ଯାଇଛୁ ଯେ ପୂର୍ବ ଜନ୍ମରେ ଠିକ ଏହିଭଳି କର୍ମ କରିଥିବାରୁ ବର୍ତ୍ତମାନ ଜନ୍ମରେ ଆମକୁ ପୁନର୍ବାର ସଂସାରକୁ ଆସିବାକୁ ପଡ଼ିଛି । 
ଧାବମାନ ଜୀବନ ଭିତରେ ଆମେ ଅନେକ ଶିକ୍ଷା ଆମ ଆଖପାଖରୁ ପାଇଥାଉ କିନ୍ତୁ ତାହାକୁ ଅସଲରେ କାର୍ଯ୍ୟରେ ପରିଣତ କରିବା ପାଇଁ ବିଭିନ୍ନ ବାହାନାର ମାର୍ଗ ଦେଖିଥାଉ । ଦୁନିଆରେ ଭଲ ମନ୍ଦ ଓ ଅସଲ ନକଲ କ'ଣ ସେ ସବୁ ଜାଣିବାର ଦିବ୍ୟଶକ୍ତି ଭଗବାନ ମଣିଷ ମାନଙ୍କୁ ପ୍ରଦାନ କରିଛି କିନ୍ତୁ ଅନେକ ସମୟରେ ମୋହଗ୍ରସ୍ତ ହୋଇ  ଅବୁଝା ଭାବନାର ଶିକାର ହୋଇ ଠିକ ମାଙ୍କଡ ହାତ ପରି ଆମ୍ଭେମାନେ ସଂସାରର ଜୀବନ ଚକ ଭିତରେ ଏପରି ବୁଡ଼ି ଯାଇଛେ ଯେ ଈଶ୍ୱରଙ୍କୁ ପାଇବା ପାଇଁ ସେଥିରୁ ଉଦ୍ଧ୍ୱର୍ମୁଖୀ ହୋଇ ଠିକ ମାଙ୍କଡର ମାଠିଆ ପରି ବାହାରି ପାରୁନାହୁଁ ଅଥଚ ଚିକ୍ରାର କରୁଛି ଯେ ଆମ ହାତଟି ସଂସାର ଭିତରେ ଲାଖି ରହିଯାଇଛି । ଯଥାର୍ଥ ଜୀବନ ଚେତନାକୁ ବୁଝି କ୍ଷଣଭଙ୍ଗୁର ସଂସାରରେ ପ୍ରତିଟି ସମୟକୁ ଈଶ୍ୱରଙ୍କ ପାଇଁ ସମର୍ପିତ କରିବା ସହ ମାନବ ଚେତନାର ପ୍ରତିଟି ସାମାଜିକ ସେବା ପାଇଁ ନିଜକୁ ନିୟୋଜିତ କରିପାରିଲେ ଏହା ଜୀବନକୁ ପୁଷ୍ପିତ ଓ ସୁରଭିତ କରିବା ସହ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ଯୋଗ୍ୟ ହୋଇପାରିବ । 
ଯଶସ୍ୱିନୀ ପଟ୍ଟନାୟକ,କଟକ