ଶିକ୍ଷା, ସଂସ୍କାର ଓ ସଂସ୍କୃତି


ରଶ୍ମିରଞ୍ଜନ ନାୟକ :  ବିଷ୍ଣୁ ପୁରାଣରେ ବର୍ଣ୍ଣିତ ଅଛି –“ ସା ବିଦ୍ୟା ଯା ବିମୁକ୍ତୟେ “  ଅର୍ଥାତ୍ ବିଦ୍ୟା ତାହା ଯାହା ମୁକ୍ତି ପ୍ରଦାୟକ ହୋଇଥାଏ ।  । ବିଦ୍ୟା ସମ୍ବନ୍ଧରେ ଆମର ଶାସ୍ତ୍ରୀୟ ମତ ହେଉଛି- ‘ନାସ୍ତି ବିଦ୍ୟାସମ ଚକ୍ଷୁ’ ,ଅର୍ଥାତ୍ ବିଦ୍ୟାତୁଲ୍ୟ ଚକ୍ଷୁ ଅନ୍ୟକିଛି ନାହିଁ । ଶିକ୍ଷାର ସଫଳ ପ୍ରୟୋଗ ଫଳରେ ମନୁଷ୍ୟ ସାଂସାରିକ ଜନ୍ମ-ମୃତୁ୍ୟର ବନ୍ଧନରୁ ମୁକ୍ତିଲାଭ କରିଥାଏ  । ପ୍ରାଚୀନ ଶିକ୍ଷା ପ୍ରଣାଳୀର ବିଶ୍ଳେଷଣ କଲେ ଜଣାଯାଏ ଯେ ଧନ ରୋଜଗାର ଉଦେ୍ଦଶ୍ୟରେ ଦିଆଯାଉଥିବା ଶିକ୍ଷା ଉପଯୁକ୍ତ ଶିକ୍ଷା ନୁହେଁ  । ସେ  ସମୟରେ  ଶିକ୍ଷାର ଲକ୍ଷ୍ୟ ଥିଲା ମାନବ ଜୀବନପୋଯୋଗୀ ସମସ୍ତ ପ୍ରକାର ଜ୍ଞାନ ହାସଲ କରିବା । 
   ପୁରାଣ ଅନୁଶୀଳନରୁ ଜଣାଯାଏ ପ୍ରାଚୀନ ସମୟରେ ଗୁରୁକୁଳରେ କୌରବ ଓ ପାଣ୍ଡବ ରାଜକୁମାର ମାନଙ୍କୁ ଦ୍ରୋଣାଚାର୍ଯ୍ୟ ଶିକ୍ଷାଦାନ କରୁଥିଲେ  । ସେମାନଙ୍କର ଶିକ୍ଷା ସମ୍ବନ୍ଧୀୟ ପ୍ରଗତିକୁ ପରଖିବା ନିମନ୍ତେ ମଝିରେ ମଝିରେ ଶିଷ୍ୟମାନଙ୍କୁ ପରୀକ୍ଷା କରୁଥିଲେ । ଗୁରୁକୁଳରେ କିଛିଦିନ ରହିବା ପରେ ଧୃତରାଷ୍ଟ୍ର ଜାଣିବାକୁ ପାଇଲେ ଯେ ଯୁଧିଷ୍ଠିର କେବଳ ‘ସତ୍ୟଂବଦ’ ଏତିକି ମାତ୍ର ଶିଖି ପାରିଛନ୍ତି । ଏହା ଜାଣି ଧୃତରାଷ୍ଟ୍ର ଦୁଃଖିତ ହେଲେ ଓ ବାରମ୍ବାର ଧୃତରାଷ୍ଟ୍ରଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରିଲା ଯେ ଦୀର୍ଘଦିନ ଧରି ଗୁରୁ ଦ୍ରୋଣାଚାର୍ଯ୍ୟ ଯୁଧିଷ୍ଠିରଙ୍କୁ କ’ଣ ଏହି ଗୋଟିଏ ବାକ୍ୟ ଶିଖେଇଛନ୍ତି  । କିନ୍ତୁ ଯେତେବେଳେ ସେ ଜାଣିଲେ ଯୁଧିଷ୍ଠିର ସେହି ବାକ୍ୟଟିକୁ କେବଳ ମୁଖସ୍ଥ କରିଛନ୍ତି ତାହାନୁହେଁ ବରଂ ତାହାକୁ ଜୀବନରେ ପାଳନ କରୁଛନ୍ତି , ସେତେବେଳେ ସେ ଅତ୍ୟନ୍ତ ଆନନ୍ଦିତ ହେଲେ । ପ୍ରାଚୀନ ଶିକ୍ଷାଦାନ ପ୍ରଣାଳୀର ସଫଳ ରୂପାୟନର  ଏହା ଏକ ନମୁନା ମାତ୍ର  ।
