ପଲ୍ଲୀକବି ନନ୍ଦକିଶୋର
“ବିଲ କାମ ସାରି ଗୀତ ଗାଇ ଗାଇ, ବାହୁଡ଼ଇ ଚଷା ଘରେ, ପୋଡପିଠା ମୁଢ଼ି ଖାଇ ମହାସୁଖେ ବସିବ ଚୁଲି ମୁଣ୍ଡରେ ।” ଅଥବା “ଡାମରା କାଉରେ ଡାମରା କାଉ ଉଚ୍ଚ ପରବତେ ବୋବାଉଥାଉ, ଉଚ୍ଚ ପରବତ ଘୁଞ୍ଚô ଘୁଞ୍ଚôକା ତହିଁରେ ବସିଛି ତିନି ମଞ୍ଜିକା ।” ଅଥବା “ମେଘ ବରଷଇ ଟପର ଟପର କେଶୁର ମାଇଲା ଗଜ, କୋଉ ରାଇଜରେ ରହିଲେ ମୋ ରଜା, ତେଲିଙ୍ଗି ବାଇଦ ବଜା ।” ଭଳି ଅଭୁଲା ପଦ୍ୟ ମନରେ ଯେଉଁ ଆବେଗ ସୃଷ୍ଟି କରେ, ତାର ପଟ୍ଟାନ୍ତର ନାହିଁ । ଆମ ରାଜ୍ୟର ପାଣି-ପବନ, ଗ୍ରାମ୍ୟ ଜୀବନ ଆଦିକୁ ଏଭଳି ସରଳ ଭାଷା ଓ ଛନ୍ଦରେ ରୂପାୟିତ କରିଯାଇଛନ୍ତି ପଲ୍ଲୀକବି ନନ୍ଦକିଶୋର ବଳ । ତାଙ୍କ କବିତାଗୁଡ଼ିକରେ ପଲ୍ଲୀ ଜୀବନ ଓ ପଲ୍ଲୀ ପ୍ରକୃତିର ଅପୂର୍ବ ବର୍ଣ୍ଣନା ଦେଖିବାକୁ ମିଳେ । ତାଙ୍କ ପଦ୍ୟଗୁଡ଼ିକର ମୂଲ୍ୟାୟନ କରି ବ୍ୟାସକବି ଫକୀରମୋହନ ଲେଖିଥିଲେ - “ପଢ଼ିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା, କେହି କେବେ କହିନାହିଁ ଏ ପ୍ରକାର କଥା ।” ନନ୍ଦକିଶୋରଙ୍କୁ ପଲ୍ଲୀକବି ଉପାଧି ଜଣେ କେହି ଦେଇନାହିଁ; ଏହା ସମସ୍ତଙ୍କ ଦ୍ୱାରା ପ୍ରଦତ୍ତ । ଏହା ହିଁ ତାଙ୍କ ସାରସ୍ୱତ ପ୍ରତିଭାର ବିଶେଷତ୍ୱ । ମାହାଙ୍ଗା ଅନ୍ତର୍ଗତ କୁସୁପୁରରେ ଜନ୍ମିତ ନନ୍ଦକିଶୋରଙ୍କ ପିତାଙ୍କ ନାମ ଭଜନାନନ୍ଦ ଜେନା ଓ ମାତାଙ୍କ ନାମ ହିରଣ୍ମୟୀ ଦେବୀ । ଶୈଶବରେ ସେ ରସାନନ୍ଦ ଜେନା ନାମରେ ପରିଚିତ ଥିଲେ । ପିଉସୀ ପୋଷ୍ୟପୁତ୍ର କରିନେବା ପରେ ନାମ ବଦଳି ହୋଇଥିଲା ନନ୍ଦକିଶୋର ବଳ । ବାଲ୍ୟ ଜୀବନ କଟିଥିଲା