ଓଡ଼ିଶା ଛାଡ଼ିବାକୁ ୧୨ ପାକିସ୍ତାନୀ ନାଗରିକଙ୍କୁ ନୋଟିସ୍‌

ଓଡ଼ିଶା ଛାଡ଼ିବାକୁ ୧୨ ପାକିସ୍ତାନୀ ନାଗରିକଙ୍କୁ ନୋଟିସ୍‌

ଭୁବନେଶ୍ବର: ଓଡ଼ିଶାରେ ଆଉ ରହିପାରିବେ ନାହିଁ ପାକିସ୍ତାନୀ ନାଗରିକ । ସେମାନଙ୍କୁ ରାଜ୍ୟରୁ ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦୀର୍ଘକାଳୀନ ଭିସା ବଳରେ ଭାରତର ବିଭିନ୍ନ ରାଜ୍ୟରେ ପାକିସ୍ତାନୀ ନାଗରିକମାନେ ରହୁଛନ୍ତି । ସେମାନେ ବିଭିନ୍ନ କାମରେ କାର୍ଯ୍ୟରତ ଅଛନ୍ତି । ଏହିକ୍ରମରେ ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ ରହୁଥିବା ଜଣାପଡ଼ିଛି । ତେବେ ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ରହିଛି । ଦେଶର ଆଭ୍ୟନ୍ତରୀଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି । ଭାରତ ସରକାର କହିଛନ୍ତି ଯେ, ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପାକିସ୍ତାନୀ ନାଗରିକମାନେ ଭାରତ ଛାଡ଼ନ୍ତୁ । ଏମାନଙ୍କୁ ଭାରତ ଛାଡ଼ି ଯିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । କେଉଁ ରାଜ୍ୟରେ କେତେ ସଂଖ୍ୟକ ପାକିସ୍ତାନୀ ବସବାସ କରୁଛନ୍ତି ସେନେଇ ସୂଚନା ଦେବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଜାରି ହୋଇଛି।

ପହଲଗାମ୍‌ ଆତଙ୍କବାଦୀ ଘଟଣା ପରେ ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ନେଇ ତଟରକ୍ଷୀ ବାହିନୀ ସତର୍କ ହୋଇଛନ୍ତି । ସମୁଦ୍ରତଟ ସୁରକ୍ଷା ପାଇଁ ମେରାଇନ୍ ପୁଲିସ ଓ ତଟରକ୍ଷୀ ବାହିନୀ ସଜାଗ ଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।  ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଆଳ ଦେଖାଇ ରାଜ୍ୟରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଛନ୍ତି ।