  ସାମ୍ପ୍ରତିକ ସମୟରେ ଶିକ୍ଷାର ଗୁରୁତ୍ୱ ବୃଦ୍ଧି ପାଇଛି । ଶିକ୍ଷା ପ୍ରଭାବରେ ସମାଜରେ ପ୍ରଚଳିତ ବହୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ହ୍ରାସ ପାଇଛି  । ଆଜିର ସମୟରେ ଶିଶୁଟିଏ ଚାରି ପାଞ୍ଚ ବର୍ଷର ହେବାପରେ ପିତାମାତାମାନେ ତାକୁ ପାଠ ପଢେଇବା ପାଇଁ ବ୍ୟଗ୍ର ହୋଇଯାଆନ୍ତି   ।  କୁନି କାନ୍ଧରେ ବଡ ବ୍ୟାଗଟିଏ ଝୁଲେଇ ଦେଇ ସ୍କୁଲକୁ ପଠେଇ ଦିଅନ୍ତି  । ସ୍କୁଲରୁ ଫେରିଲା ପରେ ଘରେ ପୁଣି ପାଠପଢା ଓ ଟୁ୍ୟସନ୍ ଏମିତି ଚାଲେ  ନିତିଦିନ । ଛୋଟବେଳୁ ପିଲାଟି କେମିତି ଭଲ  ପାଠପଢ଼ିବ, ବଡ଼ ହୋଇ ବଡ଼ ଚାକିରି  ଖଣ୍ଡେ କରିବ ସେଥିପାଇଁ ଅଧିକାଂଶ ପିତାମାତା ଚିନ୍ତିତ ଥାଆନ୍ତି , ହେଲେ ମନରେ ଗୋଟେ ପ୍ରଶ୍ନ ଉଙ୍କିମାରେ – ଭଲ ପାଠପଢି ବଡ଼ ଚାକିରି କରିବା କ’ଣ  ଶିକ୍ଷା ସାଧନର ଏକମାତ୍ର ଉଦେ୍ଦଶ୍ୟ ?  । ଏଭଳି ମାନସିକ ଚିନ୍ତାଧାରା ପ୍ରଭାବରେ ଆଜିର ନବ୍ୟଶିକ୍ଷିତ ଯୁବପିଢି- ଆମ ପ୍ରାଚୀନ ଶିକ୍ଷାର ଗୂଢତତ୍ତ୍ୱ ‘ସତ୍ୟଂ ଶିବଂ ସୁନ୍ଦରମ୍’ ର ନୈସର୍ଗିକ ଭାବନା ଠାରୁ ଦୂରେଇ ଯାଉଛନ୍ତି , ଯାହାକି ମାନବ ଜୀବନର ପୂର୍ଣ୍ଣତା ପ୍ରାପ୍ତି ଲାଗି ଅପରିହାର୍ଯ୍ୟ  । ଶିକ୍ଷା ବୃତ୍ତି ସର୍ବସ୍ୱ ହୋଇଯିବା ଫଳରେ ସମାଜରେ ନୈତିକ ଅବକ୍ଷୟ ଦେଖା ଦେଉଛି   । 
 ଶିକ୍ଷା ଓ ସଂସ୍କାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି  । ଶିକ୍ଷା ମନୁଷ୍ୟର ଜ୍ଞାନ ବର୍ଦ୍ଧନ କରୁଥିଲା ବେଳେ ସଂସ୍କାର ବ୍ୟକ୍ତିକୁ ଜୀବନ ଜୀଇଁବାର କଳା ଶିଖେଇଥାଏ  । ସଂସ୍କାର ଦ୍ୱାରା ବ୍ୟକ୍ତିଟିଏ ନିଜର ସଂସ୍କୃତି ସହିତ ଯୋଡି ହୋଇ ରହିଥାଏ  ।  