କୁସୁପୁରରେ । ଗାଁ ସ୍କୁଲରୁ କଟକର ଟାଉନ ସ୍କୁଲ, ରାଭେନ୍ସା କଲେଜିଏଟ୍ ସ୍କୁଲ, କେନ୍ଦ୍ରାପଡ଼ା ଉଚ୍ଚ ଇଂରେଜୀ ବିଦ୍ୟାଳୟ ଓ ରାଭେନ୍ସା କଲେଜ । କଲେଜରେ ପଢ଼ିବା ବେଳେ ସେ ପ୍ରଥମେ ପ୍ରବନ୍ଧ ଲିଖନ ପ୍ରତି ଆଗ୍ରହୀ ହୋଇଥିଲେ । ନିଜର ପ୍ରଥମ ପ୍ରବନ୍ଧକୁ ପରେ କବିତା ରୂପ ଦେଇଥିଲେ ଏବଂ ସେଇଟି ହେଉଛି ପଲ୍ଲୀ ଚିତ୍ର । ନିର୍ଝରିଣୀ, ଚାରୁଚିତ୍ର, ବସନ୍ତ କୋକିଳ, ତରଙ୍ଗିଣୀ, ଜନ୍ମଭୂମି, ନିର୍ମାଲ୍ୟ ଆଦି ତାଙ୍କର ଅନ୍ୟ ଶ୍ରେଷ୍ଠ କୃତି । ତାଙ୍କ ଦ୍ୱାରା ଲିଖିତ ଏକମାତ୍ର ଉପନ୍ୟାସ କନକଲତା ମଧ୍ୟ ପଲ୍ଲୀଭିତ୍ତିକ । ଏହି ଉପନ୍ୟାସ ସଂପର୍କରେ ଆଧୁନିକ ଯୁଗର ବିଶିଷ୍ଟ ଓଡ଼ିଆ କବି ଡ.ମାୟାଧର ମାନସିଂହ ମତ ଦେଇଥିଲେ । ଉପନ୍ୟାନସଟି ପଲ୍ଲୀ ଜୀବନର ଓ ପଲ୍ଲୀ ପ୍ରକୃତିର ସୌରଭ ବିତରଣ କରେ । କଟକରେ ଭକ୍ତକବି ମଧୁସୂଦନଙ୍କ ଦ୍ୱାରା ସ୍ଥାପିତ ଟାଉନ୍ ସ୍କୁଲର ଶିକ୍ଷକ ଭାବେ ନନ୍ଦକିଶୋରଙ୍କ କର୍ମମୟ ଜୀବନ ଆରମ୍ଭ ହୋଇଥିଲା । କିଛି କାଳ ଶିକ୍ଷକତା କଲା ପରେ ସେ ସ୍କୁଲ ସବ୍ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ । ବାରମ୍ବାର ଗସ୍ତ, ବଦଳି ଯୋଗୁଁ କ୍ରମେ ସ୍ୱାସ୍ଥ୍ୟ ଭଙ୍ଗ ହୋଇଥିଲା । ଏହି କାରଣରୁ ସ୍ୱେଚ୍ଛାକୃତ ଅବସର ନେଇ ଫେରିଥିଲେ ଗାଁକୁ । ଇଛା ଥିଲା ଅବଶିଷ୍ଟ ଜୀବନ ଗ୍ରାମରେ କଟାଇବେ । ତାହା ହେଲା ନାହିଁ । ଚିକିତ୍ସା ପାଇଁ କଟକ ଆସିଥିଲେ । ଚିକିତ୍ସିତ ହେଉଥିବାବେଳେ ମାତ୍ର ବାଉନ ବର୍ଷ ବୟସରେ ୧୯୨୮ ଜୁଲାଇ ୧ ତାରିଖରେ ତାଙ୍କର ପରଲୋକ ହୋଇଥିଲା ।
ବାଦଲ ଭୂୟାଁ,ମୋ: ୭୪୮୮୯୯୮୫୩୨