ସମରାଭ୍ୟାସ ‘ଆକ୍ରମଣ’ ; ଢିଲା ହୋଇଥିଲା ସୁରକ୍ଷା
ନୂଆଦିଲ୍ଲୀ : ସୁରକ୍ଷା ବ୍ୟବସ୍ଥା ଢିଲା ହୋଇଥିଲା । ସୁରକ୍ଷା ଏଜେନ୍ସୀ ସହ ଆଲୋଚନା ନକରି ପର୍ଯ୍ୟଟନ ସ୍ଥଳୀ ବାଇରସନଙ୍କୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରଖାଯାଇଥିଲା । ସର୍ବଦଳୀୟ ବୈଠକରେ ସରକାର ଏହା ସ୍ୱୀକାର କରିଛନ୍ତି । ଅପରପକ୍ଷରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ପାଇଁ ସମରାଭ୍ୟାସ କରିଛି ଆକାଶ ବାହିନୀ । ଆଜି ଇଣ୍ଡିଆନ୍ ଏୟାର ଫୋର୍ସ ସମରାଭ୍ୟାସ ‘ଆକ୍ରମଣ’ ଆରମ୍ଭ କରିଛି । ଲଢୁଆ ବିମାନ ସୁଖୋଇ ଓ ରାଫେଲ୍ ଆକାଶରେ ଗର୍ଜନ କରିଛନ୍ତି । ପଶ୍ଚିମବଙ୍ଗର ଅମ୍ବାଲା ଓ ହସିମରା ଠାରେ ଦୁଇଟି ରାଫେଲ ବିମାନ୍ ଆକାଶରେ ଚକ୍କର କାଟିଥିଲା । ପାର୍ବତ୍ୟାଞ୍ଚଳରେ ଠିକ୍ରେ ଆକ୍ରମଣ କରିବା ନେଇ ଅଭ୍ୟାସ କରାଯାଇଥିଲା । ଏୟାର ଫୋର୍ସର ଶ୍ରେଷ୍ଠ ଗନ୍ ପାଇଲଟମାନେ ଅଭ୍ୟାସରେ ସାମିଲ୍ ହୋଇଥିଲେ ।
ପହେଲଗାମ୍ ଆତଙ୍କୀ ଆକ୍ରମଣ ଓ ପରବର୍ତ୍ତୀ ପଦକ୍ଷେପକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସଭାର ନେତା ଜେପି ନଡ୍ଡା, ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ୍ ଗାନ୍ଧୀ, ଏନସିପି-ଏସପି ନେତ୍ରୀ ସୁପ୍ରିୟା ସୁଲେ, ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଏଆଇଏମଆଇଏମ ନେତା ଆସଉଦ୍ଦିନ ଓୱେସୀ, ବିଜେଡ଼ି ନେତା ସସ୍ମିତ ପାତ୍ର, ଟିଡ଼ିପି ନେତା ଲଭୁ ଶ୍ରୀକୃଷ୍ଣ ଦେବରାୟାଲୁ, ଶିବସେନା ନେତା ଶ୍ରୀକାନ୍ତ ସିନ୍ଦେ, ଆପ ନେତା ସଞ୍ଜୟ ସିଂ, ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ, ଆରଜେଡ଼ି ନେତା ପ୍ରେମଚନ୍ଦ ଗୁପ୍ତା, ଡିଏମକେ ନେତା ଟି. ଶିବା, ଏସପି ନେତା ରାମ ଗୋପାଳ ଯାଦବ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ବିରୋଧୀ ଦଳର ନେତାମାନେ ଢିଲା ସୁରକ୍ଷାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ । ସୁରକ୍ଷା ପ୍ରୋଟକଲ, ସୁରକ୍ଷା ବାହିନୀ, ସିଆରପିଏଫ କେଉଁଠି ଥିଲେ ବୋଲି ପଚାରିଥିଲେ । ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଥିଲାଯେ, ସ୍ଥାନୀୟ ପ୍ରଶାସନ ସୁରକ୍ଷା ଏଜେନ୍ସୀ ସହ ଆଲୋଚନା ନକରି ବାଇସରନ ପର୍ଯ୍ୟଟନ କ୍ଷେତ୍ରକୁ ଖୋଲିଥିଲେ । ଅନନ୍ତନାଗ ଜିଲ୍ଲାର ପହେଲଗାମ ନିକଟରେ ଥିବା ଏହି ପର୍ଯ୍ୟଟନ କ୍ଷେତ୍ରଟି ପାରମ୍ପରିକ ଭାବେ ଜୁନ୍ ଅମରନାଥ ଯାତ୍ରା ପର୍ଯ୍ୟନ୍ତ ବନ୍ଦ ରହିଥାଏ । ସେହିପରି ସୁରକ୍ଷା କର୍ମୀମାନେ କାହିଁକି ବିଳମ୍ବରେ ପହଁଚିଥିଲେ ବୋଲି ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଥିଲାଯେ, ସେହି ସ୍ଥାନଟି ବହୁତ ଉଚ୍ଚରେ ଅବସ୍ଥିତ । ଚାଲିଚାଲି ଯିବାକୁ ୪୫ ମିନିଟ୍ ସମୟ ଲାଗିଥାଏ । ଏଭଳି ଜରୁରୀକାଳୀନ ସ୍ଥିତର ସାମ୍ନା କରିବା ପାଇଁ କୌଣସି ଏସଓପି ନଥିଲା । ବୈଠକ ପରେ କେନ୍ଦ୍ରମନ୍ତ୍ରୀ କିରେନ ରିଜଜୁ କହିଥିଲେଯେ, ଭାରତ ଏକାଠି ଆତଙ୍କବାଦ ଉପରେ ଲଢ଼ିବ ବୋଲି ସବୁ ଦଳ କହିଥିଲେ । ଆତଙ୍କବାଦର ଦମନ ପାଇଁ ସରକାର ଯେଉଁ ପଦକ୍ଷେପ ନେବେ ସବୁ ଦଳ ତାହାକୁ ସମର୍ଥନ କରିବେ ବୋଲି କହିଥିଲେ ।