ଯେଉଁଠି ଶିକ୍ଷା ସହିତ ସଂସ୍କାରର ସଂସର୍ଗ ଘଟେ ସେ ଶିକ୍ଷା ମାନବ ସମାଜର କଲ୍ୟାଣରେ ସହାୟକ ହୋଇଥାଏ । ମନୁଷ୍ୟ ପାଇଁ ଶିକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ  ସଂସ୍କାର ତତୋଧିକ ଗୁରୁତ୍ୱପୂର୍ଣ୍ଣ । ସଂସ୍କାର ବ୍ୟକ୍ତିର ନୀତିଗତ  ଓ ସାମାଜିକ ଆଚାର ବ୍ୟବହାରକୁ ଗଢିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସଂସ୍କାର ଆମକୁ ଭଲ ଓ ମନ୍ଦ ଭିତରେ ପ୍ରଭେଦ ଦେଖାଇଥାଏ  । ସଂସ୍କାର ଦ୍ୱାରା ପରିଚାଳିତ ହୋଇ ମନୁଷ୍ୟ ଅନ୍ୟପ୍ରତି ସ୍ନେହ, ସମ୍ମାନ, ଓ ସହାନୁଭୂତି ପ୍ରଦର୍ଶନ କରିଥାଏ । ସମୟ ଥିଲା ଗାଁରେ ନିଇତି ସଞ୍ଜବେଳେ ଡିବିରି କି ଲଣ୍ଠନବତିଟି ଜଳା ହୋଇ ରାମାୟଣ, ଭାଗବତ, ହରିବଂଶ ଆଦି ଅନେକ ମୂଲ୍ୟବାନ ଗ୍ରନ୍ଥ ସବୁ ପଢା ହେଉଥିଲା  । ଲୋକମାନେ ଗୋଟିଏ ସ୍ଥାନରେ  ରୁଣ୍ଡ ହୋଇ ଏ ଗ୍ରନ୍ଥର ଅମୂଲ୍ୟ ପଦ ଗୁଡ଼ିକୁ କେବଳ ଯେ  ଶୁଣୁଥିଲେ ତାହା ନୁହେଁ ବରଂ  ଆଗ୍ରହର ସହିତ ଏହାର ପ୍ରତ୍ୟେକ ପଦର ଅର୍ଥକୁ ହୃଦୟଙ୍ଗମ କରି ଦୈନନ୍ଦିନ ଜୀବନରେ ଏହାକୁ ପାଳନ କରୁଥିଲେ  ଯାହା ଦ୍ୱାରା ମନୁଷ୍ୟ ହୃଦୟରେ ମାନବିକତାର ପ୍ରଜାପତି ଉଡୁଥିଲା  । ମନୁଷ୍ୟ ଛୋଟ ବେଳୁ ଦୟା, କ୍ଷମା, ସତ୍ୟ, ନ୍ୟାୟ, ପୁଣ୍ୟ, ଧର୍ମକୁ ପାଥେୟ କରି ଜୀବନର  ପଥ ଚାଲିବାକୁ ମାର୍ଗ ପାଉଥିଲା ।  ଆଜି କିନ୍ତୁ ସମୟ ବଦଳି ଯାଇଛି  । ଯୌଥ ପରିବାରରେ ପିଲାଟି ଶିକ୍ଷାଲାଭ କରୁଥିବା ଆଦବ କାଇଦା,ଆଚାର ବ୍ୟବହାର ,ନୀତି ନିୟମ ଓ କଟକଣା ଆଜି ଏକକ ପରିବାରରେ ହ୍ରାସ ପାଇଛି   । ସାଂପ୍ରତିକ ସମୟର ପିଲା ଛୋଟ ବେଳୁ ମୋବାଇଲ୍ ଫୋନ୍ରେ ବ୍ୟସ୍ତ ରହୁଛନ୍ତି  । ଅନେକ ପିତାମାତା ପିଲାଙ୍କ ବୃତ୍ତିଗତ ଭବିଷ୍ୟତ ପାଇଁ ଏତେ ମାତ୍ରା ରେ ଚିନ୍ତିତ ହୋଇପଡୁଛନ୍ତି ଯେ ପିଲାଙ୍କୁ ସଂସ୍କାର ଦେବାକୁ ଭୁଲି ଯାଉଛନ୍ତି  । ଶିକ୍ଷା ସହିତ ସଂସ୍କାର ନ ମିଶିଲେ ନୂତନ ପିଢ଼ିଙ୍କ ଭିତରେ ସଂସ୍କୃତି ପ୍ରୀତି ଆସିବ ନାହିଁ । ଏହାଦ୍ୱାରା କାଳକ୍ରମେ ସାଂସ୍କୃତିକ ଅବକ୍ଷୟ ଦେଖାଦେବ  । ସଂସ୍କାରର ଅଭାବରେ ନବ୍ୟଶିକ୍ଷିତ ଆଗାମୀ ପିଢ଼ି ସାମାଜିକ ଚାଲି ଚଳଣି, ରୀତିନୀତି , ଧର୍ମ ବିଶ୍ୱାସ ଓ ପରମ୍ପରା ଠୁଁ ଦୂରେଇ ଯିବେ ।  ସାଂପ୍ରତିକ ସମୟରେ ଶିକ୍ଷାକୁ ଜୀବିକାର ମୂଲ୍ୟ ନିର୍ଦ୍ଧାରକ ଭାବେ ଗ୍ରହଣ ନକରି ଜୀବନର ମୂଲ୍ୟବୋଧ ଭାବେ ଗ୍ରହଣ କରି ନେବାକୁ ନୂଆପିଢିଙ୍କୁ ଶିଖେଇବାକୁ ହେବ  । ପୁନଶ୍ଚ ଆମକୁ ଅତୀତ ପ୍ରତି ଦୃଷ୍ଟିପାତ କରି  ଅତୀତର ସେହି ପୋଥି ପୁରାଣ ଭିତରୁ ସମାଜକୁ ଭଲ କରି ଚିହ୍ନିନଥିବା ନୂଆ ପିଢିଙ୍କୁ ଜୀବନ ଜୀଇଁବାର କଳା ଶିଖେଇବାକୁ ହେବ  । ଗୋଟିଏ ପଟେ ଭବିଷ୍ୟତର ଜୀବିକା ନିମନ୍ତେ ଶିକ୍ଷା ଅନ୍ୟ ପକ୍ଷରେ ଜୀବନ ପାଇଁ ଶିକ୍ଷା ଓ ତା ସହିତ ସଂସ୍କାର ଏ ତିନୋଟିର ସମ୍ମିଶ୍ରଣ ଘଟିଲେ ଆମ ସାଂସ୍କୃତିକ ମହନୀୟତା ବଜାୟ ରହିବ , ସମାଜର କଲ୍ୟାଣ ସାଧନ ହେବ  ।  ଶିକ୍ଷା ଦ୍ୱାରା ବ୍ୟକ୍ତିର ବୌଦ୍ଧିକ ବିକାଶ ଓ ଜ୍ଞାନ ବୃଦ୍ଧି ହେଉଥିଲା ବେଳେ, ସଂସ୍କାର ବ୍ୟକ୍ତିକୁ ଉଚିତ୍ ପଥରେ ଯିବା ପାଇଁ ପ୍ରେରଣା ଦେଇଥାଏ  । ଶିକ୍ଷା ଓ ସଂସ୍କାରକୁ ପାଥେୟ କରି ସଂସ୍କୃତି ଗୋଟିଏ ଜାତିକୁ ଏକତାର ରଜ୍ଜୁରେ ବାନ୍ଧିରଖେ    । ସଂସ୍କୃତି ହେଉଛି ଗୋଟିଏ ଜାତିର ପରିଚୟ  ।  ଶିକ୍ଷା, ସଂସ୍କାର ଓ ସଂସ୍କୃତି ଏ ତିନୋଟି  ସମାଜ ଓ ରାଷ୍ଟ୍ରର ବିକାଶ ନିମନ୍ତେ ନିତାନ୍ତ ଆବଶ୍ୟକ  । ଏ ତିନୋଟିର ସମ୍ମିଶ୍ରଣରେ  ଏକ ସୁସ୍ଥ ,ସମୃଦ୍ଧ ଓ ଶୃଙ୍ଖଳିତ ସମାଜ ଗଠନ କରାଯାଇ ପାରିବ   । 
ଢେଙ୍କାନାଳ
ମୋ: ୯୮୫୩୨୦୯୬୫୫